ଭୁବନେଶ୍ୱର: ପୂର୍ବରୁ ୩ଟି ସଂସ୍ଥା ସହରକୁ ସଫା କରୁଥିଲେ। ହେଲେ ତାହା ସରକାରୀ ବଡ଼ବାବୁମାନଙ୍କର ପସନ୍ଦ ହେଲାନି। ୬୭ ୱାର୍ଡକୁ ୧୦ ଭାଗ କରି ୧୦ଟି ପ୍ୟାକେଜ୍ ବିଶିଷ୍ଟ ଟେଣ୍ଡର ଡାକିଲେ। ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍ସିରେ ଜଣେ ମୁଖ୍ୟଯନ୍ତ୍ରୀଙ୍କୁ ନିଯୁକ୍ତି ଦେଲା। ୧୦ ପ୍ୟାକେଜ୍ରେ ୧୦ ସଂସ୍ଥା ପରିମଳ ଦାଇତ୍ୱ ନେଲେ। କିନ୍ତୁ ଏଥିରେ ରହିଥିବା ଗୁରୁଚଣ୍ଡାଳ ଦୋଷ ପାଇଁ ସହରବାସୀ ଘାଣ୍ଟି ହେଲେ। ଡଷ୍ଟବିନ୍ ମୁକ୍ତ ରାଜଧାନୀ କରିବାକୁ ଯାଇ ରାଜଧାନୀବାସୀଙ୍କୁ ଯନ୍ତ୍ରଣା ଦେଲେ। ରାଜଧାନୀ ଆବର୍ଜନାମୟ ହୋଇ ରହିଲା। ଯେତେବେଳେ ଅଫିସର ରାଜ୍ ଚାଲିଥିଲା ସେତେବେଳେ ଏହି ଗୁରୁଚଣ୍ଡାଳ ଦୋଷ ଥିବା ପ୍ୟାକେଜର ଟେଣ୍ଡର ହୋଇଥିଲା, ଜନପ୍ରତିନିଧିମାନେ ଆସିବା ପରେ ତା’କୁ ବାତିଲ କରିବାକୁ ପ୍ରସ୍ତାବ ଦେଲେ। ହୋହଲ୍ଲା ହେଲା। କର୍ପୋରେସନ ବୈଠକରେ କର୍ପୋରେଟର, ମେୟର, ଅଫିସର ମୁହାଁମୁହିଁ ହେଲେ। ଶେଷରେ ଏହାକୁ ବାତିଲ କରିବାକୁ ସରକାରଙ୍କୁ ପାଖକୁ ପ୍ରସ୍ତାବ ଗଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଯିଏ ଏହାର ମୁଖ୍ୟ କାର୍ପଟଦାର ଥିଲା, ସେହି ବିଭାଗ ପାଖରେ ହିଁ ଉକ୍ତ ବାତିଲ୍ ପ୍ରସ୍ତାବ ପହଞ୍ଚିଲା। ଏହାର କଣ ବା ଫଳ ହୋଇଥାନ୍ତା, ୩ ମାସରୁ ଅଧିକ ସମୟ ହେବ ଏହା ବିଭାଗର ଡଷ୍ଟବିନ୍ରେ ପଡ଼ିରହିଛି। ଏଣେ ଆବର୍ଜନାରେ ଭର୍ତ୍ତି ହୋଇ ପୂରା ସହର ଏକ ଡଷ୍ଟବିନ୍ ଭଳି ହୋଇ ଗଲାଣି। ପରିମଳ ଟେଣ୍ଡରରେ ଥିବା ଚୁକ୍ତି ଅନୁସାରେ ସଂସ୍ଥାମାନେ ଗଛଡାଳ ବା ‘ଗ୍ରିନ୍ ଗାର୍ବେଜ୍’ ଉଠାଉ ନାହାନ୍ତି। ଯିଏ ଯେଉଁଠି କାଟି ଫିଙ୍ଗିଦେଲା, ତାହା ପଡ଼ି ରହୁଛି। କଞ୍ଜରଭାନ୍ସି ଲେନ୍ରୁ ବାହାରୁ ଥିବା ଆବର୍ଜନା ମଧ୍ୟ ରାସ୍ତାକଡ଼ରେ ଗଦା ହୋଇ ରହୁଛି। ରାସ୍ତା କେଉଁଠି ୫୦ କିଲୋମିଟର ଥିବାବେଳେ ଠିକା ସଂସ୍ଥା ସହ ମାତ୍ର ୩୦ କିଲୋମିଟର ସଫା କରିବାକୁ ଚୁକ୍ତି ହୋଇଛି। ବାକି ୨୦ କିମି ସଫା ହେଉନି। ଏଭଳି ସମସ୍ୟା ଅର୍ଦ୍ଧାଧିକ ୱାର୍ଡରେ ରହିଛି। ସକାଳର ଆବର୍ଜନା ଲହି ସତ୍ୟ ବଖାଣୁଛି। କର୍ପୋରେସନ ବୈଠକରେ ଖୋଦ୍ କର୍ପୋରେଟରମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି।
ଆବର୍ଜନା ଡମ୍ପିଂ ସମସ୍ୟାର ଭୟଙ୍କର ରୂପ ଧାରଣ କରିଛି। ପୂର୍ବରୁ ଦାରୁଠେଙ୍ଗରେ ଆବର୍ଜନା ଗଦା କରା ଯାଉଥିଲା। ତା’କୁ ବନ୍ଦ କରି କୁହାଗଲା ଯେ ଏମ୍ସିସି ମାଧ୍ୟମରେ ଆବର୍ଜନା ସଫା କରାଯିବ। କିନ୍ତୁ ସେ ଉପାୟରେ ସହରରୁ ଦୈନିକ ବାହାରୁଥିବା ମୋଟ୍ ୬୦୦ ଟନ୍ ଆବର୍ଜନାରୁ ୪୦୦ ଟନ୍କୁ ସଫା କରାଯାଉଛି, ବାକି ୨୦୦ ଟନ୍ ପ୍ରତିଦିନ ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାନ୍ଜିଟ୍ ସେଣ୍ଟରରେ ଗଦା ହେଉଛି। ତା’କୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଚରମରେ ଅଛି। ସେ ଆବର୍ଜନାକୁ ପରିଚାଳନା କରିବାର ବ୍ୟବସ୍ଥା ହେବ ବୋଲି କୁହା ଯାଉଛି, କିନ୍ତୁ ଅସଲ କାମ ଆରମ୍ଭ ହୋଇନାହିଁ। ଏତ ଗଲା କାଗଜପତ୍ରରେ ଦର୍ଶା ଯାଉଥିବା କଥା, ସତ ହେଉଛି ଯେ ରାଜଧାନୀର ଅସଂଖ୍ୟ ସ୍ଥାନରେ ଆବର୍ଜନା ଗଦା କରା ଯାଉଛି। ଜନବସତି, ବଜାର, ଶିକ୍ଷାନୁଷ୍ଠାନ- କୋଉ ସ୍ଥାନ ବି ବାଦ୍ ପଡିନି। କିନ୍ତୁ ଅଧିକାରୀମାନେ କିଛି ଦେଖି ନପାରିବାଭଳି ରହୁଛନ୍ତି। ସଫେଇ ପାଇଁ ନିଯୁକ୍ତ ଠିକା ସଂସ୍ଥାମାନେ ୭୦ କୋଟିରୁ ଅଧିକ ପାଉଣା ନେଉଥିବାବେଳେ ବିଏମ୍ସି ହାତରୁ ମଧ୍ୟ ଆଉ ୩୦ କୋଟି ଖର୍ଚ୍ଚ କରି ଆବର୍ଜନା ଉଠାଉଛି। ଏବେ କେବଳ ଗ୍ରିନ୍ ଆବର୍ଜନା ଉଠାଇବାକୁ ବିଏମ୍ସି ୩ଟି ଟିପ୍ପର କିଣିବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଜିରୋର ସମସ୍ୟା ସହିତ ପରିଚିତ ନଥିବା ତଥା ଗୀତ ବଜାଇ ଅଳିଆ ସଂଗ୍ରହ କରାଯିବା ଭଳି ଆକାଶଉଡ଼ା ଚାକଚକ୍ୟରେ ବିଶ୍ୱାସ କରୁଥିବା ବଡ଼ବାବୁମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଯୋଜନାରେ ନାନା ହାସ୍ୟକର ଗୁରୁଚଣ୍ଡାଳ ଦୋଷ ରହି ଯାଉଛି। ପୁଣି ସେ ଯୋଜନାକୁ କାର୍ଯ୍ୟକାରୀ କରିବାର ଭାର ନେଉଛନ୍ତି ନିଜ ସ୍ୱାର୍ଥକୁ ପ୍ରମୁଖତା ଦେଉଥିବା ଅନ୍ତରିକତାହୀନ ଅନ୍ୟ ବାବୁମାନେ। ତେଣୁ ନିକଟ ଭବିଷ୍ୟତରେ ଏ ଆବର୍ଜନାମୟ ସ୍ଥିତିରେ କିଛି ପରିବର୍ତ୍ତନ ଆସିବା ଭଳି ମନେ ହେଉନାହିଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଆବର୍ଜନାର ରାଜଧାନୀ : ଡଷ୍ଟବିନ୍ ମୁକ୍ତ କରିବାକୁ ଯାଇ ଯନ୍ତ୍ରଣାକୁ ଠେଲି ଦେଲେ

Share Now: