ବିଶ୍ୱ ଆଦିବାସୀ ଦିବସରେ ଅଲୋଡ଼ା ଦୃଶ୍ୟ : ବାପା ଶବଯାତ୍ରା ପାଇଁ ଖଇ ଭାଜୁଛି ଶିଶୁକନ୍ୟା

କାଳିଆପାଣି ଶିଶୁ

କାଳିଆପାଣି : ବାପାର ଶବଯାତ୍ରା ପାଇଁ ୭ ବର୍ଷର ଝିଅ ନିଜ ଅଗଣାରେ ଖଇ ଭାଜୁଛି। ବିଶ୍ବ ଆଦିବାସୀ ଦିବସରେ ଗତକାଲି ଏଭଳି ଅଲୋଡ଼ା ଦୃଶ୍ୟ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ୨ ନଂ ୱାର୍ଡ ଅନ୍ତର୍ଗତ ବିର୍ସାନଗର ବସ୍ତିର ଯକ୍ଷ୍ମା ରୋଗାକ୍ରାନ୍ତ ସୁନାରାମ କିସ୍କୁ(୨୯)ଙ୍କ ଗତକାଲି ମୃତ୍ୟୁ ଘଟିଛି। ତାଙ୍କର ଦୁଇ ଶିଶୁ ଫୁଲମଣି(୭) ଓ ଦେବେନ୍ଦ୍ର(୫) ଏବେ ବେସାହାରା ହୋଇଯାଇଛନ୍ତି। ବାପାଙ୍କ ଶବ ପାଖେ ବସିଥିବା ଦୁଇ ନିଷ୍ପାପ ଶିଶୁ ନିର୍ବାକ୍‌ ପାଲଟି ଯାଇଥିଲେ। ସାଙ୍ଗସାଥୀ ଭଳି ପା‌ଖେ ପା‌ଖେ ଜଗି ରହୁଥିବା ବାପାଙ୍କ ଅକାଳ ନିଧନରେ ଶିଶୁ ଦ୍ଵୟଙ୍କ ଅସହାୟତା ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। କୋହକୁ ଚାପି ରଖି ବାପାଙ୍କ ଶବଯାତ୍ରା ପାଇଁ ଅନାଥ ଶିଶୁକନ୍ୟା ଫୁଲମଣି ନିଜ ଘର ଅଗଣା ଚୁଲିରେ ଖଇ ଭାଜୁଥିବାର ଦୃଶ୍ୟ ଆଜି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଦୁଇ ଶିଶୁ ଅନ୍ତିମ ସଂସ୍କାରରେ ପାରମ୍ପରିକ କ୍ରିୟାକର୍ମ କରିଥିଲେ। ସକାଳୁ ଉପବାସରେ ୭ ଘଣ୍ଟା ଧରି ଭୋକରେ ଆଉଟୁ ପାଉଟୁ ହେଉଥିଲେ ମଧ୍ୟ କାହା ହାତରୁ କିଛି ଖାଇନଥିଲେ। ସୂଚନାଯୋଗ୍ୟ ଯେ, ଶୈଶବ ଅବସ୍ଥାରେ ଦୁଇ ପୁଅଝିଅଙ୍କୁ ଛାଡ଼ି ମାଆ ପ୍ରାୟ ୩ବର୍ଷ ପୂର୍ବେ କେଉଁଆଡେ ଚାଲିଗଲେ। ସେବେଠୁ ଦୁଇ ଶିଶୁ ସନ୍ତାନଙ୍କ ଲାଳନପାଳନ ବୋଝ ସୁନାରାମଙ୍କ ଉପରେ ପଡ଼ିଥିଲା। ବିରହ ବେଦନା ଭିତରେ ବି ସେ ପିଲାମାନଙ୍କ ଅଳି ଅଝଟ ବୁଝିବାରେ ଅବହେଳା କରୁନଥିଲେ। ଦୁଇମାସ ତଳେ ସେ ଯକ୍ଷ୍ମା ରୋଗାକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ସରକାରୀ ଯୋଜନାରେ ଔଷଧ (ଡଟ୍ସ) ଆଣିଥିଲେ ସତ, କିନ୍ତୁ ଏହାକୁ ନିୟମିତ ଖାଉନଥିଲେ। ରୋଗ ଦାଉରୁ ମାସେ ହେଲା ସେ ଭଲରେ ଚଲାବୁଲା କରିପାରୁନଥିଲେ। ଝିଅ ଫୁଲମଣି ରୋଷେଇ କରି ଗତକାଲି ରାତିରେ ବାପାଙ୍କୁ ଖୁଆଇ ଦେଇଥିଲା। ହେଲେ ସକାଳୁ ବାପା ଆଉ ଶେଯରୁ ଉଠିନଥିଲେ। ଦୁଇ ଶିଶୁଙ୍କୁ ସରକାରୀ ସହାୟତା ପ୍ରଦାନ ସହ ସେମାନଙ୍କ ପାଠପଢା ଦାଇତ୍ୱ ସରକାର ଯଦି ନିଅନ୍ତେ ,ତେବେ ଶିଶୁ ଦୁଇଜଣ ଭଲରେ ରୁହନ୍ତେ ବୋଲି ଗ୍ରାମବାସୀ ଆଲୋଚନା କରୁଥିବା ଜାଣିବାକୁ ମିଳିଛି।

Share Now:

Kalinga News Beuro

Next Post

ନିରାଡ଼ମ୍ବର ଭାବେ ଦିଆଯିବ "ଧର୍ମପଦ" ପୁରସ୍କାର

Mon Aug 10 , 2020
ଭୁବନେଶ୍ୱର : ଦୀର୍ଘ ୫ ବର୍ଷର ଘୋଷଣା ପରେ ସୋମବାର ଦିଆଯିବ ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’। ଜୁଲାଇ ୩୦ ତାରିଖରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଥିଲା। କରୋନା ଯୋଗୁଁ ଉତ୍ସବ ଆୟୋଜନ ସମ୍ଭବ ନଥିବାରୁ ଘରେ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୦୯ରୁ ୨୦୧୫ ମସିହା ମଧ୍ୟରେ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା। […]
ଧର୍ମପଦ ପୁରସ୍କାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial