ଖେଳୁଛି ଟିପିସିଓଡିଏଲ୍‌ : ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ମାମଲା

୪ କୋଟିର ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ଉଠାଇବା ଲାଗି ମାଗୁଛି ୩ କୋଟି

ଭୁବନେଶ୍ବର: କ୍ରିକେଟ ବିଶ୍ବକପ୍‌ ଆରମ୍ଭ ହୋଇ ଶେଷ ହୋଇଗଲାଣି। କିନ୍ତୁ ତା’ର ଅନେକ ପୂର୍ବରୁ ରାସ୍ତା ମଝିରୁ ଖୁଣ୍ଟ ଉଠାଇବା ମାମଲାରେ ଟିପିସିଓଡିଏଲ୍‌ର ଲମ୍ବା ଖେଳ ଏଯାଏ ଜାରି ରହିଛି। ବିଦ୍ୟୁତ୍‌ ଖୁଣ୍ଟ ଉଠୁ ନଥିବାରୁ କିଭଳି ସମସ୍ୟା ଉପୁଜୁଛି, ତାହା ରାଜଧାନୀର ଏକାଧିକ ସ୍ଥାନରେ ଦେଖିବାକୁ ମିଳିଛି। ଏମିତିକି ରାସ୍ତା ନିର୍ମାଣ କରୁଥିବା ସଂପୃକ୍ତ ବିଭାଗ ଟଙ୍କା ପଇଠ କରିବା ପରେ ମଧ୍ୟ ସମୟ ଗଡ଼ା ଯାଉଛି। ଆଶ୍ଚର୍ଯ୍ୟର କଥା, ଆହୁରି ଅଧିକ ଟଙ୍କା ଦାବି କରା ଯାଉଛି। ଏହାର ଏକ ଉଦାହରଣ ହେଉଛି କଟକ ରୋଡ୍‌ ବଡ଼ଗଡ଼ ଛକଠାରୁ ଟଙ୍କପାଣି ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ରାସ୍ତା। ସୂଚନାନୁସାରେ, ବଡ଼ଗଡ଼ ଛକଠାରୁ ଜଗନ୍ନାଥ ଆଶ୍ରମ ରାସ୍ତାର ଓସାର କମ୍‌ ରହିଛି। ଏହି ରାସ୍ତାରେ ‘ମୋ ବସ୍‌’ ସହିତ ହଜାର ହଜାର ସଂଖ୍ୟାରେ ଅନ୍ୟ ଗାଡ଼ି ଚାଲୁଛି। ଫଳରେ ସକାଳୁ ରାତିଯାଏ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଛି। ଅନେକ ଦାବି ପରେ ୬ ମାସ ତଳେ ସ୍ଥାନୀୟ ବିଧାୟକ ଏହି ୪ ଥାକିଆ ରାସ୍ତା ପାଇଁ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ପରେ ୬୦ ଫୁଟିଆ ରାସ୍ତା ପାଇଁ ଶହ ଶହ ଗଛ ବଳି ପଡ଼ିଲା। ମାତ୍ର କେଇଟା ଦିନରେ ରାସ୍ତାରୁ ଗଛ ଉଠିଗଲା, ହେଲେ ରାସ୍ତା ଚଉଡ଼ା ପାଇଁ ପ୍ରତିବନ୍ଧକ ସାଜିଥିବା ବିଦ୍ୟୁତ୍‌ ଖୁଣ୍ଟ ଏଯାଏ ଉଠି ପାରିଲା ନାହିଁ। ପୂର୍ତ୍ତ ବିଭାଗର ଅଭିଯୋଗ ହେଲା, ରାସ୍ତା ଚଉଡ଼ା ହେବା କାରଣରୁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ମଝିକୁ ଚାଲି ଆସୁଛି। ଯେଉଁଠି ବିଦ୍ୟୁତ୍‌ ଖୁଣ୍ଟ ନାହିଁ, ସେଠାରେ ଡ୍ରେନ୍‌ ନିର୍ମାଣ କରାଯାଉଛି। ଅନ୍ୟ ସ୍ଥାନମାନଙ୍କରେ ପ୍ରଥମେ ବିଦ୍ୟୁତ୍‌ ଖୁଣ୍ଟ ଉଠିଲେ ଯାଇ କାମ ଆଗକୁ ବଢ଼ି ପାରିବ।
ଆଶ୍ଚର୍ଯ୍ୟର କଥା, ଏହି ୧୧ କେଭି, ଏଲ୍‌ଟି ଲାଇନ୍‌ ଏବଂ ସବ୍‌ଷ୍ଟେସନ ଉଠାଇବା ପାଇଁ କେତେ ଟଙ୍କା ଖର୍ଚ୍ଚହେବ, ତା’ର ହିସାବ ଦେବାକୁ ପୂର୍ତ୍ତ ବିଭାଗ ଡିଭିଜନ-୧ର ସୁପରିଟେଣ୍ଡ ଇଞ୍ଜିନିୟର ଟିପିସିଓଡିଏଲ୍ ଅପରେସନ ସର୍ଭିସ ମୁଖ୍ୟଙ୍କୁ ଚିଠି ଦେଇଥିଲେ। ବିଳମ୍ବରେ ହେଲେ ମଧ୍ୟ ଟିପିସିଓଡିଏଲ୍‌ ପକ୍ଷରୁ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତରଣ ପାଇଁ ୧ କୋଟି ୮୮ ଲକ୍ଷ ୯୬ ହଜାର ୨୯୦ ଟଙ୍କାର ଏଷ୍ଟିମେଟ୍‌ ପୂର୍ତ୍ତକୁ ଦିଆଯାଇଥିଲା। ଏଷ୍ଟିମେଟ୍‌ ପାଇବା ପରେ ପୂର୍ତ୍ତବିଭାଗ ଟିପିସିଓଡିଏଲ୍‌କୁ ସମସ୍ତ ଟଙ୍କା ଦେଇଥିଲେ। ହେଲେ ଟଙ୍କା ଜମା ହେବାର ମାସ ମାସ ବିତି ଯାଇଥିଲେ ମଧ୍ୟ ରାସ୍ତାରୁ ଖୁଣ୍ଟ ଉଠିଲାନାହିଁ। ପୂର୍ତ୍ତ ବିଭାଗ ବାରମ୍ବାର ଚିଠି କରି ନିରାଶ ହେଲା। ତେବେ କିଛିଦିନ ପରେ ସମାନ କାମ ପାଇଁ ୩ କୋଟି ୧୫ ଲକ୍ଷ ୧୮ ହଜାର ୪୯୮ ଟଙ୍କା, ଅର୍ଥାତ୍‌ ପୂର୍ବାପେକ୍ଷା ୧ କୋଟି ୨୬ ଲକ୍ଷ ୨୨ ହଜାର ୨୦୮ ଟଙ୍କା ଅଧିକ ଦେଲେ କାମ କରାଯିବ ବୋଲି ଟିପିସିଓଡିଏଲ୍‌ ଜଣାଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ପୂ୍ର୍ତ୍ତ ବିଭାଗ। ରାସ୍ତା ପାଇଁ ୪କୋଟି ଖର୍ଚ୍ଚ ହେଉଥିବା ବେଳେ ୩ କୋଟିରୁ ଅଧିକ ଟଙ୍କା ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ଦାବି କରାଯିବା ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି।
ସେହିପରି ଟଙ୍କପାଣି-ରବି ଟକିଜ୍‌ ରାସ୍ତାର ମଧ୍ୟ ସମାନ ଅବସ୍ଥା। ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୨ ନଭେମ୍ବର ମାସରେ ଖୁଣ୍ଟ ଉଠାଇବା ପାଇଁ ଟିପିସିଓଡିଏଲ୍‌କୁ ଚିଠି କରାଯିବା ସହ ଏଷ୍ଟିମେଟ୍‌ ମଗାଯାଇଥିଲା। ଏଷ୍ଟିମେଟ୍‌ ‌‌ଦେବାକୁ ଟିପିସିଓଡିଏଲ୍‌କୁ ୪ ମାସ ଲାଗି ଯାଇଥିଲା। ସେହି ଅନୁସାରେ ଗତ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ସାଇ ମନ୍ଦିର ଛକଠାରୁ କେନାଲ ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ୩୦ଟି ବିଦ୍ୟୁତ୍‌ ଖୁଣ୍ଟ ଓ ଗୋଟିଏ ଟ୍ରାନ୍ସଫର୍ମର ଉଠାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୮୧ଲକ୍ଷ ୬୯ ହଜାର ୫୫୯ ଟଙ୍କା ପ୍ରଦାନ କରାଯାଇଛି। ତେବେ ୮ ମାସ ଭିତରେ କେବଳ ଟ୍ରାନ୍ସଫର୍ମର ଉଠିଛି, ବିଦ୍ୟୁତ୍‌ ଖୁଣ୍ଟ ଏବେବି ରାସ୍ତାରେ ଛିଡ଼ା ହୋଇଛି। ଅନ୍ୟପଟେ ଦୟାୱେଷ୍ଟ କେନାଲର ମହିଁଷାଖାଲଠାରୁ ଚିଲିପୋଖରି ରାସ୍ତାରୁ ୩ଟି ଟ୍ରାନ୍ସଫର୍ମର୍‌ ସହ ୨୬ଟି ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ପାଇଁ ୧କୋଟି ୮ ଲକ୍ଷ ୧୪ ହଜାର ୩୧୨ ଟଙ୍କା ଟିପିସିଓଡିଏଲ୍‌କୁ ଦିଆଯାଇଥିଲା। କିନ୍ତୁ ଆଜି ଯାଏ କାମ ହୋଇନାହିଁ। ଏହିସବୁ ରାସ୍ତା ପାଇଁ ଦୁର୍ଗାପୂଜାରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଲେ। ରାସ୍ତା ଖରାପ ସହିତ ମଝିରେ ବିଦ୍ୟୁତ୍‌ ଖୁଣ୍ଟ ଥିବାରୁ ଲୋକେ ପ୍ରତିଦିନ ଟ୍ରାଫିକ୍‌ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ତଥାପି ବିଭାଗର ଚେତା ପଶୁନାହିଁ। ଏନେଇ ବାରମ୍ବାର ଟିପିସିଓଡିଏଲ୍‌ର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏ ସଂପର୍କରେ ପ୍ରତିକ୍ରିୟା ଦେବାକୁ ସେମାନେ ପଛଘୁଞ୍ଚା ଦେଇଥିଲେ।

Share Now:

Kalinga News Beuro

Next Post

ଜଳେଶ୍ଵରରୁ କୁଖ୍ୟାତ ନିଶା ମାଫିଆ ଗିରଫ : ୩୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

Wed Nov 22 , 2023
ଜଳେଶ୍ଵର: ଜଳେଶ୍ଵରରୁ ଖୋର୍ଦ୍ଧା ଯାଏଁ ନିଶା ସାମ୍ରାଜ୍ୟର ଚେର ଲମ୍ବାଇଥିବା କୁଖ୍ୟାତ ନିଶା ମାଫିଆ ଜଳେଶ୍ଵର ଶାସନବାଡ ଗ୍ରାମ ସେକ ଆଶିରୁଦ୍ଦିନ ଓରଫ ପୁସୁ (୩୦)କୁ ଜଳେଶ୍ଵର ପୁଲିସ ୩୩୮ ଗ୍ରାମ ବ୍ରାଉନସୁଗର ସହ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏସମ୍ପର୍କରେ ଆଜି ଜଳେଶ୍ଵର ଥାନା ପରିସରରେ ଏସଡିପିଓ ଦିଲ୍ଲୀପ କୁମାର ସାହୁ ଓ ଆଇଆଇସି ରଞ୍ଜନ କୁମାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial