ଆଫଗାନିସ୍ତାନ ଭୂମିକମ୍ପରେ ୨୦୦୦ରୁ ଅଧିକ ମୃତ : ୧୨ ଗାଁ ଧ୍ୱଂସ , ସାହାଯ୍ୟ ମାଗୁଛି ତାଲିବାନ୍‌

ଆଫଗାନିସ୍ତାନ ଭୂମିକମ୍ପ

କାବୁଲ: ଶନିବାର ଦିନ ପଶ୍ଚିମ ଆଫଗାନିସ୍ତାନର ହେରାତ୍‌ରେ ସଂଘଠିତ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୨୦୦୦ ଟପିଥିବା କଥା ଆଜି ଜଣେ ତାଲିବାନ ମୁଖପାତ୍ର କହିଛନ୍ତି। ଆଫଗାନିସ୍ତାର ସୂଚନା ଓ ସଂସ୍କୃତି ମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍‌ ୱହିଦ୍‌ ରେୟାନ୍‌ କହିଛନ୍ତି, ମୂଳ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ବାସ୍ତବ ମୃତ୍ୟୁସଂଖ୍ୟା ତା’ଠାରୁ ଢେର୍‌ ଅଧିକ। ପ୍ରାୟ ୧୨ଟି ଗାଁ ଧ୍ୱଂସ ହୋଇଯାଇଛି ଓ ଅସଂଖ୍ୟ ସାଧାରଣ ଜନତା ଭଗ୍ନସ୍ତୂପରେ ପୋତି ହୋଇ ପଡ଼ିଛନ୍ତି। ଆମେ ଜରୁରୀ ସହାୟତା ଲୋଡୁଛୁ। ତାଲିବାନଦ୍ୱାରା ନିଯୁକ୍ତ ଅର୍ଥନୈତିକ ବ୍ୟାପାରର ଉପପ୍ରଧାନମନ୍ତ୍ରୀ ଅବ୍ଦୁଲ୍‌ ଗନି ବାରାଦାର୍‌ ହେରାତ୍‌ ଓ ବାଦ୍‌ଗିସ୍‌ରେ ମୃତାହତ ଜନତାଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ଆହତମାନଙ୍କୁ ଡାକ୍ତରଖାନା ନେବା, ବାସହରାଙ୍କୁ ଆଶ୍ରୟ ଓ ବଞ୍ଚିଥିବା ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଯଥା ଶୀଘ୍ର ସମ୍ଭବ ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳରେ ପହଞ୍ଚିବା ଲାଗି ତାଲିବାନ ଆଞ୍ଚଳିକ ସଙ୍ଗଠନମାନଙ୍କୁ ଅନୁରୋଧ କରିଛି। ଭଗ୍ନସ୍ତୂପ ତଳେ ପୋତି ହୋଇ ପଡ଼ିଥିବା ‌ଜନତାଙ୍କୁ ଉଦ୍ଧାର କରିବା ଲାଗି ନିରାପତ୍ତା ଏଜେନ୍‌ସିମାନେ ସମସ୍ତ ସମ୍ବଳ ଉପଯୋଗ କରନ୍ତୁ ସେମାନେ କହିଛନ୍ତି। ଜାତିସଂଘର ‘କୋଅର୍ଡିନେସନ୍‌ ଅଫ୍‌ ହ୍ୟୁମାନିଟାରିଆନ୍‌ ଆଫେୟାର୍ସ’ ଅଫିସ୍‌ କହିଛି ଯେ, ୪୬୫ଟି ଘର ଧ୍ୱଂସ ହୋଇଯାଇଥିବା ବେଳେ ୧୩୫ଟି ଘର ନଷ୍ଟ ହୋଇଛି। ଜିନ୍ଦା ଜାନ୍‌ ଓ ଘୋରିୟାଁ ଜିଲ୍ଲାରେ ୧୨ଟି ଗାଁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି ବୋଲି ଆଫଗାନିସ୍ତାନ ସରକାରୀ ଅଧିକାରୀମାନେ କହିଛନ୍ତି। ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ ରିପୋର୍ଟ କରିଛି ଯେ, ଆଫଗାନିସ୍ତାନରେ ସଙ୍ଘଠିତ ହୋଇଥିବା ୬ଟି ଭୂମିକମ୍ପରୁ ସବୁଠୁ ଭୀଷଣ ଥିଲା ରିକ୍ଟର୍‌ ସ୍କେଲ୍‌ରେ ୬.୩ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ।

Share Now:

Kalinga News Beuro

Next Post

କୋଲ୍‌କାତା ମେୟର୍‌ ଓ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଘରେ ‘ସିବିଆଇ’ ଚଢ଼ଉ

Sun Oct 8 , 2023
କୋଲ୍‌କାତା: ପଶ୍ଚିମବଙ୍ଗ ପୌରପାଳିକା ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଆଜି ‘ସିବିଆଇ’ କୋଲ୍‌କାତା ମେୟର୍‌ ଫିର୍‌ହାଦ୍‌ ହକିମ୍ ଓ ‘ତୃଣମୂଳ କଂଗ୍ରେସ’ ବିଧାୟକ ମଦନ ମିତ୍ରଙ୍କ ବାସଭବନ ସମେତ ପଶ୍ଚିମବଙ୍ଗରେ ୧୫ଟି ସ୍ଥାନରେ ଚଢ଼ଉ କରିଛି। ଆଜି ସକାଳେ ‘ସିବିଆଇ’ର ଏକ ଟିମ୍‌ ମେୟର୍‌ ହକିମ୍‌ଙ୍କ ଦକ୍ଷିଣ କୋଲ୍‌କାତାସ୍ଥିତ ବାସଭବନରେ ପହଞ୍ଚି ତଲାସ ଅଭିଯାନ ଚଳାଇଛି। ତଲାସ ଆରମ୍ଭ ହେବା ମାତ୍ରେ ହକିମ୍‌ଙ୍କ ସମର୍ଥକମାନେ ବାସଭବନ ବାହାରେ ସମବେତ ହୋଇ […]
କୋଲ୍‌କାତା ମେୟର୍‌ ଓ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଘରେ ‘ସିବିଆଇ’ ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial