ଆରପାରିରେ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ

ଆରପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ

ଭୁବନେଶ୍ୱର: ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱର। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ଆଉ ନାହାନ୍ତି। ୭୦ରୁ ଅଧିକ ଓଡ଼ିଆ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଗୀତ ରଚନା କରିଥିବା ସ୍ୱରୂପ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ। ଆଉ ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଓଡ଼ିଆ ଆଧୁନିକ ସଙ୍ଗୀତ ଜଗତର ଅନ୍ୟତମ ସ୍ରଷ୍ଟା ଭାବେ ବେଶ ପରିଚିତ ସ୍ୱରୂପ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୧୯୪୬ ମସିହା ଫେବୃଆରି ୮ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିବା ସ୍ବରୂପ ୧୯୬୨ରେ ମୁକ୍ତିପ୍ରାପ୍ତ ‘ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବଡ଼ ହେବା ପରେ ସ୍ୱରୂପ ସତୀ ଅନସୂୟା, ସୁନା ସଂସାର, କଳାମାଣିକ, କଣ୍ଢେଇ ଆଖିରେ ଲୁହ, ଯଶୋଦା ଆଦି ସମେତ ବେଶ୍‌ କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ନଜର ଆସିଥିଲେ।
ହେଲେ ସ୍ୱରୂପ ନାୟକ ଗୀତିକାର-ସଙ୍ଗୀତକାର ଭାବେ ଓଲିଉଡ଼ରେ ବିଶେଷ ସଫଳତା ହାସଲ କରିଛନ୍ତି। ତାଙ୍କ ସ୍ୱରାରୋପିତ ପ୍ରଥମ ଓଡ଼ିଆ ଛବି ହେଲା ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ହୀରାନୀଳା’। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି – ଲାଲପାନ ବିବି, ବଗଲା ବଗୁଲୀ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଯଶୋଦା, କୃଷ୍ଣା କାବେରୀ, କିଏ ହେବ ଶୁଆ ପୋଷିଲେ, ଶୁଭଦ୍ରା, ସକଳ ତୀର୍ଥ ତୋ’ ଚରଣେ, ଉଦଣ୍ଡୀ ସୀତା, ପଞ୍ଜୁରି ଭିତରେ ଶାରୀ, ମୋ’ କୋଳ ତୋ’ ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ଓ୍ଵାନ, ଶାଶୁ ଘର ଚାଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମ ପ୍ରେମ, ମୁଁ ତତେ ଲଭ୍‌ କରୁଚି, ରୋମିଓ ଦ ଲଭରବୟ ଏବଂ ଅପ୍‌ନା ହାତ୍‌ ଜଗନ୍ନାଥ ଆଦି। ସେ ସତୁରିରୁ ଅଧିକ ଓଡ଼ିଆ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଶୀରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତର ରଚନା କରିଛନ୍ତି।
ସେ ଏକ ଫିଲ୍ମ ପରିବାରରୁ ଆସି‌ଥିଲେ। ତାଙ୍କର ବଡ଼ ଭଉଣୀ ପାର୍ବତୀ ଘୋଷ ରାଜ୍ୟର ଜଣାଣୁଣା ଅଭିନେତ୍ରୀ, ନିର୍ମାତ୍ରୀ ଓ ନିର୍ଦ୍ଦେଶିକା ହୋଇଥିବା ବେଳେ ବଡ଼ ଭାଇ ସାରଦା ପ୍ରସନ୍ନ ନାୟକ ଜଣେ ପ୍ରତିଷ୍ଠିତ ଗୀତିକାର ଓ ସିନେ-ନିର୍ଦ୍ଦେଶକ। ଉଭୟ ବଡ଼ଭାଇ ଓ ଭଉଣୀ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପି ଅବଦାନ ଲାଗି ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ଲାଭ କରିଛନ୍ତି। ସେହପରି ସ୍ବରୂପ ନାୟକ ମଧ୍ୟ ସ୍ବକୀୟ ପ୍ରତିଭା ଲାଗି ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ। ସେ ଟି. ସୌରୀ, ଇରା ମହାନ୍ତି, ତପୁ ମିଶ୍ର, କୁମାର ବାପି, ପମି (ସଂଗୀତା ମିଶ୍ର) ସୁଜିତ ଭୋଇ, ଶୁଭାଶିଷ ମହାକୁଡଙ୍କଭଳି ପ୍ରତିଭାବାନ ଗାୟକଗାୟିକାଙ୍କୁ ଚଳଚ୍ଚିତ୍ର ସଂଗୀତକୁ ପ୍ରବେଶ କରାଇଥିଲେ। ସେ ତାଙ୍କ ସଂଗୀତ ନିର୍ଦ୍ଦେଶିତ ଅଧିକାଂଶ ଓଡ଼ିଆ ଛବିରେ ବାହାର କଣ୍ଠଶିଳ୍ପୀଙ୍କୁ ନ ନେଇ ଓଡ଼ିଆ କଳାକାରମାନଙ୍କୁ ସୁଯୋଗ ଦେଇଥିଲେ। ଜଣେ ଅଭିନେତା ଭାବରେ ସ୍ବରୂପ ମଧ୍ୟ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ଛାପ ଛାଡ଼ି ଯାଇଛନ୍ତି। କଳାମାଣିକ, ଜଗାବଳିଆ, ଡୋରା, ହୀରାନୀଳା, ସପନ ବଣିକ, କଣ୍ଢେଇ ଆଖିରେ ଲୁହ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଆଜି ବି ଦର୍ଶକ ଝୁରୁଛନ୍ତି।

Share Now:

Kalinga News Beuro

Next Post

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ : ଡିସେମ୍ବର ୯ ଯାଏ ଆବେଦନ କରି ପାରିବେ ଭୋଟର

Fri Oct 27 , 2023
ଭୁବନେଶ୍ବର: ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା। ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଆଜିଠାରୁ ଆରମ୍ଭ ହେଲା ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ। ୨୦୨୩ ଡିସେମ୍ବର ୯ ଯାଏ ଆବେଦନ କରି ପାରିବେ ଭୋଟର। ୨୦୨୪ ଜାନୁଆରି ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ […]
ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial