ରାଜଧାନୀରେ ଅସଲି ବ୍ରାଣ୍ଡରେ ନକଲି ଟିଭି : ମାଷ୍ଟରମାଇଣ୍ଡ ସମେତ ୪ ଗିରଫ

ରାଜଧାନୀରେ ଅସଲି ବ୍ରାଣ୍ଡରେ ନକଲି ଟିଭି

ସୋ’ ରୁମ୍ ଖୋଲି ଅଧା ଦାମ୍‌ରେ ବିକୁଥିଲେ, ରାକେଟର ପର୍ଦ୍ଦାଫାସ୍ କଲା ସ୍ପେସାଲ ସ୍କ୍ବାଡ୍

ଭୁବନେଶ୍ବର: ସୋନି ବ୍ରାଣ୍ଡର ୩୨ଇଞ୍ଚ ଏଲଇଡି ଟିଭିର ଦାମ୍ ମାତ୍ର ୧୫ ହଜାର। ଆଉ ୪୮ଇଞ୍ଚ ଟିଭିର ଦାମ୍ ମାତ୍ର ୧୯ ହଜାର। ଏହି ବ୍ରାଣ୍ଡର ପ୍ରକୃତ ମୂଲ୍ୟଠାରୁ କାହିଁ କେତେ ଗୁଣା କମ୍। ଖୋଳ, ଲୋଗୋ ସବୁ ଅସଲି ଭଳି ଦେଖାଯାଉଥିବା ଟିଭି କିନ୍ତୁ ନକଲି। ଅସଲି ବ୍ରାଣ୍ଡ ନାଁରେ ନକଲି ଟିଭି ବିକ୍ରି କରୁଥିବା ରାଜଧାନୀର ଏମିତି ଏକ ରାକେଟର ପର୍ଦ୍ଦାଫାସ୍ କରିଛି କମିସନରେଟ ପୁଲିସ। କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍ ବିଭିନ୍ନ ସ୍ଥାନରୁ ଗ୍ୟାଙ୍ଗ ଲିଡର ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୨୦ଟି ଏଲଇଡି ଟିଭି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ମାଷ୍ଟରମାଇଣ୍ଡ ଲକ୍ଷ୍ମୀସାଗର କେନାଲ ରୋଡ୍‌ ନେତାଜୀ ମାର୍କେଟ୍‌ରେ ଥିବା ଖୁସି ଇଲେକ୍ଟ୍ରୋନିକ୍ସର ମାଲିକ ଟି. ପ୍ରଭାକର ରାଓ, ଟଙ୍କପାଣି ରୋଡ୍‌ରେ ଥିବା ଓମ୍ ସାଇ ଇଲେକ୍ଟ୍ରୋନିକ୍ସର ମାଲିକ ଶିବ ପ୍ରସାଦ ସାହୁ, ଭିଏସ୍‌ଏସ୍‌ନଗରରେ ଥିବା ୟୁନିଟେକ୍ ଇଲେକ୍ଟ୍ରୋନିକ୍ସର ମାଲିକ ସମିନ୍ ଖାନ୍ ଓ କାରଗିଲ ବସ୍ତିର ଗଣପତି ଇଲେକ୍ଟ୍ରୋନିକ୍ସର ମାଲିକ ମାନସ ଜେନା। ଖୁସି ଇଲେକ୍ଟ୍ରୋନିକ୍ସରୁ ୨୬, ଓମ୍ ସାଇରୁ ୨୪, ଗଣପତିରୁ ୬୦ ଓ ୟୁନିଟେକରୁ ୧୦ଟି ଏଲଇଡି ଟିଭି ଜବତ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଟି. ପ୍ରଭାକର ରାଓ ଏହି ଗ୍ୟାଙ୍ଗର ମୁଖ୍ୟ। ସେମାନେ କୋଲକାତାରୁ ଗାଡ଼ି ଯୋଗେ ଏହି ନକଲି ଟିଭି ଆଣନ୍ତି। ଏହା ସହ ଲୋଗୋ ଓ ପ୍ରିଣ୍ଟ କଭର ମଧ୍ୟ ଆଣିଥା’ନ୍ତି। ଏଠାରେ କଭର୍‌ ଭିତରୁ ଟିଭି କାଢ଼ି ସେଥିରେ ନକଲି ଲୋଗୋ ଲଗାନ୍ତି। ଯେଉଁ ଟିଭିର ଦାମ୍ ୧୫ ହଜାର ଟଙ୍କାରେ ବିକ୍ରି କରନ୍ତି, ତାହାକୁ ସେମାନେ ଅତି ବେଶିରେ ୫ହଜାର ଟଙ୍କାରେ କିଣନ୍ତି। ସେହିପରି ଯାହାକୁ ୨୦ହଜାରେ ବିକ୍ରି କରନ୍ତି, ତାହାକୁ ୧୦ ହଜାର ଟଙ୍କାରେ କିଣିଥା’ନ୍ତି। ଏହିଭଳି ଭାବେ ସେମାନେ ବେଶ୍ କିଛି ବର୍ଷ ଧରି ରାଜଧାନୀରେ ନକଲି ଟିଭି ବେପାର ଚଳାଇଥିଲେ। ଗିରଫଦାରୀ ସଂକ୍ରାନ୍ତରେ ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ମଞ୍ଚେଶ୍ବର ଥାନାରେ ପୃଥକ ମାମଲା ରୁଜୁ ହୋଇଛି। ସମସ୍ତ ୪ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅଧିକ ତଦନ୍ତ ପାଇଁ ପୁଲିସ ପ୍ରଭାକରକୁ ରିମାଣ୍ଡରେ ଆଣିପାରେ ବୋଲି ଜଣାପଡ଼ିଛି।
କେମିତି ଧରାପଡ଼ିଲେ?
ନକଲି ଟିଭି ବିକ୍ରି ନେଇ ସ୍ପେସାଲ ସ୍କ୍ବାଡ୍ ପାଖରେ ଖବର ପହଞ୍ଚିଥିଲା। ଏହା ସତ କି ନାହିଁ, ଜାଣିବା ଲାଗି ସ୍ପେସାଲ ସ୍କ୍ବାଡର କର୍ମଚାରୀ ଗ୍ରାହକ ବେଶ ସାଜି ପ୍ରଥମେ ଲକ୍ଷ୍ମୀସାଗର କେନାଲ ରୋଡ୍‌ରେ ଥିବା ପ୍ରଭାକର ରାଓର ଖୁସି ଇଲେକ୍ଟ୍ରୋନିକ୍ସରେ ପହଞ୍ଚିଥିଲେ। ଏକା ସାଙ୍ଗରେ ୧୫ଟି ଟିଭି କିଣିବା ପାଇଁ ଡିଲ୍ କରିଥିଲେ। ଏତେଗୁଡ଼ାଏ ଟିଭି ପାଇଁ ରିହାତି ଦେବାକୁ ସ୍ପେସାଲ ସ୍କ୍ବାଡ୍ କର୍ମଚାରୀ ଅନୁରୋଧ କରିବା ପରେ ପ୍ରଭାକର ରାଜି ହୋଇଥିଲା। ଟିଭି କଭରରୁ ବାହାର କରି ଦେଖିବା ବେଳକୁ ସେଥିରୁ ଅସଲି ଲୋଗୋ ଥିଲା। କିନ୍ତୁ ମଡେଲ୍ ନମ୍ବର, ମାନୁଫାକଚରିଂ ନମ୍ବର, ସିରିଏଲ୍ ନମ୍ବର, ବାରକୋଡ୍ ଏସବୁ କିଛି ନ ଥିଲା। ଏହା ନକଲି ବୋଲି ସେଠାରୁ ହିଁ ପୁଲିସ ସ୍ପଷ୍ଟ ହୋଇ ଯାଇଥିଲା। ଅନ୍ୟ ସ୍ଥାନରେ ଥିବା ନକଲି ଟିଭି ସୋ’ରୁମ୍ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲା। ଗତକାଲି ଏକାସଙ୍ଗରେ ଚଢ଼ଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଥିଲା।
ବସ୍ତି, ନିମ୍ନ ମଧ୍ୟବିତ୍ତଙ୍କୁ ଟାର୍ଗେଟ୍‌
ଏମାନେ ସମସ୍ତେ ବସ୍ତି ପାଖ ଅଞ୍ଚଳରେ ସୋ’ ରୁମ୍ ଖୋଲିଥିଲେ। କମ୍ ଦାମରେ ବ୍ରାଣ୍ଡେଡ୍ ଟିଭି ବିକ୍ରି କରୁଥିବା ବିଜ୍ଞାପନ ଦେଉଥିଲେ। ଏପରିକି ୫୦ପ୍ରତିଶତ କମ୍ ଦାମରେ ବିକ୍ରି କରୁଥିଲେ ବୋଲି ସୋ’ରୁମ୍ ଆଗରେ ଲେଖିଥିଲେ। ବିଶେଷକରି ବସ୍ତି ଓ ନିମ୍ନ ମଧ୍ୟବିତ୍ତ ଲୋକ ଏଥିରେ ଆକୃଷ୍ଟ ହୋଇ ସେଠାକୁ ଯାଉଥିଲେ। କମ୍‌ ଦାମ୍‌ରେ ଟିଭି କିଣୁଥିଲେ। ଏହି କଥା ତୁରନ୍ତ ପ୍ରଚାରିତ ହୋଇଯାଉଥିଲା। ଜଣେ ଆଉ ଜଣଙ୍କୁ ଦେଖି ସେଠାରେ ପହଞ୍ଚୁଥିଲେ। କମ୍ ଦାମରେ ଟିଭି କିଣୁଥିଲେ। ରାଜଧାନୀରେ ଏପରି ଶହ ଶହ ଟିଭି ବିକ୍ରି ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

କରୋନା ମୃତ୍ୟୁ ପ୍ରମାଣପତ୍ର ପାଇଁ ହଜାରେ ଟଙ୍କା ନେଇ ଛୁ’

Wed Jun 2 , 2021
ବିଏମ୍‌ସି କାର୍ଯ୍ୟାଳୟରେ ମଧ୍ୟ ମାଳମାଳ ଦଲାଲ୍‌ ଚନ୍ଦ୍ରଶେଖରପୁର: କରୋନା ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ବାହାନାରେ ଆଜି ଜଣେ ଠକ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୧ ହଜାର ଟଙ୍କା ନେଇ ଛୁ’ ମାରିଛି। ଠକାମିର ଶିକାର ହୋଇଥିବା ଯୁବକ ହେଲେ ଜଗତସିଂହପୁରର ଜ୍ଞାନପ୍ରସାଦ ମହାନ୍ତି। ଠକକୁ ନପାଇ ଜ୍ଞାନପ୍ରସାଦ ପୁଲିସରେ ଅଭିଯୋଗ କରିବା‌ ପ‌ରେ ବି ତା’ର ସନ୍ଧାନ ନମିଳିବାରୁ କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି। ଜ୍ଞାନପ୍ରସାଦଙ୍କର ଦାଦା ଡମଣାସ୍ଥିତ ଏକ […]
କରୋନା ମୃତ୍ୟୁ ପ୍ରମାଣପତ୍ର ପାଇଁ ହଜାରେ ନେଇ ଛୁ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial