ନୂଆଦିଲ୍ଲୀ : ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ୧୯ତମ ଏସୀୟ କ୍ରୀଡ଼ା ଶେଷ ହୋଇଛି। ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୮ରେ ଏହାର ରଙ୍ଗାରଙ୍ଗ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏସୀୟ କ୍ରୀଡ଼ା ଇତିହାସରେ ଏହା ସବୁଠାରୁ ବଡ଼ ଆୟୋଜନ ବୋଲି କୁହାଯାଉଛି। ଏପରିକି ପ୍ରତିଯୋଗିତା ସଂଖ୍ୟା ଓ ଅଂଶଗ୍ରହଣ କରିଥିବା କ୍ରୀଡ଼ାବିତଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ଅଲିମ୍ପିକ୍ସଠାରୁ ବି ବଡ଼ ବୋଲି କୁହାଯାଉଛି। କାରଣ ଟୋକିଓ ଅଲମ୍ପିକ୍ସରେ ୧୧ ହଜାର ଆଥଲେଟ୍ ଅଂଶଗ୍ରହଣ କରିଥିବାବେଳେ ହାଙ୍ଗଝୁ ଏସୀୟ କ୍ରୀଡ଼ାରେ ୧୨୫୦୦ ଆଥଲେଟ ଅଂଶଗ୍ରହଣ କରିଥିଲେ। ସେହିପରି ଟୋକିଓ ଅଲମ୍ପିକ୍ସରେ ୩୩ଟି କ୍ରୀଡ଼ା ଥିବାବେଳେ ଏହି ଏସୀୟ କ୍ରୀଡ଼ାରେ ୪୦ଟି କ୍ରୀଡ଼ା ରହିଛି।
ଏହି ଏସୀୟ କ୍ରୀଡ଼ାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଶନିବାର ୧୪ତମ ଦିନ ଅର୍ଥାତ୍ ଶନିବାର ଭାରତୀୟ ଆଥଲେଟମାନେ ୬ ସ୍ୱର୍ଣ୍ଣ ସହ ମୋଟ ୧୨ଟି ପଦକ ଜିତିଛନ୍ତି। ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ ସହ ଭାରତ ମୋଟ ୧୦୭ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଶେଷ ଦିନରେ ଭାରତର ପୁରୁଷ କ୍ରିକେଟ ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କବାଡିରେ ଭାରତୀୟ ପୁରୁଷ ଓ ମହିଳା ଦଳ ଚାମ୍ପିୟନ ହୋଇଥିଲେ। ବ୍ୟାଡ୍ ମିଣ୍ଟନରେ ଭାରତ ପୁରୁଷ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତୀରନ୍ଦାଜିର ପୁରୁଷ ଓ ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜମାନେ ସ୍ୱର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି।
ଶେଷ ହେଲା ୧୯ତମ ଏସୀୟ କ୍ରୀଡା : ୧୦୭ ପଦକ ସହ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

Share Now: