ନନ୍ଦନକାନନରେ ସୁସ୍ଥ ହେଉଛି ଛୁଆ ହାତୀ : ଯୋଡ଼ିହେଉଛି ହାଡ଼ ଫାଟ,ଶୁଖୁଛି ଘା’

ବାରଙ୍ଗ: କେନ୍ଦୁଝରରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଥିବା ୩ ମାସର ହାତୀ ଛୁଆଟି ଧୀରେଧୀରେ ସୁସ୍ଥ ହେଉଛି। ଗୋଡ଼‌ର ଘା’ ବହୁ ମାତ୍ରାରେ ଶୁଖିଆସିଥିବା ବେଳେ ଆଙ୍ଗୁଠି ହାଡ଼ର ଫାଟ ଯୋଡ଼ିହେଉଥିବା ଜଣାପଡ଼ିଛି। ତେଣୁ ଖୁବ୍‌ଶୀଘ୍ର ହାତୀ ଛୁଆଟି ପୂରା ସୁସ୍ଥ ହୋଇଯିବ ବୋଲି ଚିକିତ୍ସକମାନେ ଆଶାବାଦୀ ଥିବା କହିଛନ୍ତି। ଆଜି ଓୟୁଏଟି ପ୍ରାଣୀ ଅସ୍ଥି ଓ ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଇନ୍ଦ୍ରମଣୀ ନାଥ ହାତୀ ଛୁଆ ଗୋଡ଼ରେ ଲାଗିଥିବା ଷ୍ଟିଲ୍ କ୍ଲାମ୍ପ୍‌କୁ ଖୋଲି ଯାଞ୍ଚ କରିଥିଲେ। ଗୋଡ଼ର କ୍ଷତରେ ଆଉ ସଂକ୍ରମଣ ନଥିବା ଓ ଘା’ ଶୁଖିବା ଦେଖିବାକୁ ପାଇଥିଲେ। ଘା’ର ପରିଧି ବେଶ୍ କମିଥିବା ଦେଖିବାକୁ ମିଳିଥିଲା।
ସେହିଭଳି ଆଙ୍ଗୁଠିର ଭଙ୍ଗା ହାଡ଼ ମଧ୍ୟ ଯୋଡ଼ି ହେଉଥିବା ଦେଖାଯାଇଥିଲା। ଯାଞ୍ଚ ପରେ ଚିକିତ୍ସକମାନେ ପୁଣି କ୍ଷତରେ ଔଷଧ ଲଗାଇ କ୍ଲାମ୍ପିଂ କରିଥିଲେ। ଛୁଆ ହାତୀଟି ଏବେ ବିପଦମୁକ୍ତ ବୋଲି ଚିକିତ୍ସକମାନେ କହିଛନ୍ତି। ଆଜି ଛୁଆ ହାତୀର ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି. ନାୟର ଓ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତ ମାସରେ ବନ ବିଭାଗ କର୍ମଚାରୀମାନେ ଏହି ଛୁଆ ହାତୀଟି ଦଳ ଭିତରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀମାନେ ତା’ର ଚିକିତ୍ସା ପାଇଁ ପିଛା କରିଥିଲେ ହେଁ ଦଳ ଭିତରେ ଥିବାରୁ ସମ୍ଭବ ହୋଇନଥିଲା। ପ୍ରାୟ ୨ ଦିନ ପରେ ମା’ ହାତୀ ଓ ହାତୀ ପଲ ଅସୁସ୍ଥ ଛୁଆ ହାତୀକୁ ଜଙ୍ଗଲରେ ଏକୁଟିଆ ଛାଡ଼ି ପଳାଇଥିଲେ। ପିଛା କରୁଥିବା ବନ କର୍ମଚାରୀମାନେ ତାକୁ ଉଦ୍ଧାର କରି ନନ୍ଦନକାନନକୁ ଆଣିଥିଲେ।

Share Now:

Kalinga News Beuro

Next Post

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ୍‌ ଶର୍ମା

Fri Dec 15 , 2023
ଜୟପୁର: ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ରୂପେ ‘ବିଜେପି’ ବିଧାୟକ ଭଜନଲାଲ୍‌ ଶର୍ମା ଶପଥ ଗ୍ରହଣ କରିଛନ୍ତି। ପ୍ରଖ୍ୟାତ ଆଲ୍‌ବର୍ଟ ହଲ୍‌ରେ ରାଜ୍ୟପାଳ କଲରାଜ ମିଶ୍ରା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶର୍ମାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଦ୍ୟାଧର ନଗର ବିଧାୟିକା ଦୀୟା କୁମାରୀ ଓ ଦୂଦୂ ବିଧାୟକ ପ୍ରେମ୍‌ଚନ୍ଦ୍‌ ବୈର୍‌ୱା। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial