ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଜୋନ୍‌ ବେଆଇନ : ଅପାରଗ ଅଧିକାରୀଙ୍କ ଯୋଗୁଁ ୩୦ କୋଟି ରାଜସ୍ୱ ହାନୀ

ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଜୋନ୍‌ ବେଆଇନ

ଭୁବନେଶ୍ୱର : ୱାର୍ଡ ନମ୍ବର ୧୩ରେ ଥିବା ଲକ୍ଷ୍ମୀନାରାୟଣ ‌ଭେଣ୍ଡିଂ ଜୋନ୍‌ ବେଆଇନ। ଏହି ଭେଣ୍ଡିଂ ଜୋନ୍‌ ବିଏମ୍‌ସିରେ ପଞ୍ଜୀକୃତ ହୋଇନାହିଁ। ଅନଧିକୃତ ଭାବରେ ୨୦୦୮ ମସିହାରୁ ୧୫ ବର୍ଷ ଧରି ୪୧ ଜଣ ବ୍ୟବସାୟୀ ଏଠାରେ ବ୍ୟବସାୟ କରୁଛନ୍ତି। ବିଏମ୍‌ସି ଏଭଳି ଘୋଷଣ କରିଛି। ଯାହା ଫଳରେ ୪୧ ବ୍ୟସାୟୀଙ୍କୁ ବିଦ୍ୟୁତ ସଂଯୋଗ ମିଳୁନି। ଏଣେ କେତେବେଳେ ଉଚ୍ଛେଦ ହୋଇଯିବ ସେ ନେଇ ଚିନ୍ତା ଘାରିଛି। ଅନ୍ୟପଟେ ବ୍ୟବସାୟୀମାନେ ହାଇକୋର୍ଟ ଯିବା ପରେ ସେଠାରେ ସ୍ଥିତାବସ୍ଥା ଜାରି ହୋଇଛି। ଅର୍ଥାତ୍‌ ଭେଣ୍ଡିଂ ଜୋନ୍‌ ଯେମିତି ଅଛି ସେମିତି ରହିଛି। ବିଏମ୍‌ସି ଭାଙ୍ଗି ପାରୁନି କି ସ୍ୱୀକୃତି ମଧ୍ୟ ଦେଉ ନାହିଁ। ଟଙ୍କାଟିଏ ରାଜସ୍ୱ ମଧ୍ୟ ପାଉ ନାହିଁ। ଏଥିପାଇଁ ଏହି ଭେଣ୍ଡିଂ ଜୋନ୍‌ରୁ ଲକ୍ଷ ଲକ୍ଷଟଙ୍କା ରାଜସ୍ୱ କ୍ଷତି ହେଉଛି। କେବଳ ଏହି ଭେଣ୍ଡିଂ ଜୋନ୍‌ ନୁହେଁ, ବରଂ ଭୁବନେଶ୍ୱରରେ ଏଭଳି ୪୦ ବଜାର ରହିଛି। ଯାହାକୁ ବିଏମ୍‌ସି ନା ସ୍ୱୀକୃତି ଦେଉଛି ନା ଉଚ୍ଛେଦ କରୁଛି। ଦାୟିତ୍ଵରେ ରହୁଥିବା ଅଧିକାରୀ ଏହାର ସୁଯୋଗ ନେଇ ହାତ ଚିକ୍କଣ କରୁଛନ୍ତି। ବିଏମ୍‌ସି ପ୍ରାୟ ୩୦ କୋଟି ଟଙ୍କା ରାଜସ୍ୱ ବାବଦକୁ କ୍ଷତି କରୁଥିବା ଏକ ଆକଳନରୁ ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ଓମ୍‌ଫେଡ୍‌ ବିବାଦୀୟ ଭେଣ୍ଡିଂ ଜୋନ୍‌। ୨୦୦୯ ମସିହାରେ ତତ୍‌କାଳୀନ କମିସନର ତଥା ବର୍ତ୍ତମାନର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏଠା‌ରେ ବ୍ୟବସାୟୀମାନଙ୍କୁ ଲୁହା ଷ୍ଟ୍ରକ୍‌ଚରରେ ଦୋକାନ କରିବାକୁ ସ୍ୱୀକୃତି (ଚିଠି ନଂ.୧୭୩୦୪/୬.୭.୨୦୦୯) ଦେଇଥିଲେ। ସେହି ସ୍ୱୀକୃତି ମୁତାବକ ଏଠାରେ ୪୧ ଜଣ ବ୍ୟବସାୟୀ ବ୍ୟବସାୟ ଆରମ୍ଭ କରିଥିଲେ। ଏଥିରେ ଅଧିକାଂଶ ଫଳ ଦୋକାନ ରହିଥିଲା। ପ୍ରାୟ ବର୍ଷେ ପରେ ଅର୍ଥାତ୍‌ ୨୦୧୦ ମସିହା ମାର୍ଚ୍ଚ ୯ ତାରିଖ ଦିନ ବିଏମ୍‌ସି ଏହି ସ୍ୱୀକୃତିକୁ ବାତିଲ କରିଦେଲା। କେବଳ ଘୋଷଣା କଲା ନାହିଁ, ବରଂ ଉଚ୍ଛେଦ କରିବାକୁ ଧମକ ଦେଲା। ଟ୍ରେଡ୍‌ ଲାଇସେନ୍ସ ‌ବାତିଲ କରିବା ସହ ଏ ବାବଦକୁ ଆଦାୟ ହେଉଥିବା ମହାସୁଲ ତଥା ଅନ୍ୟାନ୍ୟ ରାଜସ୍ୱ ଆଦାୟ କଲା ନାହିଁ। ସବୁଠାରୁ ବଡ଼ କଥା ଥିଲା କି ସ୍ୱୀକୃତି ନ ଥିବାରୁ ବିଜୁଳି ସଂଯୋଗ ମଧ୍ୟ ବିଚ୍ଛିନ୍ନ କରିଦିଆଗଲା। ସେବେଠାରୁ ସେମାନେ ଜେନେରେଟର ଜରିଆରେ ବିଜୁଳି ସଂଯୋଗ ନେଉଛନ୍ତି। ଏହି ଜେନେରେଟର ଭଡ଼ା ଘୋଡ଼ା ଛ’ କୁ ଦାନା ନଅ ପରିସ୍ଥିତି ହୋଇଛି।
ଥରେ ସ୍ୱୀକୃତି ଦେବା ପରେ ବାତିଲ୍‌ କରିଦେବାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ୪୧ ବ୍ୟବସାୟୀ ମିଶି ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଆସୋସିଏସନ ଗଠନ କରିବା ସହ ବିଏମ୍‌ସି କମିସନରଙ୍କ ବାତିଲ୍‌ ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ। ହାଇକୋର୍ଟ ଏହାର ବିଚାର କରିବା ପରେ ସଂଘକୁ ପୁଣି ଥରେ ବିଏମ୍‌ସି କମିସନରଙ୍କୁ ଆବେଦନ କରିବାକୁ ଆଦେଶ ଦେଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏଠାରେ ସ୍ଥିତାବସ୍ଥା ଜାରି କଲେ। ଯେଉଁ କର୍ତ୍ତୃପକ୍ଷ ବାତିଲ କରିଥିଲେ, ସେ ପୁଣି କେମିତି ସ୍ୱୀକୃତି ଦିଅନ୍ତେ? ବିଏମ୍‌ସି ସେମାନଙ୍କୁ ସ୍ୱୀକୃତି ଦେଲା ନାହିଁ। ଏହି ବ୍ୟବସାୟୀମାନେ ସେମିତି ବେଆଇନ ଘୋଷିତ ହେବା ସହ ବ୍ୟବସାୟ କଲେ। ନିକଟ ଅତୀତରେ ଏହି ଭେଣ୍ଡିଂ ଜୋନ୍‌ ସାମ୍ନାରେ ‘ପ୍ଲେସ୍‌ ମେକିଂ’ ଯୋଜନାରେ ସୌନ୍ଦର୍ଯ୍ୟୀକରଣ କରାଗଲା। କିନ୍ତୁ ଏହି ବ୍ୟବସାୟୀଙ୍କୁ ସ୍ୱୀକୃତି ଦିଆଗଲା ନାହିଁ। ଗତ କର୍ପୋରେସନ ବୈଠକରେ ଏହି ୱାର୍ଡର କର୍ପୋରେଟର ଇତିଶ୍ରୀ ଦାସ ବ୍ୟବସାୟୀମାନଙ୍କର ଏହି ସମସ୍ୟା ଉପସ୍ଥାପନ କରିବା ସହ ସ୍ୱୀକୃତି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଏମ୍‌ସି ସଫା ସଫା ମନା କରିଦେଇଥିବାରୁ ବ୍ୟବସାୟୀମାନେ ଏବେ ପ୍ରମାଦ ଗଣିଛନ୍ତି।
ଏ ନେଇ ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଆସୋସିଏସନ ସଭାପତି ରାଧା ସାହୁ କହିଛନ୍ତି, ଆମକୁ ସ୍ୱୀକୃତି ଦେବାରୁ ଆମେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଲୁହା ଷ୍ଟ୍ରକ୍ଚର ତିଆରି କଲୁ। ବିଏମ୍‌ସିର ଭେଣ୍ଡିଂ ଜୋନ୍‌ ଯେଭଳି ସେଭଳି ଢଙ୍ଗରେ ତିଆରି କରି ବେପାର କଲୁ। କିନ୍ତୁ କ’ଣ ହେଲା କେଜାଣି ହଠାତ୍‌ କାହିଁକି ବାତିଲ୍‌ କଲେ? ଆମେ କ’ଣ ଦୋଷ କଲୁ? ବିଏମ୍‌ସିର ସବୁ ପ୍ରକାର ନିଷ୍ପତ୍ତିରେ ଆମେ ରାଜି ହେବା ସହ ସହଯୋଗ କରିବାକୁ ପ୍ରସ୍ତୁତ ଥିଲୁ। ହେଲେ ୧୫ ବର୍ଷ ହେଇଗଲା କୌଣସି ଅଧିକାରୀ ଏଥିପ୍ରତି ନଜର ଦେଲେ ନାହିଁ। ବିଏମ୍‌ସିର ହିସାବ ମୁତାବକ, ୬୭ ୱାର୍ଡରେ ୪୨ଟି ସ୍ୱୀକୃତିପ୍ରାପ୍ତ ଭେଣ୍ଡିଂ ଜୋନ୍‌ ରହିଛି। ଏଥିରେ ୧୫୫୮ ବ୍ୟବସାୟୀ ଅଛନ୍ତି। ଏହା ଛଡ଼ା ଛୋଟବଡ଼ ମାର୍କେଟ୍‌ରୁ ବିଏମ୍‌ସି ବାର୍ଷିକ ୧୨ରୁ ୧୪ କୋଟି ଟଙ୍କା ରାଜସ୍ୱ ଆୟ କରୁଛି। କିନ୍ତୁ ଏଭଳି ବିବାଦୀୟ ଭେଣ୍ଡିଂ ଜୋନ୍‌ ଓ ବଜାରକୁ ହିସାବକୁ ନେଲେ ଏହି ସଂଖ୍ୟା ଶହେ ଛୁଇଁବ। ସବୁଥିରୁ ଶତ ପ୍ରତିଶତ ରାଜସ୍ୱ ଆୟ ହେଲେ ଏହା ୫୦ କୋଟି ହେବ। କିନ୍ତୁ କେତେକ ଅପାରଗ ତଥା ନିଜ ହାତ ଚିକ୍କଣ କରୁଥିବା ଅଧିକାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ।

Share Now:

Kalinga News Beuro

Next Post

ଶିମଲାରେ ପୁଣି ଭୂସ୍ଖଳନ : ପୋତିହୋଇଗଲା ୫ ଘର, ଲୋକେ ଫସି ରହିଥିବା ଆଶଙ୍କା

Tue Aug 15 , 2023
ଶିମଲା: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟଣା ଦିନକୁ ଦିନ ବଢିଚାଲିଛି। ରାଜଧାନୀ ଶିମଲାର କ୍ରିଷ୍ଣା ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି, ଯେଉଁଥିରେ ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଶିମଲାରେ ଘଟିଥିବା ଏହି ଘଟଣା ସମୟରେ ଲାଲପାଣି ଅଞ୍ଚଳରେ ଥିବା ସ୍ଲଟର ହାଉସର କୋଠା ମଧ୍ୟ ହଠାତ୍ ଭୁଶୁଡ଼ି ପଡ଼ିଥିବା ବେଳେ ଭୂସ୍ଖଳନ ଯୋଗୁଁ ୫ରୁ ଅଧିକ ଘର ଓ ଅନେକ ଯାନବାହନ ମଧ୍ୟ […]
ଶିମଲାରେ ପୁଣି ଭୂସ୍ଖଳନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial