ଭିଜିଲାନ୍ସ ପଞ୍ଝାରେ ଓଏଏସ୍‌ ସଂଗ୍ରାମ କେଶାରୀ ଜେନା

ଭିଜିଲାନ୍ସ ପଞ୍ଝାରେ ଲୋକସେବା ଭବନ ବାବୁ

୪ ସ୍ଥାନରେ ଚଢ଼ଉ, ୩ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି ଠାବ

ଭୁବନେଶ୍ୱର: ବିନା ଲାଞ୍ଚରେ ଫାଇଲ୍‌ ଆଗକୁ ବଢ଼ିପାରୁନି, ମାସ ମାସ ଧରି ପଡ଼ିରହୁଛି। ରାଜ୍ୟ ସରକାରଙ୍କର ଏମିତି କୌଣସି ବିଭାଗ ନାହିଁ ଯେଉଁଠି ଦୁର୍ନୀତି ଅଛୁଆଁ ହୋଇ ରହିଛି। ସବୁଠୁ ଉଦ୍‌ବେଗର କାରଣ ହେଉଛି, ଯେଉଁଠୁ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି, ଯେଉଁଠାରୁ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହେଉଛି, ସେହି କାର୍ଯ୍ୟାଳୟର ଅଧିକାରୀ ବି ଦୁର୍ନୀତି କରିବାକୁ ପଛାଉ ନାହାନ୍ତି। ଲୋକସେବା ଭବନରେ ଥିବା‌ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରଶାସନିକ ଅଧିକାରୀ ଓଏଏସ୍‌ ସଂଗ୍ରାମ କେଶାରୀ ଜେନା ଏହାର ଉଦାହରଣ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଲୋକସେବା ଭବନ ସ୍ଥିତ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ବାବୁଙ୍କର ଆଲିସାନ କୋଠା, ମାଳ ମାଳ ପ୍ଲଟ୍‌ ସାଙ୍ଗକୁ ବ୍ୟାଙ୍କରେ ବିପୁଳ ଟଙ୍କା ଓ ସୁନା ଗହଣା ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଛନ୍ତି। ଏଯାଏଁ ୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଶ୍ରୀ ଜେନାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ୪ଟି ଟିମ୍‌ ରାଜଧାନୀଠାରୁ ଆରମ୍ଭ କରି ଖୋର୍ଦ୍ଧା, ଟାଙ୍ଗୀ ଏବଂ ବାଣପୁରରେ ଚଢ଼ଉ କରାଯାଇଛି।
ଚଢ଼ଉ ବେଳେ ବାଲୁଗାଁରେ ଶ୍ରୀ ଜେନାଙ୍କର ୭୫୦୦ ବର୍ଗଫୁଟ ଜମିରେ ଥିବା ଏକ ୩ ମହଲା କୋଠା ଠାବ କରାଯାଇଛି। ଏ କୋଠାର ମୂଲ୍ୟ ପାଖାପାଖି ଦେଢ଼କୋଟି ହେବ ବୋଲି ଆକଳନ କରାଯାଇଛି। ସେହିପରି ଟାଙ୍ଗୀ ହରିପୁର ଅଞ୍ଚଳରେ ଏକ କୋଠା ଥିବା ଜଣା ପଡ଼ିଛି, ଯାହାର ମୂଲ୍ୟ ୩୦ଲକ୍ଷରୁ ଉର୍ଦ୍ଧ୍ଵ ହେବ। ସେହିପରି ବାଣପୁର ଟାଉନ୍‌ ନିକଟରେ ତାଙ୍କର ୪ଟି ପ୍ଲଟ୍‌ ରହିଛି। ଯାହାର ମୂଲ୍ୟ କୋଟିଏ ଟଙ୍କା ହେବ। ଏହାଛଡ଼ା ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଶ୍ରୀ ଜେନାଙ୍କର ଏକାଧିକ ଆକାଉଣ୍ଟକୁ ଠାବ କରାଯାଇଛି।‌ ସେଥିରେ ଲକ୍ଷାଧିକ ଟଙ୍କା ଜମା ଥିବା ଜଣାପଡ଼ିଛି। ତାଙ୍କ ଘରୁ ନଗଦ ୮୫ ହଜାର ଟଙ୍କା, ୧୧ଲକ୍ଷ ଟଙ୍କାର ସୁନା ଗହଣା, ଦାମୀ ଆସବାବପତ୍ର, ପାଖାପାଖି ସାଢ଼େ ୨୧ଲକ୍ଷ ଟଙ୍କାର ଇନ୍‌ସ୍ୟୁରାନ୍ସ ବଣ୍ଡ ଡିପୋଜିଟ୍‌ ଠାବ କରାଯାଇଛି। ଏହାଛଡ଼ା ୩ଟି ଚାରିଚକିଆ ଦାମୀ ଗାଡ଼ି ମଧ୍ୟ ଠା‌ବ ହୋଇଛି। ସେହିଭଳି ସେ ବାଲୁଗାଁ ରାମପୁର ମୌଜାରେ ଥିବା ୪୩୦ ଡେସିମାଲର ଜମି କିଣିବା ପାଇଁ ୧୧ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବାର ପର୍ଦ୍ଦାଫାସ ମଧ୍ୟ ହୋଇଥିଲା। ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ ଜାରି ରଖିବା ସହ ସମ୍ପତ୍ତି, ଗହଣା ଓ ବ୍ୟାଙ୍କ ଡିପୋଜିଟ୍‌ ଆଦିର ହିସାବ କରୁଛନ୍ତି। ତେଣୁ ଆୟବହିର୍ଭୂତ ସମ୍ପତ୍ତି ୩ କୋଟିରୁ ଢେର ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଭିଜିଲାନ୍ସ ବିଭାଗର ୩ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୧୦ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ଅଛନ୍ତି। ସଂଗ୍ରାମ ଏତେ ଟଙ୍କା କେଉଁଠୁ ଆଣିଲେ, ତାଙ୍କୁ କେଉଁମାନେ ସହଯୋଗ କରୁଥିଲେ–ଏସବୁ ଦିଗରେ ମଧ୍ୟ ଖୋଳତାଡ଼ ହେଉଛି। ଯେହେତୁ ସେ ପୂର୍ବରୁ ଗଞ୍ଜାମ ବୁଗୁଡ଼ାର ତହସିଲ୍‌ଦାର ଭାବେ କାର୍ଯ୍ୟରତ ଥିଲେ, ତେଣୁ ସେଠିକା ଲିଙ୍କ୍‌ ନେଇ ମଧ୍ୟ ତଦନ୍ତ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏଥିପାଇଁ ଶ୍ରୀ ଜେନା ଓ ଶାଳକ ଗୋପାଳକୃଷ୍ଣ ପ୍ରଧାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଭିଜିଲାନ୍ସ ବିଭାଗ। ଶ୍ରୀ ଜେନା ପୂର୍ବରୁ ଟାଙ୍ଗୀ ଅଞ୍ଚଳରେ ଶିକ୍ଷକତା କରୁଥିଲେ। ପରେ ଓଆରଏସ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଓଏଏସ୍ ଅଧିକାରୀ ଭାବେ ପଦୋନ୍ନତି ପାଇଥିବା ତଦନ୍ତ ବେଳେ ଘଟଣା ପଦାକୁ ଆସିଛି।

Share Now:

Kalinga News Beuro

Next Post

ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପଛକୁ ଫେରିଲା ଏୟାର ଇଣ୍ଡିଆ ବିମାନ

Fri Sep 15 , 2023
ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରି ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପଛକୁ ଫେରିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ-ଲଣ୍ଡନ ଏଆଇ୦୧୧୧ ବିମାନ ଗୁରୁବାର ସକାଳ ୭ଟା ୧୫ ମିନିଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ଛାଡ଼ିଥିଲା। ଏହାର ୩୦ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପୁଣି […]
ପଛକୁ ଫେରିଲା ଏୟାର ଇଣ୍ଡିଆ ବିମାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial