୩ ଘଣ୍ଟା ବର୍ଷାରେ ସ୍ମାର୍ଟସିଟି ବେହାଲ୍‌ : ଥରେଇଲା ବୁଡ଼େଇଲା

୩ ଘଣ୍ଟା ବର୍ଷାରେ ସ୍ମାର୍ଟସିଟି ବେହାଲ୍‌

ଭୁବନେଶ୍ୱର: ପୂର୍ବରୁ ରାଜଧାନୀବାସୀଙ୍କର ମହାବାତ୍ୟା, ବାତ୍ୟା, ପ୍ରବଳ ବର୍ଷା ଓ ବିଜୁଳିର ଅନୁଭୂତି ଥିଲା। କିନ୍ତୁ ଆଜି ସେସବୁ ତିକ୍ତ ଅନୁଭୂତିକୁ ଟପିଯାଇଥିଲା ଭୟଙ୍କର ବଜ୍ରପାତ। ରାଜଧାନୀ ଭିତରୁ କେହି ମୃତାହତ ହୋଇନଥିଲେ ବି ଉପକଣ୍ଠରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେହିଭଳି ଉପକଣ୍ଠ‌ ଅଞ୍ଚଳରେ ୧୦ରୁ ଅଧିକ ଗୋରୁଗାଈଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବିଜୁଳି ମାଡ଼ରେ ଥରହର ହୋଇଥିଲା ପୂରା ରାଜଧାନୀ। ଘରଦ୍ୱାର ସବୁ ଦୋହଲି ଯାଇଥିଲା ଛାତିଥରା ଘଡ଼ଘଡ଼ିରେ। ସେହିଭଳି ମୂଷଳଧାରାର ବର୍ଷା ବୁଡ଼ାଇଦେଇଥିଲା ସ୍ମାର୍ଟ ସିଟି ଭୁବନେଶ୍ୱରକୁ। ମୂଷଳଧାରାର ବର୍ଷା ସ୍ମାର୍ଟ ସହରକୁ ବୁଡ଼ାଇଦେଇଥିବା ବେଳେ ସମାନ ତାଳରେ ବଜ୍ରପାତ ରାଜଧାନୀକୁ ଥରାଇବାରେ ଲାଗିଥିଲା। ପୂରା ରାଜଧାନୀ ଏବଂ ଉପକଣ୍ଠରେ ଲୋକେ ବିଜୁଳି ମାଡ଼ରେ କାକୁସ୍ଥ ହୋଇପଡ଼ିଥିଲେ। ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ ଚତୁର୍ଦିଗ ଥରହର ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା କାଳ ଲାଗିରହିଥିଲା ବିଜୁଳି ବିତ୍ପାତ। ସବୁଦିଗରୁ ଲଗାତାର ବଜ୍ରପାତ ହୋଇଥିଲା। ଏହାସାଙ୍ଗକୁ ପ୍ରାୟ ଅଧଘଣ୍ଟା ଧରି ଜୋର୍‌ରେ ପବନ ବହିଥିଲା। ବାତ୍ୟା ଭଳି ପବନର ବେଗ ଥିଲା। କିଛି ସ୍ଥାନରେ ଗଛପତ୍ର ଭାଙ୍ଗିପଡ଼ିଥିଲା। ୫୦ ବର୍ଷ ଭିତରେ କେବେ ବି ଏମିତି ଅନୁଭୂତି ହୋଇନଥିଲା ବୋଲି କୁହାଯାଉଛି। ଆଜି ସାରା ରାଜ୍ୟରେ ୨୫୭୫୩ଟି ବିଜୁଳି ମାରିଥିଲା। ପାଣିପାଗ ରିପୋର୍ଟ କହୁଛି, ଏଥିରୁ ଅଧିକାଂଶ ବିଜୁଳି ‌କେବଳ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ମାରିଛି। ସେହିଭଳି ଲଗାଣ ବର୍ଷାରେ ‌ବେହାଲ୍‌ ହୋଇପଡ଼ିଥିଲା ରାଜଧାନୀ। ରାଜଧାନୀରେ ଆଜି ସଂଧ୍ୟା ସୁଦ୍ଧା ସର୍ବାଧିକ ୧୨୬ ମିମି ବର୍ଷା ହୋଇଥିବା ‌ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବିଏମ୍‌ସି ପକ୍ଷରୁ ଏନେଇ କୌଣସି ପ୍ରସ୍ତୁତି କରାଯାଇନଥିଲା। ଫଳରେ ଅଢ଼େଇ ଘଣ୍ଟାର ବର୍ଷାକୁ ମୁକାବିଲା କରିବାରେ ବିଏମ୍‌ସି ପ୍ରଶାସନ ବିଫଳ ହୋଇଥିଲା। ରାଜଧାନୀର ରାସ୍ତାଘାଟ ଜଳମଗ୍ନ ହୋଇଯାଇଥିଲା। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଆଚାର୍ଯ୍ୟବିହାର, ବମିଖାଲ କେନାଲରେ ବସ୍ତି ଓ ଗଜପତିନଗରରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା। ଝାରପଡ଼ା କେନାଲ ରାସ୍ତା, ଜୟଦେବବିହାର ଲେନ୍‌-୫, ଝାରପଡ଼ା ବୈରାଗୀନଗର, ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ରାସ୍ତା, ଇସ୍କନ ମନ୍ଦିର ସାମ୍ନା ରାସ୍ତା ଓ ରସୁଲଗଡ଼ ହନୁମାନ ମନ୍ଦିର ସାମ୍ନା ଜଳାର୍ଣ୍ଣବ ହୋଇଯାଇଥିଲା। ହାତୀଆଶୁଣିରେ ଯାତ୍ରା ପେଣ୍ଡାଲ ଭାଙ୍ଗିଲା ଯାଇଥିବା ବେଳେ ବିଭିନ୍ନ ବସ୍ତିରେ ପାଣି ଲହଡ଼ି ଭାଙ୍ଗୁଥିଲା। ସେହିଭଳି ଗଜପତିନଗର ଲକ୍ଷ୍ମୀବିହାର, ପଟିଆ ଶିଶୁବିହାର ଓ ନନ୍ଦନବିହାର ଶିଖରଚଣ୍ଡୀ ଜଳିମୁଣ୍ଡା ବସ୍ତିରେ ବର୍ଷା ପାଣି ପଶିବା ଫଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଚନ୍ଦ୍ରଶେଖରପୁର ଅଗ୍ନିଶମ ବିଭାଗର ୩ଟି ସ୍ବତନ୍ତ୍ର ଦଳ ୩ଟି ଅଲଗା ଅଲଗା ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ। ସୈନିକ ସ୍କୁଲ୍ ନିକଟ ଗଜପତିନଗର ଲକ୍ଷ୍ମୀବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଭିତରେ ପାଣି ପଶିଯିବାରୁ ପରିବାର ଲୋକେ ଛାତ ଉପରେ ଶିଡ଼ି ଘରେ ଆଶ୍ରୟ ନେଇଥିଲେ। ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲା। ସେହିଭଳି ପଟିଆ କୋୟଲ କ୍ୟାମ୍ପସ୍ ନିକଟ ଭିଆଇପି କଲୋନି ଗଳି ରାସ୍ତାରେ ବନ୍ୟା ସ୍ଥିତି ‌ଉପୁଜିଥିଲା। କଲୋନିରେ ପ୍ରାୟ ୧୦ ଜଣଙ୍କ ଘରେ ପାଣି ପଶିଥିଲା। ଜଣେ ଯୁବତୀଙ୍କ ସ୍କୁଟି ପାଣିରେ ବୁଡ଼ିଯାଇଥିଲା ଏବଂ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ।
ନନ୍ଦନବିହାର ନିକଟ ଶିଖରଚଣ୍ଡୀ ବସ୍ତିର ଜଳିମୁଣ୍ଡା ବସ୍ତିରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ଦମକଳ ମଟର ସାହାଯ୍ୟରେ ରାତିରେ ପାଣି ବାହାର କରାଯାଇଛି। ଦମକଳ କର୍ମଚାରୀଙ୍କ ସୂଚନା ମୁତାବକ ଏହି ସବୁ ତଳିଆ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ହେବା ପାଇଁ ଉପଯୁକ୍ତ ଡ୍ରେନ୍ ନାହିଁ। ଯେଉଁଠାରେ ଡ୍ରେନ୍ ରହିଛି ତାହା ଚୋକ୍‌ ହୋଇଯାଇଛି। ଫଳରେ ଆଜି ଅନେକ ଦିନ ପରେ ପ୍ରଥମ କରି ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ପାଣି ପଶି କୁତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା।

Share Now:

Kalinga News Beuro

Next Post

ମୁସଲିମ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ଭାରୀ : ଜବରଦସ୍ତ କରାଇଲେ ଧର୍ମ ପରିବର୍ତ୍ତନ

Mon Sep 4 , 2023
କାନପୁର: ମୁସଲିମ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ଭାରୀ। ଜବରଦସ୍ତ କରାଇଲେ ଧର୍ମ ପରିବର୍ତ୍ତନ। ହିନ୍ଦୁ ରୀତିନୀତିରେ ବିବାହ କରିବା ପରେ ବି ଯୁବକଙ୍କୁ ଇସଲାମ ଗ୍ରହଣ କରାଇଲେ ମୌଲବୀଙ୍କ ପରିବାର। ଉତ୍ତରପ୍ରଦେଶର କାନପୁରରେ ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ, ପ୍ରେମିକା ସହ ହିନ୍ଦୁ ରୀତିନୀତିରେ ତାଙ୍କର ପ୍ରେମ ବିବାହ ହୋଇଥିଲା। କିନ୍ତୁ ପରେ ପ୍ରେମିକାର ପରିବାର ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇବାକୁ ଲାଗିଲେ। ସୂଚନାନୁସାରେ, […]
ମୁସଲିମ ଯୁବତୀଙ୍କୁ ବିବାହ କରିବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial