ବଦଳିପାରେ ରଣନୀତି : ବିଜେଡି-ବିଜେପି ଏବେ ଲଢ଼ିବେ…?

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ଆରଟିଆଇ ସେଲ୍ ଖୋଲ। ଜଣେ ଲେଖାଏ ଆରଟିଆଇ ପ୍ରମୁଖଙ୍କୁ ନିଯୁକ୍ତି ଦିଅ। ସେମାନେ ପଞ୍ଚାୟତସ୍ତରର ସବୁ ଦୁର୍ନୀତି ସଂପର୍କରେ ତଥ୍ୟ ମାଗିବେ। ପ୍ରଥମେ କୋଭିଡ଼ ଓ ମନରେଗା ତଥ୍ୟ ମଗାଯିବା ଦରକାର। ଅସ୍ଥାୟୀ ଚିିକିତ୍ସା କେନ୍ଦ୍ର ଠାରୁ ଆରମ୍ଭ କରି ପ୍ରତିଟି ବ୍ୟକ୍ତିଙ୍କ ବାବଦରେ ହେଉଥିବା ଖର୍ଚ୍ଚ ଏବଂ ଆସୁଥିବା ପ୍ରବାସୀ ଶ୍ରମିକ କାମ ପାଇଲେ କି ନାହିଁ? କିଏ କାମ କରୁଛି ମଣିଷ ନା ମେସିନ୍। ଏ ସଂପର୍କରେ ବିଶଦ ତଥ୍ୟ ଆସିବା ଦରକାର। ବିଜେପି ଶୀର୍ଷସ୍ତରରୁ ଦଳର ଛାମୁଆ ନେତାମାନଙ୍କୁ ଏଭଳି ନିର୍ଦ୍ଦେଶନାମା ମିଳିଥିବା ଖବର ଆସିଛି। କେବଳ ସେତିକି ନୁହେଁ, ପ୍ରତି ନିର୍ବାଚନମଣ୍ଡଳୀର ନେତାମାନେ ସ୍ଥାନୀୟ ଅଞ୍ଚଳର ୫୦୦୦ ଲୋକଙ୍କୁ ନେଇ ହ୍ଵାଟ୍ସଆପ୍ ଗଠନ କରିବେ। ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶ ପାଉଥିବା ନିଚ୍ଛକ ତଥ୍ୟ ସବୁ ସେମାନଙ୍କ ନିକଟରେ ପହଞ୍ଚାଇବା ଲାଗି ନେତାମାନଙ୍କୁ ପରାମର୍ଶ ଦିଆଯାଇଛି। ଅତି ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ରିପୋର୍ଟ ଲେଖା ହେବା ବେଳକୁ ବିଜେପିର ଯେଉଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା (ଜୁମ୍‌ ଆପ୍‌) ଜାରି ରହିଛି, ସେଥିରେ ପଞ୍ଚାୟତ ନିର୍ବାଚନରେ ବିଜେଡି ବିରୋଧରେ ବଡ଼ ଲଢେଇ ଲାଗି ବିଜେପି ରଣନୀତି ଧାର୍ଯ୍ୟ କରିଛି। ଏଥିସହିତ ପଞ୍ଚାୟତସ୍ତରରୁ କୋଭିଡ଼ ଓ ମନରେଗାକୁ ପ୍ରସଙ୍ଗ କରି ଆଗକୁ ବଢ଼ିବାକୁ ଯୋଜନା ହୋଇଛି। ଦଳର ଏଭଳି ନିଷ୍ପତ୍ତି ସଂପର୍କରେ କୌଣସି ନେତା ଖୋଲାଖୋଲି କିିଛି ମତ ରଖିବାକୁ ପ୍ରସ୍ତୁତ ନୁହନ୍ତି। ହେଲେ ଗତ ପାଞ୍ଚ ଦିନ ଧରି ବିଜେପି ନେତାମାନଙ୍କର ଗତିବିଧି ଓ କଥାବାର୍ତ୍ତା, କାର୍ଯ୍ୟକ୍ରମ ସଙ୍କେତ ଦେଉଛି ଯେ ଏସବୁ ଆଦୌ ଅମୂଳକ ନୁହେଁ। ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗକୁ ନେଇ ଦଳର ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନ ଖୋଲା ସମାଲୋଚନା କରିବା ପରେ ଆଜି କଟକରେ ଅନୁରୂପ ଚିତ୍ର ଦେଖିବାକୁ ମିଳିଥିଲା। ଦଳର ଉପସଭାପତି ନୟନ ମହାନ୍ତି ଓ ବରିଷ୍ଠ ନେତାମାନେ କଟକ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇ କୋଭିଡ଼ ଅନିୟମିତତା ପ୍ରସଙ୍ଗ ସାମ୍ନାକୁ ଆଣିଥିଲେ। ଏହାପୂର୍ବରୁ ମାହାଙ୍ଗାରୁ ଶାରଦା ପ୍ରଧାନ ପଞ୍ଚାୟତିରାଜ ଦୁର୍ନୀତି ବିରୋଧରେ ଗର୍ଜନ କରୁଥିବା ବେଳେ ଗଞ୍ଜାମରୁ ଗୋକୁଳାନନ୍ଦ ମଲ୍ଲିକ ମନରେଗା ନେଇ ଜିଲ୍ଲାପାଳଙ୍କ ନିକଟରେ ସଙ୍ଗିନ୍ ଅଭିଯୋଗ ରଖିଥିଲେ। ଏସବୁ କେଉଁଠି ନା କେଉଁଠି ସୂଚାଇ ଦେଉଥିଲା ଯେ ବୋଧହୁଏ ବିଜେପି ଧୀରେ ଧୀରେ ତାର ରଣନୀତି ବଦଳାଇବା ଆରମ୍ଭ କରିଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଅମ୍ଫାନ୍ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତ ସମୟରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିବା ବେଳେ ବିଜେପିର ଏଭଳି କାର୍ଯ୍ୟକ୍ରମ ଦ୍ଵନ୍ଦ ସୃଷ୍ଟି କରିଛି। ହେଲେ କୌତୂହଳର କଥା ହେଲା, ବିଜେପିର ଜଣେ ବରିଷ୍ଠ ନେତା ଏ ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ ଏଥର ପ୍ରଧାନମନ୍ତ୍ରୀ ନବୀନ ବାବୁଙ୍କୁ ନୁହେଁ ବରଂ ତାଙ୍କ ଅଫିସର ଟିମ୍‌କୁ ପ୍ରଶଂସା କରିଛନ୍ତି, ଏକଥାକୁ ଗଣମାଧ୍ୟମ ବୋଧହୁଏ ଲକ୍ଷ୍ୟ କରିନାହିଁ।
ରାଜନୈତିକ ମହଲ ବିଜେପିର ଆଚରଣ ଓ ଉଚ୍ଚାରଣ ପରିବର୍ତନ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି। ଏହା ଦଳର ଗୋଟିଏ ଗୋଷ୍ଠୀକୁ ମଧ୍ୟ ଆଶ୍ୱସ୍ତ କରିଛି। ଏହି ଗୋଷ୍ଠୀର ପ୍ରମୁଖ ନେତାମାନଙ୍କର କହିବା କଥା ହେଲା, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ବର୍ଷେ (୨୦୧୯ ମେ’ ୨୩) ବିତିଗଲା। ଜନମତକୁ ଦଳ ସମ୍ମାନ ଦେଇ ପୂରା ୩୬୫ ଦିନ ଚୂପ୍ ଥିଲା। ଏବେ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଦଳ ଆଗକୁ ବଢ଼ିବ। ଖୁବ୍ ଶୀଘ୍ର ସାଂଗଠନିକ ବିସ୍ତାର ପରେ ଦଳ ଠୋସ୍ ରଣନୀତି ଗ୍ରହଣ କରିବ। କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ ଏବେ ବି ଦଳର ନିଷ୍ପତ୍ତି, ନିଷ୍ଠା ଓ ପ୍ରତିବଦ୍ଧତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି। ଯେ ପର୍ଯ୍ୟନ୍ତ କାର୍ଯ୍ୟାନ୍ୱୟନ ହୋଇନାହିଁ, ସେଯାଏ ଏଭଳି ରଣନୀତି ବିଶେଷ କିଛି ମାନେ ରଖେନାହିଁ ବୋଲି ଏମାନଙ୍କର ମତ। ଅନେକ ପ୍ରସଙ୍ଗକୁ ବିଜେପି ଏଭଳି ଦ୍ଵନ୍ଦାତ୍ମକ ଆଭିମୁଖ୍ୟ କାରଣରୁ ହରେଇଛି ଓ ପରିଣାମ ଭୋଗିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ଯେଉଁ ମୁହାଁମୁହିଁ ପରିସ୍ଥିତି ଥିଲା, ତାହା ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ହଠାତ୍ ବଦଳିଯାଇଥିଲା। ନୂଆଦିଲ୍ଲୀ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ଏହାର ପ୍ରଥମ ଝଲକ୍ ଥିଲା। ସେବେଠାରୁ ଏବେ ଯାଏ ବିଜେପିର ଶୀର୍ଷସ୍ତରର ନେତାମାନେ ସରକାରଙ୍କୁ କାଟିବା ବା ବାଧିବା ଭଳି କୌଣସି ମତ ମନ୍ତବ୍ୟ ଦେଇନାହାନ୍ତି। ବିଜେଡି ବି ଅନୁରୂପ ଢଙ୍ଗରେ ଚାଲିଛି। କେନ୍ଦ୍ରର ହଁରେ ହଁ ମାରିଛି। ବିଜେପି ଏବେ ରଣନୀତି ବଦଳାଇଲା କି? ଆଗକୁ ଏହା କେଉଁ ରୂପ ନେବ? ବିଜେଡି ଏହା ଉପରେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବ ଓ ଆଚରଣରେ ଦଳର କି କି ପରିବର୍ତନ ଦେଖିବାକୁ ମିଳିବ, ତାହାକୁ ଏବେ ରାଜନୈତିକ ମହଲ ଲକ୍ଷ୍ୟ ରଖିଛନ୍ତି।

Share Now:

Kalinga News Beuro

Next Post

ପହିଲାରୁ ବଢ଼ିପାରେ ଲକ୍‌ଡାଉନ୍ ଅବଧି: ଘୋଷଣା କରିପାରନ୍ତି ମୋଦୀ, ୩୧ରେ ମନ୍‌ କି ବାତ୍

Thu May 28 , 2020
ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକ୍‌ଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି। କେନ୍ଦ୍ର ସରକାର ଲକ୍ ଡାଉନ୍ ଅବଧିକୁ ବଢ଼ାଇବାକୁ ‌ଯୋଜନା କରିଥିବାର ଖବର ମିଳିଛି। ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ ମୋଦୀ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍’‌ରେ ଏହି ଘୋଷଣା କରିପାରନ୍ତି। ତେବେ ଜୁନ ପହିଲାରୁ ଲକ୍ ଡାଉନ୍-୫ ବେଳେ ଅନେକ କଟକଣାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial