କୁଆଖାଇ, କୁଶଭଦ୍ରା, ଭାର୍ଗବୀ ନଦୀରେ ବନ୍ୟା ଆଶଙ୍କା

୩ ନଦୀରେ ବନ୍ୟା ଆଶଙ୍କା

ବିପଦ ସଙ୍କେତ ତଳେ ପାଣି, ଦୟା ଓ ଧନୁଆକୁ ପଶିଲା ବନ୍ୟାଜଳ, ଆଜି ଆହୁରି ବଢ଼ିବ

ବାଲିଅନ୍ତା/ବାଲିପାଟଣା : ଲଗାଣ ବର୍ଷା ସାଂଗକୁ ମହାନଦୀର ହୀରାକୁଦରେ ଗେଟ୍‌ ଖୋଲା ହେବା ପରେ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଆଜି ଭୋର୍‌ ସମୟରୁ ଧୀରେ ଧୀରେ ଏହି ତିନି ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏଯାଏ ନଦୀଗୁଡ଼ିକ କୂଳ ଲଂଘି ନଥିଲେ ହେଁ ବୁଧବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ମୋଟ୍ ୨୪ ଗେଟ୍‌ ଖୋଲିବା ପରେ ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି। ତଥାପି ସବୁ ନଦୀରେ ବନ୍ୟାଜଳ ବିପଦସଙ୍କେତଠାରୁ ପ୍ରାୟ ୩ ମିଟର ତଳେ ବହିଛି। ତେବେ ରାତି ୯ଟା ସୁଦ୍ଧା ବନ୍ୟାଜଳ ସ୍ତର କିଛି କିଛି ସ୍ଥାନରେ ନଦୀ ପଠାକୁ ଉଠିଥିବା ଖବର ମିଳିଛି। ଜଳସ୍ତର ବୃଦ୍ଧି ଯୋଗୁଁ ଭାର୍ଗବୀ ନଦୀର ଅଚ୍ୟୁତପୁର କାଜରେ ପାଣି ଗଡ଼ିଥିବା ଜଣାପଡ଼ିଛି ଏବଂ ଧନୁଆ ନଈକୁ ବନ୍ୟାଜଳ ପ୍ରବେଶ କରିଥିବାରୁ ଆଖପାଖ ଗାଁରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ପ୍ରାଚୀ ଡିଭିଜନ ଅଧୀନ ବାଲିଅନ୍ତା କେନାଲ ସବ୍‌ଡିଭିଜନ ସହକାରୀ ଯନ୍ତ୍ରୀ ଭୀମସେନ ବେହେରାଙ୍କ ସୂଚନାନୁସାରେ କୌଣସି ପ୍ରକାର ବଡ଼ଧରଣର ବନ୍ୟା ଆଶଙ୍କା ନାହିଁ। ମୁଣ୍ଡଳି ୱେୟାର୍‌ରେ ଆଜି ଦିନ ସୁଦ୍ଧା ପ୍ରାୟ ୬ ଲକ୍ଷ ୪୩ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ସେଥିରୁ ପ୍ରାୟ ୩ ଲକ୍ଷ ୨୧ ହଜାର କ୍ୟୁସେକ୍‌ ଜଳ ମହାନଦୀରେ ପ୍ର‌ବାହିତ ହେଉଛି। ଅବଶିଷ୍ଟ ପାଖାପାଖି ୩ ଲକ୍ଷ କ୍ୟୁସେକ୍‌ ଜଳ ଉଭୟ କାଠଯୋଡ଼ି ଓ କୁଆଖାଇରେ ପ୍ରବାହିତ ହେଉଛି। ତେବେ କାଠଯୋଡ଼ିରେ ଅଧିକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କୁଆଖାଇରେ ପାଖାପାଖି ୪୦ ହଜାର କ୍ୟୁସେକ୍‌ ପାଣି ଚାଲିଛି। କୁଆଖାଇ ଓ କୁଶଭଦ୍ରା ନଦୀ‌ଦ୍ବୟର ବିପଦସଙ୍କେତ ୧୮.୨୫ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୫ ମିଟରରୁ ସାମାନ୍ୟ ଅଧିକ ରହିଛି। ବନ୍ୟା ପରିସ୍ଥିତି ହୋଇନଥିଲେ ମଧ୍ୟ କୁଶଭଦ୍ରା ନଦୀ ଶଯ୍ୟାରେ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଶିଶୁମଠରୁ ସାହେବନଗରକୁ ସଂଯୋଗ କରୁଥିବା ରାସ୍ତାଟି ପୂରା ଧୋଇଯାଇଛି। ତେଣୁ ଆଜି ସାହେବନଗର, ମହୁଖଣ୍ଡା, ନୂଆସାହି ଓ କୋଳଥପିଠା ପ୍ରଭୃତି ଅଞ୍ଚଳର ଲୋକେ ବାଲିପାଟଣାକୁ ଆସିବା ପାଇଁ କାକରୁଦ୍ରପୁର ବ୍ରିଜ୍‌ ଦେଇ ବୁଲିଛନ୍ତି। ଶିଶୁମଠ ଠାରେ ନଦୀରେ ପୋଲ ନିର୍ମାଣ ସରିଥିଲେ ବି ସଂଯୋଗ ରାସ୍ତା ସରିନଥିବାରୁ ଲୋକେ ଆଜି ଯାତାୟାତ ପାଇଁ ସମସ୍ୟାରେ ପଡ଼ିଥିଲେ। ବୁଧବାର ନଦୀରେ ବନ୍ୟା ପାଣି ଦେଖିବା ପାଇଁ ଆଖପାଖ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଥିଲା। ବିଭିନ୍ନ ବ୍ରିଜ୍‌ ଉପରେ ଆଜି ସକାଳେ ଓ ସଂଧ୍ୟାରେ ଲୋକମାନଙ୍କର ଭିଡ଼ ଜମିଥିଲା। କିଛି ଲୋକ ନଦୀରେ ଜାଲ ପକାଇ ମାଛ ଧରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ରାତିରେ ନଦୀର ଜଳସ୍ତର ବଢ଼ୁଥିବାରୁ କିଛି ନଦୀକୂଳିଆ ଗାଁ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନର ନିକଟ ଗାଁରେ ଭୟର ବାତାବରଣ ରହିଛି। କୁଆଖାଇ ନଦୀର ପେଟାଘାଇ, ଉମାଦେଇ ବ୍ରହ୍ମପୁର, ହୀରାପୁର, ଗଡ଼ ଶ୍ରୀରାମପୁର, ସତ୍ୟଭାମାପୁର, ଗଡ଼ କଣ୍ଟୁଣିଆ, ରଥିଜେମା, ପ୍ରତାପଶାସନ, ହନୁମନ୍ତପାଟଣା, ପଣସପାଟଣା ଆଦି ସ୍ଥାନରେ ନଦୀ ବନ୍ଧ ଅତି ଦୁର୍ବଳ ଥିବା ଲୋ‌କେ ଅଭିଯୋଗ କରିଛନ୍ତି। ସେହିପରି କୁଶଭଦ୍ରା ନଦୀର ନୂଆସାହି, ପ୍ରତାପରୁଦ୍ରପୁର, କୂଳସାହି ଆଦି ସ୍ଥାନରେ ବନ୍ଧ ଦୁର୍ବଳ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପୂରା ପ୍ରସ୍ତୁତ ରହିଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି।

Share Now:

Kalinga News Beuro

Next Post

ଆଜି ଧରାବତରଣ କରୁଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା: ଜମିଲା ମୂର୍ତ୍ତି ବିକ୍ରି

Fri Sep 17 , 2021
ଭୁବନେଶ୍ୱର: ଚଳଚଞ୍ଚଳ ହୋଇପଡ଼ିଛି ସହରର ସମସ୍ତ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ବୈଷୟିକ ଶିକ୍ଷାନୁଷ୍ଠାନ। ଆଜି ଧରାବତରଣ କରୁଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା। ବର୍ଷତମାମ ଯେଉଁ ମେସିନ୍‌ ଆମ ଶ୍ରମକୁ ଲାଘବ କରିଛି, ବର୍ଷ ବର୍ଷ ଧରି ଯେଉଁ କାରଖାନା ଆମକୁ ରୋଜଗାର ତଥା ସାମଗ୍ରୀ ଯୋଗାଇଛି; ସେଗୁଡ଼ିକୁ ବିରାମ ଦେଇ କୃତଜ୍ଞତା ଜଣାଯିବ। ସିନ୍ଦୂର, ଚନ୍ଦନ ସହ ଧୂପଦୀପରେ ପୂଜାର୍ଚ୍ଚନା କରାଯିବ ଦେବଶିଳ୍ପୀଙ୍କ ସହ ସମସ୍ତ ମେସିନ, କଳ ଓ ପ୍ରତିଟି […]
ଦେବଶିଳ୍ପୀ ବିଶ୍ବକର୍ମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial