ବାଜିରେ ଲାଗିଛି ଜୀବନ : ବିନା ସୁରକ୍ଷାରେ ଅଳିଆ ପାହାଡ଼ ଶିଖରରେ କର୍ମଚାରୀ

ଚନ୍ଦ୍ରଶେଖରପୁର: ୧୦୦ ମିଟରରୁ ଅଧିକ ଉଚ୍ଚତାର ଅଳିଆ ପାହାଡ଼। ଦୁର୍ଗନ୍ଧରେ ଫାଟି ପଡ଼ୁଛି। ତା’ଭିତରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ଶ୍ରମିକ। ଶ୍ରମିକମାନେ ନିଜ ଜୀବନକୁ ଖାତିର ନକରି, ଦୁର୍ଗନ୍ଧ ସହି ଅଳିଆ ପାହାଡ଼ ଉପରେ ଚଢ଼ି ଦୁର୍ଗନ୍ଧର ମୁକାବିଲା ପାଇଁ କେମିକାଲ ସିଞ୍ଚନ କରୁଛନ୍ତି। ଗୋଟିଏ ପଟେ ବିଏମ୍‌ସିର ଦୂରଦୃଷ୍ଟି ଅଭାବରୁ ରାଜଧାନୀବାସୀ ଦୁର୍ଗନ୍ଧରେ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ଏଭଳି କିଛି ବ୍ୟକ୍ତିଙ୍କ ଜୀବନ ଏବେ ବାଜିରେ ଲାଗିଛି। ପେଟ ପାଇଁ ଖଟୁଛନ୍ତି ସିନା, ହେ‌ଲେ ମୁହଁରେ ହସ ନାହିଁ। ପାଟିରେ ମନ ଭିତରର କୋହ ବ୍ୟକ୍ତ କରିବାକୁ ସାହସ ହେଉନି। ସେମାନେ ଜାଣିଛନ୍ତି ଶରୀର ଭିତରେ ମାରାତ୍ମକ ଭୂତାଣୁ ପଶୁଛନ୍ତି, ଯାହା କେତେବେଳେ ଜୀବନ ପ୍ରତି ବିପଦ ଡ଼ାକିପାରେ! କିନ୍ତୁ ପରିବାରର ପେଟ ପାଇଁ ସେମାନେ ନାକ ଓ ପାଟି ବନ୍ଦକରି ଖଟୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଏମ୍‌ସିର ସମ୍ବେଦନହୀନତାର ଏକ ଉଦାହରଣ ଏଠାରେ ଦେଖିବାକୁ ମିଳୁଛି। ଅଳିଆ ପାହାଡ଼ ଉପରେ ଶ୍ରମିକମାାନେ ଜୀବନକୁ ବାଜିରେ ଲଗାଇ କାମ କରୁଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ ପ୍ରାୟୋଜିତ ଅଲଗା ଭିଡିଓ ସୋସିଆଲ ମିଡିଆରେ ଛଡ଼ାଯାଇଛି। ସେଥିରେ କିଛି ଶ୍ରମିକ ଭଲ ପୋଷାକ, ଜୋତା ଓ ମାସ୍କ ପିନ୍ଧି ବିଏମ୍‌ସି ସପକ୍ଷରେ ମତ ଦେଉଛନ୍ତି। ମୁହଁରେ ହସ ଫୁଟାଇ ସେମାନେ ଯାହା କହୁଛନ୍ତି, ତା’ର ମର୍ମ ହେଉଛି, ‘‘ବିଏମ୍‌ସି ପକ୍ଷରୁ ଆମକୁ ସବୁପ୍ରକାର ସୁବିଧା ମିଳୁଛି। ପ୍ରତ୍ୟେକ ମାସରେ ବ୍ରସ୍‌, ବୁଟ୍‌, ସାବୁନ୍‌, ସର୍ଫ, ଟୋପି ଆଦି ଦିଆଯାଉଛି। କାମ କରିବାରେ କୌଣସି ଅସୁବିଧା ହେଉନାହିଁ।’’ ତେବେ ସେ ଅଳିଆ ପାହାଡ଼ ଉପରେ ଚଢ଼ି ସତରେ ଯେଉଁମାନେ କାମ କରନ୍ତି, ତାଙ୍କ ଭିତରୁ ଅଧିକାଂଶଙ୍କ ମୁହଁରେ ମାସ୍କ ନଥାଏ କି ସମ୍ପୂର୍ଣ୍ଣ ଶରୀରରେ ସ୍ବତନ୍ତ୍ର ପୋଷାକ ନଥାଏ। କିଏ ଚିରା ଫଟା ପୋଷାକ ପିନ୍ଧିଥାଏ ତ ଆଉ କାହା ହାତରେ ଗ୍ଲେଭ୍‌ସ ନଥାଏ। ବିଏମ୍‌ସି ଅଧିକାରୀମାନେ ବେଫିକର ଭାବେ ଏମାନଙ୍କୁ କାମରେ ଲଗାଇ ଦେଇଛନ୍ତି। କିଏ କେଉଁଭଳି କାମ କରୁଛନ୍ତି, ସୁରକ୍ଷିତ ଅଛନ୍ତି କି ନାହିଁ ସେ ବିଷୟରେ କେହି ତଦାରଖ କରୁନାହାନ୍ତି।
ଅନ୍ୟପକ୍ଷରେ ୧୦୦ ମିଟର ଉଚ୍ଚତା ଅଳିଆ ଗଦାରେ ଚଢ଼ି ଲୋକେ ଦୁର୍ଗନ୍ଧ ରୋକିବାକୁ କେମିକାଲ ସିଞ୍ଚନ କରିବାକୁ ବିଏମ୍‌ସି ଅନୁମତି ଦେଉଥିଲେ ମଧ୍ୟ ଡ୍ରେନ୍‌ ଜ୍ଞାନକୌଶଳ କାହିଁକି ପ୍ରୟୋଗ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି। ପୂର୍ବରୁ ବିଏମ୍‌ସି ଏକାଧିକ ଥର ଡ୍ରୋନ୍‌ କୌଶଳ ଅବଲମ୍ବନ କରିସାରିଛି। କରୋନା ସମୟରେ ରାଜଧାନୀ ଆକାଶରେ ଡ୍ରୋନ୍‌ ଜ୍ଞାନକୌଶଳ ପ୍ରୟୋଗ କରି ସହରବାସୀଙ୍କୁ ଚକ୍‌ମା ଦେଇଥିଲା। ‌ଡ୍ରୋନ୍‌ ଜରିଆରେ ସାନିଟାଇଜର୍‌ ଛିଞ୍ଚି ବିଭିନ୍ନ ଅଞ୍ଚଳକୁ ଭୂତାଣୁମୁକ୍ତ କରିବାକୁ ଉଦ୍ୟମ ହୋଇଥିଲା। କୋଭିଡ୍‌ ପରିଚାଳନା ଦାୟିତ୍ବରେ ଥିବା କେତେକ ବଡ଼ ଅଧିକାରୀ ଏଭଳି ଯୋଜନାକରି ସାକାର ରୂପ ଦେଇଥିଲେ। ପ୍ରାୟ ଏକ ସପ୍ତାହ ଡ୍ରୋନ୍‌ ବୁଲିଥିଲା। ଭୂତାଣୁ କେତେ ମଲେ, ତାହା ତ ଜଣାପଡ଼ିଲାନି; ହେଲେ ଏଥିପାଇଁ ରାଜକୋଷରୁ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଜନବସତିରେ ସାନିଟାଇଜର ଛିଞ୍ଚନ ଫଳପ୍ରଦ ନ ହେବାରୁ ତାହାକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଡେଙ୍ଗୁ ମେଶାର ଲାର୍ଭା ଉତ୍ସ ଚିହ୍ନଟ ଓ ଔଷଧ ସ୍ପ୍ରେ’ କରିବାକୁ ଡ୍ରୋନ୍‌ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥିଲେ ମଧ୍ୟ ସଫଳତା ହାର ବିଏମ୍‌ସିକୁ ଜଣା। ‌କିନ୍ତୁ ସେହି ଟେକ୍‌ନଲୋଜି ଅଳିଆ ପାହାଡ଼ରେ ପ୍ରୟୋଗ କରା ଯାଇପାରିବ। ଅଳିଆ ଗଦାକୁ ବିରୋଧ କରି ବିଜେପି ପକ୍ଷରୁ ଚାଲିଥିବା ସତ୍ୟାଗ୍ରହର ୧୧ତମ ଦିନରେ ଅନେକ ଲେଖକ ଓ ସ୍ତମ୍ଭକାର ସେଥିରେ ସାମିଲ ହୋଇଛନ୍ତି। ଲେଖକ ଭୁବନାନନ୍ଦ ତ୍ରିପାଠୀ, ସୁଭାଷ ଚନ୍ଦ୍ର ପାତ୍ର, ଶ୍ରୀନିବାସ ମାନସିଂହ, ସମୟ ନନ୍ଦ, କିଶୋର ଚନ୍ଦ୍ର ଜେନା, ବନମାଳୀ ବାରିକ, ପଞ୍ଚାନନ ଦାସ, ଅଜିତ୍ ଦାସ, ସବ୍ୟସାଚୀ ସାମନ୍ତରାୟ, ଗୀତିକାର ପଞ୍ଚାନନ ନାୟକ ଓ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ସମେତ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ନେତୃବୃନ୍ଦ ଆଜି ସେଠାରେ ଉପସ୍ଥିତ ହୋଇଥିଲେ। ସେମାନେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟିବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଅଳିଆ ପାହାଡ଼ରୁ ବାହାରୁଥିବା ଦୁର୍ଗନ୍ଧ କାରଣରୁ ଲୋକେ ଗୃହବନ୍ଦୀ ହୋଇ ରହିଛନ୍ତି। ବର୍ତ୍ତମାନ ବାହାରୁଥିବା ଦୁର୍ଗନ୍ଧରେ ସ୍ଥାନୀୟ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ତ୍ରାହି ତ୍ରାହି ଡାକିଲେଣି। ଯଦି ଏହିପରି କୋହଲା ପାଗ ଲାଗିରୁହେ ତେବେ ଅଞ୍ଚଳରେ ବସବାସ ଓ ଚଳପ୍ରଚଳ ଅସମ୍ଭବ ହୋଇପଡିବ। ତେଣୁ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ଡମ୍ପିଂୟାର୍ଡର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରି ରହିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଓ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି।

Share Now:

Kalinga News Beuro

Next Post

ଭୁଶୁଡିଲା ଓପିଜିସି ପାଉଁଶ ପୋଖରୀ

Sat Dec 9 , 2023
ଝାରସୁଗଡ଼ା: ଭୁଶୁଡି ପାଉଁଶ ପୋଖରୀ। ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲସ୍ଥିତ ଓପିଜିସିର ପାଉଁଶ ପୋଖରୀ ଆଜି ସକାଳୁ ଭୁଶୁଡି ପଡିଛି। ମିଳିଥିବା ସୂଚନା ମୁତାବକ ପାଉଁଶ ପୋଖରୀରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହେବା ପରେ ପାଉଁଶ ସ୍ଲରି ନିକଟସ୍ଥ ଗାଁ ସରଧାପାଲିକୁ ମାଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଗାଁ ବାହାରେ ଥିବା ଚାଷ ଜମିଗୁଡିକ ପାଉଁଶରେ ପୋତି ହୋଇସାରିଥିବାବେଳେ ଏବେ ଗାଁମୁହା ହେଲାଣି ସ୍ଲରି। ଭୟଭୀତ ଗ୍ରାମବାସୀମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial