ବନମାଳୀପୁର ବାଣ ବିସ୍ଫୋରଣକୁ ୫ ବର୍ଷ : କୁଆଡ଼େ ଗଲେ ଜ୍ଞାନେନ୍ଦ୍ର ମିଶ୍ର ?

ବନମାଳୀପୁର ବାଣ ବିସ୍ଫୋରଣକୁ ୫ ବର୍ଷ

ବାଲିପାଟଣା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏହି ଦିନକୁ ମହା ଆଡ଼ମ୍ବରରେ ଲୋକେ ପାଳନ କରନ୍ତି। ଆତସବାଜିରେ ଆକାଶ ଝଲସି ଉଠେ। କିନ୍ତୁ ଦୀପାବଳି ଆସିଲେ ବନମାଳୀପୁରର ସେହି ବହୁ ଚର୍ଚ୍ଚିତ ବାଣ ବିସ୍ଫୋରଣ କଥା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଥାଏ। ୫ ବର୍ଷ ତଳେ ନୂଆସାହିର ଜ୍ଞାନେନ୍ଦ୍ର ମିଶ୍ରଙ୍କ ବାଣ କାରଖାନାରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଜ୍ଞାନେନ୍ଦ୍ରଙ୍କ ପତ୍ନୀ ରଶ୍ମିତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ପଡୋଶୀଙ୍କ ଘର ଭାଙ୍ଗି ଚୂରମାର ହୋଇଯାଇଥିଲା। ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ଘଟଣାର ଛାନଭିନ୍‌ କଲେ। ବିସ୍ଫୋରଣ ବେଳେ ଜ୍ଞାନେନ୍ଦ୍ର ଦୌଡ଼ି ପଳାଇଥିବା ମଧ୍ୟ ଚର୍ଚ୍ଚା ହେଲା। ସେହି ଦିନରୁ ତାଙ୍କର ପତ୍ତା ମିଳୁନାହିଁ। ହେଲେ ଏହି ଦୁର୍ଘଟଣା ପରେ ମଧ୍ୟ ବାଲିପାଟଣାର ଅନେକ ସ୍ଥାନରେ ବାଣ ତିଆରି ଥମିବାର ନାଁ ନେଇନାହିଁ। କିଛି ବର୍ଷ ଭିତରେ ଏହି ଅଞ୍ଚଳରେ ପ୍ରାୟ ୭/୮ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନେକ ଅକର୍ମଣ୍ୟ ହେଲେଣି। ପୁଲିସ ପାଖରେ ବାଣୁଆଙ୍କ ସୂଚନା ଅଛି। ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି କୁଣ୍ଠାବୋଧ କରୁଛି ବୁଝା ପଡ଼ୁନାହିଁ। ଆଗକୁ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ସେଦିନ ଥିଲା ୨୦୧୮ ନଭେମ୍ବର ୧ ତାରିଖ। ସକାଳ ପ୍ରାୟ ୧୦ଟା ପାଖାପାଖି ହେବ। ହଠାତ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ବନମାଳୀପୁର ଅଞ୍ଚଳ। ମାଇଲ୍‌ ମାଇଲ୍‌ ଦୂରକୁ ବିସ୍ଫୋରଣ ଶବ୍ଦ ପ୍ରକମ୍ପିତ କଲା। ଆଖପାଖ ଗାଁରେ ଭୂମିକମ୍ପର ଭୟ ସୃଷ୍ଟି ହେଲା। ଗୃହପାଳିତ ପଶୁ ଭୟରେ ଦୌଡ଼ିବାରେ ଲାଗିଲେ। ଭୟରେ ପଡ଼ୋଶୀ ଆତଙ୍କିତ ହୋଇପଡ଼ିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ଉଡ଼ିଯାଇଥିଲା। ରଶ୍ମିତାଙ୍କ ଖଣ୍ଡ ବିଖଣ୍ଡିତ ଶବ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଥିଲା। ହେଲେ ବାଣ କାରଖାନାର ମୁଖ୍ୟ ଜ୍ଞାନେନ୍ଦ୍ରଙ୍କ କିଛି ଖୋଜ ଖବର ମିଳିଲା ନାହିଁ। ସେ ଜୀବିତ ନାଁ ମୃତ କାହା ପାଖରେ ସୂଚନା ନାହିଁ। ମାତ୍ର ଗିରଫ ଭୟରେ ସେ ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି। ପୁଲିସ ଉକ୍ତ ସମ୍ବେଦନଶୀଳ ଘଟଣାର ଫାଇଲକୁ ଲକର ଭିତରେ ତାଲା ଠୁଙ୍କି ଦେଇଛି। ତେଣୁ ରଶ୍ମିତାଙ୍କ ମୃତ୍ୟୁ ରହସ୍ୟ ହୋଇ ରହି ଯାଇଛି। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି ନାଁ ଅଘଟଣ ଏହାର କାରଣ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ସେଦିନ ସେଠାରେ ଉପସ୍ଥିତ ଥିବା ଜ୍ଞାନେନ୍ଦ୍ରହିଁ ଦୁର୍ଘଟଣାର ଏକମାତ୍ର ମୂକସାକ୍ଷୀ। ସେପଟେ ଜ୍ଞାନେନ୍ଦ୍ରଙ୍କ ଘର ଏବେ ବଣ ଜଙ୍ଗଲ ହୋଇ ପଡ଼ିଛି। ତାଙ୍କର ୨ ଝିଅ ବନ୍ଧୁବାନ୍ଧବଙ୍କ ଘରେ ରହି ପଢ଼ୁଛନ୍ତି। ମଝିରେ ମଝିରେ ଜ୍ଞାନେନ୍ଦ୍ର ସେଠାକୁ ଆସୁଥିବା ଚର୍ଚ୍ଚା ମଧ୍ୟ ହେଉଛି। ସେହିପରି ବାଲିପାଟଣାର ନରିଶୋ, ଗୁଆପୁର, ବନମାଳୀପୁର ପ୍ରଭୃତି ଅନେକ ସ୍ଥାନରେ ବେଆଇନ ବାଣ କାରଖାନା ଚାଲୁଛି। ହେଲେ ପାଖପଡ଼ୋଶୀ ଭୟରେ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ସର୍ବଦା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।

Share Now:

Kalinga News Beuro

Next Post

ଭାଇ-ଭଉଣୀଙ୍କୁ ମାଡ଼ ଘଟଣାରେ ବନ୍ଧା ହେଲେ ବାପା ଓ ସାବତ ମା’

Wed Nov 1 , 2023
ଆଠଗଡ଼: ନାବାଳିକା ପୁଅ-ଝିଅଙ୍କୁ ମାଡ଼ ମାରିବା ଘଟଣାରେ ବାପା ଓ ସାବତ ମା’ଙ୍କୁ ଆଠଗଡ଼ ପୁଲିସ ଗିରଫ କରିଛି। ଅନ୍ୟପଟରେ ଏବେବି ୨ଶିଶୁଙ୍କର ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି। ସୂଚନାଯୋଗ୍ୟ ଗତ ସୋମବାର ଦିନ ଆଠଗଡ଼ ଥାନା ଅନ୍ତର୍ଗତ ଷୋଳଘରିଆ ଗ୍ରାମରେ ଭଡ଼ା ରହୁଥିବା ସୁନୀଲ କୁମାର ନନ୍ଦଙ୍କ ନାବାଳକ ପୁଅ ଓ ଝିଅଙ୍କୁ ସାବତ ମା’ ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ପରେ ପୁଲିସ ସାବତ […]
ବନ୍ଧା ହେଲେ ବାପା ଓ ସାବତ ମା’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial