ମୁମ୍ବାଇ: ଭାରତୀୟ ନୌସେନା ପାଇଁ ଅଗ୍ନିବୀର ଟ୍ରେନିଂ ନେଉଥିବା ଜଣେ ୨୦ ବର୍ଷୀୟ ଯୁବତୀ ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଏହି ଘଟଣା ସମ୍ପର୍କରେ ପୁଲିସ ସୂଚନା ଦେଇଛି। ମୁମ୍ବାଇ ପୁଲିସର ସୂଚନାନୁସାରେ ମୃତ ମହିଳାଙ୍କ ନାମ ଅପର୍ଣ୍ଣା ନାୟାର ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀ କହିଛନ୍ତି ଯେ ଅପର୍ଣ୍ଣା ନାୟାର ଭାରତୀୟ ନୌସେନା ଜାହାଜରେ ତାଲିମ ନେଉଥିଲେ। ସେ କହିଛନ୍ତି ଯେ ଅପର୍ଣ୍ଣାଙ୍କ ଆତ୍ମହତ୍ୟା ବିଷୟରେ ସୂଚନା ପାଇବା ମାତ୍ରେ ନୌସେନା ଡାକ୍ତରମାନେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ମୁମ୍ବାଇର ମାଲୱାନି ପୁଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଅଗ୍ନିବୀର ଟ୍ରେନିଂ ନେଉଥିବା ଜଣେ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହାପୂର୍ବରୁ ଅମୃତପାଲ ସିଂ ନାମକ ଯୁବକ ଯିଏ କି ଅଗ୍ନିବୀର ପାଇଁ ଟ୍ରେନିଂ ନେଉଥିଲେ ସେ ମଧ୍ୟ ଆତ୍ମହତ୍ୟା କରିଥିଲେ।
ତେବେ ଆତ୍ମହତ୍ୟା ପରେ ତାଙ୍କୁ ସାମରିକ ସମ୍ମାନ ନ ମିଳିବା ନେଇ ମଧ୍ୟ ବିବାଦ ଉପୁଜିଥିଲା। ଏହି ବିବାଦ ଉପରେ ସେନା ସ୍ପଷ୍ଟ ଭାବରେ କହିଥିଲା ନିଜସ୍ୱ ଗୁଳି ଦ୍ୱାରା ଅମୃତପାଲଙ୍କ ମୃତ୍ୟୁ ଘଟିଛି, ତେଣୁ ତାଙ୍କୁ ସେନା ନିୟମ ଅନୁଯାୟୀ ସାମରିକ ସମ୍ମାନ ଦିଆଯାଇପାରିବ ନାହିଁ। ଉଲ୍ଲେଖ ଥାଉ କି ଅଗ୍ନିବୀର ଯୋଜନା ୧୪ ଜୁନ୍ ୨୦୨୨ରେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସେନାବାହିନୀରେ ଯୋଗଦେବା ପାଇଁ ଅଗ୍ନିବୀର ଯୋଜନା ହେଉଛି ଏକମାତ୍ର ଉପାୟ। ଅଗ୍ନିବୀର ଯୋଜନା ଅଧୀନରେ ନିଯୁକ୍ତ ସୈନିକମାନେ ଚାରି ବର୍ଷ ପର୍ଯ୍ୟନ୍ତ ସେନାରେ କାର୍ଯ୍ୟ କରିବେ। ଏହି ଯୋଜନା ଅଧୀନରେ ଆସୁଥିବା ସୈନିକମାନଙ୍କୁ ଛଅ ମାସ ତାଲିମ ନେବାକୁ ପଡିବ ଓ ସାଢେ ତିନି ବର୍ଷ ନିଯୁକ୍ତି ଦିଆଯିବ।
ଅଗ୍ନିବୀର ଟ୍ରେନିଂ ନେଉଥିବା ଯୁବତୀଙ୍କ ଆତ୍ମହତ୍ୟା

Share Now: