ବେପରୱା ପର୍ଯ୍ୟଟନ ବିଭାଗ : କେତେ ଦିନ ବନ୍ଦ ରହିବ ଲେଜର୍‌ ସୋ’

କେତେ ଦିନ ବନ୍ଦ ରହିବ ଲେଜର୍‌ ସୋ’

ବିନ୍ଦୁସାଗରକୁ ଆସି ପର୍ଯ୍ୟଟକ ନିରାଶ

ପୁରୁଣା ଭୁବନେଶ୍ବର: ମାତ୍ର ୫ ଲକ୍ଷ ଟଙ୍କା ପାଇଁ ଦେଢ଼ ମାସ ହେଲା ପର୍ଯ୍ୟଟନ ବିଭାଗରେ ବନ୍ଧା ପଡ଼ିଛି ଫାଇଲ୍। ଗତ ମାସ ୯ ତାରିଖରୁ ଫାଇଲ୍‌ ଯାଇଛି ଯେ ଯାଇଛି, ଫେରିବାର ନାଁ ଗନ୍ଧ ନାହିଁ। କେବେ ବିଭାଗ ଟିପିସିଓଡିଏଲ୍‌କୁ ଏତକ ଟଙ୍କା ଦେବ ଏବଂ ପୁଣିଥରେ ବିନ୍ଦୁସାଗରରେ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’ ଚାଲିବ, ତାହା ବି କାହାକୁ ମାଲୁମ୍‌ ନାହିଁ। ଏପଟେ, ପର୍ଯ୍ୟଟନ ଋତୁରେ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଲେଜର୍‌ ସୋ’ର ମଜା ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି।
ବିନ୍ଦୁସାଗରକୁ ଆସି ପର୍ଯ୍ୟଟକ ନିରାଶ
ଦୁଇ ଦିନ ତଳେ ଏଠାକୁ ବୁଲି ଆସିଥିବା ବିଶାଖାପାଟଣାର ସବିତା ଗୁପ୍ତା କହିଛନ୍ତି ଯେ ୨୦୧୯ ମସିହାରେ ସେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଥିବା ବେଳେ ବିନ୍ଦୁସାଗରରେ ନୀଳ, ନାଲି, ଗୋଲାପି, ହଳଦୀ ରଙ୍ଗର ଜଳଫୁଆରା ଦେଖିଥିଲେ। ଏହାସହ ଲେଜର୍‌ ସୋ’ରେ ମହାପ୍ରଭୁଙ୍କ ରୌଦ୍ର ବେଶ ଓ ତାଣ୍ଡବ ନୃତ୍ୟ ତାଙ୍କ ମନକୁ ଛୁଇଁଥିଲା। ତେଣୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ସହ ଏହି ସବୁ ଦୃଶ୍ୟ ଦେଖାଇବା ପାଇଁ ଏଥର ସେ ତାଙ୍କର କିଛି ବନ୍ଧୁବାନ୍ଧବଙ୍କୁ ଆଣି ଏଠାକୁ ଆସିଥିଲେ। କେବଳ ସଂଧ୍ୟାରେ ଏହି ସୋ’ ହେଉଥିବାରୁ ଅପରାହ୍‌ଣରେ ଏଠାରେ ପହଞ୍ଚି ଯାଇଥିଲେ। କିନ୍ତୁ ବିନ୍ଦୁସାଗର କୂଳରେ ପାଖାପାଖି ୨ ଘଣ୍ଟା ଠିଆ ହେବା ପରେ ସୋ’ ନ ଚାଲିବାରୁ ନିରାଶ ହୋଇ ଫେରିଥିଲେ। ଦେଢ଼ ମାସ ହେବ, ଏଠାରେ ଏହି ସୋ’ ବନ୍ଦ ରହିଛି ବୋଲି ତାଙ୍କୁ ମାଲୁମ୍‌ ନଥିଲା। ରାଜସ୍ଥାନରୁ ଆସିଥିବା ନିଶିକାନ୍ତ ଗୌର୍, କୋଲକତାରୁ ଆସିଥିବା ପପୁ ଦାସ ଓ ମଧ୍ୟପ୍ରଦେଶରୁ ଆସିଥିବା ମହୀପାଲ ଶ୍ରୀବାସ୍ତବଙ୍କ ଅନୁଭୂତି ବି ସମାନ। ସୂଚନାଯୋଗ୍ୟ, ଗତ ହକି ବିଶ୍ବକପ୍‌ ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭୁବନେଶ୍ବରର ଭଲ ଛବି ଦେଖାଇବା ପାଇଁ ସରକାର ଏହି ଯୋଜନାକୁ ବାସ୍ତବ ରୂପ ଦେଇଥିଲେ। ୨୦୧୮ ନଭେମ୍ବର ୧୮ ତାରିଖରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିନ୍ଦୁସାଗର ମଧ୍ୟରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ମ୍ୟୁଜିକ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’ ଲୋକାର୍ପିତ ହୋଇଥିଲା। ପ୍ରତିଦିନ ସନ୍ଧ୍ୟାରେ ୨ଟି ସୋ’ ଚାଲୁଥିବା ବେଳେ ଏହାକୁ ଦେଖିବା ପାଇଁ ସେଠାକାର ଅଞ୍ଚଳ ଲୋକାରଣ୍ୟ ହୋଇଯାଉଥିଲା। ପୋଖରୀ କୂଳରେ ବସି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଏହାକୁ ଉପଭୋଗ କରୁଥିଲେ। ୨ ବର୍ଷ ତଳେ ଏଠାରେ ଲାଗିଥିବା ସାଉଣ୍ଡବକ୍ସ ଖରାପ ହୋଇଯିବାରୁ ତାହାକୁ ବି ବଦଳାଇ ଦିଆଯାଇଥିଲା। କିନ୍ତୁ ଏବେ କୌଣସି ମେସିନ୍‌ ଖରାପ ନଥାଇ ମଧ୍ୟ ଦେଢ଼ ମାସ ହେବ ଏହି ସୋ’ ବନ୍ଦ ପଡ଼ିଛି। ଏହି ସୋ’ ପାଇଁ ବିଦ୍ୟୁତ୍‌ ଖର୍ଚ୍ଚ ବାବଦକୁ ମାସକୁ ୪୦ ହଜାର ହିସାବରେ ବର୍ଷକୁ ପାଖାପାଖି ୫ଲକ୍ଷ ଦେଇ ନପାରିବାରୁ ଏଠାରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି।
ମିଳିଥିବା ସୂଚନାନୁଯାୟୀ, ଇଡ୍‌କୋ ଏହି ପ୍ରକଳ୍ପକୁ ପରିଚାଳନା କରୁଥିବା ବେଳେ ପର୍ଯ୍ୟଟନ ବିଭାଗ ବିଦ୍ୟୁତ୍‌ ବିଲ୍‌ ପୈଠ କରିଥାଏ। ଆଗରୁ କେବେ ବି ଏତେ ଟଙ୍କା ବାକି ପଡ଼ି ନଥିଲା। କିନ୍ତୁ ଏଇ ବର୍ଷ ବିଭାଗ ଟଙ୍କା ପୈଠ କରି ନଥିବାରୁ ସମସ୍ୟା ଉପୁଜିଛି। ଏ ସଂପର୍କରେ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ପ୍ରତି ମାସରେ ପ୍ରାୟ ୩୫ହଜାରରୁ ୪୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ହେଉଥିଲା। ଟିପିସିଓଡିଏଲ୍‌ ପକ୍ଷରୁ ବିଲ୍‌ ଦିଆଗଲେ ଠିକ୍‌ ସମୟରେ ଟଙ୍କା ପୈଠ କରି ଦିଆଯାଉଥିଲା। କିନ୍ତୁ ବର୍ଷେ ହେବ ମାସକୁ ମାସ ବିଲ୍‌ ଦିଆଯାଇନଥିଲା। ତେଣୁ ଏତେଗୁଡ଼ାଏ ଟଙ୍କା (୫ ଲକ୍ଷ) ବାକି ପଡ଼ିଗଲା। ୨ ମାସ ତଳେ ଟିପିସିଓଡିଏଲ୍‌ ଚିଠି କରି ବିଲ୍‌ ପୈଠ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଜଣାଇଥିଲା। କିନ୍ତୁ ଟଙ୍କା ନ ମିଳିବାରୁ ଲାଇନ୍‌ କାଟି ଦେଇଛି। ଫଳରେ ସୋ’ ବନ୍ଦ ହୋଇଯାଇଛି। ପର୍ଯ୍ୟଟନ ବିଭାଗରେ ଏବେ ଫାଇଲ୍‌ କସରତ କରୁଛି। କେବେ ବିଲ୍‌ ପୈଠ କରାଯିବ, ତାହା ସ୍ପଷ୍ଟ କରାଯାଇନାହିଁ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ୨୦୧୮ମସିହାରେ ହକି ବିଶ୍ବକପ୍ ପୂର୍ବରୁ ବିନ୍ଦୁସାଗର ନିକଟରେ ଲୋକେ ଲେଜର୍‌ ସୋ’ର ମଜା ନେଉଥିଲେ। ହେଲେ ଚଳିତବର୍ଷ ବିଶ୍ବକପ୍‌ ହକି ବେଳକୁ ନାହିଁ। ଏବେ ବିଶ୍ବକପ୍‌ ହକି ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ଟିପିସିଓଡିଏଲ୍‌କୁ ମାତ୍ର ୫ ଲକ୍ଷ ଟଙ୍କା ଦେବାକୁ କ’ଣ ସରକାରଙ୍କୁ କଷ୍ଟ ପଡ଼ୁଛି। ସବୁ ସରଞ୍ଜାମ ତ ଠିକ୍‌ ଅଛି, ଖାଲି ବିଦ୍ୟୁତ୍‌ ସଂଯୋଗ ହେଲେ ପୁଣି ସୋ’ ଚାଲିପାରିବ। ପର୍ଯ୍ୟଟନ ବିଭାଗ ଅଧିକାରୀ ଅଞ୍ଜନ ବାରିକ କହିଛନ୍ତି ଯେ ବକେୟା ବିଲ୍‌ ପୈଠ ପାଇଁ ଚେଷ୍ଟା ଚାଲିଛି।

Share Now:

Kalinga News Beuro

Next Post

ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ : ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ଆଜି ବି ଅସମ୍ପୂର୍ଣ୍ଣ

Mon Dec 26 , 2022
କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୨୦୧୩ରେ ହୋଇଥିଲା ଶିଳାନ୍ୟାସ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ନାବାର୍ଡ ପକ୍ଷରୁ ଏଥିପାଇଁ ୪୯ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଶିଳାନ୍ୟାସ ହେବାର ବର୍ଷ ପରେ ବର୍ଷ ବିତିଯାଇ ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୨୦୧୪ ମସିହାରେ ସାଧାରଣ […]
ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial