ପୁଣି ଉବୁଟୁବୁ ସ୍ମାର୍ଟ ରାଜଧାନୀ : ୪ ଜାଗାରେ ୪ ଘଣ୍ଟା ଲାଗିଲା ପମ୍ପ

ପୁଣି ଉବୁଟୁବୁ ରାଜଧାନୀ

ପାର୍ଲାମେଣ୍ଟରୁ ଲାଲକିଲ୍ଲା ଭାସୁଛି: ମେୟର୍‌

ଭୁବନେଶ୍ୱର: ସାରା ଦିନ ଲଗାଣ ବର୍ଷାରେ ପୁଣି ଉବୁଟୁବୁ ହୋଇଛି ରାଜଧାନୀ। କେଉଁଠି ଘରେ ପାଣି ପଶି ଯାଇଛି ତ’ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ନଦୀର ଭ୍ରମ ସୃଷ୍ଟି କରିଛି। କେତେକ ଜାଗା କିଛି ସମୟ ପାଇଁ ସହରରୁ ବିଚ୍ଛିନ୍ନ ହୋଇଯାଇଥିଲା। ଆଜି ଦିନରେ ହୋଇଥିବା ମାତ୍ର ୪୬.୪ମିମି ବର୍ଷାରେ ଜଳବନ୍ଦୀ ସ୍ଥିତି ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି କରିଛି। ଇସ୍କନ ସମ୍ମୁଖରେ ସକାଳେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଥିବା ବେଳେ ବର୍ଷା କମିବାରୁ ଜଳ ଆପେ ନିଷ୍କାସିତ ହୋଇଛି। କିନ୍ତୁ ଏଠାରୁ ଜଳ ନିଷ୍କାସନ ସମସ୍ୟା ଦୂର ହୋଇଥିବା ଏକ ଭିଡିଓ ଜାରି କରି ବିଏମ୍‌ସି ବାହାବା ନେଇଛି। ଅନ୍ୟପଟେ ବର୍ଷା ସମୟରେ ଏକାଧିକ ଜଳବନ୍ଦୀ ସ୍ଥାନ ବିଏମ୍‌ସି ମେୟର ସୁଲୋଚନା ଦାସ ବୁଲି ସ୍ଥିତି ପରଖିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ବର୍ଷାରେ ରାଜଧାନୀ ଦିଲ୍ଲୀ ବି ଉବୁଟୁବୁ ହେଉଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ଲାଲ୍‌କିଲା ପର୍ଯ୍ୟନ୍ତ ବର୍ଷା ପାଣି ଭାସୁଛି। ତେବେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଅହରହ ଉଦ୍ୟମ ଜାରି ରଖିଛି।
ଶନିବାର ସକାଳୁ ରାଜଧାନୀରେ ବର୍ଷା ଲାଗି ରହିଥିଲା। ଛାଡ଼ିବା ନାଁ ଧରିନଥିଲା। ପୁରୁଣା ଭୁବନେଶ୍ୱର ରଥରୋଡ୍‌ ଭଳି ଅନ୍ୟତମ ପ୍ରମୁଖ ସ୍ଥାନ କମିସନରେଟ୍‌ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ପ୍ରଥମଥର ପାଇଁ ପାଣି ଜମା ହୋଇଯାଇଥିଲା। ରାସ୍ତା କଡ଼ରେ ଡ୍ରେନ୍‌ ଥିଲେ ମଧ୍ୟ ଡ୍ରେନ୍‌କୁ ପାଣି ଯାଉନଥିଲା। ଏଭଳି ଅବସ୍ଥା ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା। ଖବର ପାଇ ବିଏମ୍‌ସି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସମାଧାନ କରିବାକୁ ବାଟ ପାଇ ନଥିଲେ। ବର୍ଷା ଛାଡ଼ିବା ପରେ ପାଣି ଆସ୍ତେଆସ୍ତେ କମିଥିଲା। ଏହା ବାଦ୍‌ ବମିଖାଲ-ରସୁଲଗଡ଼ ରାସ୍ତାରେ ଶୋଚନୀୟ ଅବସ୍ଥା ହୋଇଥିଲା। ରାସ୍ତାକଡ଼ର ଡ୍ରେନ୍‌ ପାଣି ନିଷ୍କାସନ କରିବାରେ ସମର୍ଥ ହୋଇନଥିଲା। ସେହିଭଳି ଲକ୍ଷ୍ମୀସାଗର ମଣ୍ଡପ ସାହିରେ ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ଫଳରେ ଘରେ ରୋଷେଇ ବନ୍ଦ ହୋଇଯାଇଥିଲା। ଏହାଛଡ଼ା ବଡ଼ଗଡ଼ ଇଏ କଲୋନି ସମେତ ଏକାଧିକ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ଥିବାରୁ ବିଏମ୍‌ସି ପମ୍ପ ଯୋଗେ ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲା। ହଂସପାଳ ଭୋଇ ସାହିରେ ପମ୍ପ ଲଗାଇ ବିଏମ୍‌ସି ଜଳ ନିଷ୍କାସନ କରିଥିବା ବେଳେ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଭୀମଟାଙ୍ଗୀ ଲେନ୍‌-୬, ଲକ୍ଷ୍ମୀସାଗର କେନାଲ ସାଇଫନ ପାର୍ଶ୍ଵ ଓ ଚିନ୍ତାମଣିଶ୍ୱର ଫିସେରି ପଣ୍ଡ ନିକଟ ଲେନ୍‌-୯ ରେ ପ୍ରାୟ ୪ ଘଣ୍ଟା ଧରି ପମ୍ପ ଲାଗିଥିଲା। ବର୍ଷା ପୂର୍ବରୁ ବିଏମ୍‌ସି ଘଣ୍ଟା ଘଣ୍ଟା ଧରି ପ୍ରସ୍ତୁତି କରିଥିଲେ ମଧ୍ୟ ସବୁ ଯେମିତି ଫେଲ୍‌ ମାରିଥିବା ଅନୁମେୟ ହୋଇଥିଲା। ପ୍ରଥମଥର ପାଇଁ ସାରା ଦିନ ଲଗାଣ ବର୍ଷା ହୋଇଥିଲା। ଆଗକୁ ଆହୁରି ବର୍ଷା ହେବାକୁ ଯାଉଛି। ବିଏମ୍‌ସିର ପ୍ରସ୍ତୁତି କେବଳ କାଗଜପତ୍ରରେ ହୋଇଥିବାରୁ ଆଗକୁ ଭୟଙ୍କର ପରିସ୍ଥିତି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ପାକିସ୍ତାନରେ ହିନ୍ଦୁ ଅସହାୟ : ୭୦ ବର୍ଷରେ ଧ୍ୱଂସ ହେଲାଣି ୪୦୯ଟି ମନ୍ଦିର

Mon Jul 17 , 2023
ନୂଆଦିଲ୍ଲୀ : ପାକିସ୍ତାନର ୨୨ ଲକ୍ଷ ହିନ୍ଦୁ ନିଜର ଅସ୍ତିତ୍ୱ ପାଇଁ ଲଢୁଛନ୍ତି। ମାତ୍ର ପାକିସ୍ତାନର ଏହି ସଂଖ୍ୟାଲଘୁମାନେ କାହା ନିକଟରେ ଅଭିଯୋଗ କରିବେ? ଏହି ଦେଶରେ ବସବାସ କରୁଥିବା ଲକ୍ଷ ଲକ୍ଷ ହିନ୍ଦୁଙ୍କ ପ୍ରତି ଯେଉଁ ଅନ୍ୟାୟ ହେଉଛି, ସେଥିରୁ ନ୍ୟାୟ ଆଶା କରିବା ବୃଥା କାରଣ ସରକାର ନିଜେ ହିନ୍ଦୁମାନଙ୍କୁ ହଇରାଣ କରିବାର କୌଣସି ସୁଯୋଗ ଛାଡିବାକୁ ଚାହୁଁନାହାନ୍ତି ଏବଂ ପାକିସ୍ତାନ ସରକାର ଏହାକୁ ପର୍ଯ୍ୟାୟକ୍ରମେ ପ୍ରମାଣିତ […]
ପାକିସ୍ତାନରେ ହିନ୍ଦୁ ଅସହାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial