ପୁଣି ଚର୍ଚ୍ଚାରେ ୧ ନମ୍ବର ହାଟ : ୨ଶହ ଚୋରା ଅଣ୍ଡର ଗ୍ରାଉଣ୍ଡ

ପୁଣି ଚର୍ଚ୍ଚାରେ ୧ ନମ୍ବର ହାଟ

ବିଏମ୍‌ସି କମିସନରଙ୍କୁ ଅଭିଯୋଗ

ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ଦୋକାନଗୁଡ଼ିକୁ ବ୍ୟକ୍ତିଗତ ମାଲିକାନାକୁ ନ ଦେବା ପାଇଁ ସର୍ତ୍ତ ରହିଥିଲେ ମଧ୍ୟ ବିଏମ୍‌ସିର ବାବୁମାନେ ୫୦୭ ଦୋକାନକୁ ଦୋକାନୀଙ୍କ ନାମରେ କରି ଦେଇଛନ୍ତି। ତା’ ସହିତ ‘ଲାଇସେନ୍ସ ହୋଲ୍ଡର’ ଶବ୍ଦକୁ ହଟାଇ ‘ଆଲଟି’ ଶବ୍ଦ ବ୍ୟବହାର କରି ସବୁ ଦୋଷକୁ ପୋଛି ଦେବା ପାଇଁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ମାମଲା ଲୋକାୟୁକ୍ତରେ ପହଞ୍ଚିଥିବା ବେଳେ ପୁଣି ଥରେ ଏହି ହାଟ ଚର୍ଚ୍ଚାକୁ ଆସିଛି। ମାର୍କେଟ୍‌ ଦାୟିତ୍ୱରେ ରହି ଆସିଥିବା ଅଧିକାରୀମାନଙ୍କର ଅପାରଗତା ହେଉ ବା ମୋଟା ଅଙ୍କର ହାତଗୁଞ୍ଜା ଯୋଗୁଁ ବିଏମ୍‌ସି ବର୍ଷକୁ ୨୪ ଲକ୍ଷ ହିସାବରେ ଅଢ଼େଇ ବର୍ଷ ଭିତରେ ୬୦ ଲକ୍ଷ କ୍ଷତି ସହିଲାଣି। ଗୋଟିଏ ପଟେ ଏହି ଲୋକପ୍ରିୟ ମାର୍କେଟ୍‌ର ନବକଳେବର ଯୋଜନା ବିଏମ୍‌ସିର ନାଲିଫିତା ତଳେ ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୋଗ ବିଏମ୍‌ସିକୁ ବଦନାମ କରୁଛି। କମିସନରଙ୍କୁ ଏ ନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଛି।
ଅଢ଼େଇ ବର୍ଷରେ ରାଜସ୍ୱ କ୍ଷତି ୬୦ ଲକ୍ଷ
ୟୁନିଟ୍‌-୧ରେ ହଜାରରୁ ଉର୍ଦ୍ଧ୍ଵ ଦୋକାନ ରହିଛି। ସେ ସବୁକୁ ନିୟମିତ କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ ହୋଇଥିଲା। ସଂଘ ସହ ଆଲୋଚନା କରି ଦୋକାନଗୁଡ଼ିକୁ ନିୟମିତ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ। ବିଏମ୍‌ସି ୩ଟି ଟିମ୍‌ ଗଠନ କରି ହାଟ ଯାଞ୍ଚ କରିବା ସହ ମୂଳ ବ୍ୟବସାୟୀଙ୍କ ତାଲିକା କରିଥିଲା। କେତେ ପରିମିତ ଜାଗାରେ ବ୍ୟବସାୟ କରୁଛନ୍ତି, କି’ ପ୍ରକାର ବ୍ୟବସାୟ କରୁଛନ୍ତି; ଏ ସବୁ ଅନୁଧ୍ୟାନ କରିବା ପ‌ରେ କମିଟି ରିପୋର୍ଟ ପ୍ରଦାନ କରିଥିଲା। ରିପୋର୍ଟ ଆଧାରରେ ଥିବା ହାଟରେ ୨୦୧୯ରୁ ୨୦୨୧ ମଧ୍ୟରେ ତିନି ଦଫାରେ ବିଏମ୍‌ସି ୧ ନମ୍ବର ହାଟରେ ଥିବା ଦୋକାନୀଙ୍କ ମଧ୍ୟରୁ ୫୦୭ ଜଣଙ୍କ ନାମରେ ମ୍ୟୁଟେସନ କରିଦେଲା। କେତେକ ମୂଳ ଆଲଟିଙ୍କୁ ଛାଡ଼ିଦେଲେ ଅଧାରୁ ଅଧିକ ନାମକୁ କାଟି ଅନ୍ୟ ଜଣଙ୍କ ନାମରେ କରି ଦିଆଯାଇଥିବା ଦେଖାଯାଇଥିଲା। ‌ବିଏମ୍‌ସି କହିଥିଲା କି ଯାହାଙ୍କ ନାମରେ ଦୋକାନ ରହିଥିଲା ସେମାନେ ନଥିଲେ ବରଂ ଅନ୍ୟମାନେ ବ୍ୟବସାୟ କରୁଥିଲେ। ଫଳରେ ଦୀର୍ଘ ଦିନ ହେବ ଭଡ଼ା ଧାର୍ଯ୍ୟ କରିବା ସମ୍ଭବ ହେଉନଥିଲା। ମୂଳ ଲାଇସେନ୍ସ ହୋଲ୍ଡରଙ୍କୁ ଅଭିଯୋଗ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇ ଏହି ମ୍ୟୁଟେସନ କରାଯାଇଛି ବୋଲି କହିଥିଲା। ନୂଆ ମ୍ୟୁଟେସନ ପରେ ଭଡ଼ା ଧାର୍ଯ୍ୟ ହୋଇଥିଲା। କିନ୍ତୁ ପାଖାପାଖି ୨ ଶହ ଦୋକାନରେ ଅଣ୍ଡରଗ୍ରାଉଣ୍ଡ ପାଇଁ ବିଏମ୍‌ସି ଭଡ଼ା ଧାର୍ଯ୍ୟ କରିନଥିଲା।
ବିଏମ୍‌ସିରେ ଦୋକାନ ପାଇଁ ଯେମିତି ଭଡ଼ା ଧାର୍ଯ୍ୟ ହୁଏ, ଅଣ୍ଡରଗ୍ରାଉଣ୍ଡ ପାଇଁ ମଧ୍ୟ ସେଭଳି ଭଡ଼ା ଧାର୍ଯ୍ୟ ହୁଏ। କିନ୍ତୁ ଏହି ମାର୍କେଟ୍‌ କ୍ଷେତ୍ରରେ ତାହାକୁ ଉପେକ୍ଷା କରାଯାଇଛି। ବରିଷ୍ଠ ଅଧିକାରୀଙ୍କୁ ନେଇ ତିନିଟି ଟିମ୍‌ ଏହାର ଅନୁଧ୍ୟାନ କରିଥିଲେ ମଧ୍ୟ ଏହି ଅଣ୍ଡରଗ୍ରାଉଣ୍ଡକୁ କିଭଳି ଦେଖିପାରିଲେ ନାହିଁ? ନା ଦେଖି ଆଖି ବୁଜିଦେଲେ? ଅଭିଯୋଗ ମୁତାବକ, ଗୋଟିଏ ଅଣ୍ଡରଗ୍ରାଉଣ୍ଡର ଆନୁମାନିକ ଭଡ଼ା ୧ ହଜାର ଟଙ୍କା। ଏଭଳି ବର୍ଷକୁ ୧୨ ହଜାର ଟଙ୍କା ହିସାବରେ ୨ଶହ ଦୋକାନ ପାଇଁ ଭଡ଼ା ୨୪ ଲକ୍ଷ ଟଙ୍କା। ଅଢ଼େଇବର୍ଷ ତଳେ ମ୍ୟୁଟେସନ ଓ ଭଡ଼ା ଧାର୍ଯ୍ୟ ହୋଇଛି। ଏଣୁ ଏହି ଅଢ଼େଇ ବର୍ଷ ମଧ୍ୟରେ ବିଏମ୍‌ସିର ୬୦ ଲକ୍ଷ ଟଙ୍କା କ୍ଷତି ହୋଇ ସାରିଲାଣି। ଏଥିପାଇଁ କିଏ ଦାୟୀ ସେ‌ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଭିଯୋଗ ଆସିବା ପରେ ଏହାକୁ ଅନୁଧ୍ୟାନ କରାଯାଉଛି। ଅନ୍ୟପଟେ ୟୁନିଟ୍‌-୧ ମାର୍କେଟ୍‌ର ନବକଳେବର ପାଇଁ ପ୍ଲାନ୍‌ ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ହୋଇଗଲେ ତୁରନ୍ତ କାମ ଆରମ୍ଭ ହେବ। କମ୍ପ୍ଲେକ୍ସ ହେବା ପରେ ଏହି ଅଭିଯୋଗ ରହିବ ନାହିଁ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ୱାନ୍ତ ହେଲେ ବୃଦ୍ଧ

Sun Jun 18 , 2023
କଟକ: ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ୱାନ୍ତ ହେଲେ ବୃଦ୍ଧ। ସାଇବର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧ। ବୃଦ୍ଧଙ୍କ ଠାରୁ ୨୦ ଲକ୍ଷ ୬୨ ହଜାର ଟଙ୍କାର ଠକେଇ କଲେ ସାଇବର ଠକ। ଜଣେ ଯୁବତୀଙ୍କ ସହ ଫେସବୁକରେ ବନ୍ଧୁତା ଓ ପରେ ହ୍ୱାଟ୍ସଆପରେ ଚାଟିଂ କରୁଥିଲେ ବୃଦ୍ଧ। ସେ ଜଣେ ସୁନା […]
ଅଜଣା ଯୁବତୀଙ୍କ ସହ ଚାଟିଂ ମହଙ୍ଗା ପଡ଼ିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial