ଭୁଶୁଡ଼ିବାକୁ ବସିଲାଣି,ଜଣେ ହେଲେ ପାଇ ନାହାନ୍ତି ସେବା
ଭୁବନେଶ୍ବର: ୫କୋଟି ଟଙ୍କାର ‘ମୋ ସାଇକେଲ୍’କୁ ୫ ବର୍ଷରେ ଖତ କରିଦେଲେ। ଏହା କିଭଳି ଚାଲିବ ତା’ ବ୍ୟବସ୍ଥା କଲେନି। ପରିଣାମ ହେଲା, କେହି ଏହାକୁ ଚଲାଇବାକୁ ଆଗ୍ରହ ପ୍ରକାଶ କଲେନି। ରାସ୍ତାକଡ଼ରେ ପଡ଼ି ପଡ଼ି କେବଳ ନଷ୍ଟ ହେଲାନାହିଁ, ବରଂ ସହରର ସୌନ୍ଦର୍ଯ୍ୟ ବି ନଷ୍ଟ କଲା। ଠିକ୍ ସେହିଭଳି ୫୦୦ କୋଟି ଟଙ୍କାର ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ ଅଧୀନରେ ସ୍ଥାପନ ହୋଇଥିବା ସ୍ମାର୍ଟ କିଓସ୍କ ମଧ୍ୟ ଏବେ ଖତ ଖାଉଛି। ଏହା ବ୍ୟବହାର ହେଉନି କିମ୍ବା ଏହା କିଭଳି ବ୍ୟବହାର ହୋଇ ପାରିବ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ସେ ବ୍ୟବସ୍ଥା କରୁନାହିଁ। ଏଥିରେ କେଉଁଠି ଇଣ୍ଟରନେଟ୍ ସଂଯୋଗ ନାହିଁ ତ କେଉଁଠି ଏଲ୍ସିଡି ସ୍କ୍ରିନ୍ ନଷ୍ଟ ହୋଇଗଲାଣି। ଏହା ଛଡ଼ା କେତେକ ଜାଗାରେ ଏହାକୁ ତାର ବାଡ଼ ଓ ଲୁହାବାଡ଼ରେ ବନ୍ଦୀ କରି ରଖାଯାଇଛି। ଏଣୁ ଭିତରେ ପଶିବାକୁ ସୁଯୋଗ ନଥିବାରୁ ଏହାକୁ କେହି ବ୍ୟବହାର କରିପାରୁ ନାହାନ୍ତି। ଆସନ୍ତାବର୍ଷ ସ୍ମାର୍ଟ ସିଟି ପ୍ରକଳ୍ପ ଶେଷ ହେବାକୁ ଯାଉଛି। ଏଣୁ ଆଉ କୌଣସି ପରିସ୍ଥିତିରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଆଶା ନାହିଁ। ଏସି ରୁମ୍ରେ ବସି ଭୁବନେଶ୍ବରକୁ ସ୍ମାର୍ଟ କରିବା ସ୍ବପ୍ନ ଦେଖାଇ ଏଭଳି କୋଟି କୋଟି ଟଙ୍କା ବରବାଦ କରିଥିବା ଅଧିକାରୀମାନେ ବଦଳି ହୋଇ ଯିଏ ଯୁଆଡ଼େ ଗଲେଣି। ହେଲେ ଭୁବନେଶ୍ବର ସ୍ମାର୍ଟ ହୋଇ ପାରିନି। ଯେତେବେଳେ ସ୍ମାର୍ଟ ସିଟି ପ୍ରକଳ୍ପ ଆରମ୍ଭ ହେଲା, ସେତେବେଳେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥାର ନକ୍ସା ତିଆରି କରି ଭୁବନେଶ୍ବର ସାରା ଭାରତବର୍ଷରେ ଶୀର୍ଷରେ ରହିଥିଲା। ନକ୍ସା ଦେଖିଲେ ଲାଗୁଥିଲା ଭୁବନେଶ୍ବରବାସୀ ହାତପାଆନ୍ତାରେ ସେବା ପାଇବେ। ଯେଉଁ ସ୍ବପ୍ନ ନେଇ ରାଜଧାନୀ ସହରରେ ବସବାସ କରିବାକୁ ଏହି ବାସିନ୍ଦାମାନେ ପସନ୍ଦ କରିଥିଲେ ସେହି ସ୍ବପ୍ନ ସଫଳ ହେବ। ହେଲେ ଏହିସବୁ ଡିଜିଟାଲ୍ ତଥା ଅତ୍ୟାଧୁନିକ ବ୍ୟବସ୍ଥା ଦୂରେ ଥାଉ, ମୌଳିକ ସେବା ମଧ୍ୟ ଲୋକମାନେ ପାଇ ପାରିଲେ ନାହିଁ। ବର୍ଷ ବର୍ଷର ଜଳବନ୍ଦୀ ସମସ୍ୟା ଏ ଯାଏଁ ଦୂର ହୋଇ ପାରିଲା ନାହିଁ। ଅଳିଆ ନାକେଦମ୍ କଲାଣି। ମୌଳିକ ସେବା ପାଇଁ ଫସି ରହିଥିବା ସ୍ମାର୍ଟ ସିଟି ବାସିନ୍ଦା ଏହି ଡିଜିଟାଲ୍ ସେବା କଥା ଭୁଲିଗଲେଣି। ଯେଉଁଥିପାଇଁ ଯେଉଁ ବାବୁମାନେ ଏଭଳି କୋଟି କୋଟି ଟଙ୍କା ବରବାଦ ଯୋଜନା କରିଥିଲେ, ସେମାନେ ବେଶ୍ ସୁରକ୍ଷିତ ଅଛନ୍ତି। ଆଉ ଯେଉଁମାନେ ଏବେ ଦାୟିତ୍ବରେ ଅଛନ୍ତି ସେମାନେ ବି ବେଫିକର।
ଏହି ସ୍ମାର୍ଟ କିଓସ୍କ ବା ଡିଜିଟାଲ କିଓସ୍କ ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା। ୫୦୦କୋଟିର ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ ଅଧୀନରେ ଇନ୍ଡୋର୍ରେ ୫୦ ଓ ଆଉଟ୍ଡୋର୍ ୨୫ ଏଭଳି ୭୫ଟି ସ୍ଥାପନ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ଦେଢ଼ବର୍ଷ ପରେ, ଅର୍ଥାତ୍ ୨୦୨୧ ଶେଷ ଆଡ଼କୁ ବିଏସ୍ସିଏଲ୍ ସହରର ପ୍ରମୁଖ ସ୍ଥାନରେ ୬୨ଟି କିଓସ୍କ କାର୍ଯ୍ୟକ୍ଷମ କରିଥିଲା। କାଗଜପତ୍ର ବ୍ୟବହାରକୁ କମାଇବା ତଥା ‘କଣ୍ଟାକ୍ଟଲେସ୍’ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଏଭଳି କିଓସ୍କ ସ୍ଥାପନ କରାଯାଇଥିଲା। ଏଥିରେ ବିଏମ୍ସିର ବିଭିନ୍ନ ଯୋଜନା ଓ ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିବା ବ୍ୟବସ୍ଥା ଥିଲା। ଟେଲିଫୋନ୍ କଲ୍ କରିବା ସହ ଜନ୍ମ, ମୃତ୍ୟୁ, ବିବାହ ପ୍ରମାଣପତ୍ର ପାଇଁ ଆବେଦନ, ଟ୍ରେଡ୍ ଲାଇସେନ୍ସ ଆବେଦନ ଓ ଦେୟ ଜମା, ହୋଲ୍ଡିଂ ଟ୍ୟାକ୍ସ ଜମା କରିବା ପ୍ରଭୃତି ବ୍ୟବସ୍ଥା ଥିଲା। ବଡ଼କଥା ହେଉଛି, କେହି ଅସୁବିଧାରେ ପଡ଼ି ପୁଲିସର ସହାୟତା ଆବଶ୍ୟକ କରୁଥିଲେ, ଏଥିରେ ଥିବା ଏମର୍ଜେନ୍ସି କଲ୍ ବଟନ(ଇସିବି) ବ୍ୟବହାର କରିବାକୁ କୁହା ଯାଇଥିଲା। ଏହି ସୁଇଚ୍ ଅନ୍ ହେଲେ କିଓସ୍କରେ ଲାଗିଥିବା ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା କାର୍ଯ୍ୟକ୍ଷମ ହେବା ସହ ସେଠାକାର ସମସ୍ତ ଦୃଶ୍ୟ ବିସିସି ବା ଭୁବନେଶ୍ବର କମାଣ୍ଡ ସେଣ୍ଟର ସ୍କ୍ରିନ୍ରେ ଉପଲବ୍ଧ ହୋଇଥା’ନ୍ତା।
ବିସିସିରେ କାର୍ଯ୍ୟରତ କର୍ମଚାରୀଙ୍କ ଜରିଆରେ ଏହା ତୁରନ୍ତ ପୁଲିସ ପାଖରେ ପହଞ୍ଚିଥା’ନ୍ତା ଓ ପୁଲିସ ସାହାଯ୍ୟ ଯୋଗାଇ ଦେଇଥାନ୍ତା। ଭୁବନେଶ୍ବରରେ ଛିନ୍ତାଇ ଓ ଅସଦାଚରଣ କର୍ମଜୀବୀ ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବାରୁ ଏଭଳି ଏକ ଅତ୍ୟାଧୁନିକ ବ୍ୟବସ୍ଥା ସମସ୍ତଙ୍କୁ ଉତ୍ସାହିତ କରିଥିଲା। କିନ୍ତୁ ୫୦୦କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ପ୍ରକଳ୍ପରେ ଏହି ସ୍ମାର୍ଟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନଥିଲା। ଯେଉଁଥିପାଇଁ ଏହାର ବ୍ୟବହାର ହେଲା ନାହିଁ। କାରଣ, ବାକି ଯାହା ସୁବିଧା ଏହି ପ୍ରକଳ୍ପରେ ଥିଲା, ତାହା ସମସ୍ତ ପାଖରେ ଥିବା ସାଧାରଣ ସ୍ମାର୍ଟ ଫୋନ୍ରେ ମଧ୍ୟ ଉପଲବ୍ଧ ହେଉଥିଲା। ପରିଣାମ ସ୍ବରୂପ ବ୍ୟବହାର ବଦଳରେ ଏହାର ଅପବ୍ୟବହାର ହେଲା। କେତେକ ଯୁବକ ଏଥିରେ ପର୍ଣ୍ଣ ଫିଲ୍ମ ଦେଖିଲେ। ଆଉ କେହି କେହି ୟୁ-ଟ୍ୟୁବ୍ରେ ଫିଲ୍ମ ଦେଖିଲେ। ଶେଷରେ ଏହା ସମ୍ପୂର୍ଣ୍ଣ ବରବାଦ ହୋଇଗଲା। ଏବେ ଏସବୁ ଦୁଇବର୍ଷ ଧରି ରାସ୍ତାକଡ଼ରେ ରହି ରକ୍ଷଣାବେକ୍ଷଣ ଅଭାବରୁ ଭୁଶୁଡ଼ି ପଡ଼ିବାକୁ ବସିଛି।