ଭୁବନେଶ୍ୱର: ସହରରୁ ଦୈନିକ ବାହାରୁଥିବା ଆବର୍ଜନା ପରିଚାଳନା ପାଇଁ ବିଏମ୍ସି ବର୍ଷକୁ ଖର୍ଚ୍ଚ କରୁଛି ୧୦୦ କୋଟି ଟଙ୍କା। ଏହା ବାଦ୍ ଆବର୍ଜନା ପ୍ରକ୍ରିୟାକରଣ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ବା ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ନିର୍ମାଣରେ ଖର୍ଚ୍ଚ ହୋଇଛି ୬୭ କୋଟି ୫୦ ଲକ୍ଷ। ମେସିନ୍ ଖରାପ ହୋଇଗଲେ ବିଏମ୍ସି କିଣୁଛି। ଦାରୁଠେଙ୍ଗର ଭୁଆସୁଣି ଡମ୍ପିଂ ୟାର୍ଡରେ ଗଦା ହୋଇଥିବା ଆବର୍ଜନା ପରିଚାଳନା ପାଇଁ ବାୟୋମାଇନିଂ ପ୍ରକଳ୍ପରେ ୧୦୩ କୋଟି ଟଙ୍କା ଖର୍ଚ୍ଚ କରୁଛି। ଟିଟିଏସ୍(ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ)ରେ ମେସିନ୍ ସ୍ଥାପନ ଚାଲିଛି। ଏଠାରେ ଖର୍ଚ୍ଚ କେତେ କୋଟି ହେବ ତାହାର ହିସାବ ନାହିଁ। ଏ ସବୁ ସତ୍ବେ ଆବର୍ଜନାକୁ ନେଇ ଭୁବନେଶ୍ବରବାସୀଙ୍କ ଦୁଃଖ ଯାଉନି। ଯେଉଁମାନଙ୍କ କୋଟି କୋଟି ଟଙ୍କାର ଟିକସ ଆବର୍ଜନା ପରିଚାଳନା ବ୍ୟବସ୍ଥାରେ ଖର୍ଚ୍ଚ ହୋଇଛି ସେଇମାନେ ହିଁ ଦୁଃଖ ଭୋଗୁଛନ୍ତି। ଆକଳନ ଅନୁଯାୟୀ, ଭୁବନେଶ୍ବରରୁ ଦିନକୁ ୬୦୦ଟନ୍ ଆବର୍ଜନା ବାହାରୁଛି। ଏଥିରେ ଥିବା ୬୦% ଜୈବ ଆବର୍ଜନାରୁ ଖତ ପ୍ରସ୍ତୁତ କରିବା ପାଇଁ ବିଏମ୍ସି ଏମ୍ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରତିଷ୍ଠା ଯୋଜନା କରିଥିଲା। ଗୋଟିଏ ସ୍ଥାନରେ ସର୍ବାଧିକ ୫ଟନ୍ କ୍ଷମତା ବିଶିଷ୍ଟ ସାରା ସହରରେ ୪୩ଟି ଏମ୍ସିସି ନିର୍ମାଣ ହେବାକୁ ଥିଲା। ୨୦୨୦ ମସିହା ଜୁଲାଇ ମାସରେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ ପରିସରରେ ଏମ୍ସିସି କାର୍ଯ୍ୟକ୍ଷମ ହୋଇଥିଲା। ଏବେ ସୁଦ୍ଧା ୩୭ ଏମ୍ସିସି କାର୍ଯ୍ୟକ୍ଷମ ହୋଇଛି। ଏହାର ପ୍ରସ୍ତୁତିରେ ୬୭ କୋଟି ୫୦ ଲକ୍ଷ ଖର୍ଚ୍ଚ ହୋଇଛି। କିନ୍ତୁ ଉଦ୍ଦେଶ୍ୟ ପୂରଣ ହେଲାନାହିଁ। ଚଳିତ ବର୍ଷ ମେ ମାସ ୧୮ ତାରିଖରେ ଭୁଆସୁଣିକୁ ଆବର୍ଜନା ପରିବହନ ବନ୍ଦ ହେଲା। ପ୍ରାୟ ୫ ମାସ ମଧ୍ୟରେ ଟିଟିଏସ୍ରେ ୩ ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଆବର୍ଜନା ଗଦା ହେଲାଣି। ଏବେ ଦୁଇଟି ମେଗା ଏମ୍ସିସି ନିର୍ମାଣ ହେଉଛି। ଟିଟିଏସ୍ରେ ଜେସିବି ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରପାତି ଲାଗିଛି। ଏସବୁ ଖର୍ଚ୍ଚ ୧୦ କୋଟି ଛୁଇଁବ। ଟିଟିଏସ୍ର ସବୁ ଆବର୍ଜନା ପରିଚାଳନା ହେବା ପର୍ଯ୍ୟନ୍ତ ଯେ କେତେ ଖର୍ଚ୍ଚ ହେବ ତାହା କାହା ପାଖରେ ହିସାବ ନାହିଁ।
ପୂର୍ବରୁ ଆବର୍ଜନାର ଓଜନ ହିସାବରେ ଠିକାସଂସ୍ଥାମାନଙ୍କୁ ଟଙ୍କା ଦିଆଯାଉଥିଲା। କିନ୍ତୁ ନୂଆ ୧୦ ପ୍ୟାକେଜ୍ ବିଶିଷ୍ଟ ଟେଣ୍ଡରରେ ପ୍ରତି ୱାର୍ଡ ପିଛା ଲୋକ ଓ ଗାଡ଼ି ହିସାବରେ ଟଙ୍କା ଦିଆଯାଉଛି। ନୂଆ ଟେଣ୍ଡରର ବାର୍ଷିକ ମୂଲ୍ୟ ରହିଛି ୬୯ କୋଟି। ଏହାକୁ ଠିକା ସଂସ୍ଥାମାନେ ନେଉଛନ୍ତି। ଏହା ବାଦ୍ ରହିଛି ଏସ୍କାଲେସନ ଫି’, ଯାହା ପରେ ବିଲ୍ ଦେଇ ଠିକା ସଂସ୍ଥାମାନେ ନେବେ। ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡ଼ି ବାବଦକୁ ବର୍ଷକୁ ୨୪ କୋଟି ୧୨ ଲକ୍ଷ ଖର୍ଚ୍ଚ ହେଉଛି। ଏମ୍ସିସି ପରିଚାଳନା କରିବା ପାଇଁ ଦରମା ବାବଦକୁ ୫ କୋଟି ୪୦ ଲକ୍ଷ ଖର୍ଚ୍ଚ ହେଉଛି। ଏଭଳି ହିସାବ କଲେ ବର୍ଷକୁ ୯୮ କୋଟି ୫୨ ଲକ୍ଷ ଖର୍ଚ୍ଚ ହେଉଛି। ଘର ଘର ବୁଲି ଅଳିଆ ସଂଗ୍ରହ କରୁଥିବା ୬୦୦ ଅଟୋ କିଣିବାରେ ବିଏମ୍ସି ୪୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ କରିଛି। ଡ୍ରାଇଭର ଦରମା ବି ବିଏମ୍ସି ଦେଉଛି। ୩୪ଟି ଏମ୍ସିସି ପ୍ରସ୍ତୁତିରେ ଖର୍ଚ୍ଚ ହୋଇଛି ୬୭ କୋଟି ୫୦ ଲକ୍ଷ। ଏ ସମସ୍ତ ଖର୍ଚ୍ଚ ଭୁବନେଶ୍ବରବାସୀଙ୍କ ଟିକସରୁ ହୋଇଛି। ହକି ସମୟରେ ବିଏମ୍ସି ନିଜେ ଗାଡ଼ି ଲଗାଇ ପଡ଼ି ରହିଥିବା ଆବର୍ଜନା ଉଠାଉଥିଲା। କାରଣ ପଡ଼ି ରହିଥିବା ଆବର୍ଜନା ଉଠାଇବା ନୂଆ ଟେଣ୍ଡର ଚୁକ୍ତିରେ ନଥିଲା। ଏଭଳି ୫୦ ଗାଡ଼ି କାମରେ ଲାଗିଥିଲେ। ମାସକୁ ୭୫ ଲକ୍ଷ ହିସାବରେ ବିଏମ୍ସି ୩ ମାସରେ ୨ କୋଟିରୁ ଅଧିକ ଖର୍ଚ୍ଚ କରିଛି। ଆଉ ଏକ କୌତୁହଳପ୍ରଦ ଘଟଣା ହେଉଛି, ବିଏମ୍ସି ପରିମଳ ବ୍ୟବସ୍ଥାରେ କେତେକ ଏନ୍ଜିଓଙ୍କୁ ନିଯୁକ୍ତ କରିଛି। କିନ୍ତୁ ସେମାନେ କେବଳ ବୁଦ୍ଧି ଦେବା ନାଁରେ ପଇସା ନେଉଛନ୍ତି। ଏ ବାବଦରେ ବିଏମ୍ସି ହିସାବ ଦେଇନାହିଁ। କାରଣ ଖୋଦ୍ କର୍ପୋରେଟରମାନେ ଏହାକୁ ବିରୋଧ କରୁଛନ୍ତି। ନୃପେଶ ନାୟକ ଗତ ମାସିକ ବୈଠକରେ ଏ ନେଇ ପ୍ରଶ୍ନ କରିବା ପରେ ହଇଚଇ ହୋଇଛି।
ଏତେ ସବୁ ବ୍ୟବସ୍ଥା ସତ୍ବେ ଅଳିଆ ଚିନ୍ତାରୁ ମୁକ୍ତି କାହିଁକି ମିଳୁନି? ତେବେ ବିଏମ୍ସି କହିଛି ଭୁଆସୁଣି ସ୍ଥାୟୀ ଡମ୍ପିଂ ୟାର୍ଡରେ ଗଦା ହୋଇଥିବା ଆବର୍ଜନା ପରିଚାଳନା ପାଇଁ ବାୟୋମାଇନିଂ ପ୍ରସ୍ତୁତ ହେଉଛି। ଟିଟିଏସ୍ରେ ଗଦା ହୋଇଥିବା ଆବର୍ଜନା ପରିଚାଳନା ପାଇଁ ଯଥାସମ୍ଭବ ଉଦ୍ୟମ ହେଉଛି। ଖୁବ୍ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିବ! ଏମିତି ଦେଖିଲେ ଜଣା ପଡୁଛି, ସତେଅବା ବିଧିବଦ୍ଧ ଭାବେ କୌଣସି ମାନସମନ୍ଥନ ବା ଚିନ୍ତନ ନକରି ବିଏମ୍ସି ଯୋଜନା କରୁଛି! ଅର୍ଥର ତ ଅଭାବ ରହୁନି। ତେଣୁ ହିଟ୍-ଆଣ୍ଡ-ମିସ୍ ଶୈଳୀରେ ବାବୁମାନଙ୍କ ମୁଣ୍ଡକୁ ପ୍ରଥମେ ଯାହା ଆସୁଛି ବା ଯେଉଁଥିରେ ସେମାନଙ୍କ ବ୍ୟକ୍ତିଗତ ସ୍ବାର୍ଥ ସାଧନ ହେଉଛି, ତାହା କରା ଯାଉଛି! ସେଥିରେ ନିଜଲୋକଙ୍କୁ ବିଭିନ୍ନ ଉପାୟରେ ସାମିଲ କରା ଯାଉଛି। ଯୋଜନା ବିଫଳ ହେଲେ ବି କିଛି ଚିନ୍ତା ନାହିଁ। କାରଣ ପୁଣି ଅର୍ଥ ମିଳିବାରେ କିଛି ସମସ୍ୟା ହେଉନାହିଁ।
ଆବର୍ଜନା ପରିଚାଳନା ଖର୍ଚ୍ଚ ବଢ଼ୁଛି : ସମସ୍ୟା କମୁନି
Share Now: