ଅନେକ ହେଲା ଅନେକ ବାକି……
ଭୁବନେଶ୍ୱର: ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ରାଜ୍ୟ ରାଜଧାନୀ ମାନ୍ୟତା ମିଳିଥିଲା। ସେହି ଅନୁସାରେ ଆଜି ୭୬ ବର୍ଷରେ ପଦାର୍ପଣ କରିଛି ଏହି ରାଜଧାନୀ ସହର। ଏହି ସହରରେ ଥିବା ବିବିଧ ସମସ୍ୟାକୁ ଅତିକ୍ରମ କରି ଭୁବନେଶ୍ୱର କ୍ରମଶଃ ସମୃଦ୍ଧ ହେଉଛି। ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ୱରର ତ ଅନେକ ପୂର୍ବରୂ ଅନ୍ତର୍ଜାତୀୟସ୍ତରରେ ସ୍ୱତନ୍ତ୍ର ପରିଚୟ ରହିଛି, ଏବେ ଏକ ଆଧୁନିକ ସହର ଭାବେ ମଧ୍ୟ ଏହା ବିଶ୍ୱ ଦରବାରରେ ନୂଆରୂପରେ ପରିଚିତ ହେଉଛି। ଏକଦା ବଣ ପାହାଡ଼ ଘେରା, ଶଗଡ଼ଗୁଳାର ରାସ୍ତା ଥିବା ରାଜଧାନୀ ଏବେ ସ୍ମାର୍ଟସିଟି ପାଲଟିଛି। ଆମେ ସ୍ଥାନୀୟ ଲୋକେ କେବେ କେବେ ସମାଲୋଚନା କରୁଥିଲେ ହେଁ ନିରପେକ୍ଷ ଦୃଷ୍ଟିକୋଣରୁ ଦେଖିଲେ ଏହି ସହରର ଚକାଚକ୍ ରାସ୍ତା, ବଡ଼ବଡ଼ ଫ୍ଲାଏଓଭର ଓ ଆକାଶଚୁମ୍ବୀ କୋଠା ପଡ଼ୋଶୀ ରାଜ୍ୟବାସୀଙ୍କ ଈର୍ଷାର କାରଣ ସାଜୁଛି। ଏକ ବିକଶିତ ସହରରେ ପରିଣତ ହେବାର ସ୍ୱପ୍ନ ଦେଖୁଥିବା ରାଜଧାନୀରେ ଅନେକ ବିକାଶମୂଳକ କାମ ଚାଲିଛି। କେବଳ ଖଣ୍ଡଗିରି, ଉଦୟଗିରି, ଶ୍ରୀଲିଙ୍ଗରାଜ ମନ୍ଦିର, ଧଉଳି କି ଶିଶୁପାଳଗଡ଼ର ଇତିହାସକୁ ନେଇ ଭୁବନେଶ୍ୱରର ପରିଚୟ ସୀମିତ ନାହିଁ, ବିଶ୍ୱ ଦରବାରରେ ଭୁବନେଶ୍ୱର ଏକ ପ୍ରମୁଖ ଭାରତୀୟ ଶିକ୍ଷା ହବ୍, ଆଇଟି ହବ୍ର ପରିଚୟ ପାଇଛି। ଆଇଆଇଟି,ଏମ୍ସ, ନାଇଜର୍, ଓୟୁଏଟି, ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍ ଓ ସୋଆର ଛାତ୍ରଛାତ୍ରୀ ଭୁବନେଶ୍ୱର ପାଇଁ ନୂଆ ପରିଚୟ ଆଣିଛନ୍ତି। ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଆଥ୍ଲେଟିକ ଗେମ୍ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଏବେ ମଧ୍ୟ ଦେଶର ବହୁ ତଥାକଥିତ ଆଗୁଆ ରାଜ୍ୟର ସ୍ୱପ୍ନ ହୋଇ ରହିଥିବାବେଳେ ଭୁବନେଶ୍ୱର ତାହାକୁ ଏକାଧିକ ବାର ଆୟୋଜନ କରି କେବଳ ଦେଶର କ୍ରୀଡ଼ା ରାଜଧାନୀ ପାଲଟିନି, ଅନ୍ତର୍ଜାତୀୟସ୍ତରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛି। ଏବେ ଏବେ ତ ବିଶ୍ୱସ୍ତରୀୟ ବସ୍ଷ୍ଟାଣ୍ଡ ଉଦ୍ଘାଟିତ ହୋଇଛି, ଆଗକୁ ସେହି ସ୍ତରର ରେଳ ଷ୍ଟେସନ ଆସୁଛି। ପୁଣି ମେଟ୍ରୋ ଯୋଜନାର କାମ ମଧ୍ୟ ଆରମ୍ଭ ହୋଇଗଲାଣି। ଏସବୁକୁ ଦେଖିଲେ ବିଶ୍ୱ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ କରି ସାରିଥିବା ରାଜଧାନୀ ଭୁବନେଶ୍ୱର ଆଗାମୀ ଦିନରେ ଆହୁରି ଅନେକ ଆଗକୁ ଯିବ ସେଥିରେ ସନ୍ଦେହ ନାହିଁ। ରାଜଧାନୀ ପ୍ରତିଷ୍ଠା ହେବା ପରେ ସହରକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ସମୟରେ ଉଦ୍ୟମ ହୋଇଛି। ପ୍ରଥମେ ବ୍ରିଟ୍ ଓ ପରେ ବିଡିଏ ପ୍ରତିଷ୍ଠା ହୋଇଛି। କିନ୍ତୁ ସବୁଠାରୁ ଅଧିକ ସ୍ୱପ୍ନ ଦେଖାଇଛି ୨୦୧୬ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍)। ଭୁବନେଶ୍ୱରରେ ଅତ୍ୟାଧୁନିକ ସେବା ଓ ଭିତ୍ତିଭୂମି ପାଇଁ ୪୫୩୭କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିରୁ ପିପିପି ମୋଡ୍ରେ ୨୫୬୨.୮୦କୋଟି ଟଙ୍କା ପୁଞ୍ଜିନିବେଶ ହେବାକୁ ଥିଲା। ହେଲେ ଏଥିରୁ ଟଙ୍କାଟିଏ ଆସିପାରିଲାନି। ଫଳରେ ବିଏସ୍ସିଏଲ୍ ଯେଉଁ ୮୧ଟି ପ୍ରକଳ୍ପ ଯୋଜନା କରିଥିଲା ସେଥିରୁ ମାତ୍ର ୩୦ଟି କରିବାକୁ ସକ୍ଷମ ହେଲା। ସେଥିରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକାଧିକ ପ୍ରକଳ୍ପ ଫେଲ୍ ମାରିଲା, ଲୋକଙ୍କ କାମରେ ଆସିଲାନି।
୭୬ ବର୍ଷରେ ପଦାର୍ପଣ କରିଛି ରାଜଧାନୀ। ୧୯୪୮ରେ ଏନ୍ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସହରକୁ ନୂଆରୂପ ଦେବା ପାଇଁ ପ୍ରଥମେ ଗଠନ କରାଯାଇଥିବା ‘ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ୍)’ ଏବେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ହୋଇଛି। ସେତେବେଳର ଜନସଂଖ୍ୟା ୧୫ ହଜାରରୁ ବଢ଼ି ଏବେ ୧୫ ଲକ୍ଷରେ ପହଞ୍ଚିଲାଣି। ଏବେ ରାଜଧାନୀ ପ୍ରତ୍ୟେକଙ୍କର ପ୍ରଥମ ପସନ୍ଦ ହୋଇଛି। ଓଡ଼ିଶାର ପ୍ରତିଟି ଜିଲ୍ଲାର ଲୋକଙ୍କ ମନରେ ଏ ସହରରେ ଘରଟିଏ ତୋଳିବାର ସ୍ୱପ୍ନ ରହିଛି। ସେଥିପାଇଁ ଏହାର କଳେବର ବଢ଼ିବଢ଼ି ଚାଲିଛି। କିନ୍ତୁ ଏ ସହରର ସୁନାମସୁଲଭ ସେବା ତଥାପି ସହରବାସୀ ପାଇବାରେ ବାକି ରହିଛି।
ସହିଦନଗର ଅଞ୍ଚଳ ଏବଂ ୟୁନିଟ-୧ ହାଟ ଓ ୟୁନିଟ-୨ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ପାର୍କିଂ ସମସ୍ୟା ସମାଧାନ ପାଇଁ ନିର୍ମିତ ଦୁଇଟି ବହୁତଳ ପାର୍କିଂସ୍ଥଳୀ ଆଜି ପର୍ଯ୍ୟନ୍ତ ଶୃଙ୍ଖଳିତ ହୋଇ ପାରୁନି। ପରିଚାଳନାଗତ ତ୍ରୁଟି ପାଇଁ ଦୁଇଟି ଠିକା ସଂସ୍ଥା ଛାଡି ଚାଲି ଯାଇଥିବା ବେଳେ ବିଏସ୍ସିଏଲ୍ ଆଉ ଥରେ ଟେଣ୍ଡର କରିଛି। ୫୦ରୁ ଊର୍ଦ୍ଧ୍ବ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମାର୍ଟ କିଓସ୍କ ଖତ ଖାଉଛି। ଏହାକୁ କେହି ବ୍ୟବହାର କଲେ ନାହିଁ କିମ୍ବା ଏହାର ବ୍ୟବହାର ବଢ଼ିବା ପାଇଁ ବ୍ୟବସ୍ଥା ହେଲାନି। ‘ସୋଲାର୍ ସିଟି ରୁଫ୍ଟପ୍’ ଯୋଜନାରେ ପ୍ରତ୍ୟେକ ଘରୋଇ ଓ ସରକାରୀ ଛାତରେ ସୌରପ୍ୟାନେଲ୍ ଲାଗିଥା’ନ୍ତା। ଏହା ବିଦ୍ୟୁତ୍ ଶକ୍ତିର ବ୍ୟବହାର କମାଇବା ସହ ଭୁବନେଶ୍ବର ପରିବେଶ ପାଇଁ ସୁହାଇଥା’ନ୍ତା। କିନ୍ତୁ ଏ ଯୋଜନା ଚୁଲିକୁ ଯାଇଛି। ସେହିଭଳି ‘ମୋ ସାଇକେଲ୍’ ମଧ୍ୟ ଖତ ଖାଉଛି। ଏ ଯାବତ୍ ଏହାର ବ୍ୟବହାର ନେଇ କୌଣସି ବ୍ୟବସ୍ଥା ହୋଇ ପାରିଲା ନାହିଁ।
ସବୁଠାରୁ ବଡ଼ ସମସ୍ୟା ହୋଇଛି ସହରୀ ବନ୍ୟା। ଆଚାର୍ଯ୍ୟ ବିହାର ହେଉ କି ବମିଖାଲ, ଇସ୍କନ୍ ମନ୍ଦିର ନିକଟ ଜାତୀୟ ରାଜପଥ ପାର୍ଶ୍ଵ ହେଉ କି ସୁନ୍ଦରପଦା, ଅସରାଏ ବର୍ଷା ହେଲେ ସାରା ସହର ଭାସୁଛି। କେବଳ ଇସ୍କନ ମନ୍ଦିର ପାଖ ନୁହେଁ ବରଂ ଘର ସାମ୍ନାରେ ପାର୍କିଂ ହୋଇଥିବା ଗାଡ଼ି ବର୍ଷା ପାଣି ସୁଅରେ ଭାସି ଯାଉଛି। ଭୁବନେଶ୍ୱର ସହର ଦେଇ ୧୦ଟି ପ୍ରାକୃତିକ ନାଳ ବୋହି ଯାଇଛି। ଏହି ନାଳ ମଧ୍ୟ ଦେଇ ନର୍ଦ୍ଦମା ଓ ବର୍ଷା ଜଳ ଗଙ୍ଗୁଆ ନାଳକୁ ଯାଇଥାଏ। ସେଠାରୁ ଦୟା ନଦୀରେ ମିଶିଥାଏ। କିନ୍ତୁ ଏହି ପ୍ରାକୃତିକ ନାଳଗୁଡିକ ଜବରଦଖଲ ହୋଇ କୋଠା ଗଢ଼ିଉଠିଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଏଣେ ଏହି ଜବରଦଖଲ ଉଚ୍ଛେଦ କରି ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇ ପାରୁନାହିଁ। କେଉଁଠି ବସ୍ତି ଯୋଗୁ ଭୋଟ୍ କଟିଯିବା ଲୋଭରେ ତ କେଉଁଠି ବଡ଼ବଡ଼ିଆଙ୍କ ଚାପରେ ଜବରଦଖଲ ଉଚ୍ଛେଦ ହୋଇପାରୁନାହିଁ। ଏଣୁ ଏହି ଜଳବନ୍ଦୀ ସମସ୍ୟା ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି। ଆଉ ଗୋଟିଏ ପ୍ରସଙ୍ଗରେ ମହାନଗର କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ତା’ ହେଉଛି ଆବର୍ଜନା ପରିଚାଳନା। ଗାଡ଼କଣ ବିଏମ୍ସି ଅଳିଆ ଗଦା ବର୍ତ୍ତମାନ ଯେଉଁ ସ୍ଥିତି ସୃଷ୍ଟି କରିଛି, ତା’ର ତୁଳନା ନାହିଁ।