ଗଙ୍ଗୁଆ ମଝିରେ ଭାଙ୍ଗିଲା ପୁରୁଣା ସେତୁ : କଲୋନିକୁ ପଶୁଛି ଉଛୁଳା ପାଣି

ଗଙ୍ଗୁଆ ମଝିରେ ଭାଙ୍ଗିପଡ଼ିଛି ପୁରୁଣା ସେତୁ

ଭୁବନେଶ୍ୱର: ଗଙ୍ଗୁଆ ନାଳ ଉପରେ ଥିବା ପୁରୁଣା ସେତୁ ଦୁର୍ବଳ ହୋଇଯିବା ପରେ ନୂଆ ‌ସେତୁ ତିଆରି ହେଲା। କିନ୍ତୁ ପୁରୁଣା ସେତୁକୁ ଅଧା ଭଙ୍ଗା ଅବସ୍ଥାରେ ସେଇଠି ଛାଡ଼ି ଦିଆଗଲା। ବର୍ଷ ବର୍ଷ ଧରି ପୁରୁଣା ସେତୁ ଗଙ୍ଗୁଆ ମଝିରେ ପଡ଼ିରହିଥିବାରୁ ବର୍ଷା ଦିନେ ପାଣି ଯିବାରେ ସମସ୍ୟା ସୃଷ୍ଟି ହେଉଛି। ଫଳରେ ନିକଟରେ ଥିବା କଲୋନି ଭିତରକୁ ଗଙ୍ଗୁଆର ପଚା ପାଣି ପଶି ସମସ୍ୟା ସୃଷ୍ଟି କରୁଛି। ସୂଚନାଅନୁସାରେ ୨୦୦୭-୦୮ ମସିହାରେ ପୂର୍ତ୍ତ ବିଭାଗ ଟଙ୍କପାଣି ଛକ ନିକଟରେ ନୂଆ ସେତୁ ନିର୍ମାଣ କରିଥିଲା। ଏହାପରେ ବିପଦସଙ୍କୁଳ ହୋଇ ପଡ଼ିଥିବା ପୁରୁଣା ସେତୁକୁ ଭାଙ୍ଗି ଦିଆଯାଇଥିଲା। ଗଙ୍ଗୁଆ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ତେବେ ସେତେବେଳେ କାମ କରୁଥିବା ପୂର୍ତ୍ତ ବିଭାଗ କିମ୍ବା ଜଳସମ୍ପଦ ବିଭାଗ ପକ୍ଷରୁ ପୁରୁଣା ସେତୁର ଭଗ୍ନାବଶେଷକୁ ଗଙ୍ଗୁଆ ଭିତରୁ କେହି କାଢ଼ିଲେ ନାହିଁ। ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଭଙ୍ଗା ପୁରୁଣା ସେତୁ ଗଙ୍ଗୁଆ ମଝିରେ ସେମିତି ପଡ଼ି ରହିଛି। ଏବେ ଭଙ୍ଗା ସେତୁ ଉପରେ ଗଛ ଲତା ମାଡ଼ିଯିବାରୁ ବର୍ଷା ଦିନେ ପାଣି ରୋକି ହେଉଛି ଏବଂ ସହଜରେ ଜଳ ନିଷ୍କାସନ ହୋଇପାରୁନାହିଁ।
ତେଣୁ ବହୁ ସମୟରେ ଗଙ୍ଗୁଆ ନାଳ ଉଛୁଳୁଛି। ନିକଟସ୍ଥ ମେଘେଶ୍ଵର କଲୋନି, ବଡ଼ଗଡ଼ ବ୍ରିଟ୍‌ ଇଏ କଲୋନି ଅଞ୍ଚଳରୁ ଡ୍ରେନ୍‌ ଯୋଗେ ଆସୁଥିବା ପାଣି ଶୀଘ୍ର ନିଷ୍କାସନ ହେଉନାହିଁ। ଫଳରେ ବଡ଼ ବର୍ଷା ହେଲେ କଲୋନିକୁ ପଚା ପାଣି ପଶିବା ସହ ଲୋକଙ୍କ ଘର ବୁଡ଼ିଯାଉଛି। ଅନ୍ୟପଟେ ଗଙ୍ଗୁଆ ଜଳସମ୍ପଦ ହାତରେ ରହିବ ନା ଅନ୍ୟ କେଉଁ ବିଭାଗକୁ ଯିବ, ତାକୁ ନେଇ କିଛି ସ୍ଥିର ହୋଇପାରୁନାହିଁ। ପୂର୍ବରୁ ବିଏମ୍‌ସି ଗଙ୍ଗୁଆକୁ ନିଜ ଅଧୀନକୁ ନେଇ ସଫା କରିବାକୁ ଯୋଜନା କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ଏବେ ବିଡିଏ ଡ୍ରୋନ୍‌ ସର୍ଭେ କରିବ। ତେବେ ଗଙ୍ଗୁଆ କାହା ହାତକୁ ଯିବ ଓ କିଏ ଏହାକୁ ସଫା କରି ରକ୍ଷଣାବେକ୍ଷଣ କରିବ ତାହା ଜଣାପଡ଼ିନାହିଁ। ତେବେ ତୁରନ୍ତ ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ କିମ୍ବା ବିଏମ୍‌ସି ଏହି ପୁରୁଣା ଭଙ୍ଗା ସେତୁକୁ ଗଙ୍ଗୁଆ ମଝିରୁ କାଢ଼ିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ବର୍ଷାରେ ବେହାଲ୍ ରାଜଧାନୀ : କୃତ୍ରିମ ବନ୍ୟାର ଭ୍ରମ

Mon Jul 31 , 2023
ଭୁବନେଶ୍ୱର : ଦୁଇ ଘଣ୍ଟାର ବଡ଼ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ୍। ସହରର ଅଧିକାଂଶ ଅଞ୍ଚଳରେ ମୁଖ୍ୟରାସ୍ତାରେ ବର୍ଷାପାଣି ଲହଡି ଭାଙ୍ଗୁଛି। ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇ ସୃଷ୍ଟି କରୁଛି ନଦୀର ଭ୍ରମ। ଜୀବନଯାତ୍ରା ଏକରକମ ଠପ୍। ବହୁସ୍ଥାନରେ ଲମ୍ବାଧାଡ଼ିରେ ଅଟକି ରହିଛି ଗାଡ଼ିମଟର। ଟ୍ରାଫିକ ଜାମରେ ଫସି ମୁକୁଳିବା ପାଇଁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାରି ରହିଛି ବର୍ଷା। ରାସ୍ତାଘାଟରେ […]
ବର୍ଷାରେ ବେହାଲ୍ ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial