ଖୋଲିଲାନି ମହାପ୍ରଭୁଙ୍କ ରତ୍ନଭଣ୍ଡାର, ବାହାରପଟୁ ଯାଞ୍ଚ କଲା ଏଏସଆଇ (ASI)

ଭୁବନେଶ୍ୱର : ଖୋଲିଲାନି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଆଜି କେବଳ ବାହାର ପଟ ଯାଞ୍ଚ ହେଲା। ଏଏସ୍ଆଇ କୋର କମିଟି ଭଣ୍ଡାରର ବାହାର ଅଂଶ ଯାଞ୍ଚ କରିଛି। ରାଜ୍ୟ ସରକାରଙ୍କଠାରୁ ଉତ୍ତର ମିଳି ନ ଥିବାରୁ ଭଣ୍ଡାର ଘର ଭିତରସ୍ଥିତି ଯାଞ୍ଚ ହୋଇପାରିନି। ତେବେ ରତ୍ନଭଣ୍ଡାର ଭିତର ଖୋଲିବାରେ ବାଧକ ଅଛି କି ନାହିଁ, ତା ଉପରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ତର୍ଜମା ପରେ ଏଏସ୍ଆଇକୁ ଯାଞ୍ଚ ପାଇଁ କୁହାଯିବ।

ଯାହାକୁ ନେଇ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ୍‌କମିଟି ବୈଠକ ବସିଥିଲା। ଏହି ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଯେ, ରତ୍ନଭଣ୍ଡାର ଗହଣାର ଆକଳନ ହେବନି। ହାଇକୋର୍ଟ ଏହାର ସ୍ଥାୟୀତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ରତ୍ନଭଣ୍ଡାର କାନ୍ଥ ଓ ଛାତର ଅବସ୍ଥା ଯାଞ୍ଚ ହେବ। ଛତିଶା ନିଯୋଗ ସହ ଆଲୋଚନା ପରେ ଭିତରକୁ ଯିବ ଯାଞ୍ଚ କିମିଟି। ରତ୍ନଭଣ୍ଡାର ଭିତରକୁ ଗଲା ବେଳେ ସ୍ୱତନ୍ତ୍ର ନିୟମାବଳି ଲାଗୁ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ବାହାର ଭଣ୍ଡାରର ଚାବି ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଓ ତଡଉକରଣଙ୍କ ନିକଟରେ ରହିଛି। କିନ୍ତୁ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ଯେଉଁ ଭଣ୍ଡାର ମେକାପ ସବୁଠୁ ଅଧିକ ସମୟ ଏହି ଘରେ ଚଳପ୍ରଚଳ ହୁଅନ୍ତି, ତାଙ୍କ ତଥ୍ୟ ବି ଚମକାଇଦେଲା ଭଳି । ସେ କହିଛନ୍ତି ରତ୍ନଭଣ୍ଡାରର ବାସ୍ତବ ସ୍ଥିତି ଦୁର୍ବଳ।

ଯେତିକି ରହସ୍ୟମୟ ମହାପ୍ରଭୁ ଜଗନ୍ନାଥ, ସେତିକି ରହସ୍ୟପୂର୍ଣ୍ଣ ତାଙ୍କ ଦୁର୍ଭେଦ୍ୟ ରତ୍ନ ଭଣ୍ଡାର। କେତେ କୋଠରୀ, କେତେ ମୂଲ୍ୟବାନ ଦ୍ରବ୍ୟ ସେ ଭଣ୍ଡାର ଭିତରେ ରହିଛି ତାହା କାହାକୁ ବି ସଠିକ୍ ଭାବେ ଜଣାନାହିଁ। ଶ୍ରୀମନ୍ଦିର ମାଦଳାପାଞ୍ଜି କହେ, ପାଖାପାଖି ୪୬ଟି ମୂଲ୍ୟବାନ କିରିଟି ରହିଛି ଏ ରତ୍ନ ଭଣ୍ଡାରରେ। ଯାହାକି ବିଭିନ୍ନ ସମୟରେ ଗଜପତି ମହାରାଜା ପରାସ୍ତ କରିଥିବା ରାଜାମାନଙ୍କର। ୧୯୭୮ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ସମୟରେ ମିଳିଥିଲା ୩୪ଟି କିରିଟି, ଅର୍ଥାତ୍ ଆହୁରି ୧୨ଟି କିରିଟି ଭିତର ଭଣ୍ଡାରରେ ଥାଇପାରେ। ତାସହ ବର୍ତ୍ତମାନ ଚଳପ୍ରଚଳ ଚାଲିଥିବା ୩ଟି କୋଠରୀରେ ପ୍ରାୟ ୫୧୮ ପ୍ରକାରର ସୁନା ଓ ରୂପା ଅଳଙ୍କାର ରହିଥିବା ସେତେବେଳେ ଗଣତି ହୋଇଥିଲା।

ପୂର୍ବରୁ ବ୍ରିଟିଶ ଶାସନ କାଳରେ ୧୯୨୬ ମସିହାରେ ମଧ୍ୟ ରତ୍ନଭଣ୍ଡାର ଅଳଙ୍କାର ସବୁର ତାଲିକା ହୋଇଥିଲା। ଯାହା ଜଉମୁଦ ଲଫାଫାରେ ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମ୍‌ର ରହିଛି। ତେଣୁ ପୂର୍ବରୁ ଅଳଙ୍କାର ଗଣତି ହୋଇଥିବାବେଳେ ଆଉ ଏହାର କଣ ଅବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ସେବାୟତ।

ଗବେଷକଙ୍କ ମତରେ ଗଜପତି କପିଳେନ୍ଦ୍ର ଦେବ ୨ଟି ପର୍ଯ୍ୟାୟରେ ପ୍ରାୟ ୭ଶହ କୁଇଣ୍ଟାଲ ଓ ଗଜପତି ପୁରୁଷୋତ୍ତମ ଦେବ ପ୍ରାୟ ୧୦୧ କୁଇଣ୍ଟାଲ ଧନରତ୍ନ ଆଣି ଭଣ୍ଡାର ଘରେ ରଖିଥିଲେ। ତାସହ ଜୟବିଜୟ ଦ୍ୱାରରେ ଥିବା ଶିଳାଲେଖ ଅନୁସାରେ ଗଜପତିମାନେ ବିଭିନ୍ନ ସମୟରେ ଠାକୁରଙ୍କୁ ଦନ୍ତରତ୍ନ, ରତ୍ନ ଛତି, ରତ୍ନ ପଲଙ୍କ ଓ ଆଭୂଷଣ ଭେଟି ଦେଇଛନ୍ତି। ତେଣୁ ସେ ସବୁ ସେହି ରତ୍ନ ଭଣ୍ଡାରରେ ଥିବା ଅନୁମାନ କରାଯାଉଛି।

Share Now:

Kalinga News Beuro

Leave a Reply

Next Post

ଆଜି ବିଶ୍ୱ ନାଟ୍ୟ ଦିବସ : ନାଟକ ପାଇଁ ଭିତ୍ତିଭୂମି ନାହିଁ

Tue Mar 27 , 2018
ଭୁବନେଶ୍ୱର : ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଓ ଭାସ୍କର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତ ମୁନି ନାଟକକୁ ‘ପଞ୍ଚମ ବେଦ’ ଅର୍ଥାତ୍‌ ୪ ବେଦର ସାରାଂଶର ସମାହାର ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ମଣିଷର ମନୋରଞ୍ଜନର କିଛି ମାଧ୍ୟମ ନଥିଲା, ସେତେବେଳେ ପ୍ରଥମେ ଲୋକକଳା ପାଲା, ଦାସକାଠିଆ, କଣ୍ଢେଇ ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଓ ରାମଲୀଲା ଆଦି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial