ଅନ୍ଧାରରେ ରିଂ ରୋଡ୍‌ ଭାଗ୍ୟ: ଭଙ୍ଗାଗଢ଼ାରେ ମାତିଛି ବିଡିଏ

୪ ଟିପି ସ୍କିମ୍‌ ଆଣ୍ଠେଇଛି, କଲଭର୍ଟ ଭାଙ୍ଗି ପୋଲ କରୁଛି

ଭୁବନେଶ୍ୱର: ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ୍‌ ଭିଡ଼କୁ ଆଖି ଆଗରେ ରଖି ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ରିଂ ରୋଡ୍‌ର ଯୋଜନା ହୋଇଛି। ୮ ବର୍ଷ ତଳୁ ଏହି ଯୋଜନା ହୋଇଥିଲେ ମଧ୍ୟ ଏହାର ଭାଗ୍ୟ ଏବେ ବି ଅନ୍ଧାରରେ ରହିଛି। ୬୪.୯୦ କି.ମିର ରିଂ ରୋଡ୍‌ କେବେ ବାସ୍ତବ ରୂପ ନେବ କାହା ପାଖରେ ହିସାବ ନାହିଁ। କେଉଁଠି ଜମି ଅଧିଗ୍ରହଣ ବାଧକ ସାଜିଥିବା ବେଳେ କେଉଁଠି ଅର୍ଥ ରାସ୍ତାରେ କଣ୍ଟା ହୋଇଥିବା ବିଡିଏ କହୁଛି। କିନ୍ତୁ ବାସ୍ତବରେ ବିଡିଏ ସ୍ୱୟଂ ଏହି ପ୍ରକଳ୍ପ ରାସ୍ତାରେ କଣ୍ଟା ହୋଇଛି। ପାଇକରାପୁର ଟିପି ସ୍କିମ୍‌ରେ ଏହି ରିଂ ରୋଡ୍‌ ନିର୍ମାଣ ପ୍ରସ୍ତୁତି ଚାଲିଥିବା ବେଳେ ଏକ କଲ୍‌ଭର୍ଟ ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହେବା ପରେ ଏହି କଲଭର୍ଟ ନିର୍ମାଣ ବାତିଲ ହୋଇଛି। ଏହା ଉପରେ ଏବେ ପୋଲ ହେବାକୁ ସ୍ଥିର କରାଯାଇଛି। ଫଳରେ ଏହି କଲ୍‌ଭର୍ଟରେ ଲାଗିଥିବା ଲୁହା ରଡ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। କଲଭର୍ଟରେ ଯଥେଷ୍ଟ ପରିମାଣର ପାଣି ନିଷ୍କାସନ ହୋଇ ପାରିବ ନାହିଁ ବୋଲି ଜଣାପଡ଼ିବା ପରେ ଏହାକୁ ବାତିଲ୍‌ କରାଯାଇ ପୋଲ ଯୋଜନା ହୋଇଛି। ତେବେ କଲଭର୍ଟ ଯୋଜନା ବେଳେ ବିଡିଏର କାହିଁକି ଏହି ଦୂରଦୃଷ୍ଟି ଅଭାବ ହୋଇଥିଲା ବା ଅଯଥା ଖର୍ଚ୍ଚ ପାଇଁ କେଉଁ ଅଧିକାରୀ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତାହା ତ ପର କଥା, କିନ୍ତୁ ବିଡିଏର ଏହି ଅଦୂରଦର୍ଶିତା ଯୋଗୁ ଏବେ ରିଂ ରୋଡ୍‌ ଭାଗ୍ୟ ଆହୁରି ଅନ୍ଧାରକୁ ଠେଲି ହୋଇଯାଇଛି।
ଟିପି ସ୍କିମ୍‌ କାର୍ଯ୍ୟକାରିତା ଉପରେ ଏହି ରିଂ ରୋଡ୍‌ ନିର୍ଭର କରୁଛି। ଟିପି ସ୍କିମ୍‌ରେ ଏହି ରାସ୍ତା ପାଇଁ ଜାଗା ରହିଛି। ୪୫ଟି ଟିପି ସ୍କିମ୍‌ ଯୋଜନା ରହିଛି। ଏହି ସ୍କିମ୍‌ ଶେଷ ହେଲେ ଯାଇ ରିଂ ରୋଡ୍‌ ସମ୍ଭବ ହେବ। ୪୫ ସ୍କିମ୍‌ରୁ ୪ଟି ସ୍କିମ୍‌କୁ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ଟିପି-୧ରେ ରହିଥିବା ପାଇକରାପୁର ମୌଜା ସ୍କିମ୍‌ରେ ୪ କୋଟି ୩ଲକ୍ଷ ବ୍ୟୟ ଅଟକଳ ରହିଥିବା ବେଳେ ସିଜିପୁଟ୍‌ରେ ୨ କୋଟି ୫୦, ନାରୋଗୋଦାରେ ୩୪ କୋଟି ୩୧, ସହଜପୁରରେ ୧୮କୋଟି ୮ ଲକ୍ଷ ବ୍ୟୟ ଅଟକଳ ରହିଛି। ସେହିଭଳି ଟିପି-୨ରେ ଥିବା ବିଜିପୁର ମୌଜାରେ ୨୬ କୋଟି ୬୮ ଓ ତମାଣ୍ଡୋରେ ୨୭କୋଟି ୭୪ଲକ୍ଷ ବ୍ୟୟ ଅଟକଳ ରହିଛି। ଟିପି-୩ରେ ଥିବା ପାଇକରାପୁରରେ ୨କୋଟି ୨୪ ଓ ନୂଆ ଗାଁରେ ୧କୋଟି ୯୦ ଲକ୍ଷ ଏବଂ ଟିପି-୪ରେ ଥିବା ଶ୍ୟାମସୁନ୍ଦରପୁରରେ ୩କୋଟି ୫ ଲକ୍ଷ୍ୟ ବ୍ୟୟ ଅଟକଳ କରାଯାଇଛି। ଏହି ୪ଟି ପ୍ରକଳ୍ପ ଆଧାରରେ ରିଂ ରୋଡ୍‌କୁ ମଧ୍ୟ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ତମାଣ୍ଡୋ-ଚନ୍ଦକା ଜୋନ୍‌-୧ରେ ୧୩ଟି ରାଜସ୍ୱ ଗ୍ରାମ ରହିଥିବା ବେଳେ ୧୫ କିମି, ଚନ୍ଦକା-ପାହାଳ ଜୋନ୍‌ରେ ୧୫ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ୧୭.୭୫ କିମି, ଏନ୍‌ଏଚ୍‌ ୧୬-ଏନ୍‌ଏଚ୍‌୩୧୬ ଜୋନ୍‌ରେ ୮ ରାଜସ୍ୱ ଗ୍ରାମରେ ୧୫.୫୨ କିମି ଓ ଧଉଳି-ତମାଣ୍ଡୋ ଜୋନ୍‌ରେ ୨୨ ରାଜସ୍ୱ ଗ୍ରାମରେ ୧୬.୬୩ କିମି ରିଂ ରୋଡ୍‌ର ପରିକଳ୍ପନା କରାଯାଇଛି।
ରିଂ ରୋଡ୍‌ ୬୦ମିଟର ଓସାରରେ ପ୍ରାୟ ୬୫ କିମିର ହେବ। ଏହା ଉତ୍ତରରେ ନନ୍ଦନକାନନ ନିକଟବର୍ତ୍ତୀ ଦାରୁଠେଙ୍ଗ, ରଘୁନାଥପୁର, ଶ୍ୟାମପୁରକୁ ଛୁଉଁଥିବାବେଳେ ପୂର୍ବରେ ହଂସପାଳ, ରୁଦ୍ରପୁର, ପାଣ୍ଡରା, କୋରଡ଼କଣ୍ଟାକୁ ଛୁଇଁବ। ଦକ୍ଷିଣରେ ଲିଙ୍ଗିପୁର, ଗୋପିନାଥପୁରକୁ ଛୁଇଁବ। ପଶ୍ଚିମରେ ତମାଣ୍ଡୋ, ପାଇକରାପୁର, ନାରଗୋଦା, ସିଜିପୁଟ, ସହଜପୁର ଅଞ୍ଚଳ ଦେଇ ଯିବ। ଏହି ପ୍ରକଳ୍ପ ପାଇଁ ୧୨୦୦ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏଥିପାଇଁ ୭୬୦ଏକର ଜମି ଅଧିଗ୍ରହଣ ହେବ। ଯେଉଁ ଅଞ୍ଚଳରେ ଜମି ଅଧିଗ୍ରହଣ ବାଧକ ସାଜିବ ସେଠାରେ ବିଡିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଟାଉନ୍‌ ପ୍ଲାନିଂ ସ୍କିମ୍‌ ଜରିଆରେ ରାସ୍ତା ପାଇଁ ଜମି ବାହାରିବ। ଟିପି ସ୍କିମ୍‌ର ସଫଳତା ଉପରେ ଏହି ରିଂ ରୋଡ୍‌ର ଭାଗ୍ୟ ନିର୍ଭର କରୁଛି। କିନ୍ତୁ ଟିପି ସ୍କିମ୍‌ ବିଡିଏର ଅପାରଗତା ଯୋଗୁ ଆଣ୍ଠେଇଛି। ପାଇକରାପୁରରେ କଲଭର୍ଟକୁ ପୋଲରେ ରୂପାନ୍ତରଣ ପାଇଁ ପ୍ରକଳ୍ପ ବେଶ୍‌ କିଛି ଦିନ ବିଳମ୍ବ ହୋଇଯାଇଥିବା ବେଳେ ଅଯଥା ଅର୍ଥ ଖର୍ଚ୍ଚ ହୋଇଛି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ

Tue Dec 26 , 2023
ଭୁବନେଶ୍ୱର : ଆଗାମୀ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ମୁଖ୍ୟମନ୍ତ୍ରୀ ବି ମୁଠାଏ ଚାଉଳ ଗୁଆ ଦେଇଥିଲେ। ସମସ୍ତେ ଚାଉଳ ଓ ଗୁଆ ଦିଅନ୍ତୁ। ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୂଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ। ସମସ୍ତେ ଜଗନ୍ନାଥ ପ୍ରେମୀ ଯୋଗ ଦିଅନ୍ତୁ। ଜଗନ୍ନାଥଙ୍କ ବିନା ଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial