ଆରମ୍ଭ ହେବ ମଞ୍ଚେଶ୍ୱର ଓଭରବ୍ରିଜ୍‌ ନିର୍ମାଣ : ବିକଳ୍ପ ରାସ୍ତା ଚିନ୍ତାରେ ମୁଣ୍ଡ ଖରାପ

ପାଇପ୍‌ ଉଠାଇବା ପାଇଁ ଚିଠି ଲେଖିଲା ୱାଟ୍‌କୋ

ଭୁବନେଶ୍ୱର: ମଞ୍ଚେଶ୍ୱର ଲେଭଲ କ୍ରସିଂ ଠାରେ ଆରମ୍ଭ ହେବାକୁ ଯାଉଛି ଆର୍‌ଓବି (ରେଳ ଓଭରବ୍ରିଜ୍‌)। ଏଥିପାଇଁ ପୂର୍ତ୍ତ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଆର୍‌ଓବି ନିର୍ମାଣ ପାଇଁ ଏକ ବଡ଼ ପାନୀୟ ଜଳ ପାଇପ୍‌ ଲାଇନ୍‌ ମାଟିତଳୁ ସ୍ଥାନାନ୍ତର କରିବାର ଅଛି। ଏଣୁ ୱାଟ୍‌କୋକୁ ପୂର୍ତ୍ତ ବିଭାଗ ଚିଠି ଲେଖିଛି। ପାଇପ୍‌ ସ୍ଥାନାନ୍ତର ବ୍ରିଜ୍‌ ନିର୍ମାଣ ଆରମ୍ଭ ହେବ। ତେବେ ପାଇପ୍‌ ଲାଇନ୍‌କୁ ରାସ୍ତାକଡ଼ରୁ ଉଠାଇବାକୁ ହେଲେ ରାସ୍ତାରେ ଟ୍ରାଫିକ୍‌ ବନ୍ଦ କରିବାକୁ ହେବ। ସେହିଭଳି ଭିଏସ୍‌ଏସ୍‌ ନଗରରୁ ମଞ୍ଚେଶ୍ବର ଆଡ଼କୁ ଯିବା ପାଇଁ ମଧ୍ୟ ସମ୍ଭବ ହେବନାହିଁ। କାରଣ ଭିଏସ୍‌ଏସ୍‌ ନଗର ପାର୍ଶ୍ବରୁ ଓଭରବ୍ରିଜ୍‌ ପାଇଁ ଯେଉଁ ଖୁଣ୍ଟ ପୋତା ଆରମ୍ଭ ‌ହେବ, ସେଥିରେ ଟ୍ରାଫିକ୍‌ ଉନ୍ମୁକ୍ତ ରଖିବା ସମ୍ଭବ ହେବନାହିଁ। ଲୋକଙ୍କ ଯିବାଆସିବା ଲାଗିରହିଲେ ନିର୍ମାଣ କାମ ବାଧାପ୍ରାପ୍ତ ହେବ। ଏଣୁ ଏହି ଦିଗରୁ ମଧ୍ୟ ଟ୍ରାପିକ୍‌ କଟକଣା କରିବାକୁ ହେବ। ତେଣୁ ଉକ୍ତ ଉଭୟପାର୍ଶ୍ଵରୁ ଟ୍ରାଫିକ୍‌ କଟକଣା ପାଇଁ ପୂର୍ତ୍ତ ବିଭାଗ କମିସନରେଟ୍‌ ପୁଲିସକୁ ଚିଠି ଲେଖିଛି।
ଉଲ୍ଲେଖନୀୟ ଯେ ଭିଏସ୍‌ଏସ୍‌ ନଗର ଓ ସୈନିକ ସ୍କୁଲ୍‌ ଉଭୟ ପଟୁ ରାସ୍ତା ବନ୍ଦ ହୋଇଗଲେ ଆଉ ବିକଳ୍ପ ରାସ୍ତା କିଛି ନାହିଁ। ରେଲ୍‌ୱେ ଷ୍ଟାଡିୟମ, ହସ୍‌ପିଟାଲ୍‌ ଓ ଓମ୍‌ଫେଡ୍‌ ଛକକୁ ଯିବାକୁ ହେଲେ ଭିଏସ୍‌ଏସ୍‌ ନଗରବାସୀ ଜାତୀୟ ରାଜପଥ ବାଟେ ବାଣୀବିହାର ଓ ଆଚାର୍ଯ୍ୟବିହାର ଦେଇ ଯିବେ। ସୈନିକ ସ୍କୁଲ୍‌ ପଟୁ କେହି ଭିଏସ୍‌ଏସ୍‌ନଗର କିମ୍ବା ମଞ୍ଚେଶ୍ୱର ଯାଇ ପାରିବେ ନାହିଁ। ଫଳରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେବ। ତାହା ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ। କାରଣ ବର୍ଷ ବର୍ଷ ଧରି ଏହି ନିର୍ମାଣ କାମ ଚାଲିବ। ଏଣୁ ଏତେଦିନ ଧରି କିଭଳି ଏହି ରାସ୍ତାକୁ ବନ୍ଦ କରାଯିବ, ସେ ନେଇ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଚିନ୍ତାରେ ପଡ଼ିଛି। ଘନ ଘନ ବୈଠକ ବସିଥିଲେ ମଧ୍ୟ ବାଟ ବାହାରି ପାରିନାହିଁ। ଏଣେ ଏହି ଆର୍‌ଓବି ଏହି ଅଞ୍ଚଳ ପାଇଁ ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଟ୍ରାଫିକ୍‌ ଗତିପଥ ନ ବଦଳାଇଲେ ସେ କାମ ହୋଇ ପାରିବ ନାହିଁ। ଉଭୟପାର୍ଶ୍ବରୁ ସମ୍ପୂର୍ଣ୍ଣ ଯା’ ଆସ ବନ୍ଦ କରିଦେଲେ ପ୍ରବଳ ବିରୋଧର ଆଶଙ୍କା ଥିବାରୁ କମିସନରେଟ୍‌ ପୁଲିସ ଚିନ୍ତାରେ ପଡ଼ିଛି। ଠିକ୍‌ ଏଭଳି ଏକ ପରିସ୍ଥିତି ବାଣୀବିହାର ଆର୍‌ଓବି ନିର୍ମାଣ ବେଳେ ଉପୁଜିଥିଲା। ଜାତୀୟ ରାଜପଥରେ ବାଣୀବିହାର ଆର୍‌ଓବି ନିର୍ମାଣ ବେଳେ ପୁରୁଣା ଆର୍‌ଓବିକୁ ଭାଙ୍ଗିବାକୁ ଥିବାରୁ ବାଣୀବିହାର ପଟୁ ଆସୁଥିବା ସମସ୍ତ ଯାନକୁ ରସୁଲଗଡ଼ ଓଭର ବ୍ରିଜ୍‌ରେ ନଚଢ଼ାଇ ତଳେ ନେବାକୁ ଯୋଜନା ହୋଇଥିଲା। କିନ୍ତୁ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ଉପୁଯିବା ଆଶଙ୍କା ନେଇ ପ୍ରାୟ ୪ ଥର ନିଷ୍ପତ୍ତିକୁ ବଦଳାଯିବା ସହ ଆଉ ଏକ ଆର୍‌ଓବି ସମାନ୍ତରାଳ ଭାବରେ ନିର୍ମାଣ କରାଯାଇଥିଲା। ସେଥିପାଇଁ ଏବେ ବି ସେହି ବିକଳ୍ପ ଆର୍‌ଓବିରେ ଗାଡ଼ିସବୁ ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ୍‌ ଦେଇ ଯାଉଛି। ବାଣୀବିହାର ଆର୍‌ଓବି ଏବେ ବି ନିର୍ମାଣାଧୀନ ରହିଛି।
ସୂଚନାଯୋଗ୍ୟ, ଭିଏସ୍‌ଏସ୍‌ ନଗରରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳକୁ ସଂଯୋଗ କରିବାକୁ ଥିବା ଏହି ଦ୍ଵିତୀୟ ଆର୍‌ଓବି ଦ୍ୱାରା କେବଳ ଭିଏସ୍‌ଏସ୍‌ନଗର ବାସିନ୍ଦା ନୁହନ୍ତି, ଚକେଇସିଆଣି, ମଞ୍ଚେଶ୍ୱର, ଇଡ୍‌କୋ କଲୋନି, ରଙ୍ଗମାଟିଆ ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ରହୁଥିବା ହଜାର ହଜାର ବାସିନ୍ଦା ମଧ୍ୟ ଉପକୃତ ହେବେ। ଏହି ଅଞ୍ଚଳରେ ଥିବା ଏକାଧିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ନିରାପଦରେ ଯାତାୟାତ କରିପାରିବେ। ଶିଳ୍ପାଞ୍ଚଳକୁ ଯାଉଥିବା ଶହ ଶହ ଗାଡ଼ି ଲେଭଲ୍‌ କ୍ରସିଂରେ ଆଉ ଛିଡ଼ାହୋଇ ଭିଡ଼ କରିବେ ନାହିଁ। ତା’ଛଡ଼ା ଦୁର୍ଘଟଣା ଆଶଙ୍କା ମଧ୍ୟ ରହିବ ନାହିଁ। କ୍ରମଶଃ ଏହି ଲେଭଲ୍‌କ୍ରସିଂରେ ଭିଡ଼ ବଢ଼ିବା ସହ ସମୟ ନଷ୍ଟ ହେବା ତ ବଢ଼ି ଚାଲିଥିଲା, ତା’ ସହିତ ନିୟମିତ ଦୁର୍ଘଟଣାରେ ଜୀବନ ଯିବାରୁ ଏଠାରେ ଆର୍‌ଓବି ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏଣୁ ଦୀର୍ଘ ଦିନ ଧରି ପ୍ରବଳ ଅସନ୍ତୋଷର କାରଣ ପାଲଟିଥିବା ମଞ୍ଚେଶ୍ବର ଲେଭଲ୍‌କ୍ରସିଂରେ ଆର୍‌ଓବି ପାଇଁ ପୂର୍ତ୍ତ ବିଭାଗ ଯୋଜନା କରିଥିଲା। ଏଥିରେ ୬୫ କୋଟି ଖର୍ଚ୍ଚ ହେବାକୁ ଅଟକଳ କରାଯାଇଛି। ଏହି ଅର୍ଥରୁ ରାଜ୍ୟ ସରକାର ୩୫ କୋଟି ୧୭ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ବାକି ୨୬ କୋଟି ୭୨ଲକ୍ଷ ଟଙ୍କାର ଖର୍ଚ୍ଚ ରେଳବାଇ ବହନ କରିବ। ଏହି ଅଟକଳକୁ ପୂର୍ତ୍ତ ସଚିବ ପ୍ରଶାସନିକ ଅନୁମୋଦନ ଦେବାପରେ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରାଯାଇଛି। ୨୦୧୯ ମାର୍ଚ୍ଚ ମାସରେ ତତ୍‌କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆର୍‌ଓବି ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ବିଭିନ୍ନ କାରଣରୁ ତାହା ସମ୍ଭବ ପାରିନଥିଲା। ପ୍ରଥମେ ଏହାକୁ ତିନିପାଖିଆ କରାଯିବାକୁ ଯୋଜନା ଥିବାବେଳେ ଏବେ ଦୁଇପାଖିଆ ହେଉଛି। ଅର୍ଥାତ୍‌ ଏହି ବ୍ରିଜ୍‌ ମଞ୍ଚେଶ୍ୱରରୁ ବାହାରି ଭିଏସ୍‌ଏସ୍‌ନଗର ଆଡ଼କୁ ଆସୁଛି।

Share Now:

Kalinga News Beuro

Next Post

ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ନିମନ୍ତ୍ରିତ ହେଲେ ମହାପ୍ରଭୁ

Thu Dec 21 , 2023
୭୪୬ ଜଗନ୍ନାଥ ମନ୍ଦିରକୁ ପଠାଯିବ ନିମନ୍ତ୍ରଣ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ବ୍ରୋଚର ପୁରୀ: ଆସନ୍ତା ଜାନୁଆରି ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ଏଥି ପାଇଁ ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେବା ପାଇଁ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପରିଚାଳଚନା କମିଟିର ୫ ଜଣ ପ୍ରତିନିଧି, ବରିଷ୍ଠ ସେବାୟତ ପ୍ରମୁଖ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial