ସାଲିଆସାହିରେ ମହିଳା ପଜିଟିଭ୍‌: ସଙ୍ଗ‌ରୋଧରେ ୨୫ ପରିବାର

ଚିନ୍ତା ବଢ଼ାଇଲା ସଲିଆସାହି,ମୁମ୍ବାଇ ସ୍ଥିତି ହେବନି ତ?

ଭୁବନେଶ୍ୱର: ସାଲିଆସାହି ବସ୍ତିକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଗତକାଲି ଏଠାରେ ଚିହ୍ନଟ ହୋଇଥିବା ମହିଳାଜଣଙ୍କ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ଠିକ୍‌ ଭାବେ ଆକଳନ କରାଯାଇପାରୁ ନାହିଁ। କାରଣ ଏହି ମହିଳାଙ୍କ ପରିବାରଲୋକେ ଘର ନିକଟରେ ଚାଉଳି(ହାଣ୍ଡିଆ ଜାତୀୟ ପାନୀୟ) ବିକ୍ରି କରୁଥିଲେ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସେଠାରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା। ସହରର ବିଭିନ୍ନ ସ୍ଥାନରୁ ଆସି ଲୋକ ଗହଳି ଲଗାଉଥିଲେ। ସଂକ୍ରମଣ ସଂଖ୍ୟା ବଢ଼ିବା ଆଶଙ୍କାରେ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମ୍ପୃକ୍ତ ମହିଳାଙ୍କ ଘର ଆଖପାଖରେ ରହୁଥିବା ପରିବାର ଉପରେ ନଜର ରଖିଛି। କେହି ବି ପଦାକୁ ନ ବାହାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ଅଧିକାରୀଙ୍କ ସମେତ ପୁଲିସ, ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି ସ୍ଥିତି ଉପ‌ରେ ନଜର ରଖିଛନ୍ତି। ଏହି ବସ୍ତିରେ ଯଦି କରୋନା ବ୍ୟାପେ, ତେବେ ସାରା ସହରକୁ ବ୍ୟାପିବାର ସମ୍ଭାବନା ରହିଛି। କାରଣ ଏଠାରେ ରହୁଥିବା ଅଧିକାଂଶ ଲୋକ ଅନ୍ୟମାନଙ୍କ ଘ‌ରେ କାମ କରୁଛନ୍ତି। ସହରର ବିଭିନ୍ନ ସ୍ଥାନରେ ଉଠାଦୋକାନ ମଧ୍ୟ କରିଛନ୍ତି। ମୁମ୍ବାଇର ଧରାବି ବସ୍ତିରେ କରୋନା ବ୍ୟାପିବା ପରି ସାଲିଆସାହିରେ ସ୍ଥିତି ଯେ ନ ଉପୁଜିବ କହିହେବନି। ବିଏମ୍‌ସି ଉତ୍ତର ଜୋନ୍‌ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟିଙ୍କ କହିବାନୁଯାୟୀ, ସାଲିଆସାହିରେ କରୋନା ଚିହ୍ନଟ ପରେ ଆମେ ପଦକ୍ଷେପ ନେଇଛୁ। ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ପରିସ୍ଥିତିକୁ ନଜରରେ ରଖି ସମ୍ପୃକ୍ତ ମହିଳାଙ୍କ ଘର ଆଖପାଖରେ ଥିବା ୨୫ଟି ଘରକୁ ଷ୍ଟିକରିଂ କରାଯାଇଛି। ସମସ୍ତ ପରିବାରକୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ପ୍ରତିଦିନ ସେମାନଙ୍କ ସ୍ୱାସ୍ଥ୍ୟ ଯା‌ଞ୍ଚ କରାଯିବ। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତଦାରଖ କରାଯିବ। ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ସମ୍ପର୍କିତ ଲକ୍ଷଣ ଦେଖାଯାଏ, ତେବେ ସ୍ୱାବ୍‌ ଓ ରକ୍ତ ନମୁନା ପରୀକ୍ଷା ହେବ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳାଜଣକ ଏଠାକାର ବାସିନ୍ଦା। କିଛି ମାସ ପୂର୍ବରୁ ଅହମ୍ମଦ‌ାବାଦ ଯାଇଥିଲେ। ଲକ୍‌ଡାଉନ୍‌ ହେବା ପୂର୍ବରୁ ମାର୍ଚ୍ଚ ୨୨ରେ ନିଜ ଘରକୁ ଫେରିଥିଲେ। ଏହାପରେ ତାଙ୍କ ଘରକୁ ଷ୍ଟିକରିଂ କରାଯାଇ ନଜରରେ ରଖାଯାଇଥିଲା। ଆଶା ଓ ଅଙ୍ଗନବାଡ଼ି ଦିଦି ପ୍ରତିଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ଦେଖାଦେଇ ନ ଥିଲା। ଗର୍ଭବତୀ ଥିବାରୁ ମେ’ ୩୦ରେ ତାଙ୍କ ଶରୀର ଓ ହାତ ଫୁଲି ଯାଇଥିଲା। ତେଣୁ ୩୧ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ଦିନ ରାତି ୧ଟାରେ ମହିଳାଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ନମୁନା ପରୀକ୍ଷା ପରେ ମହିଳାଙ୍କର ପଜିଟିଭ୍‌ ଆସିଥିବା ବେଳେ ଶିଶୁ ପୁତ୍ରଟିର ନମୁନା ନେଗେଟିଭ୍‌ ଆସିଛି। ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ନମୁନା ସୋମବାର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଆମେରିକାରେ ରଂଗଭେଦ ହିଂସା ଜାରି:ଲୁହା ବାଡ଼ ସୁରକ୍ଷା ଭିତରେ ହ୍ୱାଇଟ ହାଉସ୍‌

Sat Jun 6 , 2020
ୱାସିଂଟନ: ଆମେରିକାରେ କୃଷ୍ଣକାୟ ଜର୍ଜ୍ ଫ୍ଲାୟଡଙ୍କ ମୃତ୍ୟୁର ପ୍ରତିବାଦରେ ଦେଖାଦେଇଥିବା ବିଦ୍ରୋହର ନିଆଁ ଏବେ ସମଗ୍ର ଆମେରିକାକୁ ଗ୍ରାସି ସାରିଛିା ପ୍ରାୟ ୧୭ଟି ସହରରେ କର୍ଫ୍ୟୁ କଟକଣା ଲଗାଯାଇଛି। ତେବେ ରାଷ୍ଟ୍ରପତି ଭବନ(ହ୍ୱାଇଟ ହାଉସ୍‌) ଅଭିମୁଖେ ଉଦ୍ୟମରତ ଆନ୍ଦୋଳନକାରୀମାନଙ୍କ ଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ସାରା ହ୍ୱାଇଟ ହାଉସ୍‌ ଚାରିପାଖରେ ସୁଉଚ୍ଚ ଲୁହାବାଡ଼ ନିର୍ମାଣ କରାଯାଇଛିା ଗୁଇନ୍ଦା ସୂଚନା ମୁତାବକ, ଆନ୍ଦୋଳନକାରୀଙ୍କୁ ରାଷ୍ଟ୍ରପତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial