ଖଣ୍ଡଗିରି ଟ୍ରିପଲ୍‌ ମର୍ଡର ମାମଲା‌ : ୧୦ ବର୍ଷ ପରେ ଆସାମୀକୁ ଆଜୀବନ ସଜା

ଭୁବନେଶ୍ୱର: ୧୦ ବର୍ଷ ପରେ ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ୍‌ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ଭୁବନେଶ୍ୱର ଏଡିଜେ-୧ କୋର୍ଟ ବିଚାରପତି ଜଷ୍ଟିସ୍‌ ଦେବାଶିଷ ରାଉତ ଆସାମୀ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ସ୍ନେହସ୍ୱାକ୍ଷର ସାମଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଜରିମାନା କରାଯାଇଛି ଏବଂ ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ହତ୍ୟାକାରୀ ସ୍ନେହସ୍ୱାକ୍ଷର ଛୁରି ଭୁସି ଡା. ଅତୁଲ୍ୟ ମେହେର, କେୟାର୍‌ଟେକର ପ୍ରଶାନ୍ତ ବେହେରା ଓ ପ୍ରଶାନ୍ତଙ୍କ ୧୪ ବର୍ଷୀୟ ନାବାଳକ ପୁଅ ମିନୁଙ୍କୁ ହତ୍ୟା କରିଥିଲା। ଶୁଣାଣି ବେଳେ ସେ ନିଜକୁ ମାନସିକ ବିକାରଗ୍ରସ୍ତ ବୋଲି ପ୍ରମାଣ କରିବାକୁ ବହୁ ଚେଷ୍ଟା କରିଥିଲା। କିନ୍ତୁ ବିଚାରପତିଙ୍କୁ ଯଥେଷ୍ଟ ପ୍ରମାଣ ଦେଇପାରିନଥିଲା। ୨୬ ଜଣ ସାକ୍ଷୀ ଓ ୬୪ ଦସ୍ତାବିଜ୍‌କୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। ପବ୍ଲିକ ପ୍ରସିକ୍ୟୁଟର୍‌ ଚନ୍ଦ୍ରକାନ୍ତ ଦାସ ମାମଲା ପରିଚାଳନା କରିଥିଲେ।
 ସେହି ଅଶୁଭ ସକାଳର ଅଘଟଣ
୨୦୧୪ ଅକ୍ଟୋବର ୧୪। ସମୟ ସକାଳ ସାଢ଼େ ୭ଟା। ହଠାତ୍ ଖଣ୍ଡଗିରି ଅଞ୍ଚଳରେ ଖେଳିଯାଇଥିଲା ଏକ ଚାଞ୍ଚଲ୍ୟକର ତଥା ଛାତିଥରା ହତ୍ୟାକାଣ୍ଡର ଖବର। ଖଣ୍ଡଗିରି ପାହାଡ଼ ପାଦଦେଶରେ ପାନ୍ଥିକା ନିକଟରେ ରହୁଥିବା ଶିଶୁରୋଗ ବିଶେଷଜ୍ଞ ଡା. ଅତୁଲ୍ୟ ମେହେରଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ଡା. ମେହେରଙ୍କ ସମେତ ୩ ଜଣଙ୍କୁ ହତ୍ୟା କରିଥିବା ଖବରଟି ବିଜୁଳି ବେଗରେ ଖେଳିଯାଇଥିଲା। ହତ୍ୟାକାରୀ ମଧ୍ୟ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ିଛି ବୋଲି ଖବର ପ୍ରଚାରିତ ହୋଇଥିଲା। ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଘଟଣାସ୍ଥଳକୁ ଛୁଟିଥିଲେ। ସିସିଟିଭି ଫୁଟେଜ୍‌ରୁ ମିଳିଥିବା ଦୃଶ୍ୟ ଅନୁସାରେ ସକାଳ ପ୍ରାୟ ୭ଟା ବେଳେ ଆସାମୀ ସ୍ନେହସ୍ୱାକ୍ଷର ଡା. ମେହେରଙ୍କ ଘରର ମୁଖ୍ୟ ଫାଟକ ବାଡ଼େଇଥିଲା। କେୟାର୍‌ଟେକର ପ୍ରଶାନ୍ତ ଗେଟ୍‌ ଖୋଲି ପରିଚୟ ମାଗିଥିଲା। ସେ ଜଣେ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ବୋଲି ସ୍ନେହସ୍ୱାକ୍ଷର କହିଥିଲା। ହାତରେ ଫୁଲତୋଡ଼ା ଥିବାରୁ ପ୍ରଶାନ୍ତ କୌଣସି ପ୍ରକାର ସନ୍ଦେହ କରିପାରିନଥିଲେ। ତେଣୁ ସେ ଗେଟ୍‌ ଖୋଲି ଦେଇ ଡାକ୍ତରଙ୍କ କୋଠା ପଛ ପାର୍ଶ୍ବରେ ରହୁଥିବା ତାଙ୍କ ରୁମ୍‌କୁ ଚାଲିଯାଇଥିଲେ। ବାଲ୍‌କୋନି ତଳେ ଠିଆ ହୋଇ ସ୍ନେହସ୍ବାକ୍ଷର କଲିଂ ବେଲ୍ ମାରିଥିଲା। କଲିଂ ବେଲ୍ ଶବ୍ଦ ଶୁଣି ଡା. ମେହେର, ତାଙ୍କ ପତ୍ନୀ ଓ ବୃଦ୍ଧା ମା’ ଉପରମହଲାରୁ ଶିଡ଼ି ଦେଇ ତଳକୁ ଆସିଥିଲେ। ଡା. ମେହେରଙ୍କୁ ଦେଖିବା ମାତ୍ରେ ସ୍ନେହସ୍ୱାକ୍ଷର ତାଙ୍କ ହାତକୁ ଫୁଲତୋଡ଼ାଟି ବଢ଼ାଇଥିଲା। ଏହାପରେ ସେ କାନ୍ଧରେ ପକାଇଥିବା ବ୍ୟାଗ୍‌ରୁ ଏକ ଛୁରି ବାହାର କରିଥିଲା। ଏହାଦେଖି ଡା. ମେହେର ଘଟଣା କ’ଣ ବୋଲି ପଚାରିବା ବେଳେ ସେ ତାଙ୍କ ବାନିୟନ୍‌ କଲାର୍‌କୁ ଧରିଥିଲା। ସେ ଛୁରି ଭୁସି ଦେବ ବୋଲି ଆଶଙ୍କା କରି ଡା. ମେ‌ହେରଙ୍କ ସ୍ତ୍ରୀ ଓ ମା’ କାକୁତିମିନତି ହୋଇଥିଲେ। କିନ୍ତୁ ଅବିଚଳିତ ସ୍ନେହସ୍ୱାକ୍ଷର ତାଙ୍କ ପତ୍ନୀଙ୍କୁ ପାଣି ମାଗିଥିଲା ଏବଂ ପାଣି ପିଇବା ପରେ ତାଙ୍କ ସ୍ବାମୀଙ୍କୁ ଛାଡ଼ିଦେବ ବୋଲି କହିଥିଲା। ବିକଳରେ ଡାକ୍ତରଙ୍କ ପତ୍ନୀ ପାଣି ଗ୍ଲାସ ଆଣି ତାକୁ ବଢ଼ାଇଥିଲେ। ପାଣି ପିଇବା ପରେ ସ୍ନେହସ୍ୱାକ୍ଷର ଡା. ମେହେରଙ୍କ ପେଟକୁ ବାରମ୍ବାର ଛୁରିରେ ଭୁସି ଚାଲିଥିଲା। ପ୍ରାୟ ୫/୬ ଥର ଛୁରିରେ ଭୁସିଦେଇଥିଲା। ଡା. ମେହେର ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ। ଏହାଦେଖି ଡାକ୍ତରଙ୍କ ପତ୍ନୀ ଓ ମା’ ଚିତ୍କାର କରିବା ପରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ସେମାନଙ୍କ ଚିତ୍କାର ଶୁଣି ଘର ପଛପଟୁ କେୟାର୍‌ଟେକର୍‌ ପ୍ରଶାନ୍ତ, ତାଙ୍କ ପୁଅ ମିନୁ ଓ ସ୍ତ୍ରୀ ରୁନୁ ଧାଇଁ ଆସିଥିଲେ। ପ୍ରଶାନ୍ତ ଓ ମିନୁ ହତ୍ୟାକାରୀ ସ୍ନେହସ୍ବାକ୍ଷରକୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ରକ୍ତମୁଖା ହୋଇପଡ଼ିଥିବା ସ୍ନେହସ୍ୱାକ୍ଷର ସେମାନଙ୍କୁ ବି ବଡ଼ ନିର୍ମମ ଭାବେ ଛୁରି ଭୁସି ଦେଇଥିଲା। ପ୍ରଶାନ୍ତଙ୍କ ସ୍ତ୍ରୀ ରୁନୁ ସ୍ବାମୀ ଓ ପୁଅକୁ ବଞ୍ଚାଇବାକୁ ଯାଇ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସ୍ନେହସ୍ବାକ୍ଷର ଘରୁ ବାହାରିଯାଇଥିଲା। କିନ୍ତୁ ରକ୍ତାକ୍ତ ଅବସ୍ଥାରେ ବି ରୁନୁ ତାକୁ ପିଛା କରିବା ସହ ଲୋକଙ୍କୁ ଡାକ ପକାଇଥିଲେ। ରୁନୁଙ୍କଠାରୁ ଘଟଣା ଜାଣିବା ପରେ ଜଣେ ବାଇକ୍‌ ଆରୋହୀ ସ୍ନେହସ୍ୱାକ୍ଷରକୁ ପିଛା କରି ସ୍ଥାନୀୟ ଲୋକଙ୍କ ସହଯୋଗରେ ତାକୁ ଜୈନ ମଠ ପାଖରେ କାବୁ କରିଥିଲେ। ପୁଲିସ ଜେରା କଲା ବେଳେ ସ୍ନେହସ୍ବାକ୍ଷର ଡା. ମେହେରଙ୍କୁ ପୂର୍ବ ରାଗରୁ ହତ୍ୟା କରିଥିବା ସ୍ବୀକାର କରିଥିଲା। କେୟାରଟେକର୍‌ ଓ ତାଙ୍କ ପୁଅ ତାକୁ ଓଗାଳିବାରୁ ସେ ସେମାନଙ୍କୁ ଆକ୍ରମଣ କରିଥିଲା ବୋଲି କହିଥିଲା। ସେ ତା’ ଝିଅର ଚିକିତ୍ସା ପାଇଁ ଡା. ମେହେରଙ୍କ ପାଖକୁ ଦୁଇ ତିନି ଥର ଆସିଥିଲା। ପ୍ରତିଥର ଡା. ମେହେର ବହୁ ପରୀକ୍ଷା କରାଉଥିଲେ ଏବଂ ଅଯଥାରେ ଗୁଡ଼ାଏ ଔଷଧ ଲେଖିଦେଉଥିଲେ। କିନ୍ତୁ ଝିଅର ସ୍ବାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ହେଉନଥିଲା। ଜଣେ ଶିଶୁରୋଗ ବିଶେଷଜ୍ଞ ହୋଇ ବି ତା’ ଝିଅକୁ ଭଲ କରିପାରୁନଥିବାରୁ ସେ ରାଗି ଯାଇଥିଲା। ଏମିତିକି ଡାକ୍ତର ତାକୁ ଶୋଷଣ କରୁଛନ୍ତି ବୋଲି ସେ ତାଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିଲା।
 ଫାଶୀ ଦଣ୍ଡ ବି କମ୍ ହୋଇଥାଆନ୍ତା
ଘଟଣାର ୧୦ ବର୍ଷ ପରେ ଆସାମୀକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କିନ୍ତୁ ଏଥିରେ ଖୁସି ହୋଇ ପାରିନାହାନ୍ତି ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ ରୁନୁ। ସ୍ୱାମୀ ଓ ପୁଅକୁ ହରାଇଥିବା ରୁନୁ ଏବଂ ଡା. ମେହେରଙ୍କ ବୃଦ୍ଧା ମା’ ଓ ପତ୍ନୀ ୧୦ ବର୍ଷ ହେଲା ଦାରୁଣ ଯନ୍ତ୍ରଣା ଭିତରେ କାଳକାଟୁଛନ୍ତି। ତେଣୁ ଆସାମୀ ସ୍ନେହସ୍ୱାକ୍ଷରକୁ ଫାଶି ଦଣ୍ଡ ମିଳିଥିଲେ ବି କମ୍ ହୋଇଥାଆନ୍ତା ବୋଲି ରୁନୁ ପ୍ରତିକ୍ରିୟାରେ କହିଛନ୍ତି।

Share Now:

Kalinga News Beuro

Next Post

ଖଣ୍ଡାଚୋଟରେ ଯୁବକ ଗୁରୁତର: ମଦନପୁରରେ ୪ ଦୁର୍ବୃତ୍ତଙ୍କ ଆତଙ୍କରାଜ

Sat Feb 17 , 2024
ମେଣ୍ଢାଶାଳ: ଆଜି ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ୪ ଅପରିଚିତ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ସେହି ଗାଁର ଲିଙ୍କନ୍ ବଳିୟାରସିଂହ ଓରଫ୍‌ ବାପିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ବାପିଙ୍କ ଗୋଡ଼, ହାତ ଓ ଛାତି‌ରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଏବଂ ସେ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଏହି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଠାବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial