ଏକାଧିକ କାର-ବାଇକ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌ : ୫ ଜଣ ଆହତ

ଟ୍ରକ୍‌ ଚାଳକଙ୍କୁ ନିର୍ଦ୍ଧୁମ ଛେଚିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର: କମିସନରେଟ୍‌ ପୁଲିସ ଅଧୀନ ମଞ୍ଚେଶ୍ୱର ଥାନା ନିକଟରେ ଆଜି ଅପରାହ୍‌ଣରେ ସିରିଜ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ପଳାଶୁଣୀ ଛକରେ ୨ଟି କାର୍‌ ଓ ୨ଟି ବାଇକ୍‌କୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ରସୁଲଗଡ଼ ପାର୍ଶ୍ଵରୁ କଟକ ଅଭିମୁଖେ ଏକ ଟ୍ରକ୍‌ ଯାଉଥିଲା। ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ୍‌ ଯେଉଁଠି ସରିଛି, ଏହାର ନିକଟରେ ପ୍ରଥମେ ଗୋଟିଏ କାରକୁ ଟ୍ରକ୍‌ଟି ଧକ୍କା ଦେଇଥିଲା। ଏଥିରେ କାର୍‌ଟି ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ପରେ ଚାଳକ ଟ୍ରକ୍‌ ନେଇ ଫେରାର ହେଉଥିବା ବେଳେ ଅନ୍ୟ ଗୋଟିଏ କାର, ବୁଲେଟ ଓ ସ୍କୁଟିକୁ ଧକ୍କା ଦେଇଥିଲା। ଏହି ସିରିଜ ଦୁର୍ଘଟଣାରେ ମୋଟ ୫ ଜଣ ଆହତ ହୋଇଛନ୍ତି।
ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଜବତ କରିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ତେବେ ଦୁର୍ଘଟଣା ପରେ ଫେରାର ହେଉଥିବା ଚାଳକଙ୍କୁ ସ୍ଥାନୀୟ ଲୋକେ ଧରି ନିର୍ଦ୍ଧୁମ ଛେଚିଥିଲେ। ଏହି ସରିଜ୍‌ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଫୁଟ୍‌ ଓଭର ବ୍ରିଜ୍‌ ଦାବିରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। କମିସନରେଟ୍‌ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ରାସ୍ତାରୁ ହଟାଇଥିଲା। ଏଥିସହ ପ୍ରତିବାଦ କରୁଥିବା ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୬ ମାସରେ ପଳାଶୁଣି ଛକରେ ଏକାଧିକ ଦୁର୍ଘଟଣା ଘଟିଛି। କିଛି ମାସ ପୂର୍ବରୁ ପଳାଶୁଣୀ ଛକରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁର୍ଘଟଣାଗୁଡ଼ିକରେ ମଧ୍ୟ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାରମ୍ୱାର ସେହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଦାବି ହେଉଥିଲା। ଏଥିପାଇଁ ସାଂସଦ ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଥିଲା। ହେଲେ ସ୍ଥାନ ନିରୁପଣ ହୋଇପାରୁନଥିବାରୁ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ହୋଇପାରୁନଥିବା ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା : ୩ଅଟକ

Fri Jun 14 , 2024
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତ ଯୁବକ ପୁରୁଣାଡିହ ଯୋଗୀ ସାହିର ଅଚ୍ୟୁତାନନ୍ଦ ନାଥ। ଅଚ୍ୟୁତାନନ୍ଦ ଘରକୁ ଗାଧୋଇ କରି ଫେରୁଥିବା ବେଳେ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।ଖବର ପାଇ ପରଜଙ୍ଗ ପୁଲିସ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial