ଆଁ ମେଲାଇଛି ୨୭ କିମି ନାଳ : ୧୨.୪ କୋଟି ଖର୍ଚ୍ଚରେ ପଡ଼ିବ ସ୍ଲାବ୍‌

ଆଁ ମେଲାଇଛି୨୭ କିମି ନାଳ

୩ ମାସରେ ସରିବ କାମ, ଶିଶୁ ମୃତ୍ୟୁ ପରେ ଚେତିଲା ବିଏମ୍‌ସି

ଭୁବନେଶ୍ୱର: ଗତ ୧୯ ତାରିଖ ଦିନ ୟୁନିଟ୍‌-୩ ଅଞ୍ଚଳରେ ନଳାରେ ପଡ଼ି ଶିଶୁ ଭାସିଯିବା ପରେ ବିଏମ୍‌ସି ଚେତିଛି। ଖୋଦ୍‌ ମନ୍ତ୍ରୀ ତନାଘନା କରିବା ପରେ ତଦନ୍ତ ହେବା ସହ ଡ୍ରେନେଜ ଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା। ଆଉ କିଛି ବିପଦ ଆସିବା ପୂର୍ବରୁ ବିଏମ୍‌ସି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନଳାକୁ ଯାଞ୍ଚ କରିଥିଲା। ଏହି ଯାଞ୍ଚ ବେଳେ ବିଏମ୍‌ସିର ୧୩୮୦ କିମି ନଳାରୁ ୨୭ କିମି ନଳାରେ ଢାଙ୍କୁଣି ନଥିବା ଜଣାପଡ଼ିଥିଲା। ବିଏମ୍‌ସିରେ ଥିବା ୬୭ ୱାର୍ଡ ମଧ୍ୟରୁ ଏହି ମୁକୁଳା ନଳା ସବୁ ୫୪ଟି ୱାର୍ଡରେ ରହିଥିବା ଜଣାପଡ଼ିଥିଲା। ଜଣାପଡ଼ିବା ପରେ ପରେ ବିଏମ୍‌ସି ଏ ସବୁରେ ଢାଙ୍କୁଣି ପକାଇବା ସହ ଆବଶ୍ୟକ ହେଉଥିବା ମରାମତି କରିବାକୁ ଯୋଜନା କରିଥିଲା। ଏ ସବୁକୁ ମରାମତି ଓ ଢାଙ୍କୁଣି ପକାଇବା ପାଇଁ ବିଏମ୍‌ସି ମୋଟ ୧୨କୋଟି ୪୦ ଲକ୍ଷ ୧୪ ହଜାର ୪୬୭ ଟଙ୍କାର ବ୍ୟୟ ଅଟକଳ କରି ଟେଣ୍ଡର ଡାକିଛି। ଜୁଲାଇ ୪ ଆବେଦନର ଶେଷ ତାରିଖ ରହିଛି। ଅକ୍ଟୋବର ବେଳକୁ କୌଣସି ନାଳ ମୁକୁଳା ରହିବ ନାହିଁ ବୋଲି ବିଏମ୍‌ସି ଯୋଜନା କରିଛି। ତେବେ ପ୍ରଶ୍ନ ଉଠୁଛି ଏତେ ଲମ୍ବାର ନାଳ କିଭଳି ମୁକୁଳା ପଡ଼ିଥିଲା? କେହି କେମିତି ଜାଣି ପାରୁନଥିଲେ? ଯଦି ଏବେ ୩ ମାସରେ ସାରିଦେବେ, ତେବେ ପୂର୍ବରୁ କଣ ସମସ୍ୟା ଥିଲା? ଜଣେ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରି କର୍ତ୍ତବ୍ୟରେ ଅବହେଳା କରି ଖସି ଯାଇଥିବା ବଡ଼ବଡ଼ିଆଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ବିଏମ୍‌ସିକୁ ବିବାଦକୁ ଟାଣିଛି।
୨୦୨୧ ମସିହାରେ ବରମୁଣ୍ଡା ଶତାବ୍ଦୀନଗର ଡ୍ରେନ୍‌ରେ ଛାତ୍ର ଭାସି ଯାଇ ମୃତ୍ୟୁ ବରଣ କରିବା ପରେ ଏଭଳି ତନାଘନା ହୋଇଥିଲା। ନଳାରେ ସ୍ଲାବ୍‌ ପଡ଼ିବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଯେଉଁଠି ସ୍ଲାବ୍‌ ପଡ଼ିବା ନେଇ ଅଦାଲତି କଟକଣା ରହିଥିଲା ସେଠାରେ ବାଉଁଶ ଓ ଲୁହାର ବାଡ଼ ମଧ୍ୟ ଦିଆଯାଇଥିଲା। କେବଳ ଏଭଳି ସାମୟିକ ସମାଧାନ ନୁହେଁ, ବରଂ ବିଭିନ୍ନ ନଳାରେ ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍, ମୁଖ୍ୟ ଡ୍ରେନ୍‌କୁ ଅନ୍ୟ ଡ୍ରେନ୍‌କୁ ସଂଯୋଗ କରିବା ପାଇଁ ଆବଶ୍ୟକ ହେଉଥିବା ୧୪ ଏକର ଘରୋଇ ଜମି ଅଧିଗ୍ରହଣ କରିବାକୁ ଯୋଜନା ହୋଇଥିଲା। ହେଲେ ପ୍ରସଙ୍ଗ ଥମିଯିବା ପରେ ବିଏମ୍‌ସି ଭୁଲି ଯାଇଥିଲା। ତିନିବର୍ଷ ପରେ ବି ଏହି ଅଧିଗ୍ରହଣ ସମ୍ଭବ ନ ହେବାରୁ ଜଳବନ୍ଦୀ ସମସ୍ୟା ସମାଧାନ ଯୋଜନା ଚୁଲିକୁ ଗଲା। ଏବଂ ଅଘଟଣର ପୁନରାବୃତ୍ତି ହେଲା। ଏହାର ଏକ ବଡ଼ ଉଦାହରଣ ହେଉଛି ବମିଖାଲ ଅଞ୍ଚଳ। ଏଠାରେ ଡ୍ରେନ୍‌ରୁ ମୁଖ୍ୟ ନାଳ ପର୍ଯ୍ୟନ୍ତ ୫୫୦ ମିଟର ସଂଯୋଗୀକରଣ ଡ୍ରେନ୍‌ର ଆବଶ୍ୟକତା ଅଛି। କିନ୍ତୁ ଜମି ସମସ୍ୟା ବାଟ ଓଗାଳିଛି। ଏଭଳି ଚିହ୍ନଟ ହୋଇଥିବା ୧୨ଟି ଅତି ସମ୍ବେଦନଶୀଳ ଅଞ୍ଚଳରେ ବର୍ଷା ସମୟରେ ଲହଡ଼ି ମାରୁଥିବା ବର୍ଷା ଓ ନଳା ପାଣି ଜୀବନ ନେଇ ଯିବାକୁ ଅନାଇ ବସୁଛି।

Share Now:

Kalinga News Beuro

Next Post

ନେପାଳରେ ବୁଦ୍ଧଙ୍କ ଅବତାରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

Tue Jul 2 , 2024
କାଠମାଣ୍ଡୁ : ଭଗବାନ ବୁଦ୍ଧଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନେପାଳର ଏକ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରାମ ବାହାଦୁର ବମଜାନଙ୍କୁ ନେପାଳର ଏକ ଅଦାଲତ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜାନୁଆରୀ ମାସରେ କାଠମାଣ୍ଡୁ ଉପକଣ୍ଠରେ ଥିବା ଏକ ଘରୁ ବମଜାନଙ୍କୁ ଗିରଫ କରାଯାଇଥିଲା। ଦକ୍ଷିଣ ନେପାଳର ସରଲାହି ଜିଲ୍ଲା କୋର୍ଟର […]
୧୦ ବର୍ଷ ଜେଲ ଦଣ୍ଡ ପାଇଲେ ବୁଦ୍ଧଙ୍କ ଅବତାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial