ଭୁବନେଶ୍ୱର: ଏମ୍ସ୍ ନିକଟରେ ଥିବା ୨ଟି ଆହାର କେନ୍ଦ୍ରରେ ଏଥର ରାତିରେ ଖାଇବାକୁ ମିଳିବ। ରୋଗୀଙ୍କ ସମ୍ପର୍କୀୟମାନେ ସୁଲଭ ମୂଲ୍ୟରେ ସୁଷମ ଖାଦ୍ୟ ପାଇ ପାରିବେ। ପ୍ରତ୍ୟେକ ଦିନ ଏହି ୨ ଆହାର କେନ୍ଦ୍ରରେ ୪୦୦ ଲେଖାଏଁ ମିଲ୍ ପ୍ରସ୍ତୁତ କରାଯିବ। ଏହି ବ୍ୟବସ୍ଥାକୁ ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ। ଏହି ୨ଟି ଆହାର କେନ୍ଦ୍ର ଦୈନିକ ୭୫୦ଟି ଲେଖାଏଁ ଭୋଜନ ପ୍ରସ୍ତୁତ କରୁଥିଲେ।
ଏବେ ବିଏମ୍ସି ଅଞ୍ଚଳରେ ମୋଟ୍ ୧୧ଟି ଆହାର କେନ୍ଦ୍ର ରହିଛି। ସେଥିମଧ୍ୟରୁ ପ୍ରମୁଖ ଚିକିତ୍ସାଳୟ ନିକଟରେ ୫ଟି ଆହାର କେନ୍ଦ୍ର ରହିଛି। ଏମ୍ସ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ରୋଗୀ ଆସୁଥିବାରୁ ଏଠାରେ ୨ଟି କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ପୂର୍ବରୁ ୩ଟି କେନ୍ଦ୍ରରେ ରାତ୍ରି ଭୋଜନ ବ୍ୟବସ୍ଥା ଥିଲା। ଏବେ ୫ଟି କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ। ଏହି ସବୁ ଆହାର କେନ୍ଦ୍ରରେ ଦୈନିକ ପ୍ରାୟ ୯ ହଜାର ଭୋଜନ ପ୍ରସ୍ତୁତ ହେଉଥିଲା। ଏବେ ଆଉ ଦୁଇଟି ଆହାର କେନ୍ଦ୍ରରେ ଦୈନିକ ୪୦୦ ଲେଖାଏଁ ରାତ୍ରଭୋଜନ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ହୋଇଛି। ତେଣୁ ଏବେ ଦୈନିକ ମିଲ୍ସ ସଂଖ୍ୟା ୯ ହଜାରୁ ୧୦ ହଜାରରେ ପହଞ୍ଚିଛି। ଏହା ସହିତ ବରମୁଣ୍ଡା ଆନ୍ତଃ ରାଜ୍ୟ ବସଷ୍ଟାଣ୍ଡ(ଆଇଏସ୍ବିଟି) ନିକଟରେ ଏକ ସ୍ୱତନ୍ତ୍ର ଆହାର କେନ୍ଦ୍ର ଖୋଲିବା ଯୋଜନା ହୋଇଛି। ଏହାକୁ ଶୀତତାପ ନିୟନ୍ତ୍ରିତ କରାଯିବ। ଦୈନିକ ଏଠାରେ ୨ ହଜାରରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବାକୁ ଯୋଜନା ରହିଥିବା ସୂଚନା ଦେଇଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, କର୍ପୋରେଟର ରଶ୍ମୀ ରଞ୍ଜନ ପାଟ୍ଟଶାଣୀ ଓ ଡେପୁଟି କମିସନର ପ୍ରିୟଙ୍କା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ରାଜଧାନୀରେ ୫ ଆହାର କେନ୍ଦ୍ରରେ ରାତି ଭୋଜନ : ବରମୁଣ୍ଡା ବସ୍ଷ୍ଟାଣ୍ଡରେ ହେବ ସ୍ବତନ୍ତ୍ର ଆହାର କେନ୍ଦ୍ର

Share Now: