ପୂଜାର ଆନନ୍ଦକୁ ଫିକା କରିବ ରାଜଧାନୀର ରାଜରାସ୍ତା

ରାଜଧାନୀ ରାସ୍ତାର ଦୂରାବସ୍ଥା

ଚନ୍ଦ୍ରଶେଖରପୁର: ପାର୍ବଣ ପାଇଁ ଚଳଚଞ୍ଚଳ ହୋଇଉଠିଲାଣି ରାଜଧାନୀ। ଲୋକେ ମଣ୍ଡପ ବୁଲିବେ। ମେଢ଼ ଦେଖିବେ। ମେଳାର ମଜା ଉଠାଇବେ। ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ମୈତ୍ରୀବିହାର ଥାନା ଅଞ୍ଚଳବାସୀ ଏମିତି କେତେ କ’ଣ ଯୋଜନା କରିଛନ୍ତି। ମାତ୍ର ରାସ୍ତା ସେମାନଙ୍କ ବାଟ ଓଗାଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗଣେଶ ପୂଜା ସମୟରେ ଲୋକେ ଗାଡ଼ି ଧରି ସପରିବାର ସିନା ବାହାରି ଆସିଲେ, ମାତ୍ର ମଣ୍ଡପରେ ପହଞ୍ଚି ପାରିଲେ ନାହିଁ। ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଲେ। ଦୁର୍ଘଟଣାର ସମ୍ମୁଖୀନ ହେଲେ। ଗୋଟିଏ ପଟେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଅସମ୍ଭାଳ ଭିଡ଼, ଆଉ ଅନ୍ୟପଟେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମା ଏବେ ସହରବାସୀଙ୍କୁ ନାକେଦମ୍‌ କରିପକାଇଲାଣି। ଦିନେ କି ଦୁଇ ଦିନ ନୁହେଁ, ମାସାଧିକ କାଳ ହେଲା ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରବାସୀ ଦହଗଞ୍ଜ ଭୋଗୁଛନ୍ତି। ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିଲେ ମଧ୍ୟ ରାସ୍ତା ଅବସ୍ଥା ଏତେ କଦର୍ଯ୍ୟ ଯେ ଲୋକେ ଯିବାକୁ ନାକ ଟେକୁଛନ୍ତି। ଆଗକୁ ଦଶହରା। ଏଠାରେ ଥିବା ଦୁଇଟି ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଗହଳି ଜମିବାକୁ ଥିବାରୁ ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରିବାକୁ ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ ନିବେଦନ କରିଛନ୍ତି।

କେବଳ ଏହି ଗୋଟିଏ ରାସ୍ତା ନୁହେଁ, ବର୍ଷାରେ ସହରର ଅଧିକାଂଶ ରାସ୍ତାଘାଟ ଏବେ ବିପର୍ଯ୍ୟସ୍ତ। କେଉଁଠି ରାସ୍ତାରୁ ପିଚୁ ଉଠିଯାଇଛି ତ କେଉଁଠି କଙ୍କ୍ରିଟ୍‌ ଭାଙ୍ଗି ନଷ୍ଟ ହୋଇ ରଡ୍‌ ବାହାରିଛି। କେତେକ ସ୍ଥାନରେ ୨/୩ ଫୁଟ୍‌ର ଖାଲ ହୋଇଛି ତ କେଉଁଠି ପାଣି ଜମି ପୋଖରୀ ଭଳି ଭ୍ରମ ସୃଷ୍ଟି ହେଉଛି। ରାସ୍ତାସାରା ଗେଟି, ପଥର ମୁଣ୍ଡ ଟେକିଛି। ବଡ଼ କଥା ହେଉଛି ବର୍ଷା ଋତୁ ସରିନି। ଆଗକୁ ପୁଣି ବର୍ଷା ଅଛି। ଆଚାର୍ଯ୍ୟବିହାରରୁ ସୈନିକ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ମଧ୍ୟ ତଦ୍ରୁପ୍‌। ଗଜପତି ନଗରରେ ଠାଏ ଠାଏ ପିଚୁ ଉଠିଯାଇଛି। ଅନ୍ଧାର ରାତିରେ ଗଲେ କେଉଁଠି ଖାଲ ଓ କେଉଁଠି ଢିପ ପଥଚାରି ଜାଣିପାରୁ ନାହାନ୍ତି। ରଙ୍ଗମାଟିଆରୁ ଭିଏସ୍‌ଏସ୍‌ ନଗର ଦେଇ ଚକେଇସିଆଣି ଓ ମଞ୍ଚେଶ୍ୱରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି। ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ଧରି ରାସ୍ତା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ଷା ହେଲେ କଥା ସରିଲା।
ସେ ସମୟରେ ଲୋକେ ଯିବାଆସିବା କରିବାରେ ଘୋର ସମସ୍ୟାରେ ପଡ଼ୁଛନ୍ତି। ଏହାବ୍ୟତୀତ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି ଖାଲଖମା ରାସ୍ତା। ଦେଢ଼ କିଲୋମିଟର ରାସ୍ତାରେ ୧୫୦ରୁ ଉର୍ଦ୍ଧ୍ଵ ଖାଲ। ପ୍ରତିଦିନ ବହୁ ପଥଚାରୀ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତିଦିନ ଭାରୀଯାନ ସେହି ବାଟ ଦେଇ ଯିବା ଆସିବା କରୁଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରେଲୱେ ଓଭରବ୍ରିଜ୍‌ କାମ ଚାଲୁଥିବା ଦର୍ଶାଇ ମରାମତି କରାଯାଉ ନଥିବାରୁ ଏବେ ଲୋକଙ୍କୁ ହୀନସ୍ତା ହେବାକୁ ପଡ଼ୁଛି। ଦଶହରା ପୂର୍ବାରୁ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ଡମଣା ଛକରୁ ରେଳ ଷ୍ଟୋଡିୟମ୍‌କୁ ସଂଯୋଗ କରୁଥିବା ନିର୍ମାଣାଧୀନ ୨୦୦ ଫୁଟିଆ ରାସ୍ତାରେ ଚାଲିବା କଷ୍ଟକର। କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିରରୁ ଭେଙ୍କଟେଶ୍ୱର ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା, ଚନ୍ଦ୍ରଶେଖରପୁର ଥାନା ସମ୍ମୁଖ ଆର୍‌ଟିଓ ଟେଷ୍ଟିଂ ପଡ଼ିଆ ରୋଡ୍‌, ଡମଣାରୁ ପଟିଆ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ ରାସ୍ତା, ଗାଡ଼କଣ ଗାଁ ରାସ୍ତା, କିସ୍‌ରୁ ପଥରଗାଡ଼ିଆକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଭୟଙ୍କର ହୋଇପଡ଼ିଛି। ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରା ନ ଗଲେ ଦଶହରା ବେଳକୁ ଦୁର୍ଘଟଣା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ପୁରୁଣା ଭୁବନେଶ୍ୱର
ପୁରୁଣା ଭୁବନେଶ୍ୱର ଅଞ୍ଚଳର ମୁଖ୍ୟରାସ୍ତା ସହ କଲୋନି ଭିତର ରାସ୍ତା ସବୁ ଖରାପ ହୋଇଯାଇଛି। ରବି ଟକିଜ୍‌ଠାରୁ ଟଙ୍କପାଣି ରାସ୍ତା ଗତ ବର୍ଷ କାମ ଶେଷ ହୋଇଥିଲା। କିନ୍ତୁ ଦୁଃଖର ବିଷୟ କାମ ସରିବାର ସପ୍ତାହ ପରେ ଲଗାତାର ଭାବେ ଏହି ନୂଆ ରାସ୍ତାକୁ ଖୋଳି ପୁଣି ମରଣଯନ୍ତା କରି ଦିଆଯାଇଛି। ବଡ଼ଗଡ଼ ଛକଠାରୁ ଟଙ୍କପାଣି ଜଗନ୍ନାଥ ଆଶ୍ରମ ରାସ୍ତା କାମ ପାଇଁ ଟେଣ୍ଡର ହୋଇଛି। ରାସ୍ତା ଅବସ୍ଥା ଏତେ ଖରାପ ଯେ ମାତ୍ର ଦେଢ଼ କିମି ରାସ୍ତା ଅତିକ୍ରମ କରିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି। ନବୀନ ନିବାସ ଠାରୁ ଭୀମ ଟାଙ୍ଗି ରାସ୍ତାରୁ ପିଚୁ ଉଠିଗଲାଣି। ପୋଖରୀପୁଟ ଫ୍ଲାଏଓଭର ଉପର ଓ ତଳ ରାସ୍ତା ଅବସ୍ଥା ସଙ୍ଗିନ୍‌। ଫ୍ଲାଏଓଭର ଉପରେ କଂକ୍ରିଟ୍‌ ଉଠି ରଡ୍‌ ଦେଖାଯାଉଛି ଏବଂ ତଳେ ପୋଖରୀ ଭଳି ବିରାଟ ବିରାଟ ଖାଲ। ସୁନ୍ଦରପଦା ଛକରୁ ସାମନ୍ତରାପୁର ରାସ୍ତା ମଧ୍ୟ ଅଧିକ ଖରାପ ହୋଇଯାଇଛି। ପୁରୁଣା ଭୁବନେଶ୍ୱର ଅଞ୍ଚଳ ବିଶେଷ କରି ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ କିଛି ମାସ ତଳେ ଫେଭର ବ୍ଲକ୍‌ ପକାଯାଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁଁ ଅଧିକାଂଶ ଫେଭର ଦବି ଯାଇ ରାସ୍ତାରେ ଖାଲ ହୋଇଛି।
ୟୁନିଟ୍-୩ ଅଞ୍ଚଳର ରାସ୍ତା ସବୁଠାରୁ କଦର୍ଯ୍ୟ ରହିଛି। ଶ୍ରୀୟା ଛକରୁ ଓଡ଼ିଶା ପ୍ରଶାସନିକ ସେବା ସଂଘ ପର୍ଯ୍ୟନ୍ତ ବ୍ୟସ୍ତବହୁଳ ରାସ୍ତା ଯାହା ଉପରେ ୟୁନିଟ୍-୩ ଓ ୪ର ପ୍ରାୟ ୮୦୦୦ ଲୋକ ନିର୍ଭର କରନ୍ତି, ତିନି ବର୍ଷ ହେବ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତା ସାରା ଖାଲ, ରାସ୍ତାରୁ କଂକ୍ରିଟ୍‌ ଉଠି ଯାଇଛି। ରାମ ମନ୍ଦିର ପାଖ ରାସ୍ତା, ନଳିନୀ ଦେବୀ କଲେଜ୍ ପଛ ପଟ ରାସ୍ତାର ଅବସ୍ଥା ମଧ୍ୟ ତଦ୍ରୁପ। ତୁରନ୍ତ ମରାମତି ହେଉନଥିବାରୁ ଛୋଟ ଖାଲର ଆକାର ଦିନକୁ ଦିନ ବଢ଼ିବାରେ ଲାଗୁଛି। କର୍ପୋରେଟର ରଞ୍ଜୁଲତା ରାୟଙ୍କ କହିବା କଥା ହେଉଛି, ଅଧିକାଂଶ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଯାଉଛି। ପୂ୍ର୍ତ୍ତ ବିଭାଗ ସହ ଆଲୋଚନା ହୋଇଛି, ଖୁବ୍‌ ଶୀଘ୍ର ମରାମତି ହେବ।

ଅନ୍ୟତମ ପ୍ରମୁଖ ଅଞ୍ଚଳ ହେଉଛି ଶାସ୍ତ୍ରୀନଗର। ୨ ମାସ ତଳେ ସ୍ୱେରେଜ୍‌ ଲାଇନ ପାଇଁ ଖୋଳାଯିବା ପରେ ଲେନ୍‌ ରାସ୍ତା କାମ ହୋଇଥିଲା। କିନ୍ତୁ ମାସେ ନପୁରୁଣୁ ରାସ୍ତା ଖରାପ ହୋଇଗଲା। ନୂଆପଲ୍ଲୀ ନୂଆସାହି ଆଖଣ୍ଡଳମଣି ମନ୍ଦିରଠାରୁ ଶାସ୍ତ୍ରୀନଗର ଶନି ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୨୦୧୭ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କିନ୍ତୁ ୬ ବର୍ଷ ବିତିଥିଲେ ମଧ୍ୟ ବାଲି ଟ୍ରିପ୍‌ଟିଏ ପଡ଼ିଲାନି। ଫଳରେ ରାସ୍ତାଟି ଚଳପ୍ରଚଳ ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡ଼ିଛି। କର୍ପୋରେଟର ଗୀତାଞ୍ଜଳି ସାହୁ କହିଛନ୍ତି, ଗତ କର୍ପୋରେସନ ବୈଠକରେ ଏହି ପ୍ରସଙ୍ଗ ଉଠିଛି। କିଛି ନୂଆ ରାସ୍ତା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଅନ୍ୟତମ ପ୍ରମୁଖ ଅଞ୍ଚଳ ସହିଦନଗରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ବିଶେଷକରି ଆଇଡିବିଆଇ ଛକରୁ ବମିଖାଲ ଆରଓବି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ରହିଛି। ତେବେ ପୂଜା ପୂର୍ବରୁ ଏହି ସବୁ ଅଞ୍ଚଳର ରାସ୍ତା ମରାମତି ସାରିବାକୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଛି। ପୂଜା ସରିବା ପର୍ଯ୍ୟନ୍ତ ପାଇପ୍‌ ଓ କେବୁଲ ବିଛାଇବା ପାଇଁ କୌଣସି ରାସ୍ତା ନ ଖୋଳିବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଏମ୍‌ସି କହିଛି। ପୂର୍ତ୍ତ, ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଚରମ ଅବହେଳା ପାଇଁ ରାଜଧାନୀବାସୀ ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି। ରାଜଧାନୀର ପ୍ରବେଶ ପଥ ରସୁଲଗଡ଼ ଅଞ୍ଚଳର ରାସ୍ତା ଅବସ୍ଥା ନକହିଲେ ଭଲ। ଅବଧି ସରିବାର ୨ ବର୍ଷ ପରେ ବି ହଂସାପାଳ ଫ୍ଲାଏଓଭର କାମ ସରୁନାହିଁ। ଏହାର ଦୁଇ ପଟ ରାସ୍ତା ଖରାପ ହୋଇଗଲାଣି। ଫଳରେ ସବୁ ସମୟରେ ଏଠି ଟ୍ରାଫିକ୍‌ ସମସ୍ୟା ଲାଗି ରହୁଛି। ପଳାସୁଣି ଓଭରବ୍ରିଜ୍‌ ତଳ ତଥା ସପ୍ତସତୀ ଗୋଲେଇ ଛକ ତଳ ରାସ୍ତା ବଡ଼ବଡ଼ ଖାଲଖମାରେ ଭର୍ତ୍ତି। ରସୁଲଗଡ଼ ଗୋଲେଇ ଛକରେ ମଧ୍ୟ ଏକାଧିକ ଖାଲ ହୋଇଯାଇଛି।

ବ୍ୟବସ୍ତବହୁଳ କଟକରୋଡ୍‌ ରାସ୍ତା ରସୁଲଗଡ଼ଠାରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତାରୁ ଉପର ପିଚୁ ଉଠିଗଲାଣି। ବମିଖାଲ ପ୍ଲାଏଓଭର ତଳ ରାସ୍ତାରେ ବଡ଼ ବଡ଼ ଖାଳ ସୃଷ୍ଟି ହୋଇଛି। ନିକଟରେ ଏହି ଖାଲ ଯୋଗୁଁ କାର୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେଇଥିଲେ ମଧ୍ୟ ଏଦିଗରେ ପୂର୍ତ୍ତ ବିଭାଗର ତତ୍ପରତା ନାହିଁ। ସେହିପରି ଦୀର୍ଘ ଦିନ ଧରି ୱାଟ୍‌କୋ ବମିଖାଲ ଓଭରବ୍ରିଜ୍‌ର ଗୋଟିଏ ପାଖ ଖୋଳି ଦେଇଛି। ଲକ୍ଷ୍ମୀସାଗର ପଟୁ ଆସୁଥିବା ଗାଡ଼ି ବ୍ରିଜ୍‌ ଉପର ଦେଇ ଯାତାୟାତ କରୁଛି। ଏଠି ଟ୍ରାଫିକ୍‌ ସମସ୍ୟା ବଢ଼ିବା ସହ ବ୍ରିଜ୍‌ ଉପରେ ବିପରିତ ଗାଡ଼ି ସହ ମୁହାଁମୁହିଁ ହୋଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଉଛି। ଲକ୍ଷ୍ମୀସାଗରରୁ ଝାରପଡ଼ା ରାସ୍ତାରେ ଶତାଧିକ ଖାଲଖମା। ଲକ୍ଷ୍ମୀସାଗର ସ୍କୁଲ୍‌ ନିକଟରେ ପ୍ରାୟ ୨ ଶହ ମିଟର ରାସ୍ତାରେ ଗାଡ଼ି ଯାତାୟାତ କରିବା କଷ୍ଟକର ହୋଇ ପଡ଼ୁଛି। ଆଉ ବର୍ଷା ହେଲେ ପୋଖରୀର ଭ୍ରମ ସୃଷ୍ଟି ହୋଉଛି। ଝାରପଡ଼ାରୁ ପୁରୀ ବାଇପାସ୍‌ (ମଙ୍ଗରାଜ ପଏଣ୍ଟ) ପର୍ଯ୍ୟନ୍ତ ରସ୍ତା ଅବସ୍ଥା ଶୋଚନୀୟ। ମହାଦେବ ନଗର ରାସ୍ତାରେ କେଉଁଠି ସ୍ବେରେଜ୍‌ ଟାଙ୍କି ଉଠି ଯାଇଛି ତ କେଉଁଠି ବର୍ଷା ପାଣି ଜମି ରହି ରାସ୍ତା ଅଧିକ ନଷ୍ଟ ହୋଇଛି।
ରାସ୍ତା ପାଇଁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଜଗନ୍ନାଥ ନଗରବାସୀ। କାରଣ ଏଠାରେ ଦୀର୍ଘ ୬ ମାସ ହେବ ରାସ୍ତା ଖୋଳି ସ୍ବେରେଜ୍‌ ପାଇପ୍‌ ପକାଉଛି ୱାଟ୍‌କୋ। ଠିକାଦାର କାମ କରିବାରେ ଅହେତୁକ ବିଳମ୍ବ କରୁଥିବାରୁ ଲୋକେ ପାଣିକାଦୁ୍ଅ ରାସ୍ତାରେ ଘରୁ ବାହାରି ପାରୁନାହାନ୍ତି। ଝାରପଡ଼ା ଦୁର୍ଗାପୂଜାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାନ୍ତି। ତେଣୁ ଏହି ସବୁ ରାସ୍ତା କାମ ନସରିଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି। ସେହିପରି ରସୁଲଗଡ଼ଠାରୁ ଗ୍ୟାରେଜ୍‌ ଛକ ଦୟାୱେଷ୍ଟ କେନାଲ ରାସ୍ତାରେ ଶହ ଶହ ଖାଲଖମା ହୋଇଥିବା ଦେଖିବାକୁ ମିଳିଛି। ରସୁଲଗଡ଼ ଶିଳ୍ପାଞ୍ଚଳ ଓ ଏହାକୁ ସଂଯୋଗ କରୁଥିବା ରାସ୍ତାରେ ଭାରୀଯାନ ଚଳାଚଳ ହେଉଥିବାରୁ ପ୍ରାୟ ସବୁ ରାସ୍ତା ଖରାପ ହୋଇଯାଇଛି।

Share Now:

Kalinga News Beuro

Next Post

ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ବାଦାମବାଡ଼ି‌ରେ ହେବ ଅତ୍ୟାଧୁନିକ ପାଠାଗାର

Sun Oct 8 , 2023
ଭୁବନେଶ୍ୱର: କଟକ ବାଦାମବାଡ଼ିର ପୁରୀ-ଅନୁଗୁଳ ବସଷ୍ଟାଣ୍ଡରେ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ପାଠାଗାର ଓ ପଠନାଗାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧,୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ କଟକରେ ସ୍ଵର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ସ୍ମୃତିରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ […]
ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ପାଠାଗାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial