ଦୂଷିତ ଦୟାରେ ମରିଯାଉଛନ୍ତି ମାଛ : ଗଙ୍ଗୁଆ ଦୂଷିତ କରୁଥିଲା, ଏବେ ବୋମା ବିଷାକ୍ତ କରୁଛି

ଜଟଣୀ: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଡ୍ରେନ୍‌ ପାଣି ଗଙ୍ଗୁଆ ନାଳକୁ ଛଡ଼ାଯାଇଛି। ଏଥିରେ ସହରର ସମସ୍ତ ଦୂଷିତ ପାଣି ଓ ଆବର୍ଜନା ମିଶୁଛି। ଫଳରେ ଏହି ନାଳର ପାଣି ଯେଉଁଆଡ଼େ ଯାଉଛି, ବାଟଯାକ ଅଞ୍ଚଳକୁ ଦୂଷିତ କରୁଛି। ଗଙ୍ଗୁଆର ଜଳ କାରଣରୁ ଦୟାନଦୀର ଜଳ ମଧ୍ୟ ଦୂଷିତ ହେବାର ଲାଗିଛି। ଏଥିସହ ଏବେ ମାଛ ମାରିବାଲାଗି ବୋମାର ବ୍ୟବହାର ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଅସାମାଜିକ ଲୋକମାନେ ସହଜରେ ମାଛ ମାରିବାକୁ ନଦୀରେ ଅହରହ ବୋମା ବ୍ୟବହାର କରୁଛନ୍ତି। ଫଳରେ ଜଟଣୀ ବ୍ଲକ ପାଖରେ ଦୟାନଦୀ ପାଣି ସଂପୂର୍ଣ୍ଣ ଦୂଷିତ ହେବା ସହ ବିଷାକ୍ତ ମଧ୍ୟ ହୋଇ ଯାଉଛି। ଏଭଳି ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଗତ କିଛିଦିନ ହେଲା ଏହି ପାଣି ଅଧିକ ଦୁର୍ଗନ୍ଧ ହେବା ସହ ପାଣି କଳା ପଡ଼ିଯାଇଥିବା ଦେଖା ଯାଉଛି। ଫଳରେ ନଦୀ ପାର୍ଶ୍ୱରେ ରହୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେ ବେଳେ ଦୁର୍ଗନ୍ଧ ଏତେ ବଢ଼ିଯାଉଛି ଯେ ଘର ଭିତରେ ରହିବା ବି ଅସମ୍ଭବ ହୋଇପଡ଼ୁଛି। ଅନ୍ୟପଟେ ବମିଂ କାରଣରୁ ପାଣି ଅଧିକରୁ ଅଧିକ ବିଷାକ୍ତ ହେବାରେ ଲାଗିଛି। ଗତ କିଛିଦିନ ହେଲା ଅନେକ ସଂଖ୍ୟାରେ ମାଛ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳୁଛି। କହିବା ଅନାବଶ୍ୟକ ଯେ ଲହା ବୋମା କାରଣରୁ ହେଉଛି ଏବଂ ଏହି ମାଛ ବଜାରକୁ ମଧ୍ୟ ଯାଉଛି। ଅର୍ଥାତ୍‌ ସାଧାରଣ ଲୋକେ ବିଷାକ୍ତ ମାଛ ଖାଉଛନ୍ତି। ଏଥିସହ ବୁଲାପଶୁ ମଧ୍ୟ ଏହି ପାଣି ପିଉଛନ୍ତି। ଏଦିଗରେ ତୁରନ୍ତ ଦୃଷ୍ଟି ନଦେଲେ ସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଦୟାନଦୀ ଉପରେ ବିଶେଷ କରି ଜଟଣୀ, ପିପିଲି, ଡେଲାଙ୍ଗ ଓ କଣାସ ଆଦି ବ୍ଲକର ଲୋକେ ନିର୍ଭର କରନ୍ତି। ତେବେ ଜଟଣୀ ବ୍ଲକର ତିରିମଲ୍, ପାଣ୍ଡିଆବିଲି, ବେଣାପଞ୍ଜରୀ ସହ ହଳଦିଆପଡ଼ା, ବଡ଼ପୁଟ, ସାନପୁଟ, ବୁଢ଼ଙ୍ଗରା, ଜୋରକଣା ଆଦି ଅଞ୍ଚଳ ବିଶେଷ ଭାବେ ଏହି ନଦୀ ସହ ସଂପୃକ୍ତ। ଏହି ଅଞ୍ଚଳଗୁଡ଼ିକର ଲୋକଙ୍କ ଜୀବନରେ ଦୟାନଦୀର ବିଶେଷ ଭୂମିକା ରହିଛି। ଏହି ଅଞ୍ଚଳର ଅନେକ ଗାଁକୁ ପାଇପ୍ ଲାଇନ୍ ଦ୍ୱାରା ପିଇବା ପାଣି ଯୋଗାଣ ହେଉଛି। ପାଣି ସଂପୂର୍ଣ୍ଣ ଦୂଷିତ ହେବାଦ୍ୱାରା କିଛି ଦିନ ହେଲା ଲୋକମାନେ ଏହି ପାଣି ବ୍ୟବହାର କରିବା ବେଳେ ଅସୁବିଧାରେ ପଡୁଛନ୍ତି। ଫଳରେ ଜଳ ଯୋଗାଣକୁ ବନ୍ଦ କରା ଯାଇଛି। ଲୋକମାନେ କୂଅ ଓ ନଳକୂଅ ପାଣି ବ୍ୟବହାର କରୁଛନ୍ତି। କେବଳ ପିଇବା ପାଣି ବାବଦରେ ନୁହେଁ, ଏହି ପାଣିକୁ ସ୍ନାନ ଶୌଚରେ ବ୍ୟବହାର କରିବାକୁ ଯାଇ ମଧ୍ୟ ଲୋକେ ସମସ୍ୟାରେ ପଡୁଛନ୍ତି। ଏହି ପାଣିରେ ଗାଧୋଇଲେ ବା କେବଳ ଧୁଆଧୋଇ ହେଲେ ବି ଦେହ କୁଣ୍ଡାଇ ହେଉଛି। ଏହି ପାଣି ଚାଷ ପାଇଁ ମଧ୍ୟ ପୂର୍ବଭଳି ଉପଯୋଗୀ ହୋଇ ପାରୁନାହିଁ। ଏହି ପାଣି ବ୍ୟବହାର କଲେ ଫସଲରୁ ପୂର୍ବଭଳି ଅମଳ ହେଉନଥିବା ଚାଷୀମାନେ ନିୟମିତ ଅଭିଯୋଗ କରି ଆସୁଛନ୍ତି।
ଏବେ ବମିଂକୁ ନେଇ ଏକାଧିକ ସମସ୍ୟା ସୃଷ୍ଟି ହୋଇଛି। କିଛି ଅସାମାଜିକ ଲୋକ ଦୟାନଦୀରେ ମାଛ ମାରିବାକୁ ପାଣିରେ ୧୦ବର୍ଷରୁ ଅଧିକ କାଳହେଲା ବମିଂ କରି ଆସୁଛନ୍ତି। ଉଭୟ ସକାଳ ଓ ସନ୍ଧ୍ୟାରେ ପ୍ରତିଦିନ ବେଧଡ଼କ ଭାବେ ବମିଂ ହେଉଛି। ଫଳରେ ନଦୀପାଣି ବିଷାକ୍ତ ହେବାରୁ ସେଥିରେ ଥିବା ମାଛଗୁଡ଼ିକ ମରି ଭାସୁଛନ୍ତି। ତା’କୁ ସେମାନେ ସଂଗ୍ରହକରି ବଜାରରେ ବିକ୍ରି କରି ଦେଉଛନ୍ତି। ଲୋକମାନେ ମଧ୍ୟ ନଈମାଛ ସୁଆଦିଆ ଭାବି କିଣି ନେଇ ବିଷାକ୍ତ ମାଛ ଖାଉଛନ୍ତି। ଅଜାଣତରେ ସେମାନେ ରୋଗକୁ ଆମନ୍ତ୍ରଣ କରୁଛନ୍ତି। ଅନ୍ୟପଟେ ବମିଂ ହେବାରୁ ମାଛ ମରିବା ସହ ରାଜୁଆ ନଈବନ୍ଧ ଥରି ଉଠୁଛି। ବର୍ଷ ବର୍ଷ ଧରି ଏମିତି ଚାଲିଥିବାରୁ ନଈବନ୍ଧ ଦୁର୍ବଳ ହୋଇଗଲାଣି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏଭଳି ଆଉ କିଛି ଦିନ ଚାଲିଲେ ବନ୍ଧ ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା କରା ଯାଉଛି।

Share Now:

Kalinga News Beuro

Next Post

ଜୁଲାଇ ୧ରୁ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Sat Jun 29 , 2024
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବାର ୧୮ ଦିନ ବିତିଲାଣି। ତେବେ ସେ କେଉଁଠି ରହିବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ମିଳିଥିବା ସୂଚନା ମୁତାବକ, ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ କରିବେ ଶୁଣାଣି। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ଆଜି ତାର ସ୍ଥିତି ପରଖିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial