ସୈନିକ ସ୍କୁଲ ଅଳିଆଗଦା ଅଡ଼ୁଆ: ‘ଅଳିଆ ଉଠାଅ, ନ ହେଲେ ବନ୍ଦ କରିଦେବୁ’

ସୈନିକ ସ୍କୁଲ ଅଳିଆଗଦା ଅଡ଼ୁଆ

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ପଛପାର୍ଶ୍ୱରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଦିନ ପରେ ଦିନ ବିତିଚାଲିଥିଲେ ମଧ୍ୟ ପ୍ରଶାସନ ନିରବ। ବିଏମ୍‌ସିର ସରକାରୀ ଅଧିକାରୀମାନେ ଚୁପ୍‌ ଥିବା ବେଳେ ଜନପ୍ରତିନିଧି ହାତ ଟେକି ଦେଲେଣି। ପରିଣାମ ସ୍ୱରୂପ ଏବେ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ଉପୁଜିଛି। ୫ ଖଣ୍ଡ ଗାଁ ଲୋକେ ଘରୁ ବାହାରିପାରୁ ନାହାନ୍ତି। ଛୋଟ ପିଲା ସ୍କୁଲ ମାଟି ମାଡ଼ିପାରୁ ନାହାନ୍ତି। ଶତାଧିକ ଶିଶୁ ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି। କାହାର କୁଣ୍ଡାଇ ହୋଇ ଫଳି ଯାଉଛି ତ ଆଉ କିଏ ଶ୍ଵାସ ରୋଗରେ ଆକ୍ରାନ୍ତ ହୋଇଛି। ଓଡ଼ିଶା ମାନବାଧିକାର ଆୟୋଗ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିକଟରେ ଗୁହାରି ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଅଞ୍ଚଳବାସୀ କଳାବ୍ୟାଜ୍‌ ପିନ୍ଧି କଳା ଦିବସ ପାଳନ କରିଛନ୍ତି। ଏଥିସହ ପ୍ରଶାସନ ବିରୋଧରେ ରଣହୁଙ୍କାର ଦେଇଛନ୍ତି।
ଆମେ କ’ଣ ବିଏମ୍‌ସିର ସାବତ ପୁଅ? କଳା ଦିବସ ପାଳିଲେ ଅଞ୍ଚଳବାସୀ
ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମକୁ ୮ଟି ପ୍ରଶ୍ନ ପଚାରିବା ସହ ତୁରନ୍ତ ନ୍ୟାୟ ନ ମିଳିଲେ ସୁବଦିନ ପାଇଁ ଅଳିଆଗଦା ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ମଞ୍ଚର ପ୍ରଥମ ପ୍ରଶ୍ନ ହେଉଛି ଯେ ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଭିଏସ୍‌ଏସ୍‌ ନଗର, ଗଜପତି ନଗର, ସୁବାସ ଏନ୍‌କ୍ଲେଭ, ଶକ୍ତି ବିହାର, ଗଜପତି ନଗର, ଲକ୍ଷ୍ମୀ ବିହାର, ପ୍ରଗତି ବିହାର ଲୋକଙ୍କର କ’ଣ ବଞ୍ଚିବାର ଅଧିକାର ନାହିଁ? ସହରର ଅନ୍ୟ ଅଞ୍ଚଳ ପ୍ରତି ଏଭଳି ମାନସିକତା ଅଛି ନା କେବଳ ଏହି ଗାଁ ଲୋକଙ୍କ ପାଇଁ? ଆମେ କ’ଣ ବିଏମ୍‌ସିର ସାବତ ପୁଅ? ଗଣତାନ୍ତ୍ରିକ ବ୍ୟବସ୍ଥାରେ କ’ଣ ଆମେ ଭୋଟ ଦେଇନଥିଲୁ କି? କାହା ସହ ଲୁଚି ଲୁଚି ଗୁପ୍ତ ମନ୍ତ୍ରଣା କରୁଛନ୍ତି? ଯଦି ସାହସ ଅଛି ସମ୍ମୁଖକୁ ଆସନ୍ତୁ ଓ ଜନଶୁଣାଣି ମାଧ୍ୟମରେ ଆଲୋଚନା କରନ୍ତୁ। ଏ ଅଞ୍ଚଳ ଛାତ୍ରଛାତ୍ରୀଙ୍କୁ ପଢ଼ିବା ପାଇଁ ସୁଯୋଗ ଦେବେନି କି? ନା ଆପଣ ଚାହୁଛନ୍ତି ଆମ ଭବିଷ୍ୟତ ପିଲାମାନେ କେବଳ ଆପଣଙ୍କ ରାଲିରେ ବୁଲନ୍ତୁ ଏବଂ ମୂର୍ଖ ହୁଅନ୍ତୁ?
ସେମାନେ ଆହୁରି ଦର୍ଶାଇଛନ୍ତି ‌ଯେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୯, ୧୦, ୧୧ ଓ ୧୨ ନମ୍ବର ୱାର୍ଡବାସୀ ଅଳିଆରେ ଘାଣ୍ଟି ହେଉଛୁ। କେବଳ ଲୋକେ ନୁହଁନ୍ତି, ଛାତ୍ରଛାତ୍ରୀ ମଧ୍ୟ ପ୍ରଭାବିତ ହେଲେଣି। ସୈନିକ ସ୍କୁଲ, ରେଳ ବିହାର ପ୍ରାଥମିକ ସ୍କୁଲ, ଶିଶୁ ନିକେତନ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଶାନ୍ତି ଶିଶୁମନ୍ଦିର, ସରସ୍ୱତୀ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିବାରେ ଲାଗିଛି। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଉନାହାନ୍ତି। ‌ଯେଉଁମାନେ ବି ଆସୁଛନ୍ତି ସେମାନେ ରୋଗ ନେଇ ଘରକୁ ଫେରୁଛନ୍ତି। ଅଳିଆ ସହ ମଲା ଗାଈଗୋରୁ, କୁକୁର ଓ ପଶୁପକ୍ଷୀ ପକାଯାଉ ଥିବାରୁ ଦୁର୍ଗନ୍ଧ ବ୍ୟାପୁଛି ଯେ ସମଗ୍ର ଅଞ୍ଚଳରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼ୁଛି। ଏସମ୍ପର୍କରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ସୈନିକ ସ୍କୁଲ କର୍ତ୍ତୃପକ୍ଷ କିଛି ଦିନ ତଳେ ବିଏମ୍‌ସିକୁ ଚିଠି ଲେଖି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ତା’‌ସତ୍ତ୍ୱେ ବି ପ୍ରଶାସନ ନିଦ ଭାଙ୍ଗୁନି। ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ହେବ ବୋଲି ମଞ୍ଚର ଆବାହକ କୃଷ୍ଣଚନ୍ଦ୍ର ପତି, ଗାଡ଼କଣ ଗ୍ରାମ ଉନ୍ନୟନ କମିଟି ସଭାପତି ସୁର ପାତ୍ର, ଯୁବନେତା କୃଷ୍ଣ ପାତ୍ର, ମୁରଲୀ ପରିଡ଼ା‌, ମଞ୍ଚେଶ୍ୱର ରେଲୱେ କଲୋନି ବରିଷ୍ଠ ନାଗରିକ ସଭାପତି କିଶୋର ସାହୁ, ମନୋରଞ୍ଜନ ପରିଡ଼ା, ବୁଲୁ ପାତ୍ର, ଲୋଚନ ସାହୁ, ରେଳବାଇ ଦୁର୍ଗାପୂଜା କମିଟି ସଭାପତି କୃଷ୍ଣ ଭଞ୍ଜ, ମୁରଲୀ ପରିଡ଼ା, ରଙ୍ଗମାଟିଆ ଗ୍ରାମ୍ୟ କମିଟିର ପୂର୍ବତନ ସଭାପତି, ବୁଲୁ ପରିଡ଼ା, ସମ୍ପାଦକ ମିଞ୍ଜା ବେହେରା, କୁନା ପାତ୍ର, ଧୀରେନ୍‌ ପାତ୍ର, ଅର୍ଜୁନ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ଆଇଭରମେଟିନ ବଟିକା : ଅଗଷ୍ଟ ୧୦ରୁ ଆରମ୍ଭ ହେବ ଅଭିଯାନ

Tue Jul 25 , 2023
ଭୁବନେଶ୍ୱର: ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଫାଇଲେରିଆ ରୋଗ ନିରାକରଣ ପାଇଁ ଆଇଭରମେଟିନ ବଟିକା ଦିଆଯିବ। ଆସନ୍ତା ଅଗଷ୍ଟ ୧୦ରୁ ରାଜ୍ୟରେ ସାମୁହିକ ଔଷଧ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ […]
ରାଜ୍ୟରେ ଫାଇଲେରିଆ ନିରାକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial