କ୍ୟାପିଟାଲ ହସ୍ପିଟାଲରେ ଅବ୍ୟବସ୍ଥା : ପାଥୋଲୋଜିରେ ଉଚ୍ଚମାନର ପରୀକ୍ଷାରେ ତାଲା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ପାଥୋଲୋଜି ବିଭାଗରେ ମିଳୁଥିବା ଉଚ୍ଚମାନର ପରୀକ୍ଷା ବନ୍ଦ ହୋଇଯାଇଛି। ପରୀକ୍ଷା କରିବା ଲାଗି ଚୁକ୍ତି କରିଥିବା ସଂସ୍ଥା ନିଜ କର୍ମଚାରୀଙ୍କୁ ଦରମା ନ ଦେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଫଳରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟର୍‌ ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେବେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ସଂପୃକ୍ତ ସଂସ୍ଥାର ବିକଳ୍ପ ଖୋଜିବାକୁ ଆରମ୍ଭ କରିଥିବା ଜଣାପଡ଼ିଛି। ରୋଗୀମାନଙ୍କୁ ମାଗଣାରେ ଉଚ୍ଚମାନର ପରୀକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପିପିପି ମୋଡ୍‌ରେ ଟେକ୍‌ମେଡ୍ ନାମକ ଏକ ସଂସ୍ଥା କ୍ୟାପିଟାଲ ହସ୍ପିଟାଲରେ ଏହି ସେବା ଯୋଗାଉଥିଲା। ୨୦୧୮ମସିହାରେ ଏହା ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଜାରି ରହିଥିଲା। ବ୍ଲଡ୍ କଲଚର୍‌ଠାରୁ ଆରମ୍ଭ କରି ପିପିଆର, ଥାଇରଏଡ୍‌ ଭଳି ୧୬ଟି ପରୀକ୍ଷା ହେଉଥିଲା। କିନ୍ତୁ ଗତ କିଛି ଦିନ ହେବ ଏଥିରେ ତାଲା ପଡ଼ି ଯାଇଛି। ସଂସ୍ଥା ପକ୍ଷରୁ ଏସବୁ ପରୀକ୍ଷା କରିବା ପାଇଁ ଯେଉଁ କର୍ମଚାରୀ ନିଯୁକ୍ତ କରାଯାଇଥିଲା, ସେମାନଙ୍କୁ ୬ମାସର ଦରମା ମିଳି ନଥିବାରୁ ସଂପୃକ୍ତ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲକୁ ଆସୁନଥିବା ଜଣାଯାଇଛି। ଫଳରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ରୋଗୀ ସେବା ନ ପାଇ ଫେରି ଯାଉଛନ୍ତି। ବାଧ୍ୟ ହୋଇ ସେମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟର ଉପରେ ନିର୍ଭର କରିବାକୁ ପଡ଼ୁଛି। ଲୋକଙ୍କ ଏଭଳି ଅଭିଯୋଗ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପରେ ହସ୍ପିଟାଲ କର୍ତୃପକ୍ଷ ଏହାର ବିକଳ୍ପ ସଂସ୍ଥା ସନ୍ଧାନ କରିବା ଲାଗି ରାଜ୍ୟ ସରକାରଙ୍କୁ ଦୁଇ ଥର ଚିଠି ଲେଖିଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ସଂପୃକ୍ତ ସଂସ୍ଥାର ବିକଳ୍ପ ଖୋଜିବାକୁ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ଅଧାରୁ ଏଭଳି ଭାବେ ପରୀକ୍ଷା ବନ୍ଦ କରିଦେଇଥିବା ସଂସ୍ଥା ବିରୋଧରେ ସ୍ୱାସ୍ଥ୍ୟ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ପରବର୍ତୀ ସମୟରେ ଜଣାପଡ଼ିବ। ଅପରପକ୍ଷରେ ଉଚ୍ଚମାନର ପରୀକ୍ଷା ପାଇଁ ଚୁକ୍ତି କରିଥିବା ସଂସ୍ଥାର ମ୍ୟାନେଜର୍‌କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା, ମାତ୍ର ସେପଟୁ କୌଣସି ଉତ୍ତର ମିଳିପାରି ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ନୂଆ କଥା ନୁହେଁ। ପୂର୍ବରୁ ରେଜିଷ୍ଟ୍ରେସନ୍‌ କରୁଥିବା ସଂସ୍ଥା ଅଧିକାଂଶ ସମୟରେ ରୋଗୀମାନଙ୍କ ରେଜିଷ୍ଟ୍ରେସନ୍‌ କରିବାରେ ବିଫଳ ହୋଇଥିଲା।

Share Now:

Kalinga News Beuro

Next Post

ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି

Sat Jun 20 , 2020
ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୫ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial