ୟୁନିଟ୍‌-୪ ସିଏଚ୍‌ସି :ଘୋଷଣାରେ ଅଟକିଛି ଅତ୍ୟାଧୁନିକ ପରୀକ୍ଷାଗାର

ଭୁବନେଶ୍ୱର : ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଅତ୍ୟାଧୁନିକ ପରୀକ୍ଷାଗାର ସହିତ ଚିକିତ୍ସା ସୁବିଧା ପାଇଁ ଏକ ନୂଆ ବିଲ୍‌ଡିଂ ନିର୍ମାଣ ପାଇଁ ନିଷ୍ପତ୍ତି ହେଲା। ଏହି ବିଲ୍‌ଡିଂରେ ଅଲଟ୍ରା ସାଉଣ୍ଡ, ଏକ୍ସରେ, ରକ୍ତ ସଂଗ୍ରହ ୟୁନିଟ୍‌, ପରୀକ୍ଷାଗାର ସହିତ ଟ୍ରେନିଂ ସେଣ୍ଟର୍‌ ଓ ସମ୍ମିଳନୀ କକ୍ଷ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା। ଏହି ନିଷ୍ପତ୍ତିକୁ ଦୁଇ ବର୍ଷ ହେଲାଣି ଅଥଚ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ଯୋଡ଼ି ହୋଇପାରିଲା ନାହିଁ। ଫଳରେ ପୁରୁଣା ବିଲ୍‌ଡିଂରେ ପୂର୍ବରୁ ରୋଗୀଙ୍କୁ ଯେଉଁ ସେବା ମିଳୁଥିଲା ଏବେ ସେତିକି ମିଳୁଛି। ୟୁନିଟ୍‌-୪ସ୍ଥିତ ସିଏଚ୍‌ସି ପରିସରରେ ଏକ ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ପରୀକ୍ଷାଗାର ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏହି ପରୀକ୍ଷାଗାର ରାଜ୍ୟ ପାଇଁ ଏକ ମଡେଲ ସିଏଚ୍‌ସି ପାଲଟିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଶା ରଖିଥିଲା। ମାତ୍ର ଏ ପର୍ଯ୍ୟନ୍ତ ଏହି ବିଲ୍‌ଡିଂ ଚିହ୍ନବର୍ଣ୍ଣ ନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଲ୍‌ଡିଂ ପାଇଁ ପ୍ରସ୍ତୁତ ହୋଇଥିବା ପ୍ଲାନ୍‌କୁ ଏ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିନାହିଁ। ଯାହାଫଳରେ ବିଲ୍‌ଡିଂ ନିର୍ମାଣ ହୋଇପାରୁନି। ୧୯୭୨ରେ ୟୁନିଟ-୪ ସିଏଚ୍‌ସିର ନିର୍ମାଣ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଡାକ୍ତରଖାନାରେ ଏକ୍ସରେ ସୁବିଧା ମିଳୁନାହିଁ। ରାଜ୍ୟ ସରକାର ଏହି ସିଏଚ୍‌ସିକୁ କେବଳ ମହିଳା ଓ ଶିଶୁଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରସବ ପାଇଁ ପଡ଼ୁଥିବା ଚାପକୁ କମାଇବାକୁ ୟୁନିଟ୍‌-୪ରେ ଅଧିକ ସଂଖ୍ୟାରେ ପ୍ରସବ ପାଇଁ ସରକାର ଗୁରୁତ୍ୱ ଦେଇଥିଲେ। ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡର ସୁବିଧା ନ ଥିବାରୁ ପ୍ରସୂତିଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌କୁ ଯିବାକୁ ପଡ଼ୁଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଡାକ୍ତରଖାନାରେ ନିଶ୍ଚେତକ ବିଶେଷଜ୍ଞ ନ ଥିବାରୁ ଜଟିଳ ଅସ୍ତ୍ରୋପଚାର ହୋଇପାରୁ ନାହିଁ। ଫଳରେ ଯେତିକି ସଂଖ୍ୟକ ପ୍ରସବ ହେବା କଥା ତାହା ହୋଇପାରୁ ନାହିଁ। ମାସକୁ ସର୍ବାଧିକ ୧୩/୧୫ ପର୍ଯ୍ୟନ୍ତ ପ୍ରସବ ହେଉଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଏହି ଡାକ୍ତରଖାନାକୁ କେବଳ ମହିଳା ଓ ଶିଶୁଙ୍କ ପାଇଁ ସଂରକ୍ଷିତ ରଖିଥିଲେ ତାହା କେବଳ ଘୋଷଣାରେ ରହିଯାଇଛି। ସେହିପରି ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ଶୌଚାଳୟରେ ତାଲା ଝୁଲୁଛି। ଯାହାଫଳରେ ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡାକ୍ତରଖାନାକୁ ନେଇ ହେଉଥିବା ବୈଠକରେ ଏକ ଅଲଟ୍ରାସାଉଣ୍ଡ ମେସିନ୍‌ ଯୋଗାଇ ଦେବା ପାଇଁ ଦାବି କରାଯାଇଛି। ମାତ୍ର ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଉନି। ତେଣୁ ଚିକିତ୍ସା ପାଇଁ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଯିବାକୁ ପଡ଼ୁଛି। ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମିନର୍ଭା ସାମଲଙ୍କ କହିବାନୁଯାୟୀ, ଏଠାରେ ଥିବା ପରୀକ୍ଷାଗାରରେ ସମ୍ପୂର୍ଣ୍ଣ ସୁବିଧା ମିଳିପାରୁ ନାହିଁ। ନୂଆ ବିଲ୍‌ଡିଂ ତିଆରି କରାଯିବା ପରେ ୩୦ଟି ଶଯ୍ୟା ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି। ମାତ୍ର ଏହି ବିଲ୍‌ଡିଂ ନିର୍ମାଣ ହୋଇ ନ ଥିବାରୁ ରୋଗୀମାନଙ୍କୁ ଅନ୍ତଃବିଭାଗ ବା ଆଇପିଡି ସେବା ମିଳିପାରୁ ନାହିଁ ବୋଲି ଡା.ସାମଲ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଇସିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ମାମଲା : ଓଡ଼ିଶାରୁ ୧୧୯ ଜଣଙ୍କ ଉପରୁ କଟକଣା ହଟିବ

Tue Sep 4 , 2018
ନୂଆଦିଲ୍ଲୀ : ଜାନୁଆରି ୨୦୨୧ ସୁଦ୍ଧା ଓଡ଼ିଶାରୁ ନିର୍ବାଚନ କମିସନ୍‌ (ଇସି)ଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୧୧୯ ଜଣଙ୍କ ଉପରୁ କଟକଣା ହଟିବ। ସେଥିମଧ୍ୟରୁ ଚଳିତ ବର୍ଷ ଶେଷସୁଦ୍ଧା ୯୬ ଜଣ, ୨୦୧୯ରେ ୮ ଜଣ, ୨୦୨୦ରେ ୮ ଜଣ ଏବଂ ୨୦୨୧ରେ ୭ ଜଣ ବ୍ୟକ୍ତିମାନଙ୍କ ଉପରୁ କଟକଣା ହଟିବ। ଗତ ୨୦୧୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏହି ବ୍ୟକ୍ତିମାନେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ କମିସନ୍‌ଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial