ଲିଜ୍‌ ହୋଲ୍ଡ ହେବ ଫ୍ରି ହୋଲ୍ଡ : ଜିଏକୁ ଆବେଦନ କରିବେ ବିଡିଏ, ଓଏସ୍‌ଏଚ୍‌ବି

ଲିଜ୍‌ ହୋଲ୍ଡ ହେବ ଫ୍ରି ହୋଲ୍ଡ

ଏନ୍‌ଓସି ପାଇଁ ଆଉ ଦେବାକୁ ପଡ଼ିବନି ହାତଗୁଞ୍ଜା, ଉପକୃତ ହେବେ ହଜାର ହଜାର କ୍ରେତା

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ(ଓଏସ୍‌ଏଚ୍‌ବି) ଠାରୁ ଜମି/ଘର କିଣିଥିବା ଲୋକଙ୍କ ପାଇଁ ଖୁସି ଖବର। ଜମିଗୁଡ଼ିକ ‘ଲିଜ୍‌ ହୋଲ୍ଡ’ରୁ ‘ଫ୍ରି ହୋଲ୍ଡ’କୁ ରୂପାନ୍ତରଣ କରାଯିବ। ଏହି ରୂପାନ୍ତର ପରେ ସେମାନେ ଜମିରେ ଘର ନିର୍ମାଣ ହେଉ କି ଘରର ସମ୍ପ୍ରସାରଣ କିମ୍ବା କିଣାବିକା ହେଉ, ଆଉ ବିଡିଏ କିମ୍ବା ଓଏସ୍‌ଏଚ୍‌ବିକୁ ଦୌଡିବାକୁ ପଡ଼ିବନି। ଏହି ରୁପାନ୍ତରଣ ପାଇଁ ଉଭୟ ବିଡିଏ ଓ ଓଏସ୍‌ଏଚ୍‌ବି ସରକାରଙ୍କ ଜିଏ ବିଭାଗକୁ ଏକ ସ୍ବତନ୍ତ୍ର ଫର୍ମାଟ୍‌ରେ ଆବେଦନ କରିବେ। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ରୂପାନ୍ତରଣ ଫଳରେ ୧୯୭୮ ମସିହାରୁ ଜମି/ଘର ପାଇଥିବା ହିତାଧିକାରୀ ଉପକୃତ ହେବେ। ପୂର୍ବରୁ ଏନ୍‌ଓସି ପାଇଁ ଲକ୍ଷ ଲକ୍ଷଟଙ୍କା ଲାଞ୍ଚ ଦେବାକୁ ପଡ଼ୁଥିଲା। ଏଥିରୁ ମୁକ୍ତି ମିଳିବ ବୋଲି କେତେକ ହିତାଧିକାରୀ କହିଛନ୍ତି। ତେବେ କେବଳ ଆବାସିକ ପ୍ରକଳ୍ପ ନୁହେଁ, ବାଣିଜ୍ୟିକ ବ୍ୟବହାର ପାଇଁ ନେଇଥିବା ଘରର ହଜାର ହଜାର ହିତାଧିକାରୀ ମଧ୍ୟ ଉପକୃତ ହେବେ। ବିଡିଏ ଯେତେବେଳେ ‘ବ୍ରିଟ୍‌’ ଥିଲା, ସେତେବେଳୁ ବା ୧୯୭୮ ମସିହାରୁ ଜମି ଓ ଘର ବିକ୍ରି ଆରମ୍ଭ ହୋଇଛି। ଜିଏ ବିଭାଗରୁ ଜମି ଆଣି ବିଡିଏ ଲୋକଙ୍କୁ ବିକ୍ରି କରିଛି। କିନ୍ତୁ ସେହି ଜମିଗୁଡ଼ିକ ଏବେ ବି ଜିଏ ବିଭାଗ ନାମରେ ରହିଛି। ବିଡିଏ ହିତାଧିକାରୀ ବା କ୍ରେତାଙ୍କ ସହ କେବଳ ଲିଜ୍‌ଡିଡ୍‌ କରିଛି। ଏହି ଡିଡ୍‌ବଳରେ ସେମାନେ ଜମି କିଣାବିକା ଓ ବନ୍ଧକ ରଖିବା ଏବଂ ଘରଗୁଡ଼ିକ ମରାମତି ଓ ପୁନଃନିର୍ମାଣ ଭଳି କାମ କରିପାରୁଛନ୍ତି। ଏଣୁ ସମସ୍ୟା ହେଉନାହିଁ। କିନ୍ତୁ ସେମାନଙ୍କୁ ବିଡିଏ କିମ୍ବା ହାଉସିଂ ବୋର୍ଡକୁ ଦୌଡ଼ିବାକୁ ପଡ଼ୁଛି। ବିଡିଏରୁ ଏନ୍‌ଓସି ପାଇଁ ଅନେକଙ୍କୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି। ଏଥିପାଇଁ କିଛି ସରକାରୀ ଦେୟ ରହିଛି। କିନ୍ତୁ ଏହା ବାଦ୍‌ ମୋଟା ଅଙ୍କର ହାତଗୁଞ୍ଜା ଦେବାକୁ ପଡ଼ୁଛି। ଏ ନେଇ ଖୋର୍ଦ୍ଧା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି, ବିଡିଏ ଠାରୁ ନେଇଥିବା ଜମି ଉତ୍ତରାଧିକାରୀ ସୂତ୍ରରେ ଅନ୍ୟ ନାମକୁ ସ୍ଥାନାନ୍ତର କରିବାକୁ ଥିଲା। ଏ ନେଇ ବିଡିଏକୁ ଏନ୍‌ଓସି ପାଇଁ ଆବେଦନ କରିଥିଲେ। ଧାର୍ଯ୍ୟ ସରକାରୀ ଦେୟ ଦାଖଲ କରିଥିଲେ। କିନ୍ତୁ ଏନ୍‌ଓସି ମିଳିଲାନି। ଫାଇଲ୍‌ ସେଠି ଅଛି, ଫାଇଲ୍‌ ମୋ ପାଖକୁ ଆସିନି, ଆଜି ଏ କାଗଜ ଆଣ, କାଲି ସେ କାଗଜ ଆଣ, ଏଭଳି ଅନେକ ଥର ଶୁଣିବାକୁ ମିଳିଲା, ବାରମ୍ବାର ଦୌଡ଼ିବାକୁ ପଡ଼ିଲା। ଶେଷରେ ଏଥିପାଇଁ ମୋଟା ଅଙ୍କର ହାତଗୁଞ୍ଜା ଲାଗିବ ବୋଲି ଜଣେ କହିଲେ, ନ ହେଲେ ଦୌଡ଼ାଇବେ। ଏଭଳି ଶହ ଶହ ଉଦାହରଣ ରହିଛି।
ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି, ଫ୍ରି ହୋଲ୍ଡ କରିଦେଲେ କ୍ରେତା ଆଉ ବିଡିଏ କିମ୍ବା ଓଏସ୍‌ଏଚ୍‌ବି ଦୌଡ଼ିବେ ନାହିଁ। ସେମାନେ ସିଧାସଳଖ ମାଲିକ ହୋଇଗଲେ, ଜମି କିମ୍ବା ଘର ଉପରେ ଯାହା ଚାହିବେ କରିବେ। ଏଣୁ ଫ୍ରି ହୋଲ୍ଡ କରିବାକୁ ବିଡିଏ କିମ୍ବା ଓଏସ୍‌ଏଚ୍‌ବି କର୍ତ୍ତୃପକ୍ଷ ଚାହୁନାହାନ୍ତି। ଜାଣି ଜାଣି ପ୍ରକ୍ରିୟା ବିଳମ୍ବିତ କରୁଛନ୍ତି। ଗତ ମାର୍ଚ୍ଚମାସରେ ସରକାର ଏଭଳି ଖୁସି ଖବର ଦେଇଥିଲେ। ରାଜ୍ୟ କ୍ୟାବିନେଟ୍ ନଗର ଉନ୍ନୟନ ବିଭାଗର ଏହି ଫ୍ରି ହୋଲ୍ଡ ନିୟମକୁ ଅନୁମୋଦନ କରିବା ପରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫ୍ରି ହୋଲ୍ଡ କରିବାକୁ ଥିବା ଦେୟ ସରକାର ଛାଡ଼ କରିଥିଲେ। କିନ୍ତୁ ପ୍ରକ୍ରିୟା ଆଗେଇ ପାରିଲା ନାହିଁ। ମାସ ମାସ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ପ୍ରକଳ୍ପରେ ଫ୍ରି ହୋଲ୍ଡ କରାଯାଇ ପାରିଲା ନାହିଁ। ଲେଉଟିଆ ଶାଗ ଭଳି କିଛି କର୍ମଚାରୀ ଏଥିରୁ ଫାଇଦା ନେଉଛନ୍ତି। ୧୯୯୦ ମସିହାରେ ଯେଉଁ ଘରକୁ (ଜମି ସହ) କ୍ରେତା ୧୧ ଲକ୍ଷରେ କିଣିଥିଲା, ତାହାର ବଜାର ଦର ଏବେ ୧୧ କୋଟି। ଫ୍ରି ହୋଲ୍ଡ ହେଲେ ଆଉ କ୍ରେତା ବିଡିଏ କିମ୍ବା ଓଏସ୍‌ଏଚ୍‌ବି ପାଖକୁ ଆସିବ ନାହିଁ। ଏଣୁ ଏବେ ଯେଉଁ ଫ୍ରି ହୋଲ୍ଡ ହେବ, ସେଥିରେ ଏକା ଥରକେ ମୋଟାଅଙ୍କର ହାତଗୁଞ୍ଜା ଆଦାୟ ହେବ।
୧୯୭୮ରେ ପ୍ରଥମ ପ୍ରକଳ୍ପ ବିଡିଏ ଲକ୍ଷ୍ମୀସାଗରରେ କରିଥିଲା। ଯାହା ଆଜି ପର୍ଯ୍ୟନ୍ତ ଫ୍ରି ହୋଲ୍ଡ ହୋଇ ପାରିଲା ନାହିଁ। ୪୫ ବର୍ଷ ମଧ୍ୟରେ କେତେକ ଘର ବା ଜାଗା ୪ ଥରରୁ ଅଧିକ ଥର କିଣାବିକା ହୋଇ ସାରିଲାଣି। ଏଠାରେ ୫ଟି ଫେଜ୍‌ରେ ୩ଶହରୁ ଊର୍ଦ୍ଧ୍ବ ଜମି/ଘର ଦିଆଯାଇଛି। ମାର୍କେଟ୍‌ କମ୍ପ୍ଲେକ୍ସ ବି ରହିଛି। ସେହିଭଳି ବଡ଼ଗଡ଼ ବ୍ରିଟ୍‌ କଲୋନି ୪ଟି ଫେଜ୍‌ରେ ୩ଶହ ଘର/ଜମି ଦିଆଯାଇଛି। ସବୁଠାରୁ ଅଧିକ ଘର ନୂଆପଲ୍ଲୀ ବ୍ରିଟ୍‌ କଲୋନିରେ ରହିଛି। ଏଠାରେ ୨ ହଜାରରୁ ଅଧିକ କ୍ରେତା ଅଛନ୍ତି। ସାମନ୍ତ ବିହାର, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ବରମୁଣ୍ଡା, ବିଡିଏ କଲୋନି, ପାଲ୍‌ ହାଇଟ୍ସ ସାମ୍ନାରେ ୦୧-୦୨(ଜିରୋ ୱାନ୍‌-ଜିରୋ ଟୁ) ସ୍କିମ୍‌ରେ ହଜାର ହଜାର ହିତାଧିକାରୀ ରହିଛନ୍ତି। କେହି ଜଣେ ହେଲେ ଏହି ପ୍ରି ହୋଲ୍ଡର ଅଧିକାରୀ ହୋଇ ପାରି ନାହାନ୍ତି। ସେହିଭଳି ଭିଏସ୍‌ଏସ୍‌ ନଗର ଓ ଡୁମୁଡୁମାରେ ଓଏସ୍‌ଏଚ୍‌ବିର ଘର ରହିଛି। ଏଠାରେ ପ୍ରାୟ ୧ ହଜାର କ୍ରେତା ରହିଛନ୍ତି। ଯେଉଁମାନେ ଫ୍ରି ହୋଲ୍ଡରୁ ବଞ୍ଚିତ ହୋଇଛନ୍ତି। ସବୁଠାରୁ କୌତୁହଳପ୍ରଦ ହେଉଛି ଏମାନଙ୍କ ଠାରୁ ବହୁ ପଛରେ ପ୍ରସ୍ତୁତ ହୋଇଥିବା କେ-୯(ଏ) ଓ କେ-୯(ବି)ରେ କ୍ରେତାଙ୍କର ଫ୍ରି ହୋଲ୍ଡ କରାଯାଇଛି। ଏହା କାହା ସ୍ବାର୍ଥରେ ହୋଇଛି ତାହା ବୁଝା ପଡ଼ୁ ନାହିଁ। ତେବେ ଏହି ଜମି ବିଡିଏ ନାମରେ କରାଯାଇଥିବାରୁ ଏହାକୁ ଫ୍ରି ହୋଲ୍ଡ କରିବା ସୁବିଧା ଥିଲା ବୋଲି ବିଡିଏ କହିଛି। ତେବେ ବରମୁଣ୍ଡାରେ ଥିବା ପ୍ରକଳ୍ପ ଜଙ୍ଗଲ ଜମିରେ ଥିବାରୁ ଏହା ଏହି ପ୍ରକ୍ରିୟାରୁ ବାଦ୍‌ ପଡ଼ିବ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ମାହାଙ୍ଗା ଡବଲ ମର୍ଡର : ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା

Tue Oct 31 , 2023
ମାହାଙ୍ଗା: ବହୁଚର୍ଚ୍ଚିତ ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା। ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଲେ ମାହାଙ୍ଗା ବିଧାୟକ। ସିଆରପିସିର ୨୦୫ ଧାରାରେ ଆବେଦନ କରି ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବା ଲାଗି ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାକୁ କିନ୍ତୁ ପ୍ରତିପକ୍ଷ ଓକିଲ ବିରୋଧ କରିଥିବା ଜଣାଯାଇଛି। ପ୍ରତାପଙ୍କ ଆବେଦନକୁ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଓକିଲ ଆବେଦନ […]
କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial