୫୦ ହଜାର ଲାଞ୍ଚ ‌ନେଇ ଫସିଲେ ସହକାରୀ ଯନ୍ତ୍ରୀ

ଜଟଣୀ: ଆଜି ଜଟଣୀ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ଭିଜିଲାନ୍‌ସ ପଞ୍ଝାରେ ଫସିଛନ୍ତି। ଜଣେ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି। ଯନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କ ଖଣ୍ଡଗିରିସ୍ଥିତ ବାସଭବନରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରି ଲାଞ୍ଚ ଆକାରରେ ନେଇଥିବା ୫୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ନିଜ ହେପାଜତକୁ ନେଇଛି। ଏଥିସହିତ ଭିଜିଲାନ୍‌ସ ଟିମ୍‌ ଅନ୍ୟ ୨ ସ୍ଥାନରେ ବି ଚଢ଼ଉ ଚଳାଇଥିବା ଜଣାପଡ଼ିଛି। ଜଟଣୀ ବ୍ଲକ୍‌ ଅନ୍ତର୍ଗତ କନ୍ତିଆ ଅଞ୍ଚଳରେ ୨/୩ଟି ସରକାରୀ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଦୁଇଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଠିକାଦାରଙ୍କୁ ପୂରା ବିଲ୍‌ ମିଳିନାହିଁ। ଠିକାଦାର ଆହୁରି ୫ଲକ୍ଷ ୫୦ହଜାର ଟଙ୍କା ପାଇବାର ଅଛି। ସାଢ଼େ ୫ ଲକ୍ଷ ଟଙ୍କାର ଏହି ବିଲ୍‌ ପାସ୍‌ କରିବାକୁ ହେଲେ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ହେବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀମତୀ ମହାନ୍ତି ଜିଦ୍‌ କରି ଠିକାଦାରଙ୍କୁ କହିଥିଲେ। ଅଗ୍ରିମ ବାବଦରେ ୫୦ ହଜାର ଟଙ୍କା ଦେବାକୁ କହିଥଲେ। ବିଲ୍‌ ପାଇଁ ଧାଇଁଧାଇଁ ହତାଶ ହୋଇପଡ଼ିଥିବା ଠିକାଦାର ଏତେ ଟଙ୍କାର ଲାଞ୍ଚ ଦେବାକୁ ପଡ଼ିବ ବୋଲି ଶୁଣିବା ପରେ ରାଗି ଯାଇଥିଲେ।
ସେ ଯନ୍ତ୍ରୀଙ୍କୁ ପାନେ ଦେବାକୁ ଯୋଜନା କରି ଭିଜିଲାନ୍‌ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଠିକାଦାର ଟଙ୍କା ନେଇ ଶ୍ରୀମତୀ ମହାନ୍ତିଙ୍କ ଖଣ୍ଡଗିରିସ୍ଥିତ ବାସଭବନକୁ ଯାଇଥିଲେ ଏବଂ ୫୦ ହଜାର ଟଙ୍କା ତାଙ୍କ ହାତକୁ ବଢ଼ାଇଦେଇଥିଲେ। ଠିକ୍ ଏତିକିବେଳେ ଘର ନିକଟରେ ସାଦା ପୋଷାକରେରେ ଛକି ଥିବା ଭିଜିଲାନ୍‌ସ ଟିମ୍‌ର ସଦସ୍ୟମାନେ ଘରକୁ ଧସେଇ ପଶିଥିଲେ। ସୂଚନାଯୋଗ୍ୟ ଯେ ବ୍ଲକ୍‌ରେ ପିସି କାରବାର ହେଉଥିବା ଅଭିଯୋଗ କରି ଉପାଧ୍ୟକ୍ଷା‌ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିଥିଲେ। ଏହାକୁ ବିରୋଧ କରି ବ୍ଲକ୍‌ ଅଧ୍ୟକ୍ଷା‌ ମଧ୍ୟ ଗଣମାଧ୍ୟମରେ କହିଥିଲେ। ପିସି କାରବାରକୁ ନେଇ ବ୍ଲକ୍‌ରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିଲା ଏବଂ ଏହାକୁ ନେଇ ବ୍ଲକ୍‌ ରାଜନୀତିର ଉଷ୍ମତା ବଢ଼ିବାରେ ଲାଗିଛି। ଠିକ୍‌ ଏତିକିବେଳେ ସହକାରୀ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ତେଣୁ ପିସି କାରବାର ଅଭିଯୋଗ ଏକପ୍ରକାର ପ୍ରମାଣିତ ହୋଇଛି ବୋଲି ଜଟଣୀରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି।

Share Now:

Kalinga News Beuro

Next Post

ପ୍ରଥମ ଥର ପାଇଁ ୨୫୦୦୦ ପଏଣ୍ଟ ଟପିଲା ନିଫଟି

Thu Aug 1 , 2024
ମୁମ୍ବାଇ : ଅଗଷ୍ଟ ମାସର ପ୍ରଥମ କାରବାର ଅଧିବେଶନ ଭାରତୀୟ ଷ୍ଟକ ବଜାର ପାଇଁ ଐତିହାସିକ ରହିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୨୫,୦୦୦ ଅତିକ୍ରମ କରିବାରେ ସଫଳ ହୋଇଥିବା ବେଳେ ବିଏସଇ ସେନ୍ସେକ୍ସ ମଧ୍ୟ ୮୨,୦ ଟପି ୮୨,୧୨୯.୪୯ ର ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଜାରରେ ଏହି ବୃଦ୍ଧିର ଶ୍ରେୟ ଏନର୍ଜି ଷ୍ଟକଗୁଡ଼ିକୁ ଯାଉଛି। କୋଲ୍ ଇଣ୍ଡିଆ, ଓଏନ୍ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial