ବ୍ରହ୍ମପୁର: ହୋଲି ଖେଳ ପରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି ସିଦ୍ଧାନ୍ତ ପାତ୍ର ନିଜର ଅନ୍ୟ ସାଙ୍ଗମାନଙ୍କ ସହିତ ଶୁକ୍ରବାର ହୋଲି ଖେଳିଥିଲେ। ହୋଲି ଖେଳ ପରେ ସେ ଅପରାହ୍ଣରେ ଗୋପାଳପୁରସ୍ଥିତ ହରିପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ରର ଢ଼େଉ ପ୍ରଭାବରେ ୪ଜଣ ଭାସିଯାଇଥିଲେ। ଜଣେ ଯୁବକ ଉଦ୍ଧାର ହୋଇଥିବା ବେଳେ ପି ସିଦ୍ଧାନ୍ତ ପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ୨ଜଣ ଯୁବକ ନିଖୋଜ ଅଛନ୍ତି। ସୂଚନାଯୋଗ୍ୟ କଟକ ଜିଲ୍ଲାରେ ଆଜି ମହାନଦୀରେ ବୁଡ଼ି ଯାଇ ଜଣେ ଯୁବକ ଜୀବନ ହରାଇଛନ୍ତି। ବାଙ୍କୀ ଅଞ୍ଚଳର କୁଶପଙ୍ଗୀ ଗ୍ରାମର ବିନାୟକ ସ୍ୱାଇଁ ଓରଫ ରାଜା ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହିତ ହୋଲି ଖେଳିଥିଲେ। ତା’ପରେ ସେ ସାଙ୍ଗମାନଙ୍କ ସହିତ କାଳିକାପ୍ରସାଦ ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ସେ ଗଭୀର ପାଣି ଭିତରକୁ ପଶି ଯାଇଥିଲେ। ଏହା ପରେ ସାଙ୍ଗମାନେ ରାଜାକୁ ଉଦ୍ଧାର କରିବାକୁ ବହୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାର ବହୁ ସମୟ ପରେ ରାଜାର ମୃତଦେହ ଉଦ୍ଧାର ହୋଇଥିଲା। ସୂଚନା ମିଳିବା ପରେ ବାଙ୍କୀ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ଏକ ଖୁସିର ଦିନରେ ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ହୋଲି ଖେଳ ଦୁର୍ଘଟଣା: ସମୁଦ୍ରରେ ବୁଡ଼ି ଯୁବକ ମୃତ
Share Now: