ଇସ୍କନ୍‌ ମନ୍ଦିର ପରିସରରୁ ଝୁଲନ୍ତା ଶବ ଜବତ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଇସ୍କନ୍‌ ମନ୍ଦିରରେ ଥିବା ଶୌଚାଳୟ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଜବତ କରିଛି। ତାଙ୍କ ନାଁ ବାବୁ ସାହୁ। ନିଜ ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ ବାଲିସାହିରେ। ଏଠାରେ ସେ ଇସ୍କନ୍‌ ମନ୍ଦିର ପରିସରରେ ରହିବା ସହ ମନ୍ଦିରର ରେସ୍ତୋରାଁରେ ରୋଷେୟା ଭାବେ କାମ କରୁଥିଲେ। ତେବେ ଯେଉଁ ପରିସ୍ଥିତିରେ ତାଙ୍କ ଶବ ଜବତ କରାଯାଇଛି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିବା ପରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏ ନେଇ ନୂଆପଲ୍ଲୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଆଜି ସକାଳେ ଇସ୍କନ୍‌ ମନ୍ଦିର ସିକ୍ୟୁରିଟି ଗାର୍ଡ ପ୍ରଥମେ ବାବୁଙ୍କ ଝୁଲନ୍ତା ଶବ ଶୌଚାଳୟ ଭିତରେ ଦେଖିବାକୁ ପାଇଥିଲେ। ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ତାଙ୍କ ହାତ ଓ ଗୋଡ଼ ତଳେ ଲାଗି ରହିଥିଲା। ତେବେ ମାତ୍ର ୪ଫୁଟ ଉଚ୍ଚରେ ମୃତଦେହ ଝୁଲୁଥିବାରୁ ସନ୍ଦେହ ଉପୁଜୁଛି। ପାରପାର୍ଶ୍ବିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ଭଳି ମନେ ହେଉଛି। ବାବୁଙ୍କ ଭାଇ ପଞ୍ଚୁ ସାହୁ କହିଛନ୍ତି, ଭାଇଙ୍କ ଦେହ ଅସୁସ୍ଥ ଥିଲା। ତେଣୁ ସେ ଦୁଇ ଦିନ ତଳେ ଗାଁକୁ ଯାଇଥିଲେ। ଗତକାଲି ରାତିରେ ଆସିଥିଲେ। ଆଜି ଏଭଳି ଅଘଟଣ ଘଟିଛି। ଯେଉଁ ଭଳି ଅବସ୍ଥାରେ ତାଙ୍କ ମୃ୍ତଦେହ ଝୁଲିଥିଲା, ସେଥିରୁ ଜଣାପଡ଼ୁଛି କି ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଛି। କାରଣ ତା‌ଙ୍କ ହାତ, ଗୋଡ଼ ତଳେ ଲାଗିଛି। ସେ ବସି କରି ଝୁଲିଥିଲେ। ତେଣୁ ତାଙ୍କୁ ବିଳମ୍ବିତ ରାତିରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଇଛି। ଇସ୍କନ୍‌ ମନ୍ଦର ଲୋକସମ୍ପର୍କ ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି, ସେ ଛୁଟିରେ ଯାଇଥିଲେ। କେତେବେଳେ କାର୍ଯ୍ୟରେ ଯୋଗ ଦେଲେ ଆମେ ଜାଣିନାହୁଁ। ପୁଲିସ୍‌ ମାମଲାର ତଦନ୍ତ କରୁଛି। ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମାମଲାର ତଦନ୍ତକାରୀ ଅଫିସର୍‌ କହିଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଏହା ଆତ୍ମହତ୍ୟା ନା ହତ୍ୟା, ଜଣାପଡ଼ିବ।

Share Now:

Kalinga News Beuro

Leave a Reply

Next Post

ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଏହି ବିଦ୍ୟାଳୟ ଥିଲା ମୋ ଯଶୋଦା ମା’: ଦ୍ରୌପଦୀ ମୁର୍ମୁ

Tue Nov 26 , 2019
ମ୍ୟାଟ୍ରନ ଶାନ୍ତିଲତାଙ୍କୁ ମନେ ପକାଇଲେ ରାଜ୍ୟପାଳ ଭୁବନେଶ୍ୱର: ଶିକ୍ଷା ଚେତନାକୁ ଜାଗ୍ରତ କରେ। ନିଜକୁ ନିଜ ସହ ପରିଚିତ କରାଏ। ଆମକୁ ବିଚାର କରିବାର ଶକ୍ତି ଦିଏ, ପୁଣି ସ୍ୱାଧୀନ ବି କରାଏ। ମଣିଷ ଜୀବନରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ୟୁନିଟ୍‌-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial