ନାହିଁ ନାହିଁରେ ବିଏମ୍‌ସି ହସ୍ପିଟାଲ : ମେସିନ୍‌ ନାହିଁ କି ଡାକ୍ତର ନାହାନ୍ତି

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ କୌଣସି ଗୁଣରେ ଅଧିକ ନୁହେଁ

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବହୁ ପୁରାତନ ବିଏମ୍‌ସି ହସ୍ପିଟାଲର ସମସ୍ୟା ପିଛା ଛାଡୁନି। ଗୋଟିଏ ପଟେ ଉପଜିଲ୍ଲା ଡାକ୍ତରଖାନା (ଏସ୍‌ଡିଏଚ୍) ମାନ୍ୟତା ପାଇ ପାରୁନଥିବା ବେଳେ ରୋଗୀସେବା ପାଇଁ ଅନେକ ମେସିନ୍‌ ନାହିଁ କି ଡାକ୍ତର ନାହାନ୍ତି। ସପ୍ତାହକୁ ୬ଦିନ କେବଳ ୯ରୁ ୧୨ଟା ଓଟି(ଅପରେସନ୍‌ ଥିଏଟର) ଚାଲୁଥିବା ବେଳେ ୫ବର୍ଷ ହେଲା ହୃଦ୍‌ରୋଗ ବିଭାଗ ପାଇଁ ତିଆରି ହୋଇଥିବା କୋଠାରେ ଚକ୍ଷୁ ବିଭାଗ, ଦନ୍ତ ବିଭାଗ, କର୍ଣ୍ଣ, ନାସା, ଗଳା ବିଭାଗ ଓ ପାଥୋଲୋଜି ବିଭାଗ ଚାଲୁଛି। ଏଣ୍ଡୋସ୍କୋପି ଓ ଲାପ୍ରୋସ୍କୋପି ମେସିନ୍‌ ୭-୮ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ଚର୍ମ ବିଭାଗ ମଧ୍ୟ ନାହିଁ କହିଲେ ଚଳେ। ୧୦୮ ଶଯ୍ୟାରୁ ଏବେ ମାତ୍ର ୫୬ଟି ଶଯ୍ୟା କାର୍ଯ୍ୟକ୍ଷମ ଅଛି। ହସ୍ପିଟାଲଟି ଏମିତି ଅନେକ ସମସ୍ୟା‌ରେ ଛନ୍ଦି ହୋଇଛି। ଏକଦା ଭଲ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଓ ଟେକ୍‌ନିସିଆନ ରହୁଥିବାରୁ ଏଠାରେ ଗର୍ଭବତୀଙ୍କର ଭିଡ଼ ହେଉଥିଲା। ସୁରକ୍ଷିତ ପ୍ରସବ ପାଇଁ ମଧ୍ୟ ଉଚିତ ପରାମର୍ଶ ପାଇଁ ଏଠାରେ ଦିନକୁ ୨୦ରୁ ଊର୍ଦ୍ଧ୍ବ ଗର୍ଭବତୀ ହସ୍‌ପିଟାଲ୍‌ ଆସୁଥିଲେ। ବାହାରେ ଅଲ୍ଟ୍ରାସାଉଣ୍ଡ ପାଇଁ ଗର୍ଭବତୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବାରୁ ବିଶେଷକରି ଏଠାରେ ଅଲ୍ଟ୍ରାସାଉଣ୍ଡ ପାଇଁ ଅଧିକ ଭିଡ଼ ହେଉଥିଲା। ହେଲେ ଅଭିଜ୍ଞ ଡାକ୍ତର ଓ ଟେକ୍ନିସିଆନ୍‌ ଅଭାବ ଯୋଗୁ ଅଲ୍‌ଟ୍ରାସାଉଣ୍ଡ ମେସିନ୍‌ ଖରାପ ହୋଇଗଲା। ଯେତେବେଳେ ଡାକ୍ତର ଓ ଟେକ୍‌ନିସିଆନ୍‌ ଆସିଲେ ସେତେବେଳକୁ ଆଉ ମେସିନ୍‌ ସଚଳ ନଥିଲା। ‌ମେସିନ୍‌ ନଥିବାରୁ ଡାକ୍ତର ମଧ୍ୟ ରହିଲେ ନାହିଁ। ପ୍ରତ୍ୟେକ ଦିନ ଗର୍ଭବତୀ ଏଠାରୁ ଆସି ହତାଶ ହୋଇ ଫେରିବା ଦେଖା ଯାଇଥିଲା। ଏହାକୁ ନେଇ ପ୍ରତ୍ୟେକ ଦିନ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଥିଲା। ବିଏମ୍‌ସି ନିଜ ଖର୍ଚ୍ଚରେ ଏକ ଅଲ୍ଟ୍ରାସାଉଣ୍ଡ ମେସିନ୍‌ ଆଣିବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା।
ଏହି ପ୍ରସ୍ତାବ କର୍ପୋରେସନ ‌ବୈଠକରେ ମଞ୍ଜୁରୀ ପାଇବା ପରେ ଗତ ମାସରେ ବିଏମ୍‌ସି ଏହି ମେସିନ୍‌ ଯୋଗାଇବା ପାଇଁ ଠିକା ସଂସ୍ଥା ଚୟନ କରିବାକୁ ଟେଣ୍ଡର ଡାକିଥିଲା। ଟେଣ୍ଡର ପକାଇବା ଅବଧି ଗତ ୭ ତାରିଖ ରହିଥିଲା। ଟେଣ୍ଡର ଖୋଲାଯିବା ସହ ପ୍ରତ୍ୟେକ ଠିକା ସଂସ୍ଥାଙ୍କର କାଗଜପତ୍ର ଯାଞ୍ଚ କରାଯାଇଛି। ଖୁବ୍‌ଶୀଘ୍ର ଠିକା ସଂସ୍ଥା ଚୟନ କରାଯାଇ ଏକ ଅତ୍ୟାଧୁନିକ ମେସିନ୍‌ ଏହି ହସ୍‌ପିଟାଲ୍‌କୁ ଯୋଗାଇ ଦିଆଯିବ ବୋଲି ବିଏମ୍‌ସି କହିଛି। ୨୧ ଇଞ୍ଚର ଏଲ୍‌ଇଡି ଡିସ୍‌ପ୍ଲେ ସହ ଟଚ୍‌ ସ୍କ୍ରିନ୍‌ କଣ୍ଟ୍ରୋଲ୍‌ ପ୍ୟାନେଲ୍‌ ରହିଛି। ୫ ବର୍ଷ ପର୍ଯ୍ୟନ୍ତ ଠିକା ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବ ବୋଲି କୁହାଯାଇଛି। ନୂଆ ଅଲ୍ଟ୍ରାସାଉଣ୍ଡ ମେସିନ ଆସିଲେ ଚିକିତ୍ସା ସେବା ତ୍ୱରାନ୍ୱିତ ହୋଇପାରିବ। କିନ୍ତୁ ଅଭିଜ୍ଞ ଡାକ୍ତର ନଥିବାରୁ ମେସିନ୍‌ କାମରେ ଲାଗିବ ନାହିଁ। ଚିକିତ୍ସାଳୟ ସୁରକ୍ଷା କମିଟି ଉପସଭାପତି ମଦନ ମୋହନ ପ୍ରଧାନ କହିଛନ୍ତି, ଏହି ମେସିନ୍‌ ଚଳାଇବାକୁ ଜଣେ ଡାକ୍ତର ଆବଶ୍ୟକ। ସରକାର ପ୍ରଥମେ ଡାକ୍ତର ନିଯୁକ୍ତି ଦିଅନ୍ତୁ। ହୃଦ୍‌ରୋଗ ବିଭାଗ ଖୋଲାଯିବା ପାଇଁ ଗତ ୫ବର୍ଷ ତଳେ କୋଠା ଉଦ୍‌ଘାଟନ ହେଲା। ହେଲେ କୌଣସି ହୃଦ୍‌ରୋଗ ବିଭାଗ ଡାକ୍ତରଙ୍କ ଦେଖାନାହିଁ। କର୍ପସ ପାଣ୍ଠିରେ ଏହି ଦୁଇ ବିଭାଗରେ ଡାକ୍ତର ନିଯୁକ୍ତି ପାଇଁ ବିଏମ୍‌ସି ଯୋଜନା କରିଥିଲା। ଏହା ହୋଇ ପାରିନାହିଁ। ଏବେ ଏହା ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ କୌଣସି ଗୁଣରେ ବି ଅଧିକ ନୁହେଁ। ଆସୁଥିବା ଅଧିକାଂଶ ରୋଗୀଙ୍କୁ ଅନ୍ୟତ୍ର ରେଫର୍‌ କରାଯାଉଛି। ସାମାନ୍ୟ ସର୍ଜରି ପାଇଁ ବି ରେଫର୍‌ କରି ଦିଆଯାଉଛି। ଏହା କେବଳ ଏକ ରେଫ୍‌ରାଲ୍‌ ହସ୍‌ପିଟାଲ୍‌ ହୋଇ ରହିଯାଇଛି।

Share Now:

Kalinga News Beuro

Next Post

ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ : ଓଡ଼ିଶାରେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଭୋଟ ଗ୍ରହଣ,ଜୁନ ୪ରେ ଗଣତି

Sat Mar 16 , 2024
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଜୁନ ୪ରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial