ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ ଆଲୋଚନା ହୋଇନାହିଁ-ଜଷ୍ଟିସ୍ ବିଶ୍ୱନାଥ ରଥ
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ତଦାରଖ କମିଟିର ବୈଠକ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ଓ ଏଏସଆଇ ଅଧିକାରୀମାନେ ଯୋଗ ଦେଇଛନ୍ତି। ତେବେ ବାହାର ଓ ଭିତର ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇସାରିଛି। ଏଏସଆଇ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ କେବେ ଏହାର ମରାମତି ହେବ, ସେ ନେଇ ଆଜିର ବୈଠକରେ ଆଲୋଚନା ହେଉଥିବା ସୂଚନା ରହିଛି।
ବୈଠକ ଶେଷ ହେବା ପରେ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ଆଜି ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ କୌଣସି ଆଲୋଚନା ହୋଇନାହିଁ। ବରଂ ଆଜି ରତ୍ନଭଣ୍ଡାର ମରାମତି ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଯେପରି ଶ୍ରୀମନ୍ଦିର ଢାଞ୍ଚା ଉପରେ କୌଣସି ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି ନହେବ, ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଭ୍ରାଟ ସୃଷ୍ଟି ନହେବ ଏବଂ ଦର୍ଶନାର୍ଥୀଙ୍କ ଦର୍ଶନରେ କୌଣସି ସମସ୍ୟା ନହେବ, ସେସବୁକୁ ଦୃଷ୍ଟିରେ ରଖି କିପରି ରତ୍ନଭଣ୍ଡାର ଭିତରର ମରାମତି କାମ ହେବ ଏହା ଉପରେ ବୈଠକରେ ଆଲୋଚନା ହୋଇଛି।ଏଣେ ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇ ଦୀର୍ଘ ସମୟ ପାଇଁ ମରାମତି କାମ କରାଯିବ। ଭଣ୍ଡାର ବାହାର ଓ ଭିତର ଭଣ୍ଡାର ମରାମତିରେ ସବୁଠୁ ଉତ୍କୃଷ୍ଟ ଓ ଉପାଦେୟ ଉପକରଣ ବ୍ୟବହାର କରାଯିବ। ଏନେଇ ଏଏସଆଇ ଟେକ୍ନିକାଲ କମିଟି ମେମ୍ବର୍ସ ସରକାରଙ୍କ ସହ ଆଲୋଚନା କରିବା ପରେ କାମକୁ ତ୍ୱରାନ୍ୱିତ କରାଯିବ। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ତ ଉପାଦେୟ ତଥ୍ୟ ସମୟ କ୍ରମେ ପ୍ରକାଶ କରାଯିବ। ଏନେଇ କୌଣସି ସନ୍ଦେହଜନକ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ନିବେଦନ କରିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ। ସେ ଆହୁରି କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ମନ୍ଦିର ପ୍ରଶାସନ ରୁମ୍ ନିର୍ଦ୍ଧାରଣ କରିସାରିଛି, ସ୍ଥାନାନ୍ତରିତ ହେବ। ଏହା ଏସଓପିରେ ନ ଥିଲା, ସରକାରଙ୍କୁ ଜଣାଇଛୁ।