ଆଜିଠାରୁ ବିଡିଏ ଅଫିସରେ ପ୍ଲାଷ୍ଟିକ୍‌ ମନା,ପାର୍କ ଓ ମାର୍କେଟ କମ୍ପ୍ଲେକ୍ସ ହେବ ପ୍ଲାଷ୍ଟିକ୍‌ ମୁକ୍ତ

ଭୁବନେଶ୍ୱର: ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ କାର୍ଯ୍ୟାଳୟ ସମେତ ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ। ବିଡିଏ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବାରଣ କରାଯାଇଛି। ଆସନ୍ତାକାଲିଠାରୁ ଏଠାକାର କୌଣସି ଅଧିକାରୀ କି କର୍ମଚାରୀ ପ୍ଲାଷ୍ଟିକ୍‌ ଟିଫିନ୍‌ କିମ୍ବା ପଲିଥିନ୍‌ରେ ଖାଦ୍ୟ ଆଣିବେନି। ପ୍ଲାଷ୍ଟିକ୍‌ ବୋତଲରେ ପାଣି ଆଣିବେନି। ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବଦଳରେ କପଡ଼ା ବ୍ୟାଗ୍‌, କାଗଜ ବ୍ୟାଗ୍‌ ଓ କାଚ ପାଣି ବୋତଲ ବ୍ୟବହାର କରିବାକୁ କୁହାଯାଇଛି। ବିଡିଏ କର୍ମଚାରୀ ୟୁନାଇଟେଡ୍‌ ଫୋରମ୍‌ ପକ୍ଷରୁ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ଏଥିସହ ଭୁବନେଶ୍ୱର ସହରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ଫୋରମ୍‌ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ବିଡିଏ ଅଧୀନରେ ଥିବା ସମସ୍ତ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସକୁ ମଧ୍ୟ ପ୍ଲାଷ୍ଟିକ୍‌ ନିଷେଧ କରାଯିବ। ପାର୍କରେ ପ୍ଲାଷ୍ଟିକ୍‌ ବ୍ୟବହାର ନକରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମର୍ଣ୍ଣିଂ ଓ୍ଵାକର୍‌ ଆସୋସିଏସନ୍‌ ଏବଂ ବିଭିନ୍ନ ସଂଘ ସହାୟତାରେ ଲୋକଙ୍କୁ ସଚେତନ କରାଯିବ। ଏହାପରେ ଯଦି କେହି ପାର୍କ ଭିତରେ ପ୍ଲାଷ୍ଟିକ୍‌ ବ୍ୟବହାର କରୁଥିବା ନଜରକୁ ଆସିବ ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ଏହି ଜରିମାନା ସଂପୃକ୍ତ ପାର୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ ପ୍ଲାଷ୍ଟିକ୍‌ ନିଷେଧ ଅଭ୍ୟାସରେ ପକାଇବା ଏବଂ ପାର୍କଗୁଡ଼ିକୁ ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ କରିବା ପାଇଁ ଏଠାକୁ ଆସୁଥିବା ବ୍ୟକ୍ତିଙ୍କଠାରୁ ଖାଲି ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରାଯାଇ ତାହାକୁ ପ୍ରକ୍ରିୟାକରଣ କରାଯିବ। ବିଡିଏର ସମସ୍ତ ମାର୍କେଟ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ୍‌ ନିଷେଧ ନିୟମ ଲାଗୁ ହେବ। ଏହାକୁ କୌଣସି ବ୍ୟବସାୟୀ ଖିଲାପ କଲେ ତାଙ୍କର ଲାଇସେନ୍ସ ରଦ୍ଦ କରାଯିବ। କେହି ଫ୍ଲେକ୍ସ ବ୍ୟାନର୍‌ ଲଗାଇପାରିବେନି। କେବଳ କନା ବ୍ୟାନର୍‌ ଲାଗିବ।

Share Now:

Kalinga News Beuro

Leave a Reply

Next Post

ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ହ୍ରାସ : ଗତବର୍ଷ ତୁଳନାରେ ୧୩ ହଜାର ୨୬୬ କମ୍‌

Sat Sep 1 , 2018
ରାଜନଗର : ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପକ୍ଷୀବିହାର ରୂପେ ପରିଚତ ଭିତରକନିକା ଜାତୀୟ ଉଦ୍ୟାନରେ ଏ ବର୍ଷ ଦେଶୀୟ ପକ୍ଷୀଙ୍କର ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୪ ହଜାର ୪୯୦ ଦେଶୀୟ ପକ୍ଷୀ ଥିବା ବେଳେ ଏଥର ୯୧ ହଜାର ୨୨୪ଟି ପକ୍ଷୀ ଆସିଛନ୍ତି। ଗତବର୍ଷଠାରୁ ଏଥର ୧୩ ହଜାର ୨୬୬ କମ୍‌ ପକ୍ଷୀ ଦେଖିବାକୁ ମିଳିଛି। ପୂର୍ବରୁ କେବଳ ବଗଗହନରେ ଦେଶୀୟ ପକ୍ଷୀଙ୍କ ଭିଡ ଜମୁଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial