ରାଜଧାନୀରେ ଟ୍ରାଫିକ ନିୟନ୍ତ୍ରଣ ବାହାରେ : ନିୟମ ଲାଗୁ କରିବାରେ ପ୍ରଶାସନ ଢିଲା, ଲୋକ ବି ସମ୍ବେଦନହୀନ

ଟ୍ରାଫିକ୍‌ରେ ନିତିଦିନ ବାଜିରେ ଲାଗୁଛି ଜୀବନ

ଭୁବନେଶ୍ବର: ସଙ୍କଟାପନ୍ନ ରୋଗୀଙ୍କୁ ଧରି ଡାକ୍ତରଖାନା ଅଭିମୁଖେ ସାଇରନ୍‌ ବଜାଇ ତୀବ୍ରଗତିରେ ଧାଉଁଛି ଆମ୍ବୁଲାନ୍ସ। ଏ ସମୟରେ ଆଶା କରାଯାଏ ଯେ ଆଗରେ ଥିବା ଚାରି ଚକିଆ, ଦୁଇ ଚକିଆ ଓ ଅନ୍ୟ ସବୁ ଶ୍ରେଣୀର ଗାଡ଼ି ଯେତେ ଜରୁରୀ କାର୍ଯ୍ୟରେ ଯାଉଥାଆନ୍ତୁ ନା କାହିଁକି, ଆମ୍ବୁଲାନ୍ସକୁ ପ୍ରଥମେ ବାଟ ଛାଡ଼ିଦେବେ। କିନ୍ତୁ ରାସ୍ତାରେ ଭିଡ଼ ନଥିଲେ ହେଁ ଆଜିକାଲି କ୍ବଚିତ୍‌ ଗାଡ଼ି ଚାଳକ ମାନବିକତା ଦୃଷ୍ଟିରୁ ଅନ୍ତତଃ ଆଡ଼େଇ ଯାଇ ଆମ୍ବୁଲାନ୍ସକୁ ରାସ୍ତା ଦେଉଛନ୍ତି। ସମସ୍ତେ ନିଜ ମାମଲାକୁ ନେଇ ବ୍ୟସ୍ତ। ଅନ୍ୟର ସମସ୍ୟା, ତାହା ଜୀବନ-ମରଣ ସମସ୍ୟା ହୋଇଥିଲେ ବି; ସେଥିପାଇଁ ଖୁବ୍ କମ୍ ଲୋକଙ୍କ ମନରେ ସମ୍ବେଦନା ରହିଛି। ଯଦିଓ ଦିନେ ସେ ଆମ୍ବୁଲାନ୍ସରେ ସେମାନେ ନିଜେ ବା ତାଙ୍କର କେହି ସଂପର୍କୀୟ ହସ୍ପିଟାଲ ଯିବା ଆଦୌ ଅସମ୍ଭବ ନୁହେଁ। ଏ ତ ଗଲା ମାନବିକତାର କଥା, ଏ ବାବଦରେ ବିଧିବଦ୍ଧ ନିୟମ ମଧ୍ୟ ରହିଛି।
ଆମ୍ବୁଲାନ୍ସକୁ ବାଟ ନଦେଲେ ୬ ମାସ ଜେଲ୍‌ ଓ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ବା ଉଭୟର ଦଣ୍ଡ ବ୍ୟବସ୍ତା ରହିଛି। କିନ୍ତୁ ଏହାକୁ ‌ଭୁବନେଶ୍ବରରେ ଏହାକୁ କଡ଼ାକଡ଼ି ଲାଗୁ କରା ଯିବାର ଉଦାହରଣ ପ୍ରାୟତଃ ଶୁଣା ଯାଏନାହିଁ। ଆହୁରି ନିର୍ଦ୍ଦେଶ ରହିଛି ଯେ ଭିଡ଼ ଥିଲେ ହେଁ ଆମ୍ବୁଲାନ୍ସ ଯେମିତି ନଅଟକି ଆଗେଇ ଯିବ, ଟ୍ରାଫିକ ପୁଲିସ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ସେଥିପାଇଁ ତାଙ୍କ ପାଖକୁ ଆଗୁଆ ସୂଚନା ମଧ୍ୟ ଆସିବ। କିନ୍ତୁ ଭୁବନେଶ୍ବରରେ ଏକଥା ଦେଖା ଯାଉନାହିଁ। ଟ୍ରାଫିକ୍‌ ଛକଗୁଡ଼ିକରେ ଆମ୍ବୁଲାନ୍ସ ପାଇଁ ଏକ ସ୍ବତନ୍ତ୍ର ଲେନ୍‌ ଅଛି। କିନ୍ତୁ ଏହା ବିଷୟରେ ଅଧେ ଲୋକ ଅଜ୍ଞ ଥିବାବେଳେ ଅଧେ ଅମାନ୍ୟ କରିବାରେ ଅଭ୍ୟସ୍ତ। ଲୋକ ତ ମାନୁ ନାହାନ୍ତି, ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦିଗରେ ପୁଲିସ ପକ୍ଷରୁ ବି ବିଶେଷ ତତ୍ପରତା ଦେଖା ଯାଉନାହିଁ। ସେଥିପାଇଁ ପ୍ରତିଦିନ ଟ୍ରାଫିକ ସମସ୍ୟା ହେଉଥିବା ପଟିଆ ହେଉକି ଶିରିପୁର, କସ୍ମୋପୋଲି, ଜାଭିୟର ଛକ, କଳିଙ୍ଗ ଷ୍ଟାଡିୟମ, ଜୟଦେବ ବିହାରରୁ କଳିଙ୍ଗ ଡାକ୍ତରଖାନା, ପଳାଶୁଣି-ରସୁଲଗଡ଼ ଆଦି ଛକର ଆଖପାଖରେ ଟ୍ରାଫିକ ଜାମ୍‌ରେ ଜୀବନ ସହିତ ଲଢ଼ୁଥିବା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଫସି ଅଟକି ରହିବା ଗୋଟିଏ ସାଧାରଣ ଦୃଶ୍ୟ ହୋଇ ଗଲାଣି। ଫଳରେ ଯେଉଁ ଦୂରତାକୁ ୫ରୁ ୧୦ ମିନିଟରେ ଅତିକ୍ରମ କରି ଜୀବନ ବଞ୍ଚାଇ ହୁଅନ୍ତା, ସେଠି ପହଞ୍ଚିବା ପାଇଁ ଅଧଘଣ୍ଟା ବା ତା’ଠୁ ଅଧିକ ସମୟ ଲାଗି ଯାଉଛି।
ଘୋଷଣାରେ ରହିଗଲା ଆମ୍ବୁଲାନ୍ସ ଟ୍ରାକିଂ ବ୍ୟବସ୍ଥା
ରାଜଧାନୀରେ ଯେପରି ଆମ୍ବୁଲାନ୍ସ ଭିଡ଼ରେ ଫସିବନି, ସେଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଯେ ସବୁ ଆମ୍ବୁଲାନ୍ସରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲାଗିବ। କେଉଁଠି କେଉଁ ଆମ୍ବୁଲାନ୍ସ ଆସୁଛି ତାକୁ ଟ୍ରାକ୍ କରାଯିବ। ଭୁବନେଶ୍ବରରେ ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ନିର୍ମାଣ ହୋଇଥିବା କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ଜିପିଏସ୍‌ ଟ୍ରାକିଂ ମାଧ୍ୟମରେ ଆମ୍ବୁଲାନ୍ସଗୁଡ଼ିକର ମନିଟରିଂ କରାଯିବ। ଯେଉଁ ରୁଟ୍‌ରେ ଆମ୍ବୁଲାନ୍ସ ଯିବ, ସେହି ରାସ୍ତାକୁ ଖାଲି କରିବା ସହ ଆମ୍ବୁଲାନ୍ସକୁ ଆଗ ଛାଡ଼ିବାକୁ ଟ୍ରାଫିକ ପୁଲିସକୁ ଆଗୁଆ ନିର୍ଦ୍ଦେଶ ଦିଆଯିବ। ଏ ବିଷୟରେ କର୍ତ୍ତୃପକ୍ଷ ବଡ଼ ବଡ଼ ଭାଷଣ ଦେିତିଲେ, ହେଲେ ଯୋଜନା ରାଜଧାନୀରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନି।

ଯାଇଥିବା ଅନେକ ଜୀବନର ହିସାବ ନାହିଁ
ଟ୍ରାଫିକ୍‌ ଭିଡ଼ରେ ଆମ୍ବୁଲାନ୍ସ ଅଟକି ରହିବା କାରଣରୁ ନିୟମିତ ଭାବେ ରୋଗୀଙ୍କ ଜୀବନ ବାଜିରେ ଲାଗୁଛି। ଟ୍ରାଫିକ୍‌ରେ ଆମ୍ବୁଲାନ୍ସ ଥିବାବେଳେ ରୋଗୀର ମୃତ୍ୟୁ ଘଟିବାର ସିଧାସଳଖ ବେଶୀ ଉଦାହରଣ ନଥିଲେ ହେଁ ସେହି କାରଣରୁ ଚିକିତ୍ସାରେ ବିଳମ୍ବ ହେବା ଓ ତା’ ଫଳରେ ସ୍ଥିତି ଜଟିଳ ହୋଇଯିବା ଭଳି ଘଟଣା ଅନେକ ଘଟୁଥିବ। ଏ ଧରଣର ସବୁ ଖବର ଗଣମାଧ୍ୟମକୁ ଆସୁନାହିଁ। ତେବେ ୨୦୨୦ରେ ଏକ ଘଟଣା ଚର୍ଚ୍ଚାକୁ ଆସିଥିଲା। ସେ ବର୍ଷ ଫେବ୍ରୁଆରି ୧୧ ତାରିଖରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରୁ ଆମ୍ବୁଲାନ୍ସରେ ଏକ ଘରୋଇ ଡାକ୍ତରଖାନାକୁ ଜଣେ ୫ ବର୍ଷର ବାଳକ ରୋଗୀକୁ ନିଆ ଯାଉଥିଲା। କିନ୍ତୁ ନନ୍ଦନକାନନ ରାସ୍ତାରେ ଏତେ ଟ୍ରାଫିକ ଥିଲା ଯେ ଜୟଦେବ ବିହାରରୁ ମାତ୍ର ୧୩ କିଲୋମିଟର ଦୂରରେ ଥିବା ପଟିଆ ସ୍ଥିତ ଡାକ୍ତରଖାନାରେ ପହଞ୍ଚିବାକୁ ଅତିବେଶୀରେ ୧୫ ମିନିଟ୍‌ ଲାଗିବା ବଦଳରେ ୧ଘଣ୍ଟା ୨୦ ମିନିଟ ଲାଗିଥିଲା। ତା’ ଭିତରେ ଆମ୍ବୁଲାନ୍ସରେ ହିଁ ସେହି ୫ ବର୍ଷର ନିଷ୍ପାପ ଜୀବନଟି ଚାଲି ଯାଇଥିଲା। ସେତେବେଳେ ଡାକ୍ତରଙ୍କ ମତ ଉଦ୍ଧାର କରି ବାଳକର ବାପା କହିଥିଲେ, ଅଧଘଣ୍ଟା ପୂର୍ବରୁ ସେମାନେ ଡାକ୍ତରଖାନାରେ ପହଞ୍ଚିଥିଲେ, ପୁଅର ଜୀବନ ବଞ୍ଚାଇ ହୋଇଥା’ନ୍ତା। ଏହାପରେ ପ୍ରତ୍ୟେକ ଟ୍ରାଫିକ ଛକର ବାମପାର୍ଶ୍ବକୁ ଆମ୍ବୁଲାନ୍ସ ପାଇଁ ଛାଡ଼ି ଦିଆଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଏବେ ସାରା ସହରରେ ଏହି ନିୟମର ଖୋଲା ଉଲଂଘନ ହେଉଛି। ସମସ୍ତେ ଦେଖୁଛନ୍ତି, କିଛି ପ୍ରତିକ୍ରିୟା ନାହିଁ। ଆହୁରି ଦୁର୍ଭାଗ୍ୟର କଥା ହେଉଛି, ଏ ନିୟମ ବିଷୟରେ ଅନେକ ସହରବାସୀ ଗାଡ଼ି ଚାଳକ ମଧ୍ୟ ଜାଣି ନାହାନ୍ତି।
ପଟିଆରେ ସର୍ବାଧିକ ସମୟ
‘‘ଟ୍ରାଫିକ ଛକର ବାମ ପାର୍ଶ୍ବରେ ଲୋକେ ଗାଡ଼ି ରଖିବାଯୋଗୁଁ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ମିଳୁନାହିଁ। ପଟିଆ ରାସ୍ତାରେ ସବୁଠାରୁ ଅଧିକ ଜାମ୍‌ ହେଉଛି। ଶିରିପୁରର ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଅବସ୍ଥା ଜଟିଳ ହେଉଛି। କଳିଙ୍ଗ ଷ୍ଟାଡିୟମ ପାଖରେ ମଧ୍ୟ ସମାନ ସ୍ଥିତି ରହିଛି। ସକାଳ ୧୦ରୁ ୧୧ ଏବଂ ସନ୍ଧ୍ୟା ୬ରୁ୮ ମଧ୍ୟରେ ସର୍ବାଧିକ ଟ୍ରାଫିକ ସମସ୍ୟା ରହୁଛି। ଏଥିଯୋଗୁଁ ୫ରୁ ୧୦ ମିନିଟ୍ ପ୍ରତି ଜାମ୍‌ରେ ଫସି ଅଟକିବାକୁ ପଡ଼ୁଛି। ଟ୍ରାଫିକ ପୁଲିସ ଆସି ଉଦ୍ଧାର କରିବାବେଳକୁ ଅନେକ ସମୟ ନଷ୍ଟ ହୋଇ ଯାଉଛି।’’
ବୁଲୁ, ଆମ୍ବୁଲାନ୍ସ ମାଲିକ
ଆମ୍ବୁଲାନ୍ସ ଦେଖି ମଧ୍ୟ ଲୋକେ ରାସ୍ତା ଛାଡ଼ୁ ନାହାନ୍ତି
‘‘ଆମେ ପ୍ରତିଦିନ ଗୁରୁତର ରୋଗୀଙ୍କୁ ନେଇ ଏମ୍‌ସ ସମେତ ଅନ୍ୟ ଡାକ୍ତରଖାନା ଯାଉଛୁ। କିନ୍ତୁ ପ୍ରତିଦିନ ଦେଖିବାକୁ ମିଳୁଛି, ଯେତେ ସାଇରନ୍‌ ମାରିଲେ ମଧ୍ୟ ଲୋକେ ବାଟ ଛାଡ଼ୁ ନାହାନ୍ତି। ଏଥିଯୋଗୁଁ ଅବସ୍ଥା ଜଟିଳ ହେଉଛି। ଆଇଗିଣିଆରେ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବ୍ରିଜ କାର୍ଯ୍ୟ ଚାଲିଥିବାରୁ ସେଠାରେ ପ୍ରତିଦିନ ଗାଡ଼ି ଫସୁଛି। ପଟିଆରେ ଏତେ ଜାମ୍‌ ରହୁଛି ଯେ କିମ୍ସ ଡାକ୍ତରଖାନାକୁ ଯିବାବେଳକୁ ବଞ୍ଚିବା ବ୍ୟକ୍ତି ମଧ୍ୟ ମରିଯିବା ଭଳି ଅବସ୍ଥା ହେଉଛି। ଯେଉଁ ସ୍ଥାନକୁ ୫ରୁ ୧୦ ମିନିଟ୍ ମଧ୍ୟରେ ପହଞ୍ଚିବା କଥା, ସେଠି ପହଞ୍ଚିବାକୁ ଅଧଘଣ୍ଟାରୁ ଅଧିକ ଲାଗି ଯାଉଛି।’’
ମୃତ୍ୟୁଞ୍ଜୟ ପାଟ୍ଟସାହାଣୀ, ଆମ୍ବୁଲାନ୍ସ ମାଲିକ
ସବୁବେଳେ ଅଘଟଣର ଆଶଙ୍କା
‘‘ଟ୍ରାଫିକ ଜାମ୍‌ ଯୋଗୁଁ କିଛି ବର୍ଷ ପୂର୍ବେ ଭୁବନେଶ୍ବରର ଜଣେ ବାଳକଙ୍କ ମୃତ୍ୟୁ ପରେ ଛକଗୁଡ଼ିକରେ ବାମପାର୍ଶ୍ବ କେବଳ ଆମ୍ବୁଲାନ୍ସ ପାଇଁ ସଂରକ୍ଷିତ କରିବା ପାଇଁ ନିର୍ଦ୍ଦେଶ ରହିଲା। ଏପରିକି ସେ ସ୍ଥାନରେ ଅନ୍ୟ କେହି ଗାଡ଼ି ରଖିଲେ ଜରିମାନା ମଧ୍ୟ ଆଦାୟ ହେଲା। କିନ୍ତୁ ବର୍ତ୍ତମାନ ତାହା ବନ୍ଦ ରହିଛି। ଆମ୍ବୁଲାନ୍ସ ଦେଖି ମଧ୍ୟ ଲୋକେ ଅଟକୁ ନାହାନ୍ତି। ଆଉ କିଛି ଲୋକ ରଙ୍ଗ୍‌ ୱେ’ରେ ଆସି ଆମ୍ବୁଲାନ୍ସର ମୁହାଁମୁହିଁ ହୋଇ ଯାଉଛନ୍ତି। ତେଣୁ ଯେକୌଣସି ସମୟରେ ଦୁର୍ଘଟଣାର ଆଶଙ୍କା ରହିଛି।’’
୧୦୮ ଆମ୍ବୁଲାନ୍ସ ଚାଳକ
ଆମ୍ବୁଲାନ୍ସ ଆସିବା ପୂର୍ବରୁ ରାସ୍ତା ଖାଲି କରାଯାଉଛି
‘‘ଗୋଟିଏ ଟ୍ରାଫିକ ପୋଷ୍ଟ୍‌ରୁ ପରବର୍ତ୍ତୀ ପୋଷ୍ଟ୍‌କୁ ଆମ୍ବୁଲାନ୍ସ ଗଲାବେଳକୁ ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସକୁ ଆଗୁଆ ସୂଚନା ଦିଆଯାଉଛି। ସୂଚନା ପାଇ ଡ୍ୟୁଟିରେ ଥିବା ପୁଲିସ ତୁରନ୍ତ ଗ୍ରିନ୍‌ କରିଡର ଭଳି ଆଗୁଆ ରାସ୍ତାକୁ ଖାଲି କରି ଦେଉଛନ୍ତି। ତେବେ କସ୍ମୋପଲିର ନିର୍ମାଣାଧୀନ ସେତୁରେ ଯଦି ଗାଡ଼ି ଖରାପ ହୋଇ ଅଟକୁଛି, ତେବେ ଅସୁବିଧା ହେଉଛି। ପଳାଶୁଣି ସେତୁରେ ବି ଗାଡ଼ି ଖରାପ ହୋଇଗଲେ ଟ୍ରାଫିକ ଜାମ୍‌ ହୋଇଯାଉଛି। ତେଣୁ ଆମ୍ବୁଲାନ୍ସକୁ ଛାଡ଼ିବା ପାଇଁ ଯେତେ ପ୍ରୟାସ କଲେ ମଧ୍ୟ ସେଥିରେ ସମସ୍ୟା ହେଉଛି। ତେବେ ପଟିଆରେ ଟ୍ରାଫିକ ସମସ୍ୟା ଥିଲେ ମଧ୍ୟ ଆମ୍ବୁଲାନ୍ସ ଯିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରା ଯାଉଛି।’’
ଜୟନ୍ତ ଦୋରା, ଏସିପି, ଟ୍ରାଫିକ

Share Now:

Kalinga News Beuro

Next Post

ଭାରତୀୟ ସେନାର ଏନ୍‌କାଉଣ୍ଟରରେ ୫ ଲଶ୍କର୍‌ ଆତଙ୍କବାଦୀ ନିହତ

Fri Nov 17 , 2023
କୁଲ୍‌ଗାମ୍‌: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ଭାରତୀୟ ସେନାର ନିରାପତ୍ତା ବଳ ‘ଲଶ୍କର୍‌-ଏ-ତୈବା’ର ୫ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। ଗୁରୁବାର ଦିନ କୁଲ୍‌ଗାମ୍‌ର ନେହାମା ଅନ୍ତର୍ଗତ ସାମ୍‌ନୋ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ବା ‘ଏନ୍‌କାଉଣ୍ଟ୍‌’ ଆଜି ଦ୍ବିତୀୟ ଦିବସରେ ପ୍ରବେଶ କରିଛି। ଡ୍ରୋନ୍‌ କ୍ୟାମେରାରେ ଠାବ କରାଯିବା ପରେ ଘଟଣାସ୍ଥଳରେ ପଡ଼ିଥିବା […]
୫ ଲଶ୍କର୍‌ ଆତଙ୍କବାଦୀ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial