ଫୁଲୁଛି କୁଆଖାଇ କୁଶଭଦ୍ରା ଭାର୍ଗବୀ : ପ୍ରଥମ ବନ୍ୟା-ଆଗ୍ରହ ଯେତିକି, ଆଶଙ୍କା ସେତିକି

ଫୁଲୁଛି କୁଆଖାଇ କୁଶଭଦ୍ରା ଭାର୍ଗବୀ

ବାଲିଅନ୍ତା/ ବାଲିପାଟଣା: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ପ୍ରବେଶ କରିଛି। ଗତକାଲି ରାତିରୁ ମହାନଦୀର ବନ୍ୟାଜଳ ଏହି ତିନି ନଦୀରେ ପ୍ରବେଶ କରିଛି। ଫଳରେ ଆଜି ସକାଳୁ ଏହି ତିନି ନଦୀ ଫୁଲିବା ଆରମ୍ଭ କରିଛି। ତିନି ନଦୀ ଏବେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତେଣୁ ବନ୍ୟା ବିଭୀଷିକାର ଭୟ ନଥିଲେ ହେଁ ଆଗକୁ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ ଲୋକଙ୍କୁ ସତର୍କ କରାଇଦିଆଯାଇଛି। ବିଭାଗୀୟ ଯନ୍ତ୍ରୀମାନେ ଆଜି ସମସ୍ତ ନଦୀବନ୍ଧର ସମ୍ଭାବ୍ୟ ଦୁର୍ବଳ ସ୍ଥାନ ବୁଲି ଦେଖିଛନ୍ତି। ବାଲିବସ୍ତା ପ୍ରସ୍ତୁତ କରି ରଖାଯାଇଛି। ଏଣେ ପୂରନ୍ତା ନଦୀର ଦୃଶ୍ୟ ଲୋକଙ୍କ ମନରେ ଯେତିକି ଆଗ୍ରହ, ସେତିକି ଆଶଙ୍କା ସୃଷ୍ଟି କରିଛି। ବିଶେଷକରି ନଦୀକୂଳିଆ ତଥା ତଳି ଅଞ୍ଚଳର ଲୋକେ ପ୍ରମାଦ ଗଣିଲେଣି। ତେବେ ପ୍ରଥମ ବନ୍ୟା ଦେଖିବାକୁ ଆଜି ଦିନ ତମାମ ମହାତ୍ମା ସେତୁ, ବାଳକାଟି ବ୍ରିଜ୍‌, ଅଚ୍ୟୁତପୁର କାଜ, କୁଶଭଦ୍ରା ନଦୀର ଶିଶୁ ଅନନ୍ତ ବ୍ରିଜ୍‌ ଏବଂ ବନମାଳୀପୁର ବ୍ରିଜ୍‌ ଉପରେ ବନ୍ୟା ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।
ଗତକାଲି ସନ୍ଧ୍ୟା ବେଳେ ଶୁଖିଲା ପଡ଼ିଥିବା ନଦୀ ଶଯ୍ୟା ଆଜି ସକାଳୁ ବନ୍ୟାଜଳରେ ଭରିହୋଇଯାଇଥିଲା। ନଦୀପଠା ବୁଡ଼ିଯିବା ଦେଖିବାକୁ ମିଳିଥିଲା। ବହୁ ସ୍ଥାନରେ ବନ୍ୟାଜଳ ନଦୀବନ୍ଧକୁ ଛୁଇଁଯାଇଥିଲା। ଦିନ ଯେତିକି ବଢ଼ୁଥିଲା, ଜଳସ୍ତର ସେତିକି ବଢ଼ିବଢ଼ି ଯାଉଥିଲା। ମଧ୍ୟାହ୍ନ ସୁଦ୍ଧା ତିନି ନଦୀ ବନ୍ୟାଜଳରେ ଫୁଲିଉଠିଥିଲା। ମହାତ୍ମା ସେତୁ ନିକଟରେ ନଦୀପଠାରେ ଥିବା କିଛି ବ୍ୟବସାୟିକ ଅନୁଷ୍ଠାନ ପାଣିରେ ବୁଡ଼ିଯାଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ କୁଶଭଦ୍ରା ନଦୀର ବଇଁଚୁଆ କାଜ ଡେଇଁନାହିଁ। କିନ୍ତୁ ଭାର୍ଗବୀ ନଦୀର ବନ୍ୟାଜଳ ଅଚ୍ୟୁତପୁର କାଜ ଡେଇଁଛି। ତେଣୁ ଧନୁଆ ନଦୀରେ ବି ବନ୍ୟାଜଳ ପ୍ରବେଶ କରିଛି। ମାତ୍ର ବଇଁଚୁଆ କାଜ ଦେଇ ଧନୁଆକୁ ବନ୍ୟାଜଳ ପଶିନଥିବାରୁ ବନ୍ୟା ସ୍ଥିତିକୁ ନେଇ ଭୟ କରିବାର ନାହିଁ। ତେବେ ଧନୁଆ ନଦୀରେ ବନ୍ୟାଜଳ ପଶିବା ପରେ ସଂଲଗ୍ନ ଅଞ୍ଚଳରେ ଚାଷ ବେଶି ପ୍ରଭାବିତ ହୋଇଛି। ଲଗାଣ ବର୍ଷାରେ ଏକର ଏକର ଧାନ ବିଲ ବୁଡ଼ି ରହିଥିବା ଧନୁଆ ଜଳ ଆଜି ବହୁ ପରିବା ଚାଷକୁ ବୁଡ଼ାଇଦେଇଛି। ରାଜସ ପଞ୍ଚାୟତ ବତିଲ ଗାଁରେ ପରିବା ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ପରିବା ଚାଷୀ ସୁରେନ୍ଦ୍ର ଦଳେଇଙ୍କ କହିବା କଥା ନଈ ପଠା ଜମିରେ ସେ ଭେଣ୍ଡି ଚାଷ କରିଥିଲେ। ଗଛରେ ଫଳ ଧରିସାରିଥିଲା। ଏବେ ପାଣିରେ ସବୁ ବୁଡ଼ି ଯାଇଛି।

ସେହିପରି ଆଳିସି ପଞ୍ଚାୟତ ଭଇରିପୁରର ଚାଷୀ ସୁକାନ୍ତ ଭୋଇ ଛଚିନ୍ଦ୍ରା ଚାଷ କରିଥିଲେ। ଗତ କିଛି ଦିନ ହେଲା ଫଳ ହୋଇଆସିଥିଲା ଏବଂ ସେ ବିକ୍ରି କରିବା ଆରମ୍ଭ କରିଥିଲେ। କିନ୍ତୁ ଏବେ ଜମି ବୁଡ଼ିଯାଇଛି। ସେହିଭଳି ପ୍ରଦୀପ ଭୋଇଙ୍କ ୧୫ ଗୁଣ୍ଠ ଜମିରେ ହୋଇଥିବା ଲଙ୍କା ଏବଂ ବାଇଗଣ ଚାଷ ଉଜୁଡ଼ିବାକୁ ଯାଉଛି। ବାଲିଅନ୍ତା କେନାଲ ସବ୍‌ଡିଭିଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଭୀମସେନ ବେହେରାଙ୍କ ସୂଚନାନୁସାରେ ମୁଣ୍ଡଳୀରେ ଏବେ ପାଖାପାଖି ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ରାତି ସୁଦ୍ଧା ୯ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି। ତେବେ ଏବେ ପ୍ରବାହିତ ହେଉଥିବା ଜଳରୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ମହାନଦୀରେ ପ୍ରବାହିତ ହେଉଥିବା ବେଳେ ପ୍ରାୟ ଅଢ଼େଇ ଲକ୍ଷ କ୍ୟୁସେକ୍‌ ଜଳ କାଠଯୋଡ଼ିରେ ପଶୁଛି। ସେହିଭଳି କୁଆଖାଇରେ ୧ ଲକ୍ଷ ଓ କୁଶଭଦ୍ରାରେ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି। ମହାତ୍ମା ସେତୁ ନିକଟରେ କୁଶଭଦ୍ରା ନଦୀରେ ବିପଦ ସଙ୍କେତ ତଳେ ବନ୍ୟାଜଳ ବହୁଥିବା ଜଣାପଡ଼ିଛି। ବିପଦ ସଂକେତ ୧୮.୨୫ ମିଟର ହୋଇଥିବା ବେଳେ ଏବେ ଜଳସ୍ତର ୧୬.୪୦ ମିଟର ଅଛି। ଶିଶୁ ମଠ ନିକଟରେ ବନ୍ୟା ପାଣି ନଦୀ ପଠା ଛୁଇଁଥିଲେ ବି ବିପଦ ସଂକେତ ତଳେ ରହିଛି। ବାଲିପାଟଣା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକଙ୍କ ସୂଚନାନୁସାରେ ରାତିରେ ମୁଣ୍ଡଳୀ ଦେଇ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ତେଣୁ ବଡ଼ ବନ୍ୟାର ଆଶଙ୍କା ନାହିଁ। ୧୨ ଲକ୍ଷ କ୍ୟୁସେକ୍‌ ଜଳ ଆସିଲେ, ବନ୍ୟା ଭୟ ରହିବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ

Sat Aug 5 , 2023
ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ପାସପୋର୍ଟ ଆବେଦନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ। ଏହା ଏକ ସରକାରୀ ପ୍ଲାଟଫର୍ମ। ଡକ୍ୟୁମେଣ୍ଟ ଅପଲୋଡ୍ ହେବା ପରେ ଆବେଦନକାରୀ ମାନେ ଅଫିସିଆଲ ୱେବସାଇଟ www.passportindia.gov.in ଜରିଆରେ ଅନଲାଇନରେ ପାସପୋର୍ଟ ଆବେଦନ ଦାଖଲ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ […]
ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial