ରାଜ୍ୟରେ ଚାରି ଦିନ ଭୀଷଣ ବର୍ଷା: ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟ ବର୍ଷାରେ ଭିଜିବ। ପର୍ଯ୍ୟାୟ କ୍ରମେ ୨୮ ତାରିଖ ପର୍ଯ୍ୟନ୍ତ। ୨୪ରୁ ୨୭ ତାରିଖ ଯାଏ ପ୍ରକୋପ କିଛି ସ୍ଥାନରେ ଅଧିକ ରହିପାରେ। ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଭୟ ରହିଛି। ବାକି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ସଂପର୍କରେ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ୨୪ ତାରିଖ ସକାଳ ସୁଦ୍ଧା ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅଗଷ୍ଟ ୨୫ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଏହାର ନିକଟବର୍ତୀ ପଶ୍ଚିମବଙ୍ଗରେ ଲଘୁଚାପ ରୂପ ନେବ। ୨୬ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। କିଛି ପଶ୍ଚିମକୁ ଗତି କରି ଏହା ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ରହିବ। ପରେ ୨୭ ତାରିଖ ବେଳକୁ ଏହା ଉତ୍ତରପ୍ରଦେଶ ଏବଂ ବିହାର ଉପରେ ରହି ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇବ। ଏହି ଲଘୁଚାପ ଜନିତ ବର୍ଷାର ପ୍ରକୋପ ଭୀଷଣ ହୋଇପାରେ ବୋଲି ଆକଳନ କରି ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି। ତାଗିଦ୍ କରାଯାଇଛି, ବିଡ଼ିଓ ଓ ତହସିଲଦାରଙ୍କ ଠାରୁ ଆରମ୍ଭକରି ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଏନ୍‌ଡ଼ିଆର୍‌ଏଫ୍ ସମସ୍ତେ ସଜାଗ ରହିବେ। ପୂର୍ତ ବିଭାଗ, ନଗର ଉନ୍ନୟନ, ଡ୍ରେନେଜ୍, ଜଳସଂପଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ପରିସ୍ଥିତି ଉପରେ ନଜର ରଖି ତତ୍କାଳ ପଦକ୍ଷେପ ନେବେ। କିଛି ସ୍ଥାନ ଜଳବନ୍ଦୀ ହୋଇପାରେ, ଛୋଟ ଛୋଟ ନାଳ ଭୀଷଣ ରୂପ ଧାରଣ କରି କ୍ଷତି ପହଞ୍ଚାଇପାରନ୍ତି। ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ବିଶେଷକରି ଜଳସଂପଦ ବିଭାଗର ଯନ୍ତ୍ରୀମାନେ ନଦୀବନ୍ଧ ଉପରେ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ।
ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି, ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ। ଆଜି ସକାଳ ସୁଦ୍ଧା ଉପକୂଳବର୍ତୀ ଓଡ଼ିଶା, ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅନ୍ୟ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ। ୨୪ ତାରିଖ ସକାଳ ପରଠାରୁ ବର୍ଷାର ପ୍ରକୋପ ଧୀରେ ଧୀରେ ବଢ଼ିବ। ୨୫ ତାରିଖ ସକାଳ ସୁଦ୍ଧା ବର୍ଷା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା (୯ ଜିଲ୍ଲା)ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ଆକଳନ କରାଯାଉଛି। ଏହାର ପ୍ରଭାବରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ଓ କଚ୍ଚା ଘର କ୍ଷତି ପହଞ୍ଚାଇବା ବିଚିତ୍ର ନୁହେଁ। ସେହିସମୟରେ କିନ୍ତୁ ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ପୁରୀ, କନ୍ଧମାଳ ଓ ବୌଦ୍ଧରେ ପ୍ରବଳ ବର୍ଷା ସୂଚନା ଦିଆଯାଇଛି। ଭୀଷଣ ବର୍ଷାର ଏହି ଧାରା ୯ଟି ଜିଲ୍ଲାରେ ଅବ୍ୟାହତ ଥାଇ ୨୬ ତାରିଖ ସକାଳ ସୁଦ୍ଧା ବର୍ଷା ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳକୁ ବି ପ୍ରଭାବିତ କରିବ। ଏସବୁ ଜିଲ୍ଲାରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଫ୍ଲାସ୍ ଫ୍ଲଡ୍ ବା ଆକସ୍ମିକ ବନ୍ୟା ଭୟ ରହିଥିବା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସୁନ୍ଦରଗଡ, ପୁରୀ, ଖୋର୍ଧା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ଜାରି ରହିବ। ୨୭ ତାରିଖ ସକାଳ ବେଳକୁ ବର୍ଷା ଉତ୍ତର ଓଡ଼ିଶା ଛାଡ଼ି ପଶ୍ଚିମ ଓଡ଼ିଶା ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରକୋପ ରୂପ ନେଇଥିବ। ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, େକନ୍ଦୁଝର, ମୟୂରଭଂଜ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ସମାନ ସମୟରେ ଯାଜପୁର, ଭଦ୍ରକ, ଢେଙ୍କାନାଳ, ନୂଆପଡା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ବି ପ୍ରବଳ ବର୍ଷା ଡ଼ର ରହିଛି। ୨୮ ତାରିଖ ସକାଳ ବେଳକୁ ବର୍ଷାର ପ୍ରଭାବ ସାମାନ୍ୟ କମିବ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ‌ହେଉଥିବା ଅଞ୍ଚଳରେ ୧୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବର୍ଷା ପ୍ରଭାବରେ ତେଲ, ଜିରା, ବୁଢାବଳଙ୍ଗ, ବୈତରଣୀ ଓ ସୁବର୍ଣ୍ଣରେଖା ପ୍ରମୁଖ ନଦୀ ଉଛୁଳି ବଡ଼ ବନ୍ୟା ଆଣିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ।

Share Now:

Kalinga News Beuro

Next Post

ଚୀନ୍‌ର ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

Mon Aug 24 , 2020
ନୂଆଦିଲ୍ଲୀ: ଗଲଵାନ ସଂଘର୍ଷ ପରେ ସୀମାରେ ଉତ୍ତେଜନା ହ୍ରାସ ସକାଶେ ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଭାରତ ଓ ଚୀନ୍‌ର ବିଭିନ୍ନ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନାରେ ସହମତି ଆସିଥିଲେ ହେଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଅହଂକାର ଯୋଗୁଁ ଚୀନ ସେନା ପଛଘୁଞ୍ଚା ଦେବାକୁ ଅରାଜି। ତଥାପି ସୀମାବିବାଦ ସହ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉତ୍ତେଜନା ହ୍ରାସ ପାଇଁ ଦ୍ବିପାକ୍ଷିକ […]
ଚୀନ୍‌ର ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial