ନୂଆଦିଲ୍ଲୀ : ଉତ୍ତରକାଶୀର ୟମୁନୋତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ସଫଳତା ମିଳିପାରିନାହିଁ। ତେବେ ସେମାନେ ଯେପରି ସୁସ୍ଥ ରହିବେ ସେଥିପାଇଁ ପାଇପ ମାଧ୍ୟମରେ ସେମାନଙ୍କ ନିକଟକୁ ଆଣ୍ଟି-ଡିପ୍ରେସନ ଔଷଧ, ଭିଟାମିନ ଓ ଶୁଖିଲା ଖାଦ୍ୟ ପଠାଯାଉଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସୁଡ଼ଙ୍ଗ ଭୁଶୁଡ଼ିବା ସ୍ଥଳରେ ପହଞ୍ଚି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରମିକମାନଙ୍କୁ ଭିଟାମିନ୍ ସପ୍ଲିମେଣ୍ଟ ସହ ଆଣ୍ଟି ଡିପ୍ରେସନ୍ ଔଷଧ ଦିଆଯାଉଛି ବୋଲି ସେ କହିଛନ୍ତି। ଶ୍ରମିକଙ୍କ ମନୋବଳ ବୃଦ୍ଧି କରାଯାଉଛି। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ପୁରୁଣା ଯୋଜନାରେ ଏବେ ଏକାସାଙ୍ଗରେ ୫ଟି ସ୍ଥାନରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ଉଦ୍ଧାର କାର୍ଯ୍ୟର ଅଷ୍ଟମ ଦିନ ରବିବାର ଉଦ୍ଧାରକାରୀ ଦଳ ସୁଡ଼ଙ୍ଗ ଭିତରେ ୬ ଇଞ୍ଚ ବ୍ୟାସର ପାଇପ୍ ଲଗାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଶ୍ରମିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଶନିବାର କର୍ତ୍ତୃପକ୍ଷ ପାହାଡ଼ ଉପରୁ ଏକ ଲମ୍ବା ଗାତ ଖୋଳିବାକୁ ପ୍ରସ୍ତୁତି ଚଳାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ତଥା ବର୍ତ୍ତମାନ ଉତ୍ତରାଖଣ୍ଡ ସରକାରଙ୍କ ଓଏସଡି ଭାସ୍କର ଖୁଲବେ କହିଛନ୍ତି ଯେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଏହି ଉଦ୍ୟମର ଭଲ ଫଳ ମିଳିବ।
ଉତ୍ତରକାଶୀ ଟନେଲ ସଂକଟ : ଫସିଥିବା ଶ୍ରମିକଙ୍କ ପାଖକୁ ପଠାଗଲା ଭିଟାମିନ, ଔଷଧ

Share Now: