ହାତ ଟେକିଦେଲାଣି କ୍ୟାପିଟାଲ୍‌ ହସ୍‌ପିଟାଲ : ବାରଣ୍ଡା, ଶିଡ଼ି ତଳେ ରୋଗୀ

ହାତ ଟେକିଦେଲାଣି କ୍ୟାପିଟାଲ୍‌ ହସ୍‌ପିଟାଲ

ପରୀକ୍ଷା ମେସିନ ଖରାପ, ୨୧ ନର୍ସ ପଦ ଖାଲି

ଭୁବନେଶ୍ୱର: ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ବଢ଼ିବାରେ ଲାଗିଛି। କିନ୍ତୁ ଏହାକୁ ସରକାର ଓ ପ୍ରଶାସନ ଯେତିକି ଗୁରୁତ୍ତ୍ବ ଦେବା କଥା, ତାହା ହେଉନାହିଁ। ଡେଙ୍ଗୁ ବିରୋଧରେ ଲଢ଼େଇର ବଡ଼ ବଡ଼ କଥା କୁହା ଯାଉଥିଲେ ହେଁ ଅସଲ ସ୍ଥାନରେ କର୍ତ୍ତୃପକ୍ଷ କେତେ ନିଷ୍ଠାପର, ତାହା କ୍ୟାପିଟାଲ ହସ୍‌ପିଟାଲକୁ ଦେଖିଲେ ବୁଝିହେବ। କ୍ୟାପିଟାଲ ହସ୍ପିଟାଲ ଉପରେ ଦୈନିକ ଚାପ ଏତେ ବଢ଼ିଗଲାଣି ଯେ ଡେଙ୍ଗୁ ଟେଷ୍ଟିଂ ପାଇଁ ଥିବା ମେସିନ ଖରାପ ହୋଇଗଲାଣି। ପଦ ଖାଲି ରହିଥିବାରୁ ଯେଉଁ ପରିମାଣରେ ରୋଗୀ ଡେଙ୍ଗୁ ୱାର୍ଡରେ ଭର୍ତ୍ତି ‌ହେଉଛନ୍ତି, ସେହି ତୁଳନାରେ କର୍ମଚାରୀ ଯୋଗାଇବା ମଧ୍ୟ ସମ୍ଭବ ହେଉନାହିଁ। କ୍ୟାପିଟାଲ ହସ୍ପିଟାଲ ଶଯ୍ୟା ସଂଖ୍ୟା ବଢ଼ାଇଲେ ମଧ୍ୟ ରୋଗୀ ତଳେ ଶୋଉଛନ୍ତି। ଆଉ ଅସ୍ଥାୟୀ ଶଯ୍ୟା ପକାଇବା ପାଇଁ ମଧ୍ୟ ଜାଗା ନାହିଁ। ଏତେ ରୋଗୀ ଭର୍ତ୍ତି ହେଊଥିବା ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ହାତ ଟେକି ଦେଲେଣି। ନୂଆ ମେସିନ ଓ କର୍ମଚାରୀ ଯୋଗାଇବା ପାଇଁ ସରକାରଙ୍କୁ ଚିଠି ଲେଖାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି। ଲୋକଙ୍କ ଜୀବନ ମରଣର ପ୍ରସଙ୍ଗରେ ବି ଚିଠି ଲେଖିବା-ପଠାଇବା-ଉତ୍ତର ଆସିବା-ମଞ୍ଜୁର ହେବା ଭଳି ମନ୍ଥର ଓ ଦୀର୍ଘ ସରକାରୀ ପ୍ରକ୍ରିୟା ଚାଲିବା ଦୁର୍ଭାଗ୍ୟଜନକ। ତା’ପୁଣି ରାଜ୍ୟ ରାଜଧାନୀରେ ଥିବା ରାଜ୍ୟ ସରକାରଙ୍କର ସବୁଠୁ ବଡ଼ ହସ୍‌ପିଟାଲରେ।
କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓପିଡିକୁ ଦୈନିକ ପ୍ରାୟ ୬୦୦ରୁ ଅଧିକ ଜ୍ୱରରେ ପୀଡ଼ିତ ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଡେଙ୍ଗୁ ଲକ୍ଷଣ ଜନିତ। ଏହାସହ ଆଇପିଡି‌‌ରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ମଧ୍ୟ ପ୍ରତିଦିନ ମଧ୍ୟ ଡେଙ୍ଗୁ ଟେଷ୍ଟ କରାଯାଉଛି। ତେଣୁ ପ୍ରତିଦିନ ଏତେ ସଂଖ୍ୟାରେ ରୋଗୀମାନଙ୍କ ଡେଙ୍ଗୁ ଟେଷ୍ଟ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ବଢ଼ୁଛି। ଯେଉଁ ମେସିନରେ ଦୈନିକ ୫୦୦ ଡେଙ୍ଗୁ ଟେଷ୍ଟ କରାଯାଏ, ଏବେ ସେହି ମେସିନରେ ଦୈନିକ ପ୍ରାୟ ୧୦୦୦ ଟେଷ୍ଟ କରାଯାଉଛି। ଫଳରେ ହସ୍ପିଟାଲ ଲାବୋରଟୋରିରେ ଥିବା ୩ଟି ମେସିନରୁ ଗୋଟିଏ ମେସିନ ତଥା ଯେଉଁ ମେସିନରେ ଅଟୋମେଟେଡ୍ ସେହି ମେସିନ ଅଚଳ ହୋଇଯାଇଛି। ଫଳରେ ଡେଙ୍ଗୁ ପରୀକ୍ଷା ସଂଖ୍ୟା ମଧ୍ୟ ଏବେ କମିଯାଇଛି।
କ୍ୟାପିଟାଲ ହସ୍ପିଟାଲର ୱାର୍ଡ଼ରେ ଭର୍ତ୍ତି ହୋଇଥିବା ‌ସମସ୍ତ ଡେଙ୍ଗୁ ରୋଗୀଙ୍କୁ ଉଚିତ ଚିକିତ୍ସା‌ ଯୋଗାଇବା ସମ୍ଭବ ‌ହେଉନାହିଁ। କାରଣ କର୍ମଚାରୀ ଅଭାବ। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳୁଛି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ୨୧ଟି ନର୍ସ ପଦ ଖାଲି ରହିଛି। ଏହାର ପ୍ରଭାବ ‌ରୋଗୀ ସଂଖ୍ୟା ବୃଦ୍ଧି ପରେ ଦେଖିବାକୁ ମିଳୁଛି। ପୂର୍ବରୁ ମେଡିସିନ ବିଭାଗରେ ଥିବା ୧୦୦ ରୋଗୀଙ୍କ ଯତ୍ନ ନେବା ପାଇଁ ଯେତିକି ନର୍ସ ଆଟେଣ୍ଡାଣ୍ଟ ରହୁଥିଲେ, ଏବେ ରୋଗୀ ସଂଖ୍ୟ ଦୁଇଗୁଣ ବୃଦ୍ଧି ହେଲାପରେ ମଧ୍ୟ ସେତିକି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଉଛି। ‌ରୋଗୀଙ୍କ ଯତ୍ନ ପାଇଁ ଦିନରେ ୬ଜଣଙ୍କୁ ଦାୟିତ୍ୱ ଦିଆ ଯାଉଥିବାବେ‌‌ଳେ ରାତି ସମୟରେ ମାତ୍ର ଦୁଇଜଣ ନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ଦାୟିତ୍ୱ ଦିଆଯାଉଛି। ଏତେ ‌କମ୍ କର୍ମଚାରୀରେ ଏତେ ରୋଗୀଙ୍କୁ ଚିକିତ୍ସା ଯୋଗାଇବା‌ ସ‌ମ୍ଭବ ହେଉନଥିବା ଅଭିଯୋଗ ହେଉଛି।
ଅଧିକ ବେଡ୍‌ ପକାଇକୁ ବି ଜାଗା ନାହିଁ
ଏବେ କ୍ୟାପିଟାଲ ହସ୍ପିଟାଲରେ ‌ଦୈନିକ ୧୫ରୁ ୨୦ ଜଣ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି। କିନ୍ତୁ ସେହି ତୁଳନାରେ ଡିସଚାର୍ଜ କମ୍‌ ରହିଛି। ଫଳରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେତିକି ରୋଗୀଙ୍କ ପାଇଁ ବେଡ୍‌ ନାହିଁ। ୧୦ଟିରୁ ବଢ଼ାଯାଇ ଏବେ ପ୍ରାୟ ୬୦ ବେଡ୍‌ ଡେଙ୍ଗୁ ରୋଗୀଙ୍କ ପାଇଁ ରଖାଯାଇଛି। କିନ୍ତୁ ‌ସେତିକି ବି ଯଥେଷ୍ଟ ହେଉନି। ଆଉ ଅଧିକ ବେଡ୍‌ ପକାଇବାକୁ ମଧ୍ୟ ସ୍ଥାନ ନାହିଁ। ବାରଣ୍ଡା ସହ ସିଡ଼ି ତଳେ ମଧ୍ୟ ବେଡ୍‌ ପକାଇ ଚିକିତ୍ସା କରାଯାଉଛି। ଏହାପରେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତ ତଳେ ଶୋଉଛନ୍ତି। ଏବେ ପ୍ରାୟ ୧୦ ଜଣ ରୋଗୀ ସେମିତି ତଳେ ଚିକିତ୍ସିତ ହେଉଛନ୍ତି। ଏବେ ଅନ୍ୟ ବିଭାଗରେ ବେଡ୍‌ ବୃଦ୍ଧି କରିବାକୁ ଯୋଜନା କରାଯାଉଥିଲେ ମଧ୍ୟ ମଧ୍ୟ କର୍ମଚାରୀ ନଥିବାରୁ ଏହା ଅଟକି ରହିଛି। ଡାକ୍ତରମାନେ ମଧ୍ୟ ଆଉ ରୋଗୀଙ୍କୁ ଭର୍ତ୍ତି କରୁନାହାନ୍ତି। ରୋଗୀଙ୍କୁ କଟକ ନହେ‌ଲେ ଏମ୍‌ସ ସ୍ଥାନାନ୍ତର କରିବାକୁ ସେମାନେ ପରାମର୍ଶ ଦେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ମୋଦୀଙ୍କ ଉତ୍ତରାଧିକାରୀ ହେବାକୁ କିଏ ? ଶାହା, ଯୋଗୀ ନା ଗଡ଼କରୀ

Fri Aug 25 , 2023
ନୂଆଦିଲ୍ଲୀ:ଦେଶରେ ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ଅଳ୍ପ ମାସ ବାକି ଅଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ। ତେବେ ମୋଦୀଙ୍କ […]
ଉତ୍ତରାଧିକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial