ମୁମ୍ବାଇ : ବଲିଉଡରୁ ଏକ ଦୁଃଖଦ ଖବର ଆସିଛି। ଜଣାଶୁଣା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆତ୍ମହତ୍ୟା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ମୁମ୍ବାଇ ପୁଲିସ ତାଙ୍କ ଘରେ ତଦନ୍ତ ପାଇଁ ପହଁଚିଥିବା ଜଣା ପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ବର୍ଷ ହୋଇଥିଲା।ମିଳିଥିବା ସୂଚନା ମୁତାବକ, ତାଙ୍କ ଘରେ କାମ କରୁଥିବା ଗୃହ ସହାୟକ ପ୍ରଥମେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସେ ଜଣେ ଟିଭି ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମେ ‘କିସ୍ ଦେଶ ମେଁ ହେ ମେରା ଦିଲ୍’ ନାମକ ଧାରାବାହିକରୁ କାମ ଆରମ୍ଭ କରିଥିଲେ ମଧ୍ୟ ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ରେ ତାଙ୍କୁ ଲୋକ ଜାଣିବା ଆରମ୍ଭ କରିଥିଲେ। ‘ପବିତ୍ର ରିସ୍ତା’ ପରେ ପରେ ତାଙ୍କୁ ବଲିଉଡରୁ ଅଫର ମିଳିବା ଆରମ୍ଭ ହୋଇଥିଲା। ସେ ପ୍ରଥମେ ‘କାଇ ପୋ ଚେ’ ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଥିବା ବେଳେ ଗୋଟେ ପରେ ଗୋଟେ ସଫଳତାର ସିଢି ସେ ଚଢିବା ଆରମ୍ଭ କରିଥିଲେ। ସବୁ କିଛି ଠିକ ଚାଲିଥିବା ବେଳେ ହଠାତ ସୁଶାନ୍ତ କାହିଁକି ଏଭଳି ପଦକ୍ଷପ ନେଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ୨୦୧୬ରେ ରିଲିଜ ହୋଇଥିବା ‘ଏମଏସ୍ ଧୋନି: ଦ ଅନଟୋଲଡ୍ ଷ୍ଟୋରୀ’ ସୁପରଡୁପର ହିଟ୍ ହେବା ପରେ ସୁଶାନ୍ତ ବଲିଉଡ୍ ନାୟକ ଦୌଡ଼ରେ ସାମିଲ୍ ହୋଇଥିଲେ। ଏହାପରେ ତାଙ୍କୁ ଭଲ ଭଲ ଫିଲ୍ମର ଅଫର ଆସିଥିଲା। ଶେଷ ଥର ପାଇଁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲେ ସୁଶାନ୍ତ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ‘ଛିଛୋରେ’ ବ୍ୟତୀତ ସେ, ‘ରାବତା’, ‘ପିକେ’, ‘ଡ୍ରାଇଭ’, ‘ଶୁଦ୍ଧ ଦେଶୀ ରୋମାନ୍ସ’ ଓ ‘କେଦାରନାଥ’ ଭଳି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ମାତ୍ର ‘ଏମଏସ୍ ଧୋନି: ଦ ଅନଟୋଲଡ୍ ଷ୍ଟୋରୀ’ ପରେ ତାଙ୍କ ଅଭିନୀତ ଆଉ କୌଣସି ଛବି ବକ୍ସଅଫିସରେ ବିଶେଷ ସଫଳତା ପାଇ ନଥିଲା। ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଶିକାର ଥିଲେ ବୋଲି ସୂଚନା ମିଳିଛି।
