ଇଭିଏମ୍ ଯାଞ୍ଚ ପାଇଁ ଦୀପାଳିଙ୍କ ଆବେଦନ

ଝାରସୁଗୁଡ଼ା: ଚଳିତ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ ଭୋଟ୍‌ ଗଣତିରେ ବା ନିର୍ବାଚନରେ ଇଭିଏମ୍‌ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ଏଥିପାଇଁ ସେ ଆବଶ୍ୟକ ଫି’ ମଧ୍ୟ ଜମା କରିଥିବା ବେଳେ ଆବେଦନପତ୍ରକୁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଛି। ସେଠାରୁ ପୁଣି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମଞ୍ଜୁର ହେବା ପରେ ଇଭିଏମ୍‌ର ପୁନଃ ଯାଞ୍ଚ ପାଇଁ ଅନୁମତି ଆସିବ ବୋଲି ସୂଚନା ମିଳିଛି। ଚଳିତ ନିର୍ବାଚନର ଭୋଟ୍‌ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍‌ର ପୁନଃ ଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା। ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଛନ୍ତି। ପ୍ରତିଟି ସେଟ୍‌ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଛନ୍ତି। ତେବେ ନିର୍ବାଚନ କମିସନଙ୍କଠାରୁ ମଞ୍ଜୁରି ଆସିଲେ ଏକ ଇଞ୍ଜିନିୟରିଂ ଟିମ୍‌ର ଉପସ୍ଥିତିରେ ଏହି ୧୩ ସେଟ୍‌ ଇଭିଏମ୍‌ ଓ ଭିଭିପିଏଟିର ଯାଞ୍ଚ କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୨୫୭ଟି ବୁଥ ପାଇଁ ୧୯ ରାଉଣ୍ଡରେ ଭୋଟ୍‌ ଗଣତି ହୋଇଥିଲା। ଏଥିରେ ୧୦୯ଟି ବୁଥରେ ବିଜେଡି ଆଗୁଆ ଥିବା ବେଳେ ୧୪୭ଟି ବୁଥରେ ବିଜେପି ଆଗୁଆ ରହିଥିଲା। ଗୋଟିଏ ବୁଥରେ ବିଜେଡି-ବିଜେପି ଭୋଟ୍‌ ହାର ସମାନ ରହିଥିଲା। ତେବେ ଝାରସୁଗୁଡ଼ା ମ୍ୟୁନିସିପାଲଟିର ୧ ନମ୍ବର ୱାର୍ଡ ଅର୍ଥାତ୍‌ ସରବାହାଲରେ ଖୋଦ୍‌ ଦୀପାଳିଙ୍କ ଘର ଥିବା ବେଳେ ଏହି ୱାର୍ଡରେ ମଧ୍ୟ ବିଜେପି ୩୬୭ ଭୋଟ୍‌ରେ ଆଗୁଆ ରହିଥିଲା। ଯାହାକୁ ନେଇ ବିଜେଡି ସମର୍ଥକମାନେ ଇଭିଏମ୍‌କୁ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଏହି ଘଟଣା ପରେ ବିଜେଡି ପକ୍ଷରୁ ଇଭିଏମ୍‌ ଯାଞ୍ଚ ଆବେଦନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ଆଜି ପହିଲି ରଜ: ଲାଗିଲା ପାଦରେ ଅଳତା ହାତରେ ମେହେନ୍ଦୀ

Fri Jun 14 , 2024
ଭୁବନେଶ୍ୱର: ହାତରେ ଲଗାସରିଲାଣି ବିଭିନ୍ନ ଡିଜାଇନ୍‌ର ମେହେନ୍ଦୀ। କିଏ ଆରବିକ୍‌ ଷ୍ଟାଇଲ୍‌ରେ ମେହେନ୍ଦୀ ଲଗେଇ ହାତକୁ ସଜେଇଛି ତ କିଏ ‌ମରୋକ୍କାନ ଷ୍ଟାଇଲ୍‌ରେ। ପୁଣି କିଏ ଡ୍ରେସ୍‌କୁ ମାନିବା ଭଳି ଭାରତୀୟ ମଣ୍ଡଳ ଡିଜାଇନ୍‌ର ମେହେନ୍ଦୀ ଲଗାଇଛି। ମେହେନ୍ଦୀର ଧିମାବାସ୍ନା ହୃଦୟକୁ ଆନମନା କଲାଣି। ଭଲରଙ୍ଗ ଆସିବାକୁ ଘରେ ଘରେ କସରତ ଚାଲିଛି। ପାଦରେ ଅଳତା ସହିତ ଫେସିଆଲ୍‌, ମେନିକିୟୋର୍‌, ପେଡିକିୟୋର, ଆଇବ୍ରୋ ଓ ବିଭିନ୍ନ ଷ୍ଟାଇଲ୍‌ର କେଶକଟାରେ କୁଆଁରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial